Unknown

 

 

 

 

 

 

 

 

 

 

 

ନିଷିଦ୍ଧ ଅରଣ୍ୟ

ପଦ୍ମଜ ପାଳ

 

 

 

 

 

 

“ଯେଉଁମାନଙ୍କ ଭଲପାଇବା ମୋ ଜୀବନରେ ଭରିଦିଏ ଅଧିକ ଆତ୍ମବିଶ୍ଵାସ ସେଇ ବାପା, ବୋଉ ଓ ପୂର୍ଣ୍ଣାଙ୍ଗ ହାତରେ ଏ ବହିଟିକୁ ମୁଁ ଅର୍ପଣ କରୁଛି”

 

ପଦ୍ମଜ

 

ମୋ କଥା

 

ସେଦିନର ଦୁର୍ଯ୍ୟୋଧନ ରକ୍ତନଦୀ ସନ୍ତରଣ କଲାଭଳି ଅନେକ ସମୟରେ ମୁଁ ତ ଅନୁଭବ କରେ ଏଇ ଯନ୍ତ୍ରଣା ଭରା ଜୀବନରେ ମୁଁ ପହଁରୁଛି ଓ ପହଁରୁଛି । ପୁଣି ଅନୁଭବ କରୁଛି ଏ ଜୀବନ ଏବଂ ତା’ର କାମନା ଜନିତ ବ୍ୟର୍ଥତାର ହୀମ ଶିତଳତା ସେତେବେଳେ ମୁଁ କ୍ଳାନ୍ତ ପାଲଟେ-। ଏ ସବୁ ସତ୍ତ୍ୱେ ପୁଣି ଆଶ୍ଚର୍ଯ୍ୟଭାବେ ମୁଁ ଏ ଜୀବନର ପ୍ରତୀକ, ଅରଣ୍ୟକୁ ଭଲପାଉଛି । ବଞ୍ଚିବାକୁ ଚାହୁଁଛି–ଏଇ ନିଷିଦ୍ଧ ଇଲାକାରେ । କେତେବେଳେ ଏ ସବୁଥିରୁ ମୁକ୍ତିପାଇଁ ! ୟେ ମୋର କଥା ଏବଂ ସମସ୍ତ ଗଳ୍ପର ରୂପାନ୍ତରିତ ପଟ୍ଟଭୂମି ।

 

ଏ ସମସ୍ତ ମୋର ପ୍ରକାଶିତ ଗଳ୍ପଗୁଡ଼ିକୁ ପୁସ୍ତକ ଆକାରରେ ସନ୍ନିବେଶିତ କରିବାକୁ ଅଗ୍ରଦୂତ ପ୍ରକାଶନ ସଂସ୍ଥା ଯେଉଁ ଆଗ୍ରହ ପ୍ରକାଶ କରିଛି ସେଥିପାଇଁ ମୁଁ ଶ୍ରୀଯୁକ୍ତ ବୀରବର ମହାନ୍ତିଙ୍କୁ ଆନ୍ତରିକ ଧନ୍ୟବାଦ ଦେଉଛି ଏବଂ ଏଇ ଅବସରରେ ମୋର ବନ୍ଧୁ ଶ୍ରୀ ଅଦ୍ଵୈତ ପ୍ରସାଦ ମହାନ୍ତିଙ୍କୁ ତାଙ୍କର ସମୟୋଚିତ ସାହାଯ୍ୟ, ସହଯୋଗ ତଥା ପରାମର୍ଶ ପାଇଁ ଆନ୍ତରିକ କୃତଜ୍ଞତା ଜଣାଉଛି । ବନ୍ଧୁ ଶ୍ରୀ ଖଗେଶ୍ଵର ପରିଡ଼ା ପ୍ରିୟ ଛାତ୍ର ଶ୍ରୀ ମୂରଲିଧର ସାମଲ ଓ ଶ୍ରୀ କ୍ଷମାକର ଦାସ ପୁସ୍ତକଟିର ପାଣ୍ଡୁଲିପି ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିବାରୁ ମୁଁ ସେମାନଙ୍କ ପାଖରେ ଋଣୀ ।

 

ଯେଉଁ ଅସଂଖ୍ୟ ପାଠକ ସେମାନଙ୍କ ପତ୍ରରେ ନିଜର ମତାମତ ଗଳ୍ପଗୁଡ଼ିକ ବିଷୟରେ ଜଣାଇଛନ୍ତି ଏବଂ ଯେଉଁ ବନ୍ଧୁଗଣ ସେମାନଙ୍କର ମୂଲ୍ୟବାନ ଉପଦେଶ ଦେଇ ମୋତେ ଉତ୍ସାହିତ କରିଛନ୍ତି ସେମାନଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।

Image

 

ସୂଚୀପତ୍ର

 

୧.

ରାବଣୀ

୨.

ନଈବଢ଼ିର ଦୃଶ୍ୟ

୩.

ନିଷିଦ୍ଧ ଅରଣ୍ୟ

୪.

ସର୍କସ ଚାଲିଛି

୫.

ତୃତୀୟ ଦିବସ

୬.

ବିରୋଧାଭାସ

୭.

ଅରଣ୍ୟେ ଅଜଗର ପ୍ରାୟେ

୮.

ପାହାଡ଼ ଚଢ଼ା

୯.

ଚନ୍ଦ୍ରସେଣାର ଦୁଃଖ

୧୦.

ଆଉ ଏକ ତାଜମହଲ ସମ୍ପର୍କରେ

୧୧.

ଯେଉଁଠି ସୂର୍ଯ୍ୟ ଅସ୍ତଯାଏ

୧୨.

ଏବଂ ମୋର ପ୍ରତିଦ୍ୱନ୍ଦ୍ୱୀ

Image

 

ନିଷିଦ୍ଧ ଅରଣ୍ୟ

 

ଅଥଚ ଆମର ଟିକିଏ ବି ଧୈର୍ଯ୍ୟ ନ ଥିଲା ସେଇ ମୁହୂର୍ତ୍ତଟିକୁ ଅପେକ୍ଷା କରିବାକୁ । ଯେମିତି ସେଇ ଈପ୍‍ସିତ ମୁହୂର୍ତ୍ତଟି ଆସ୍ତେଆସ୍ତେ ଇଲାଷ୍ଟିକ ଭଳି ଲମ୍ବିଯାଉଛି, ଯାଉଛି ବନ୍ୟାଭଳି ବ୍ୟାପୀ ଏବଂ ତା’ର ଅନ୍ତ ନାହିଁ ।

 

ଚାହିଁଲେ ଉଦବେଗର କାରଣ ଅଛି । ସମାପ୍ତିର ମାନବୀୟ ଇଙ୍ଗିତ ଅଛି । ହେଲେ ସବୁକୁ ବୁଝି ନ ପାରୁଥିବା ଅସହାୟ ବୟସ୍କାମାନେ ଅଥବା ଦାମ୍ଭିକ ପ୍ରୌଢ଼ମାନେ ଅଥବା ନିଜକୁ ଅଭିଜ୍ଞ ମନେକରୁଥିବା ତରୁଣମାନେ ସବୁ ଦେଖି କିଛି ଦେଖିପାରୁନାହାନ୍ତି । କେମିତି ଗୋଟାଏ ଚଳନ୍ତି ରହସ୍ୟ ଭିତରେ ବୁଡ଼ି ଛଟପଟ ହେବାର ଏକ ବିରକ୍ତିକର ଭାବ ସେମାନଙ୍କର ମୁହଁସାରା ଖେଳି ବ୍ୟାପିଯାଉଛି, ତରଙ୍ଗରେ ତରଙ୍ଗରେ ଦେହକୁ । ଦେହରେ ତା’ର ପ୍ରତିକ୍ରିୟା–ପ୍ରତିହତ କାମନା ଭଳି ଯନ୍ତ୍ରଣାଦାୟକ ।

 

ଯେଉଁମାନେ ଆକାଶକୁ ଚାହୁଁଥିଲେ, କ’ଣ ଦେଖୁଥିଲେ ସେମାନେ କେଜାଣି ? ମୋତେ ଲାଗୁଥିଲା ବ୍ୟର୍ଥଭାବେ ସେମାନେ ସେଇ ସ୍ଥିର ମୁହୂର୍ତ୍ତଟିକୁ ଖୋଜୁଛନ୍ତି–କେଉଁଠି ସେ ଗୋଟାଏ କଳା ମଚ ମଚ ବାଦୁଡ଼ି ଭଳି ଡେଣା ଫଡ଼ ଫଡ଼ କରି ଝୁଲୁନାହିଁ ତ ! ଆଉ ଯେଉଁମାନେ ଅଧିକ ବାସ୍ତବବାଦୀ, ସେମାନେ ସେଇ ପରିଚିତ ଘରସାରା ବିଛେଇ ହୋଇପଡ଼ିଥିବା ପୁରୁଣା ଜିନିଷଗୁଡ଼ାକର ବେଖାପ ଢଙ୍ଗରେ ଭୟପାଇ ଲୋଚାକୋଚା ହୋଇଥିବା ବିଛଣାକୁ ଚାହିଁ ହଠାତ୍ ଚମକିଉଠନ୍ତି–ଏବଂ

 

ଏବଂ ବୋଉର ସେ ବନ୍ଦ ଆଖି, ମୃତ ଶୀତଳ ମୁହଁ ଖାଲି ନିଶ୍ୱାସପ୍ରଶ୍ୱାସ ଯିବାର ଭୟର ମୁଦ୍ରାକୁ ଦେଖିବାକୁ, ବଗଭଳି ବେକ ଲମ୍ବେଇଦେଇ ଚାହାଁନ୍ତି । ନିଃଶ୍ଵାସ ଗଲାବେଳେ ଓଠ ଦୁଇଟା ଯାହା ଟିକେ ଥରିଉଠୁଛି, ପୁଣି ବନ୍ଦ ହୋଇଯାଉଛି । ଛାତିଟା କିନ୍ତୁ ପଡ଼ୁଛି ଉଠୁଛି । ଏଇ ଉଠିବା–ପଡ଼ିବା ଭିତରେ ଯେପରି ଜୀବନର ରହସ୍ୟମୟ ଛନ୍ଦ, ଛନ୍ଦି ହୋଇଯାଇଛି । ସୂଚେଇଦେଉଛି ଏଇ ଅସ୍ଥିରତା ହିଁ ଜୀବନର ଲକ୍ଷଣ । ଏଇ ଉଠାପକା ହିଁ ତା’ର ଗତି ।

 

କ୍ଲାନ୍ତଭାବେ ଆଖି ସେମାନେ ଫେରେଇଆଣନ୍ତି । ଏମିତି ତ ଅନେକ ବେଳୁ । ଅନେକ ବେଳୁ ପାଦ ଦୁଇଟା ଓ ହାତର ପାପୁଲି ଥଣ୍ଡା । ଆଖି ଦୁଇଟା ବନ୍ଦ । ତଥାପି ଜୀବନ ଅଛି । ଅଛି ।

 

ବୋଉ ଆଉ କଥା କହିପାରୁନି, କେଇଦିନ ହେବ । ହୁଏତ ଶୁଣି ବି ପାରୁନି । ଦେଖିପାରୁନି ତାକୁ ପ୍ରତି ମୁହୂର୍ତ୍ତରେ ଚାଲିଥିବା ଏଠିକାର ଲୀଳା । ହେଲେ ତା’ ମୁକ୍ତିର ବାଟ ସଫା କରିବାପାଇଁ ଏଠିକାର ସବୁଲୋକ ସବୁ ସମୟରେ ଚେଷ୍ଟା କରୁଛନ୍ତି । ମୁହୂର୍ତ୍ତକ ପରେ ପରେ ତା’ ପାଟିରେ ହାତଦେଇ ନିର୍ମାଲ୍ୟ ପାଣି ପିଆଇ ଦେଉଛନ୍ତି । କିଏ ଟିକିଏ ସେଇ ଅନାଗତ ମୁହୂର୍ତ୍ତର ଆସିବାର ସଙ୍କେତ ପାଇଲେ–ଜୋର କରି ଗମ୍ଭୀର କଣ୍ଠରେ କହୁଛି–ହରିବୋଲ । ପ୍ରତିଧ୍ଵନିତ ହେଉଛି ଅନେକ କଣ୍ଠରେ–ହରିବୋଲ । ଭାଗବତ ପଢ଼ା ହେଉଛି ।

 

ସୃଷ୍ଟି ପାଳନ ସଂହାରଣ

ତୁ ନାଥ ଜଗତ କାରଣ

ତୁ ନାଥ କାଳ ରୂପ ଧରୁ

ପ୍ରକୃତି ପୁରୁଷ ସଂହାରୁ

ଏ ବେନି ତୋର ଦେହୁଁ ଜାତ

ପ୍ରଥମେ କରନ୍ତି ଜଗତ

ପ୍ରକୃତି ପୁରୁଷ ବିକାରେ

ବିଶ୍ଵ ଶଙ୍କର ଗର୍ଭେ ଧରେ

 

ତଥାପି ବୋଉ ପଡ଼ିଛି, ପଡ଼ିଛି ସୁଅରେ ଭାସିଯିବା ପାଇଁ, ଯେପରି ଗୋଟାଏ ଶୁଖିଲା ପତ୍ର I ବାହାରର ପବନରେ ଟିକିଏ ଯାହା ହଲିଉଠୁଛି । ମୁହୂର୍ତ୍ତକ ପାଇଁ ସ୍ଥିର ଭାବରେ ତାକୁ ଚାହିଁ ବାହାରକୁ ଚାଲିଆସି ମୁଁ ଭାବୁଥିଲି–ତା’ର ଆଉ ଦୁଃଖ ନାହିଁ । ଯନ୍ତ୍ରଣା ନାହିଁ । କ୍ଲାନ୍ତି ନାହିଁ । ଅପେକ୍ଷାଜନିତ ମନସ୍ତାପ ନାହିଁ । ସବୁକୁ ଛାଡ଼ିଦେଇ ଯେପରି ଦୌପ୍ରଦୀ ଭଳି ସେ ପୂର୍ଣ୍ଣ ଆତ୍ମସମର୍ପଣ କରିଛି । ଏଠିକାର ତାକୁ ଘେରିଥିବା ବ୍ୟସ୍ତତା ଓ ଯନ୍ତ୍ରଣା ତାକୁ ସ୍ପର୍ଶ କରିପାରୁନି । ଏଇ ତଥାକଥିତ ଜୀବିତାବସ୍ଥାରେ ସେ ମରିଯାଇଛି । ହଁ, ମରିଯାଇଛି । ଏବଂ ଚାହୁଁଛି ଏକ ପାଥକ ସ୍ଵୀକୃତ ।

 

ବୋଉର ମୃତ୍ୟୁକୁ ମୁଁ ଯେତେ ଗ୍ରହଣ କରି ଯାଉଥିଲି, “ମୋ ଭିତରେ ସେତେ ଏକ ଘୂର୍ଣ୍ଣିବାତ୍ୟା ସୃଷ୍ଟି ହେଉଥିଲା । ଲାଗୁଥିଲା–ଝଡ଼ରେ ମୋ ଭିତରର ସବୁ ଗଛ ଦୋହଲିଉଠୁଛି । ଭାଙ୍ଗିଯାଉଛି ଶାଖା ପ୍ରଶାଖା–ଉପୁଡ଼ିପଡ଼ି ଆକାଶରେ ଉଡ଼ୁଛି । ତା’ପରେ ଏକ ଅନ୍ଧକାର ବ୍ୟାପିଆସୁଛି ଏବଂ ସେଇସବୁ ବିଭୀଷିକା ଭିତରେ କେବଳ ଗୋଟାଏ ଉଜ୍ଜ୍ୱଳ ମୁହଁ ଝଲମଲ କରୁଛି-। ଆଖି ଦୁଇଟାରେ ତା’ର ଚନ୍ଦ୍ର କିରଣର ସ୍ନିଗ୍ଧତା । ଓଠରେ ଅମୀୟ–ମଧୁର ସମ୍ଭାଷଣ । ଶୁଭୁଛି ସେଇକଥା–“କେଉଁଠୁ ଚଳିବୁ ହଇରେ ? କେମିତି ?”

 

ଆଖିରୁ ମୋ’ର ଲୁହ ଝରୁଥିଲା । ତାକୁ ଲୁଚେଇବା ଲାଗି ମୁଁ ଉଠିଯାଉଥିଲି ଘରର ଛାତ ଉପରକୁ ।

 

ଛାତ ଉପରେ ଗୋଟାଏ କଣରେ ଛିଡ଼ାହୋଇ ମୁଁ ଅନୁଭବ କରୁଥିଲି ଏକ ଯନ୍ତ୍ରଣାଦାୟକ ଶୂନ୍ୟତା । ଗୋଟାଏ ପ୍ରକାର ଖାଲି ଖାଲି ହରେଇବାର ଭାବ । ଗୋଟିଏ ଅଶରୀର କାରୁଣ୍ୟର ନୀରବ ଉପସ୍ଥିତି ଏକ ଭୟାବହ ମୁହୂର୍ତ୍ତକୁ ଯେପରି ସୂଚେଇଦେଉଥିଲା । ଏବଂ ମୁଁ କ୍ଳାନ୍ତ ହୋଇଯାଉଥିଲି, ଯେପରି ମୋର ଗୋଡ଼ରେ ମୋତେ ଟାଣିବାର ଆଉ ସାମର୍ଥ୍ୟ ନାହିଁ । ହାତରେ ଶକ୍ତିନାହିଁ କିଛି ଗୋଟାଏ ଧରିବାକୁ । ସେଇଠି ବସିପଡ଼ି ଭାବୁଥିଲି–

 

କ’ଣ ଚାଲିଛି ଏ ଘରେ ! ବୋଉ ମରିପାରି ନାହିଁ ବୋଲି ସେମାନଙ୍କ ମନରେ କେତେ ଅବଶୋଷ, କେତେ ଦୀର୍ଘ ନିଶ୍ଵାସ ! କେତେ ପୁଣି ବିରକ୍ତି । ବ୍ୟସ୍ତତା । ବୋଉ ଯଦି ଏସବୁ ଜାଣିପାରନ୍ତା ତା’ର ମରିବାରେ ବିଳମ୍ଵ ହେଉଛି ବୋଲି ତା’ରି ଗର୍ଭରୁ ଜନ୍ମ ହୋଇଥିବା ପୁଅ ଝିଅମାନେ କେତେ ଅତିଷ୍ଠ ହୋଇଉଠୁଛନ୍ତି, କେତେ ମନେ ମନେ ବିରକ୍ତି ହେଉଛନ୍ତି,

 

ହୁଏତ ତା’ଭଳି ଏକ ଅଭିମାନୀ ଲୋକ ଆତ୍ମହତ୍ୟା କରିଦିଅନ୍ତା । ଭାଗ୍ୟର କି ବିଡ଼ମ୍ବନା-! ସମୟର କି ନିଷ୍ଠୁର ଗତି !

 

ଅଝଟ ପିଲାଟିଏ କାଖରେ ଧରି ନିଶି ଅପା ପାହାଚ ପରେ ପାହାଚ ଅତିକ୍ରମ କରି ଉଠିଆସିଲା ଛାତ ଉପରକୁ, ହୁଏତ ସେ ଏମିତି ଗୋଟାଏ ନିରୋଳା ମୁହୂର୍ତ୍ତ ଖୋଜୁଥିଲା ମୋତେ ପାଇବାଲାଗି । ମୁଁ ଠିକ୍ ଅନୁଭବ କରିଛି ଗତକାଲିଠାରୁ, ତା’ର ଚାହାଣୀ ଦେଖି । ସେ ଯେପରି କିଛି ମୋତେ କହିବ–ସେଇ ଭାବ ତା’ ଆଖିରେ, ଏଠି ଯେପରି ସେ ଅତିଷ୍ଠ ହୋଇଗଲାଣି, ଆଉ ପାରୁନି । ପାରୁନି ଏ ଉଦବେଗ ଭିତରେ ରହି ।

 

ମୋରି ସାମ୍ନାରେ ପିଲାଟିକୁ କଚିଦେଇ ସେ ତାକୁ ଗୋଟାଏ ଚଟକଣା ମାରିଲା । ପିଲାଟା ଜୋରରେ କାନ୍ଦିଉଠିଲା । ବିରକ୍ତ ହୋଇ ମୁଁ କହିଲି, କାହିଁକି ମାରୁଛୁ ପିଲାଟାକୁ ? ଅଝଟ ପିଲାଙ୍କୁ ନୀରବ କରିବାକୁ ମରାଯାଏ ନାହିଁ । ବରଂ ମାରିବାଦ୍ୱାରା ନିଜର ଏକ ଅଧୈର୍ଯ୍ୟ ଭାବ ପ୍ରକାଶପାଏ ।

 

ଶୁଣି ନ ଶୁଣି ନିଜର ଅସଂଯତ ଲୁଗାକୁ ସଜାଡ଼ୁ ସଜାଡ଼ୁ ସେ କହିଲା–ପିଲାଟା ମୋତେ ଖାଇସାରିଲାଣି । କିଛି ଖାଉନି–ଖାଲି ଯିବି, ଘରକୁ ଯିବି ! ମାଛ, ଅଣ୍ଡା, ବିସକୁଟ ଖାଇବ । ସବୁବେଳେ ୟା ପେଟ ପୋଡ଼ିଯାଉଛି, ମୁଁ ତାକୁ ଏବେ ଏ ଜିନିଷ ଏଠି କେଉଁଠୁ ଆଣି ଦେବି ?

 

ଆଘାତ ପାଇ ମୁଁ ଭାବୁଥିଲି–କ’ଣ କହି ଯାଉଛି ନିଶିଅପା ! ଏଇଠିକାର ଝିଅ ସେ । ସାତବର୍ଷ ତଳେ ଏଇଠି ରହି ସେ ବଢ଼ିଛି । ଏଭଳି କଥା କହିପାରୁଛି କେମିତି ? ମୁଁ ନୀରବ ହୋଇଯାଇ ଟିକକ ପରେ କହିଲି–ମଗେଇଦେବି ସବୁ, ତାକୁ ତୁ ସାନ୍ତ୍ୱନା ଦେ ।

 

ପରିବର୍ତ୍ତିତ କଣ୍ଠସ୍ୱରରୁ ବୋଧେ ଜାଣିପାରିଲା ନିଶିଅପା ମୋ’ ମନର କଥା । ତଳକୁ ଅନାଇ କହିଲା–କ’ଣ କରିବି, ତାଙ୍କର ପୁଣି ଯେଉଁ ରାଗ ମୋ’ ଉପରେ...

 

ମୁଁ କହିଲି–କାହାର, ଭାଇଙ୍କର ?

 

ହଁ ।

 

–କାହିଁକି ?

 

ଯେତେଦିନ ପାଇଁ ଛୁଟି ଆଣି ଆସିଥିଲେ ପୁରିଗଲାଣି । ଉପର ଅଫିସର ସହ ୟା’ଙ୍କର ପଡ଼େନା । ଯିବାକୁ ଚାହୁଁଛନ୍ତି ।

 

–ଚାହୁଁଛନ୍ତି ଯଦି, ଯାଉନାହାନ୍ତି ?

 

ମୋତେ ଥରେ ଅନେଇଁ ନିଶି ଅପା ବୋଧେ ବୁଝିବାକୁ ଚେଷ୍ଟା କଲା ମୋ’ ମନର ଭାବ-। ତା’ପରେ କହିଲା–କେମିତି ଯିବେ ? ବୋଉର ଏ ଅବସ୍ଥା...ତାକୁ ଛାଡ଼ି ଯିବାକୁ ପୁଣି ଇଚ୍ଛା କରୁନାହାନ୍ତି ।

 

ମୁଁ ବୁଝିପାରୁଥିଲି ପ୍ରକୃତରେ କଥା କ’ଣ ? ଭିଣୋଇଁ ଯେ, ମୋର ଏକ ଅହଂକାରୀ ଅଭିମାନୀ ପ୍ରାଣୀ ତାହା ମୁଁ ଢେର ଆଗରୁ ଜାଣିଛି । ଏଠି ତାଙ୍କୁ ଏ ଅବସ୍ଥାରେ ଉପଯୁକ୍ତ ସମ୍ମାନ ମିଳିନି । ଖବର କେହି ରଖିପାରୁନାହାନ୍ତି । ଖାଇବାରେ ପିଲାଙ୍କର ତାଙ୍କର ଅବହେଳା ହେଉଛି । ଗତକାଲିର ପୁଣି ସେଇ ଚିଠିଟା ନିଶି ଅପାକୁ କିପରି ଓଲଟେଇ ପକେଇଥିଲା ମୁଁ ନିଜେ ତା’ ଜାଣେ-। ତା’ କ୍ଵାର୍ଟର ଆଗରେ ନିଜ ହାତରେ କରିଥିବା, ପରିବା ବଗିଚାକୁ ଗୋରୁ ପଶି ସବୁ ଖାଇ ନଷ୍ଟ କରିଦେଇଛନ୍ତି । ଏ କଥା ଜାଣିବା ପରେ ସେ ଯେପରି ପ୍ରତିକ୍ରିୟା ପ୍ରକାଶ କରି ଦୁଃଖ କରୁଥିଲା, ବୋଉପାଇଁ ଟିକେ ବି କରିନି ସେ । ତା’ପରେ ବୋଉର ସଞ୍ଚିତ ଅର୍ଥଲାଗି ଶୀଳା ସହ ନିଶି ଅପାର ଯେଉଁ ଟିକେ ମଧୁର ପାଟିତୁଣ୍ଡ ହୋଇଥିଲା, ନିଶିଅପା ସେଥିରେ କ୍ଷୁଣ୍ଣ ହୋଇଥିଲା । ତାକୁ ଧମକ ଦେଖାଇଥିଲା ଚାଲିଯିବ ବୋଲି । ଏ ବର୍ତ୍ତମାନର କଥା ଯେ, ତା’ରି ସବୁ ପ୍ରତିକ୍ରିୟା ସେ କଥା ବୁଝିବାକୁ ଡେରିହେଲାନି ମୋ’ର । ବରଂ ଭାବୁଥିଲି–ଏ ଅବସ୍ଥାରେ ଯିଏ ଗୋଟାଏ ସାମାନ୍ୟ ଖେୟାଲରେ ଚାଲିଯିବାକୁ ଚାହୁଁଛି ତାକୁ ଜୋର କରି ଅଟକେଇ ଲାଭ କ’ଣ ? ସେମାନେ ହୁଏତ ଧରିନେଲେଣି ଯେ, ବୋଉ ଆଉ ମରିବ ନାହିଁ–ଏମିତି ନିଜେ ଅନେକ ହଇରାଣ ହେବ ଏବଂ ଅନ୍ୟକୁ କରିବ । କେଉଁ ପାପର ଫଳ ଏ ! ଭିଣୋଇତ କହୁଥିଲେ–ତାଙ୍କ ଜେଜବାପା ମଲାବେଳେ, ଠିକ୍ କୁଆଡ଼େ ଏଇ ପରି ମାସେ ପଡ଼ିଲେ; ତା’ପରେ ପୁଣି ଭଲ ହୋଇ ଦୁଇବର୍ଷ ବଞ୍ଚିଲେ । କିଏ କହିବ ବୋଉର ପୁଣି ତା’ ନହେବ ? ସମଗ୍ର ରାତି ଟିକେ ଭଲରେ ଶୋଇହେଉନି-। ଶାନ୍ତିରେ ଗଣ୍ଡାଏ ଖାଇହେଉନି, ମନଖୋଲି ଟିକେ ହସିହେଉନି । ଚାରିଆଡ଼େ ଯେପରି ମୃତ୍ୟୁର ଶୀତଳ ହାତ ଲମ୍ବିଛି, ସେମିତି ଏକ ଅପହୃତ ସ୍ଵାଧୀନତାର ଭାବ । ନାନା ସମବେଦନା, ନାନା ତୀର୍ଯ୍ୟକ ଭର୍ତ୍ସନା, ଅଭିଯୋଗ, ଅନୁଯୋଗ । ଅଭିଜ୍ଞତାର ଆଦେଶ । ସବୁଗୁଡ଼ାକ ମାଡ଼ି ମାଡ଼ି ପଡ଼ୁଛି-। ନିଶିଅପା ତାହାହିଁ ବୁଝୁଛି । ମାଡ଼ି ମାଡ଼ି ପଡ଼ୁଛି ତାକୁ । ଜୀବନର ଯେତେବେଳେ ଗତି ତା’ର ପରିବର୍ତ୍ତିତ ହୋଇଯାଇଛି, ଏଗୁଡ଼ାକ ଆଉ ସହନ୍ତା ବା କାହିଁକି ? ଏଠୁ ପଳେଇଯିବାକୁ ଇଚ୍ଛା-। କେବଳ ଲୋକେ କ’ଣ କହିବେ ୟାରି ଭୟରେ ସେ କିଛି କରିପାରୁନି, କହିପାରୁନି । ସ୍ୱାମୀର ଚାକିରି ଆଳରେ ପିଲାଙ୍କର ଅଝଟ ସମୟର ଦ୍ୱାହିଦେଇ ତା’ର ଏ ପ୍ରତିକ୍ରିୟା-। ଖୁବ୍ ସଂଯତ ନ ହେଲେ ବି ସ୍ପଷ୍ଟ ତା’ର ମନୋଭାବ । ସେ ଆଉ ଏଠି ରହିବ ନାହିଁ । ପାରିବ ନାହିଁ ରହି ।

 

ମୁଁ କହିଲି ଯଦି ଚାହୁଁଛନ୍ତି, ଯାଆନ୍ତୁ । କେତେ ସମୟ ଏ ଅନିଶ୍ଚିତତା ଭିତରେ ଧନ୍ଦିହେବେ ଆଉ ?

 

“ନା–ତା’ ନୁହେଁ, ସାମାନ୍ୟ ପ୍ରତିବାଦ କରି ସେ କହିଲା, “ନୂଆ ପ୍ରମୋଶନ ପାଇଛନ୍ତି । ଉପର ଅଫିସର ସହ ପଡ଼ୁନି । ଟେଲିଗ୍ରାମଟା ଅଫିସରେ ପକେଇଦେଇ ଛୁଟିନେଇ ପଳେଇ ଆସିଥିଲେ । ସରିଗଲାଣି ।

 

ସବୁ ବୁଝିପାରିବାର ଅଭିଜ୍ଞତାରୁ ମୁଁ କହିଲି–ତାଙ୍କୁ କହ ସେ ଗଲେ ଯାଆନ୍ତୁ । ମୁଁ ତ ଅଛି । ଦେଖାଯିବ ଯାହାହେବ ।

 

ପୁଅ ମୁଣ୍ଡରେ ହାତ ବୁଲାଉ ବୁଲାଉ ନିଶିଅପା କହିଲା–ସେଠି ଖାଇବେ କ’ଣ ?

 

–କିଛିଦିନ ହୋଟେଲରେ ।

 

–କଲିକ୍ ହେବା ପରଠାରୁ ହୋଟେଲରେ ଖିଆ ଛାଡ଼ି ଦେଇଛନ୍ତି ।

 

–ତୁ ଯିବାକୁ ଚାହୁଁଛୁ ?

 

କିମିତି ଏ ଅବସ୍ଥାରେ ଯିବି ? ଓଲଟା ସେ ମତେ ପ୍ରଶ୍ନ କଲା । ମୁହୂର୍ତ୍ତେ ନୀରବ ରହି କହିଲି–ଅପା, ମୃତ୍ୟୁ ଏକ ଅନିବାର୍ଯ୍ୟ ଘଟଣା । ଜଣଙ୍କର ମୃତ୍ୟୁ ହେବ ବୋଲି, ଆମେ ସମସ୍ତେ ସେଥିପାଇଁ ଘାଣ୍ଟି ଚକଟି ହେବା–ତା’ ମୁଁ ଚାହେଁନା । ତୁମେ ପ୍ରସ୍ତୁତ ହୋଇଯାଅ । ଭାଇ ଭାଉଜ ତ ଅଛନ୍ତି । ଦରକାରପଡ଼ିଲେ–ମୁଁ ଯାଇ ତୋତେ ନେଇ ଆସିବି ପୁଣି ।

 

ପ୍ରଲୁବ୍ଧ ଭାବରେ ନିଶିଅପା ମୋତେ କିଛି ସମୟପାଇଁ ଚାହିଁଲା । ମୁଁ କହିଲି–ଜୀବନରେ ଯାହା ସତ୍ୟ ତା’ ଅବାରିତ । ସହଜରେ ତାକୁ କ’ଣ ଆମେ ଗ୍ରହଣ କରିପାରିବାନି ?

 

ତା’ ପରଦିନ ଠିକ୍ ସମୟର ଅନେକ ପୂର୍ବରୁ ନିଶିଅପା ପ୍ରସ୍ତୁତ ହୋଇସାରିଥିଲା । ରିକ୍‍ସାରେ ବସିବାକୁ ଘରୁ ଗୋଡ଼କାଢ଼ି ଯେତେବେଳେ ସେ ଆସିଲା, ମୁହଁଟା ତା’ର ଲାଲ ପଡ଼ିଯାଇଥାଏ । ଆଖିରୁ ଝରୁଥିବା ଲୁହ ଓଦାକରି ଦେଇଥାଏ ଗାଲକୁ । ଫୁରୁ ଫୁରୁ ଉଡ଼ୁଥିବା କେଶ ଉପରେ ତା’ର ପୁଳାଏ କାଚପିନ୍ଧା ହାତ ରୁଣୁଝୁଣୁ କରି ବୁଲେଇ ନେଇ ଛଳ ଛଳ ଆଖିରେ ଅସହାୟ ଭାବେ ମୋତେ ଚାହିଁଲା । ତାକୁ ଘେରି ଅନେକ ଲୋକ ଛିଡ଼ା ହୋଇଛନ୍ତି । କଇଁଚ ବେକ କାଢ଼ି ଅନେଇଁଥିବାରୁ ସତର୍କତାର ଭଙ୍ଗୀ ସେମାନଙ୍କ ଆଖିରେ ସ୍ପଷ୍ଟ । ମୁଁ କହିଲି–କିଛି ଛାଡ଼ିଯାଇ ନାହିଁ ତ !

 

ରିକ୍‍ସା ଉପରେ ନଦାଯାଇଥିବା ଜିନିଷଗୁଡ଼ାକ ପ୍ରତି ଗୋଟାଏ ସତର୍କ ଦୃଷ୍ଟି ବୁଲେଇଆଣି ସେ ମୁଣ୍ଡ ହଲାଇଲା । କହିଲା ନା, କ’ଣ ଆଉ ଛାଡ଼ିବି ? ମୁଁ ଯାଉଛି ତୋ କଥାରେ, ତୋ ଉପରେ ଭରସାରଖି । ମୋତେ ସବୁଦିନେ ବୋଉ କଥା ଖଣ୍ଡେ ଖଣ୍ଡେ ଚିଠି ଦେଉଥିବୁ । ନହେଲେ ମତେ ଭାରି ଛଟପଟ ଲାଗିବ ।

 

ମଟର ବେଳ ହୋଇଯାଉଛି ବୋଲି ତା’ କଥାକୁ ପ୍ରତିହତ କରି କହିଲି । ଭାଇ–ଭାଉଜଙ୍କୁ ପ୍ରଣାମ କରି ସେ ରିକ୍ସାରେ ବସିଲା । ରିକ୍ସା ଚାଲିଗଲା । ସମସ୍ତଙ୍କୁ ଥରେ ଅନେଇଁ ନିଶିଅପା ଆଖିରୁ ଲୁହ ପୋଛିଲା । ମତେ ମନେପକେଇଦେଲା ଚିଠି ଯେପରି ମୁଁ ଠିକ୍ ଦିଏ ।

 

ଚାଲିଗଲା ରିକ୍ସା । ତା’ ସହିତ ଭିଣୋଇ, ତାଙ୍କ ପିଲା ଆଉ ଅପା, ନିଶିଅପା । ଅଥଚ ବୋଉ ପଡ଼ିରହିଛି–ମୃତ୍ୟୁକୁ ଅପେକ୍ଷା କରି । ସେମିତି ଅଜଗର ଭଳି ସେ ପଡ଼ିଥିବ କର୍ମର କଷଣ ସହି । କେତେବେଳ ଯାଏଁ କେଜାଣି ? ଆଉ ଏମିତି ବୋଧେ ଏଇ ବିଳମ୍ବିତ ଯାତ୍ରାକୁ ଟିକେ ଧୈର୍ଯ୍ୟଧରି ଅପେକ୍ଷା ନକରି ପାରି ଆମେ ସମସ୍ତେ ଚାଲିଯିବୁ ଷ୍ଟେସନରୁ । ଗାଡ଼ି ଆସିଲା ବେଳକୁ ସେଇ ହତଭାଗ୍ୟ ଯାତ୍ରୀଟି–ଏକା:ଏକା:ଏକା । ମୋର ମନେପଡ଼ୁଥିଲା–

 

“ସେତେବେଳେ ଏକ ଦୂର ବିସ୍ମୃତ ଦେଶରେ

ହାଇ ମାରୁଥିବେ ମୋର ଦିକ୍‍ଦାର ଦିଅଁଙ୍କ ପ୍ରତିମା

ଓ ଚାପରେ, ବିରକ୍ତିରେ, ଭୟଙ୍କର ବଜ୍ରପାତ ଦ୍ୱାରା

ଆପଣାକୁ ଭାଙ୍ଗିଦେବ, କେତେଖଣ୍ଡ କମଳା ରଙ୍ଗର

ମେଘ ଲିଭିଯାଉଥିବେ କ୍ରମେ କ୍ରମେ କଳା ଆକାଶରେ ।”

 

କାନ୍ଥକୁ ଆଉଜି ଆକାଶକୁ ଫାଙ୍କା ଆଖିରେ ଚାହିଁ ଶୀଳା ଗୋଟିଏ ପଥର ମୂର୍ତ୍ତିପରି ଛିଡ଼ା ହୋଇଥିଲା । ଘର ଭିତରେ ପଶି ପ୍ରଥମେ ମୁଁ ତାକୁ ଦେଖିଲି । ମୋତେ ଦେଖି ସେ କେମିତି କାନ୍ଦିଉଠିଲା ଅସହାୟ ଭାବେ । ପାଖକୁଯାଇ ପିଠିରେ ତା’ର ହାତପକାଇ କହିଲି–ଛି କାନ୍ଦନା ଶୀଳା । ଜୀବନଟା ତ ଏମିତି । କାହାରିପାଇଁ କାହାରି ଅପେକ୍ଷା ନାହିଁ । ହୁଏତ ଏ ଅନୁରଣିତ ସମୟ ଅପେକ୍ଷାର କିଛି ଅର୍ଥ ରଖେନା । ପ୍ରତୀକ୍ଷାଟା ହିଁ ଏକ ମାନସିକ ବ୍ୟାଧି । ଗତିରେ ବାଧା ଆଣେ । ଆ, ଦେଖିବା ବୋଉକୁ । ଶୀଳା ସବୁ ନୀରବରେ ଶୁଣି ମୋ ପଛେ ପଛେ ଚାଲିଲା ।

 

ସେମିତି ବିଛଣାରେ ପଡ଼ିଛି ବୋଉ । ନିଥର ନୀରବ ଅବସ୍ଥା । କେଜାଣି କାହିଁକି ତା’ ମୁହଁକୁ ଆଜି ଦେଖିବାର ଧୈର୍ଯ୍ୟ ରହୁନି । ଶୀଳା ବୋଉର ମୁହଁ ଉପରେ ବସିଥିବା କେଇଟା ମାଛିଙ୍କୁ ଉଡ଼େଇଦେଲା । ଉପରେ ତା’ର ପଡ଼ିଥିବା ଚଦରଟାକୁ ସଜାଡ଼ିଦେଲା । ପାଟିରେ ଟିକିଏ ଗ୍ଲୁକୋଜ ପାଣି ଚାମଚରେ ଦେଇ ନୀରବ ହୋଇ ସେଇଠି ବସିଥିଲା । ମୁଁ କହିଲି–ଯା ମୋପାଇଁ ଟିକେ ଚା କର । ତୁ ଖାଇଛୁ ନା ?

 

ନୀରବରେ ଶୀଳା ଚାଲିଗଲା । ଏମିତି ନୀରବରେ ତା’ର ସ୍ଵୀକୃତିପୂର୍ଣ୍ଣ ଚାଲିଯିବାର ଭାବ ମତେ ଭଲଲାଗେ । ମନେହୁଏ, ସେ ଯେପରି, ମୋପାଇଁ ଯାହା କରିବା କଥା ତା’ଠାରୁ ଢେର ଅଧିକା କରୁଛି–ମୁଁ ଧୀରେ ଧୀରେ ତା’ପାଖରେ ଋଣୀ ହୋଇଉଠୁଛି ।

 

ଶୀଳା ପାଖରେ ମୁଁ ଋଣୀ । ଅବିବାହିତା ଛୋଟ ଆଇ.ଏ. ପାସ୍ କରିଥିବା ଭଉଣୀ ପାଖରେ ଋଣୀ ହେବାରେ ଏକ ମାନସିକ ସମ୍ଭ୍ରାନ୍ତ ମନୋଭାବ ଅଛି । ମତେ ତା’ ଭଲଲାଗେ । କିଛି ସମୟ ପରେ ଚା ଆଣି ବଢ଼େଇଦେଇ ସେ କହିଲା ଭାଇ ! ଭାଉଜ କ’ଣ ଚାଲିଯିବେ ?

 

ଚାଲିଯିବେ ? କୁଆଡ଼େ ! ଚମକିପଡ଼ିଲା ଭଳି ମୁଁ ପଚାରିଲି । ତଳକୁ ମୁହଁ ପୋତି ସେ କହିଲା–ସେ ତ ପ୍ରସ୍ତୁତ ହେଲେଣି ।

 

–କିନ୍ତୁ ଯିବେ କୁଆଡ଼େ ?

 

–ତାଙ୍କ ଘରକୁ ।

 

ତୁ କିପରି ଜାଣିଲୁ ?

 

ସେ ତ ବାହାରିଲେଣି ।

 

–ଭାଇ କାହାନ୍ତି ?

 

ବାହାରକୁ ଯାଇଛନ୍ତି ।

 

ଏମିତି କ’ଣ ହେଲା ତାଙ୍କର ଯେ ଏ ଆକସ୍ମିକ ପ୍ରସ୍ତୁତି ? ଦୀର୍ଘଶ୍ୱାସ ପକାଇ ଶିଳା କହିଲା–କାଲି ରାତିରେ ଗୋଟାଏ ଦୁସ୍ୱପ୍ନ ଦେଖି ସେ ସମଗ୍ର ରାତି ଶୋଇପାରିନାହାନ୍ତି । ସବୁଦିନ ରାତିରେ କୁଆଡ଼େ ଏମିତି ଭୟରେ ତାଙ୍କର ସମଗ୍ର ଦେହ ଏ ପର୍ଯ୍ୟନ୍ତ ଥରୁଛି । ପେନ୍ ବି ହେଉଛି ।

 

ଜାଣିଥିଲି ଭାଉଜଙ୍କ ଆଡ଼ଭାନ୍ସ ଡେଲିଭରିର ଷ୍ଟେଜ । ସହରରୁ ଏଠିକୁ ଆସିବାକୁ ମୂଳରୁହିଁ ସେ ମନାକରୁଥିଲେ । ବାଧ୍ୟକରି ଆଣିଥିଲେ ଭାଇ । ତା’ର ପରିଣାମ ଇଏ । କେତେଦିନ ବା ଆଉ ସେ ଏ ମଫସଲରେ ରହି ଖୁସି ହୁଅନ୍ତେ ! ଶୀଳାକୁ ପଚାରିଲି–ସେ କ’ଣ ଯିବାପାଇଁ ପ୍ରସ୍ତୁତ ହେଲେଣି ?

 

ହଁ, ଉତ୍ତରଦେଲା ଶୀଳା । ଏ ସମସ୍ତ ତାଙ୍କର ଯୁକ୍ତି ସତ୍ତ୍ୱେ ମୁଁ ବୁଝିପାରୁନଥିଲି–କେମିତି ୟା ସବୁ ସମ୍ଭବ ହେଉଛି । ବୋଉ ପଡ଼ିଛି ମଲାସେଜରେ । ସେ ତାଙ୍କର ଏକମାତ୍ର ବୋହୂ । ହୁଏତ ଆଉ କେତେ ଘଣ୍ଟା ଭିତରେ ତା’ର ପ୍ରାଣ ଛାଡ଼ିଯିବ ସେତେବେଳେ ଇଏ ଟିକେ ତାଙ୍କ ପାଖରେ ନଥିବେ ! କିଏ ଯେପରି କହେ ବୋଉ ତ ମରିବେ, ଇଏ ତା’ ଜାଣି ଜାଣି ଏତେ ହଇରାଣ ହେବ ବା କାହିଁକି ।

 

ଏଇ ବୋଉତ ପୁଣି ଏ ମଫସଲରେ ଆମକୁ ଜନ୍ମ କରିଛି କାହାରି ବିନା ସାହାଯ୍ୟରେ । ସେତେବେଳେ କ’ଣ କିଛି ଭୟଙ୍କର ସ୍ୱପ୍ନ ସେ ଦେଖିନଥିବ ? ଦବିଯାଇନଥିବ ତା’ ମନ ସେଇ ଦୁଃସ୍ୱପ୍ନର ଛାୟାରେ ? ହେଲେ ସବୁ ତ ଠିକ୍ ଥିଲା ସେତେବେଳେ, କ’ଣ ହୋଇଛି ଆଜି !

 

ଭାଉଜଙ୍କ କୋଠରି ଭିତରକୁ ପଶିଯାଇ ଦେଖିଲି ଯେ, ସେ ପ୍ରସ୍ତୁତ ହେଉଛନ୍ତି, ନିଜର ଅଜାଣତରେ ପଚାରିଲି–କ’ଣ ନିଶ୍ଚୟ ଯିବ ଭାଉଜ ?

 

ମୁହୂର୍ତ୍ତେ ମୋ’ ମୁହଁକୁ ଅନେଇଁ ତଳକୁ ମୁହଁ କରି ସେ କହିଲେ–ଏ ଅବସ୍ଥାରେ ଏଠି କ’ଣ ଆଉ ନିରାପଦ ! ପେନ୍‍ ମୋର ବଢ଼ୁଛି ।

 

–ଆଉ ବୋଉ କଥା ?

 

ସେ ତ ଶୁଖିଲା ପତ୍ର ।” ସେ ଉତ୍ତର ଦେଲା ।

 

ଘରୁ ବାହାରିଆସିଲାବେଳେ ଭାଇ କହିଲେ–ତୁ ବ୍ୟସ୍ତହଅନା । ମୁଁ ତାଙ୍କୁ ତାଙ୍କ ଘରେ ଛାଡ଼ିଦେଇ କେବଳ ଚାଲିଆସିବି । ଯିଏ ଏକ କଳ୍ପିତ ଭୟରେ ଆତଙ୍କିତ, ତାକୁ ଏଠି ବାନ୍ଧିପକାଇ ମାରିଦେବାକୁ ମୁଁ ପସନ୍ଦ କରେନା । କିଛି ବୁଝିନପାରି ବ୍ୟସ୍ତ ହେବାର ସୂଚନା ଦେଇ ମୁଁ ମୁଣ୍ଡହଲାଇ ଫେରିଆସିଲି । ଘଣ୍ଟାକ ପରେ ସେମାନେ ଘରୁ ବାହାରିଗଲେ । ଗଲାବେଳେ ଭାଉଜ କହିଲେ–ଶୀଳା, ବୋଉଙ୍କର ଯତ୍ନ ନେଉଥିବ । ଟିକିଏ ସୁସ୍ଥ ଅନୁଭବ କଲେ ମୁଁ ପୁଣି ଫେରିଆସିବି ।

 

ଶୀଳା କାନ୍ଦିଉଠିଲା ।

 

ଶୀଳାକୁ ବୁଝେଇବାକୁ ଯାଇ ମୁଁ କହିଲି–ଦେଖ୍ ଶୀଳା, ଜୀବନରେ ସମସ୍ତେ ଜଣେ ଜଣେ ପ୍ରଚ୍ଛନ୍ନ ସୁବିଧାବାଦୀ । ଆମେ ଯାଇପାରିଲେ ନାହିଁ କେଉଁଠିକୁ । କାରଣ କେଉଁଠିକୁ ଯିବାର ଉପାୟ ଆମର ନାହିଁ । ସେଥିରେ ମରୁଥିବା ବୋଉ ପ୍ରତି ଆମର ଦୟା ନାହିଁ, ଆକର୍ଷଣ ନାହିଁ କି ଦାୟିତ୍ଵବୋଧ ନାହିଁ । କେବଳ ଅଛି ଅନ୍ୟଆଡ଼େ ଯାଇନପାରିବାର ଅସହାୟତା ।

 

ଜୀବନରେ ଆମେ ସମସ୍ତେ ପରସ୍ପରଠାରୁ ଅନେକ ଦୂରରେ । ସମ୍ପୂର୍ଣ୍ଣ ଏକା । ଏକା ହୋଇ ଆମେ ଛିଡ଼ାହୋଇଛେ ଗୋଟାଏ ଗୋଟାଏ ନିର୍ଜ୍ଜନ ଦ୍ୱୀପରେ । ଆମ ଆଗରେ ପଛରେ କେହିନାହିଁ । ଉପରେ କେବଳ ରଙ୍ଗ ବଦଳୁଥିବା ଆକାଶ । ତଳେ ନିର୍ଲିପ୍ତ ପୃଥିବୀ । କେବଳ ଆମେ ବୁଝୁଛୁ ସେଠି ଆମର ସ୍ଥିତି ଏବଂ ଆମେ ଯାହା କରୁଛୁ କେବଳ ଅନ୍ଧ ଭାବେ, ହୁଏତ କେତେବେଳେ ଟିକେ ସୁବିଧା ହେବ ଆମର–ଏଇ କଳ୍ପନାରେ । କିନ୍ତୁ ସେଇ କପୋତ ପରିବାର ଭଳି ବାରମ୍ବାର ଆମର ଅଜାଣତରେ ଆମେ ଫାଶବଦ୍ଧ ହେଉଛୁ ।

 

ଶୀଳାର ଦୁଷ୍ଟାମି ଆଜିକାଲି ମରିଗଲାଣି । ହାତଗୋଡ଼ ବାଡ଼େଇ ଅଝଟ ହୋଇ ଆଉ ସେ କଥା କୁହେନା ବା ତା’ର ବଡ଼ ବଡ଼ କଥାକୁହା ଚଞ୍ଚଳ ଆଖିରେ ନିମିଷକେ ବାନ୍ଧିପକାଏ ନାହିଁ । ମୋ କଥା ସବୁ ଶୁଣି ଯାଇ ସେ କେବଳ ନିରାଶାରେ ଦିଗ୍‍ବଳୟକୁ ଉଦ୍ଦେଶ୍ୟହୀନ ଭାବରେ ଚାହିଁବାରେ ନିର୍ଲିପ୍ତତା ଭିତରେ ଯେପରି ବୁଡ଼ି ରହିଥିଲା । ଏବଂ ଇଚ୍ଛାକଲେ କାହିଁକି କେଜାଣି କାନ୍ଦୁଥିଲା । ଲୁଗା କାନିରେ ଆଖିରୁ ତା’ର ଲୁହ ପୋଛିଦେଇ ପଚାରିଲି–ଶୀଳା ! ଜୀବନରେ ତୋର କ’ଣ ଏତେ ଦୁଃଖ ?

 

କିଛି ନ ବୁଝି ପାରି ସେ ମୋତେ ଡବଡ଼ବ କରି ଚାହିଁଲା । ମୁଁ ଅନୁଭବ କରୁଥିଲି ଯେ ଶୀଳାକୁ ବୁଝିବାକୁ ହେଲେ ତା’ର ଏଇ ଚାହାଣୀ ବା ଲୁହର ସ୍ୱରୂପରୁ ହିଁ ବୁଝିବାକୁ ହେବ ।

 

ଘରଟା କେମିତି ନିଛାଟିଆ ନିଛାଟିଆ ଲାଗୁଛି । ଲାଗୁଛି ଶୂନ୍ୟ । ଏତେଗୁଡ଼ାଏ ଲୋକେ ଯେଉଁଠି ଚଳପ୍ରଚଳ ହେଉଥିଲେ ସେମାନଙ୍କର ଅଭାବିତ ଏଇ ପୃଥିବୀରେ ସେଇ ଯନ୍ତ୍ରଣା କାତର ଭାବର ହାହାକାର ।

 

କ’ଣ ଭାବି ଶୀଳା ହଠାତ୍ ମତେ ପଚାରିଲା–ଭାଇ, ଏ ସମୟରେ ଚାଲିଯିବାଟା କ’ଣ ଭଲହେଲା ? ବୋଉ ଏତେ ସମୟ ଧରି ଏମିତି ରହିବା କ’ଣ ଭଲ ହେଉଛି ? ଏବଂ ତୋର ଟିକିଏ କଥାରେ କାନ୍ଦିବା କ’ଣ ଭଲ ହେଉଛି ? ମୁଁ ପଚାରିଲି ।

 

କୌଣସି ଘଟଣା କାହାରି ଭଲ ମନ୍ଦ ପାଇଁ ଘଟେନାହିଁ । ଆମର ସେ ପରିବେଶରେ ସ୍ଥିତିହିଁ ଆମକୁ ସେପରି ବୁଝାଏ । ଅସଂଖ୍ୟ ଅନବରତ ଘଟିଯାଉଥିବା ଘଟଣାରେ ଏ ତ ଏକ କ୍ଷୁଦ୍ର କାହାଣୀ ! ଆଉ ମୋର ମନେହୁଏ ଯେଉଁ ଘଟଣାର ଧାରାକୁ ଇଚ୍ଛା କରି ବନ୍ଦ କରିହୁଏନି । ଏବେ ତାକୁ ବୁଝିନହେଲେ ବି ଡେରିରେ ବୁଝି ହେବ ।

 

ସମସ୍ତ ଦୁଃଖ ସତ୍ତ୍ୱେ ଶୀଳା ମୁହଁରେ ଟିକେ ହସ ଫୁଟିଉଠିଲା । ଆଷାଢ଼ ମାସର ସୂର୍ଯ୍ୟ ଯେପରି ମେଘର ଉହାଡ଼ରୁ ମୁହୂର୍ତ୍ତେ ପାଇଁ ଖସିଗଲା । ସେ କହିଲା–ମିଷ୍ଟିକ୍ । ତୁମେ ଧୀରେ ଧୀରେ ରହସ୍ୟମୟ ହୋଇଉଠୁଛ ଭାଇ ।

 

ମୁହୂର୍ତ୍ତେ ନୀରବ ରହି ପୁଣି ଶୀଳା କହିଲା–ଭାଇ, ଆଜି ଏସବୁ ଭିତରେ ମନଟା କାହିଁକି ଛଟପଟ ଲାଗୁଛି । ଲାଗୁଛି ଅସ୍ଥିର । ମନେହେଉଛି ଯେପରି ଗୋଟାଏ ଘଟିବାକୁଯାଉଛି । ଆସ ବୋଉ ପାଖକୁ ଯିବା । ଅନେକ ବେଳୁ ତାକୁ ଟିକିଏ ପିଇବାକୁ ଦିଆଯାଇ ନାହିଁ ।

 

ବୋଉକୁ ଦେଖି ମୁଁ ଚମକିପଡ଼ିଲି । ମୋତେ ଲାଗିଲା ସେଇ ଅନାଗତ ମୁହୂର୍ତ୍ତ ଆସି ପାଦ ରଖିଲାଣି । ଶୀଳା ଭୟଭୀତ ହୋଇ ମୋତେ ଅନେଇଲା । ଧୀରେ ଧୀରେ ଯେଉଁ ପବନ ଟିକକ ଯିବାଆସିବା କରୁଥିଲା ସେ ଯେମିତି ଅଣଚାଶ ପବନର ସଙ୍କେତ ଦେଉଛି ।

 

ନିଃଶ୍ୱାସ ବହାରିଲାବେଳେ ହଲିଯାଉଛି ବୋଉର ସମଗ୍ର ମୁହଁଟା । ଆଖିଦୁଇଟା ଖୋଲିଯାଉଛି । ପାଣିଚିଆ ହଳଦିଆ ସେଇ ଆଖିର ରଙ୍ଗ, ବାରମ୍ବାର ହଲୁଥିଲା ଓଠ ଓ ମୁହଁ ଦେଖି ମୁଁ ଆତଙ୍କିତ ହୋଇପଡ଼ିଲି । ଶୀଳା ବୋଉ ପାଖରେ ବସିପଡ଼ି ମୁଣ୍ଡରେ ତା’ର ହାତ ବୁଲାଉ ବୁଲାଉ ଅଜଣା ଭୟରେ ଛାନିଆ ହୋଇପଡ଼ିଲା । ଡାକିଲା “ଭାଇ !”

 

ମୁଁ” ପାଖରେ ବସିପଡ଼ିଲି । ସମଗ୍ର ଘରଟାରେ କେହିନାହାନ୍ତି । କୋଠରି ଗୁଡ଼ାକ ଖାଲି, ଶବ୍ଦବିହୀନ ଏକ ଭୟଙ୍କର ପରିବେଶ । ଯେଉଁଠି କେତେ ସମୟ ପୂର୍ବରୁ ଏତେଗୁଡ଼ାଏ ଲୋକ ଏଇ ସମୟକୁ ଅପେକ୍ଷା କରୁଥିଲେ, ଅପେକ୍ଷାରେ ନିରାଶ ହେଉଥିଲେ, ସେଇ ସମୟ ଆସିଯାଉଛି, ଅଥଚ କେହିନାହାନ୍ତି ସେମାନେ । ନା ନିଶି ଅପା, ନା ଭାଇ, ନା ଭାଉଜ ନା ଗାଁର କେହି ଲୋକ ।

 

ଅନ୍ୟନୋପାୟ ହୋଇ ଶୀଳା କେବଳ ଭୟରେ ମୋତେ ଚାହୁଁଥିଲା, ବୋଉକୁ ଚାହୁଁଥିଲା । ବୋଧେ ସେ ଜାଣିପାରୁଥିଲା ସେଇ ସମୟ ଆସିଯାଇଛି ।

 

ହଠାତ୍ ବୋଉର ଦେହଟାସାରା ଥରିଗଲା । ପୁଳାଏ ବାହାରର ପବନ ଯେପରି ଯୋର କରି ଭିତରକୁ ପଶିଗଲା । କଣ୍ଠରେ ତା’ର ଘଡ଼ ଘଡ଼ ଶବ୍ଦସହ ମୁହୂର୍ତ୍ତକରେ ମିଶିଯାଇ ପାଟିଟାକୁ ମେଲା କରିଦେଇ ପୁଣି ବାହାରିଆସିଲା । ଆଖି ଦୁଇଟା ହଠାତ୍ ବନ୍ଦ ହେଲା । ପାଟିଟା ଖୋଲିଗଲା ସବୁ ସମୟ ପାଇଁ । ଆଉ ନିଶ୍ଵାସ ଗଲାନାହିଁ କି ବାହାରିଲା ନାହିଁ ।

 

ଶିଳା ଚିତ୍କାର କରିଉଠିଲା–ବୋଉ...ବୋଉ । ଲୋଟିପଡ଼ିଲା । ତା’ ଦେହଟା ଉପରେ । ଦୁଆରେ ଅନେକବେଳୁ ବସିଥିବା ଗୋଟାଏ ପକ୍ଷୀ ହଠାତ୍ ଉଡ଼ିଯାଉଥିଲା ଆକାଶକୁ ।

 

ଶୀଳା କାନ୍ଦୁଥିଲା ।

 

ମୁଁ କହିଲି–ତୋରିଭଳି ଅସହାୟ ଦୁଃଖୀ ମଣିଷଙ୍କର ବ୍ୟର୍ଥ କାମନାଜନିତ ଜୀବନର ଆରମ୍ଭରୁ ଝରୁଥିବା ଲୁହରେ ଏ ପୃଥିବୀର ସାତଟାଯାକ ସମୁଦ୍ର ଭର୍ତ୍ତିହୋଇଛି । ମେରୁ ନିକଟରେ ବରଫ ହୋଇ ଜମାଟ ବାନ୍ଧିଛି । ଟୋପି ଟୋପି ବର୍ଷା ହୋଇ ଝରୁଛି । ନା ତୁ ଆଉ କାନ୍ଦନା । କାନ୍ଦନା ।

 

।। ମୃତ୍ୟୁ ଏକ ବିଶ୍ରାମ ।। ଜୀବନ ଏକ ନିଷିଦ୍ଧ ଅରଣ୍ୟ ।।

Image

 

ଆଉ ଏକ ତାଜମହଲ ସମ୍ପର୍କରେ

 

ତାଜମହଲ ଉପରେ ଏକ ଆରକ୍ତ ସଂଧ୍ୟାରେ ଲମ୍ବା ଲମ୍ବା ରଶ୍ମୀ ଚୁମ୍ବନ ଦେଲାଭଳି ନିବିଡ଼ ଭାବେ ସ୍ପର୍ଶ କରିଗଲେ, କେମିତି ସେ ଦେଖାଯାଏ ?

 

ମୁଁ ଏକ ପରିବ୍ରାଜକ ନୁହେଁ–ପରିଦର୍ଶକ ଯେଉଁ କାମନାର ବିହଙ୍ଗମାନେ ଅବିରତ ମୋତେ ବିଚଳିତ କରି ଏକ ତୀକ୍ଷଣ ଶ୍ୱାନ ଦୃଷ୍ଟିରେ ସେମାନଙ୍କୁ ଖୋଜି ବୁଲୁଥିଲେ–ମୁଁ ତା’ରି ଏକ ଅସହାୟ ଶିକାରୀ କେବଳ ଏକ କାର୍ଯ୍ୟ । କାରଣ ନୁହେଁ ।

 

ରାସ୍ତାରେ ଆସିଲାବେଳଠାରୁହିଁ ସେଇ ଏକ ଚିନ୍ତା । କାହାକୁ ଜଣେ ଭେଟିବି, ତାଜମହଲକୁ ସେ ହୁଏତ ବିଭୋର ହୋଇ ଦେଖୁଥିବେ ବା ଘୃଣାରେ ସଂକୀର୍ଣ୍ଣ ହୋଇଆସୁଥିବା ମନଭଳି ଆଖି ଦୁଇଟା ତା’ର ଧୀରେ ଧୀରେ ବୁଜିହୋଇଯାଉଥିବ । ସେ ତରୁଣ ହୋଇପାରେ ବା ତରୁଣୀ । ତରୁଣୀ ହେଲେ ବରଂ ଭଲ ।

 

ଅପରିଚିତ ତରୁଣମାନଙ୍କୁ କିଛି ପଚାରିବାହିଁ ଏକ ବିଡ଼ମ୍ବନା । ପ୍ରଚ୍ଛନ୍ନ ବିଦ୍ରୂପସହ ସେମାନଙ୍କର ହିପୋକ୍ରାସି ସୀମା ଅତିକ୍ରମ କରେ । ହୁଏତ ବାସ୍ତବରେ ସେମାନେ ଯାହା ନ ଚାହାଁନ୍ତି ସେହି ପ୍ରଗତିଶୀଳ ମତବାଦକୁ ପ୍ରତିଷ୍ଠା କରିବାଲାଗି ଅନେକ ସଂଗୃହିତ ଯୁକ୍ତି ଦେଖାଇପାରନ୍ତି । ତେଣୁ ମୁଁ ଠିକ୍ କଲି ଜଣେ ତରୁଣୀକୁ ହିଁ ପଚାରିବି, ଆଉ ସେ ଯେପରି...

 

ସେ ତ ନିଜେ ଏକ ତାଜମହଲ । ବା ହୁଏତ ସେଦିନର ମମତାଜ । ସାମ୍ନା–ଲନର ସବୁଜ ଘାସ ଉପରେ ତାଜମହଲର ନିର୍ଲିପ୍ତତା ଦେଖି ସମ୍ମୋହିତ ଏକ ଆତ୍ମବିସ୍ତୃତକାରୀ ସ୍ଥାପତ୍ୟପ୍ରେମୀ ପ୍ରତ୍ନତତ୍ତ୍ୱବିତ୍‍ ଭଳି ସେ କେବଳ ଚାହିଁଥିଲା ଆଉ ଚାହିଁଥିଲା । ଜଣାଯାଉଥିଲା ସେ ଯେପରି ଗତାନୁଗତିକ ଆସୁଥିବା ଯାଉଥିବା ତାଜମହଲ ଦେଖି ଯାତ୍ରୀମାନଙ୍କ ସ୍ରୋତରୁ ଛିଟିକପଡ଼ି ଖଣ୍ଡେ କରକା ଭଳି ସେଠି ପଡ଼ିଛି ଆଉ ନିଜସ୍ୱ ବିସ୍ମୃତିରେ ମିଳେଇ ମିଳେଇ ସେଇଠିହିଁ ନିଶ୍ଚିହ୍ନ ହୋଇଯିବ ।

 

ହୁଏତ ତା’ର ସହଯାତ୍ରୀମାନେ ବା ସମ୍ପର୍କୀୟମାନେ ୟାର ଉଦାସୀନତାରେ ଆତଙ୍କିତ ହୋଇ ଅନ୍ୟ କେଉଁ ଦିଗରୁ ଦେଖୁଛନ୍ତି ତାଜମହଲକୁ ।

 

ସାମାନ୍ୟ ଦୂରରେ ତା’ର ବସିପଡ଼ି ମୁଁ ତାକୁ ଚାହିଁଲି । ଏକ ଚୁମ୍ୱକୀୟ ପ୍ରତିକ୍ରିୟା ହେଲାଭଳି ସେ ମୋତେ ଚାହିଁଲା ତା’ରି ସେ ଅର୍ଥପୂର୍ଣ୍ଣ ଅଥଚ ଉଦାସ ଆଖିରେ ମୁଁ କହିଲି–

 

“ମୁଁ ପଦ୍ମଜ ପାଳ । ଓଡ଼ିଶାରୁ ଆସିଛି । ଭାବୁଛି ତାଜମହଲ ପ୍ରତି ବର୍ତ୍ତମାନର ତରୁଣମାନଙ୍କର ପ୍ରତିକ୍ରିୟା ସମ୍ପର୍କରେ କିଛି ଲେଖିବି । ଆପଣ ଯଦି ମୋତେ ଟିକିଏ ସାହାଯ୍ୟ କରିପାରନ୍ତେ...”

 

ତା’ ଆଖିର ଜାଲ ଭିତରେ ସମ୍ପୂର୍ଣ୍ଣ ମୁଁ ଏକ ମାଛଭଳି ବନ୍ଦୀ ହୋଇଯାଇଥିଲି । ସେ ମୋତେ ସେମିତି ଚାହିଁଥିଲା ମୁଁ ଆତଙ୍କିତ ହୋଇଉଠିଲା–ଏଇ ନିର୍ଲିପ୍ତତାରେ ତ ମଣିଷ ଶୁଣିପାରେନି ଏଇ ଆତ୍ମ ସଚେତନ ତ ମଣିଷ ଭାବ–ପ୍ରବଣ ଥାଏ ତେବେ ସେ କ’ଣ ମୋତେ ଶୁଣିପାରିନାହାଁନ୍ତି । ଆଉଥରେ ତାଙ୍କୁ ଜଣାଇବାକୁ କହିଲି–

 

“ମୁଁ ପଦ୍ମଜ ପାଳ । ଓଡ଼ିଶାରୁ ଆସିଛି । ଭାବୁଛି ତାଜମହଲ ପ୍ରତି ବର୍ତ୍ତମାନର ତରୁଣମାନଙ୍କ ପ୍ରତିକ୍ରିୟା ସମ୍ପର୍କରେ କିଛି ଲେଖିବି ।”

 

ସେ ସାମାନ୍ୟ ହସିଉଠି କହିଲେ–ମୁଁ ସବୁ ଶୁଣିଛି । କୁହନ୍ତୁ ମୁଁ ଆପଣଙ୍କୁ କିପ୍ରକାର ସାହାଯ୍ୟ କରିପାରେ ?

 

ମୁଁ ଲଜ୍ଜିତ ହେଲି । ତା’ପରେ କୃତଜ୍ଞତା ଜଣାଇ କହିଲି– ‘ଧନ୍ୟବାଦ । ମୁଁ କେତେଟା ପ୍ରଶ୍ନ ପଚାରିବି । ତା’ରି ଉତ୍ତର ଚାହୁଁଛି ।’

 

–“ପଚାରନ୍ତୁ । ଚେଷ୍ଟା କରିବି ଦେବାପାଇଁ । “ମୁଁ ପଚାରିଲି–ଆପଣଙ୍କ ପରିଚୟ ?

 

ସେ ସାମାନ୍ୟ ହସିଉଠିଲେ ତା’ପରେ କହିଲେ ମୋ ପରିଚୟ ବି ଦରକାର ?

 

–“ନା ଯଦି ଆପଣ କିଛି ଭାବୁଛନ୍ତି, ତେବେ ମୁଁ ଅନ୍ୟ ପ୍ରଶ୍ନ ପଚାରିବି ।”

 

–“ଏଥିରେ ଭାବିବାର କ’ଣ ଅଛି ? ମୁଁ କେବଳ ଚିନ୍ତା କରୁଛି କ’ଣ ଆପଣଙ୍କୁ ପରିଚୟ ଦେବି । ସେମିତି କିଛି ମୋର ପରିଚୟ ନାହିଁ । ତେବେ ସମସ୍ତେ କହନ୍ତି ମୁଁ ଲିପିକା ସାନ୍ୟାଲ । ମନସ୍ତତ୍ଵରେ ଏମ୍.ଏ. ପାଶ କରିଛି ଏବଂ ବର୍ତ୍ତମାନ କର୍ମହିନତା ମଧ୍ୟରେ ଭାରି ବୋର ହେଉଛି । ମୋର ଗୋଟିଏ ଭାଇ ଏବଂ ବାପା ମା’ ଅଛନ୍ତି ସେମାନେ ସମସ୍ତେ ଦିଲ୍ଲୀରେ । ମୁଁ ବି ଆଉ କିଛି ସମୟ ପରେ ଫେରିଯିବି ସେଇଠିକୁ ।

 

ବଡ଼ ଅଦ୍ଭୁତ ଲାଗିଲା ମୋତେ ପରିଚୟ ତାଙ୍କର । କାବାହୋଇ ମୁଁ ତାଙ୍କ ମୁହଁକୁ ଚାହିଁଲି-

 

ସେ ମୋତେ ବୋଧେ ଠିକ୍ ବୁଝିପାରିଲେ ନାହିଁ, ତେଣୁ କହିଲେ, “ଆଉ କିଛି ଆପଣ ଜାଣିବାକୁ ଚାହାନ୍ତି ମୋ ବିଷୟରେ ?”

 

ଅପ୍ରତିଭ ହୋଇ କହିଲି, “ନା, ନା ଏପ୍ରକାର ଅସୌଜନ୍ୟ ପାଇଁ ମୁଁ ଦୁଃଖିତ ।”

 

ଦୁଃଖିତ ! ସେ ଜୋରରେ ହସିଲେ ଏବଂ କହିଲେ, “ରିଅଲି ୟୁ ଆର ଏ ରାଇଟର ।”

 

“ମାନେ ।”

 

–“ରାଇଟର ମାନେହିଁ କେବଳ ଏମିତି ସାଧାରଣ କଥା ଉପରେ ଭାବପ୍ରବଣ ହୋଇ ଦୁଃଖିତ ହୁଅନ୍ତି । କ୍ଷମା ବି ମାଗିନିଅନ୍ତି । ଛାଡ଼ନ୍ତୁ ଆପଣ କ’ଣ ପଚାରିବେ ପରା ।”

 

“ତାଜମହଲ ଆପଣଙ୍କୁ କେମିତି ଲାଗେ ?”

 

“ଭଲ ।”

 

–“ଦେଖିବାପରେ ପ୍ରତିକ୍ରିୟା ?”

 

–ଭାବେ, ମମତାଜ ଓ ଶାହାଜାହାନ ଉଭୟେ ନିର୍ବୋଧ । ସେମାନେ ହୁଏତ ପରସ୍ପରକୁ ଠିକ୍ ନିବିଡ଼ଭାବେ ଭଲପାଇ ପାରୁନଥିଲେ । ନ ହେଲେ ଏ ସ୍ମୃତିର ସଙ୍କେତ କ’ଣ ଦରକାର ପଡ଼ୁଥିଲା ? “ନୀରବରେ ଚାଲିଯାଉଥିବା ସମୟ ତ ପ୍ରେମର ମହାନ ସଙ୍କେତ । “ମୁଁ ତାଙ୍କ ମୁହଁକୁ ଚାହିଁ ରହିଲି । ଏବେକାର ଦେଖାଇ ହେଉଥିବା ଦୁନିଆର ଜଣେ ତରୁଣୀଠାରୁ ଏପ୍ରକାର ମନ୍ତବ୍ୟ ମୋର କଳ୍ପନାତୀତ ଥିଲା । ମୁଁ ପଚାରିଲି–ନିଜର ଭଲପାଇବାକୁ, ପରବର୍ତ୍ତୀ ଜୀବନରେ ସବୁ ଦର୍ଶକମାନଙ୍କ ମଧ୍ୟରେ ପ୍ରତିଫଳିତ କରିବାକୁ ଯଦି ତାଙ୍କର ଏ ସାହସିକ ପଦକ୍ଷେପ ବୋଲି ଧରାଯାଏ ?

 

–“ଆପଣ କ’ଣ କହୁଛନ୍ତି ଏ ପର୍ଯ୍ୟନ୍ତ କେବଳ ମମତାଜ ଓ ଶାହାଜାହାନହିଁ ପରସ୍ପରକୁ ଭଲପାଇଛନ୍ତି । ଆଉ କେହି ତା’ ପୂର୍ବରୁ ବା ପରେ ବି ନୁହଁନ୍ତି ?

 

“ତା’ ଅବଶ୍ୟ ମୁଁ କହୁନି । ମୁଁ କିନ୍ତୁ କହୁଛି ସବୁ ପ୍ରେମିକମାନେ ଚାହାନ୍ତି ନିଜର ପ୍ରେମକୁ ଦୁନିଆରେ ଶାଶ୍ଵତରୂପେ ଦେଖିବାକୁ ।”

 

–“ଅବଶ୍ୟ । କିନ୍ତୁ ଯେଉଁଠି ପ୍ରକୃତ ପ୍ରେମ ଯେତେ ସଂକୀର୍ଣ୍ଣ ସେଠି ତା’ର ବାହ୍ୟ ଆଲୋଡ଼ନ ସେତେ ଅଧିକ ।”

 

ମୁଁ ନିରୁତ୍ତର ରହି ତାଜମହଲକୁ ଚାହିଁଲି । ତୁମେ ତାଜମହଲ ! ଦିଅ ୟାର ଉତ୍ତର । ପରବର୍ତ୍ତୀ ଯୁଗରେ ପରିବର୍ତ୍ତିତ ମୂଲ୍ୟବୋଧ ନେଇ ତୁମପ୍ରତି ତୁମ ଭିତ୍ତିଭୂମି ପ୍ରତି ଏ ଗୋଟିଏ ତରୁଣୀର ଆକ୍ଷେପ ନୁହେଁ । ସେ ପ୍ରତିନିଧିତ୍ଵ କରୁଛି ହୁଏ ତ ଅନେକଙ୍କୁ !

 

–“ଆପଣ କାହାକୁ କେବେ ଭଲପାଇଛନ୍ତି ?” ହଠାତ୍ ମୋତେ କରାଯାଇଥିବା ପ୍ରଶ୍ନଟା ଲିପିକା ଦେବୀଙ୍କ କଣ୍ଠରୁ ଶୁଣି ତାଙ୍କୁ ଚାହିଁଲି ।

 

କ’ଣ ଉତ୍ତର ଦେବି । ଜଣେ ଏପରି ଖୋଲା ହୃଦୟର ତରୁଣୀକୁ କିପରି ବା ଉତ୍ତର ନ ଦେଇ ମୁଁ ନୀରବ ରହିବି । ମୁଁ କହିଲି–

 

“ହଁ ଗୋଟିଏ ଝିଅକୁ ମୁଁ ଭଲପାଉଥିଲି । କିନ୍ତୁ ସେ ମୋତେ ଫାଙ୍କିଦେଲା । ଆଉ ମୋ ସହିତ ତା’ର କୌଣସି ସମ୍ପର୍କ ନାହିଁ ବୋଲି ବେଶ୍ ସହଜରେ ଅନ୍ୟମାନଙ୍କ ଆଗରେ କହିଲା ।”

 

ମୋ କଥା ଶୁଣି ସେ ହସିଉଠିଲେ ।

 

ମୁଁ ତାଙ୍କୁ ଚାହିଁ ପଚାରିଲି–ହସିଲେ ?

 

ହସିଲି ଏଥିପାଇଁ ଯେ ଆପଣ ପଦ୍ମଜ ପାଳ–ଜଣେ ତରୁଣ । ଆଉ ମୁଁ ଲିପିକା ସନ୍ୟାଲ–ଜଣେ ତରୁଣୀ । ଆପଣ ଓଡ଼ିଶାର ମୁଁ ଦିଲ୍ଲୀର । ମୋ ଜୀବନରେ ଗୋଟାଏ କାହାଣୀ ଆପଣଙ୍କ ଜୀବନରେ ଠିକ୍ ପୁନରାବୃତ୍ତି ହୋଇଛି ବୋଲି ।

 

ଆପଣଙ୍କୁ ତା’ହେଲେ କେହି... ?

 

–ହଁ ମୋତେ ।

 

ଏକ ଉତ୍ତେଜନାରେ ମୁଁ କହିଉଠିଲି–ଆପଣଙ୍କ ଭଳି ଗୋଟାଏ ଝିଅକୁ ସେ ଫାଙ୍କିପାରିଲା କେମିତି ?

 

ଗମ୍ଭୀର ହୋଇ ସେ କହିଲେ–ମୁଁ ତାହା ହିଁ ଭାବୁଛି–ଆପଣଙ୍କ ଭଳି ଜଣେ ଯୁବକକୁ ସେ ଫାଙ୍କିପାରିଲା କେମିତି ?

 

ନିରୁଦ୍ ବେଗ ଭାବରେ ମୁଁ ତାଙ୍କୁ ଚାହିଁରହିଲି ।

 

ବସରେ ଦିଲି ଫେରିଲାବେଳେ ମୁଁ ତାଙ୍କୁ ଲକ୍ଷ୍ୟ କରିଛି ସେ କିପରି ଗମ୍ଭୀର ହୋଇପଡ଼ିଥିଲେ । ଯେମିତି ଅତୀତରେ ଅନେକ ଅନ୍ତରଙ୍ଗ ମୁହୂର୍ତ୍ତକୁ ସେ ବର୍ତ୍ତମାନ ମନରେ ଖେଳେଇ ଚାଲିଛନ୍ତି ସେମିତି ଅନ୍ୟମନସ୍କ ଭାବ । ବସରୁ ଓହ୍ଲାଇବାପରେ ମୁଁ ତାଙ୍କୁ କହିଲି–

 

ଅତୀତର କଥା ମୁଁ ମନେପକାଇଦେଇ ଆପଣଙ୍କୁ କଷ୍ଟଦେଲି । ଯାହା ଆପଣ ଭୁଲିଯାଇଥିଲେ ତା’ ମୋର ହୁଏତ ପୁରଣ କରାଇଦେବା ଠିକ୍ ହୋଇନି ।

 

ଫାଙ୍କା ଫାଙ୍କା ଆଖିରେ ସେ ମୋତେ ଚାହିଁ କହିଲେ ନା–ସେପରି କିଛି ନୁହେଁ । ଜୀବନ ଭିତରେ ଯିଏ ଥରେ ପଶିଆସେ ତାକୁ ଆଉ ବାହାର କରିହୁଏନା । ବିଶେଷତଃ ଯାହାକୁ ପାଇହୁଏନା ପରବର୍ତ୍ତୀ ଜୀବନରେ ତାଲାଗି ବ୍ୟାକୁଳତା ଓ ଭଲପାଇବା କେମିତି ଅଧିକ ବଢ଼ିଯାଏ ଏବଂ ଯେକୌଣସି ମୁହୂର୍ତ୍ତରେ ମନରେ ଆସି ସେ ଆଲୋଡ଼ନ ସୃଷ୍ଟିକରେ ।

 

ମୁଁ କହିଲି–ତା’ହେଲେ ଆପଣ କ’ଣ କହୁଛନ୍ତି ଯାହାକୁ ଜୀବନସାରା ନିବିଡ଼ଭାବେ ଭଲପାଇବାକୁ ହେବ–ହରେଇବାଟା ହିଁ ସେଥିପାଇଁ ପ୍ରକୃତ ମାଧ୍ୟମ ।

 

ସେ ଖାଲି ହସିଉଠିଲେ ।

 

ଏକ ଉଦାସ ଅପରାହ୍ନଭଳି ହସ ତାଙ୍କର ପରିବ୍ୟପ୍ତ ।

 

ଏକ ନିରୋଳା ହଳଦୀ ବସନ୍ତ ଭଳି ନିବିଡ଼ ମର୍ମସ୍ପର୍ଶ ।

 

ଫେରିଗଲାବେଳେ ସେ ମୋତେ ତାଙ୍କର ଫ୍ଲାଟରେ ଆଡ୍ରେସ୍ ଦେଇ ଅନୁରୋଧ କରିଗଲେ ଆସିବାକୁ ।

 

ମୋ ଭିତରେ ଜମିଆସୁଥିବା ତାଙ୍କ ଲାଗି ଦୁର୍ବଳତା ମୋତେ ବ୍ୟଥିତ କରୁଥିଲା । ମୁଁ ସମ୍ମତି ଜଣାଇଲି ।

 

ସେ କହିଲେ–“ନମସ୍ତେ” ।

 

“ନମସ୍ତେ”–ମୁଁ କହିଲି ।

 

ସାମାନ୍ୟ ବିଳମ୍ବରେ ପହଞ୍ଚିଲି ମୁଁ ।

 

ସେମାନେ ଯେପରି ମୋରି ଅପେକ୍ଷାରେ ଥିଲେ । ଲିପିକା ଦେବୀ ଚିହ୍ନାଇଦେଲେ ତାଙ୍କ ମା’ଙ୍କୁ ।

 

ସ୍ୱାସ୍ଥ୍ୟବତୀ ଶୁଭ୍ରବସ୍ତ୍ର ପରିହିତା ମା’ଙ୍କୁ ଦେଖିଲେ ଏକ ନନ୍ ଭଳି ମନେହେବ । ଆଖିରେ ସରୁ, ବୋଧେ ସୁନାର ଫ୍ରେମଦିଆ ଚଷମା କାଠି ଭିତରୁ ତାଙ୍କର ଆଖି ଦୁଇଟା ମମତାସିକ୍ତ । ମୋର ମନହେଉଥିଲା ଡେଇଁପଡ଼ି ତାଙ୍କୁ ମୋ ହାତର ଶିକୁଳି ଭିତରେ ଭିଡ଼ିଧରି ଚିତ୍କାର କରି ଡାକନ୍ତି ମା–ମା–ମା...

 

ମା’ କହିଲେ–ଆସ ଘରକୁ ଆସ । ଲିପିକା ତ ଅନେକବେଳୁ ଅପେକ୍ଷା କରିଛି ।

 

ସୋଫା ଉପରେ ବସୁ ବସୁ ମା’ କହିଲେ–ଆମେ ଥରେ ଓଡ଼ିଶାକୁ ଯାଇଥିଲୁ ବୁଲିବାକୁ, ଖୁବ୍ ଭଲଲାଗିଲା–ପୁରୀ, ଭୁବନେଶ୍ୱର, କୋଣାର୍କ ଦେଉଳ । ଗୋପାଳପୁର ଓ ପୁରୀର ସି ବିଚ୍ ତ ଅଦ୍ଭୁତ । ମାତ୍ର କେଉଁଠି ସପ୍ତାହକରୁ ବେଶୀ ରହିପାରିଲୁ ନାହିଁ । ଲିପିକା ସେତେବେଳେ ପିଲା । ପୁରୀ ସି ବିଚ୍‍ରୁ ସେ ମୋଟେ ଆସିବାକୁ ଇଚ୍ଛା କରେନି । ଜୋରକରି ଆଣିଲେ ତା’ର ଯେଉଁ ରାଗ-!

 

ବର୍ତ୍ତମାନର ଓଡ଼ିଶା ସରକାର ପୁରୀ ସି–ବିଚ୍‍ର ନୈସର୍ଗୀକ ସୌନ୍ଦର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ । ଯେଉଁଠି ମନ ସେଠି ଏବେ ଘର, ହୋଟେଲ ତିଆରି ଚାଲିଲାଣି । ତା’ ଫଳରେ ଏଭଳି ଗୋଟାଏ ସ୍ଥାନର ପ୍ରାକୃତିକ ମୂଲ୍ୟବୋଧ ଯେ କେତେ ବାଧାପ୍ରାପ୍ତ ହେଉଛି ! ତା’ କିପରି ଅଧିକ ଶସ୍ୟ ଅମଳ ହେବା ପ୍ରତି ଜୋର ଦେଉଥିବା ଶାସକମାନେ ଚିନ୍ତା ଇ କରିପାରନ୍ତି ନାହିଁ ।

 

ମା ହସିଉଠିଲା ମୋର ମନ୍ତବ୍ୟରେ । ଲିପିକା ଦେବୀ ବି ।

 

ତା’ପରେ ଲିପିକା ହଠାତ୍ ଉଠିଯାଇ ମୋତେ ପଚାରିଲେ; କୁହନ୍ତୁ କ’ଣ ଚା ନା କଫି ନା ସରବତ ଆଣିବି ?

 

ମୁଁ ନାହିଁକଲି । କହିଲି, ଏମିତି ବସି ମା’ଙ୍କ ସହିତ ଆପଣଙ୍କ ସହ କଥା ହେବାକୁ ଭଲଲାଗୁଛି । ମୁଁ ସ୍ୱାମୀ ସବୁକିଛି ଆବଶ୍ୟକ କରୁନି । ଚା ମୁଁ ଖାଏ କେବଳ ସକାଳେ ଏବଂ ସନ୍ଧ୍ୟାରେ । ଆପଣ ବସନ୍ତୁ ।

 

ସେ ବସିଲେ । ଯେମିତି ମୋର ସେ କୌଣସି କଥାର ପ୍ରତିବାଦ କରିବାକୁ ଚାହୁଁନଥିଲେ । ଖାଲି ମୋତେ କିପରି ନୀରବରେ ଚାହୁଁଥିଲେ । ତାଙ୍କର ଉଜ୍ଜ୍ୱଳ ଆଖି, ଯେମିତି ଅନେକ କଥାରେ ମୁଖର ହୋଇଉଠୁଥିଲା । ଆଖିର ନୀରବ ଭାଷାର ଯନ୍ତ୍ରଣା ଅଛି–ଯାହା ଅପ୍ରକାଶ୍ୟଭାବେ ଛଟପଟ କରେ । ଆନ୍ଦୋଳିତ କରେ ଦେହକୁ, ମନକୁ ।

 

ମୋର ଇଚ୍ଛା ହେଉଥିଲା ଲିପିକା ଦେବୀ ସେମିତି ମୋତେ ଚାହୁଁଥାନ୍ତେ ସାମାନ୍ୟ ଦୂରରେ ଅଥବା କାର୍ଯ୍ୟରେ ବ୍ୟସ୍ତ ଥିଲାବେଳେ, ଯାଉଥିବା ଆସୁଥିବା ସମୟରେ ସେଇ ଉଦ୍ଦେଶ୍ୟପୂର୍ଣ୍ଣ ଆଖିଦୁଇଟା ମୋ ଉପରେ ଅଟକିଯାଆନ୍ତି କିଛି ସମୟ ପାଇଁ । ଆଉ ସେଇ ଆଖିର ନିବିଡ଼ ସ୍ପର୍ଶ ପାଇ ମୁଁ ପହଁରି ପହଁରି ବୁଲନ୍ତି ତା’ରି ଭିତରେ ନୀରବରେ ।

 

ମା’ ଉଠିଯାଇଥିଲେ ।

 

ଲିପିକା ଦେବୀ ବସିଥିଲେ ।

 

ଅପରପକ୍ଷ ସାମ୍ନାରେ ମୁଁ । ମୁଁ ଚେଷ୍ଟା କରୁଥିଲି କିଛି ଗୋଟାଏ କଥା ତାଙ୍କ ସହିତ ହେବି । ଅନ୍ତତଃ ଏ ଅସହ୍ୟ ନୀରବତାକୁ ଭଙ୍ଗକରି ଆତ୍ମିୟତାର ରଙ୍ଗ ଦେବି, କିନ୍ତୁ ମୁଁ ବୁଝିପାରୁନଥିଲି ଏମିତି ନୀରବ ମୁହୂର୍ତ୍ତରେ କ’ଣ ବା କଥା କୁହାଯାଏ ? କିପରି ଛିଣ୍ଡି ଯାଇଥିବା ଧାରାକୁ ସଂଯୋଗ କରାଯାଏ ?

 

ହୁଏତ ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଲିପିକା ଦେବୀ ।

 

ମା’ ଫେରିଲେ କିଛି ସମୟ ପରେ । ଚାଲିଗଲେ କିନ୍ତୁ ଲିପିକା ଦେବୀ । ମୁଁ କହିଲି–ଚାଲନ୍ତୁ ଥରେ ଓଡ଼ିଶାକୁ । ଦେଖିଆସିବେ ତା’ର ନୂତନ ସଂସ୍କୃତି, ସଭ୍ୟତା, ସି–ବିଚ୍‍ର ଐତିହାସିକ ମନ୍ଦିର । ଦେଖିଆସିବେ କେମିତି ଆମେ ରହୁ ସେଠି । ଦିଲ୍ଲୀ–ଓଡ଼ିଶା ଭିତର ତଫାତ୍ । ହୁଏତ ମୋ କଣ୍ଠ ଟିକିଏ ଆବେଗସିକ୍ତ ହୋଇଉଠୁଥିଲା ଶେଷଆଡ଼କୁ ।

 

ମା’ ଦୀର୍ଘଶ୍ୱାସ ପକାଇଲେ–ଏକ କାରୁଣ୍ୟର ବିଳାପ ଯେମିତି ଦେଖାଇଲା ତାଙ୍କ ମୁହଁ ଉପରେ । କିଛି ସମୟ ନୀରବ ତା’ପରେ କହିଲେ କେଉଁଠୁ ଆଉ ଯାଇହେବ ? ଲିପିକା ଲାଗି ତ ସମସ୍ତେ ଆମେ ଦୁଃଖିତ ।

 

ମୁଁ କିଛି ବୁଝିପାରିଲି ନାହିଁ । ନୀରବରେ ତାଙ୍କୁ ପ୍ରଶ୍ନିଳ ଆଖିରେ ଚାହିଁଲି ।

 

ସେ କହିଲେ, “ଲିପିକା କ’ଣ ତୁମକୁ କିଛି କହିନି ?”

 

ମୁଁ ପଚାରିଲି–କେଉଁ କଥା ଆପଣ କହୁଛନ୍ତି ? ସେ କହିଲେ, ସେ ଶପଥ କରିଛି ଆଉ ବିବାହ କରିବ ନାହିଁ । ଜଣକୁ ସେ ଭଲପାଉଥିଲା, ମାତ୍ର ସେ ଧୋକାଦେବା ପରେ ତା’ର ଏ ଶପଥ, ଯେତେ ବୁଝେଇଲେ ବି ସେ ବୁଝୁନି । ତାକୁନେଇ ଆଉ କେଉଁଠିକୁ ଯିବାକୁ ଇଚ୍ଛାହୁଏନି । ଦିନେ ତା’ର ବ୍ୟକ୍ତିଗତ ଦୁଃଖ ଯାହା ଥିଲା ଆଜି ଆମ ପରିବାରରେ ତାହା ସମସ୍ତଙ୍କର । ତଥାପି ସେ ବୁଝେନି । ହୁଏତ ସବୁଦିନ ପାଇଁ ତା’ରି କଥାହିଁ ରହିଯିବ ।

 

କହିସାରି ନୀରବ ରହିଲେ । ତାଙ୍କର ସୁନ୍ଦର ମମତାସିକ୍ତ ମୁହଁ ଉପରେ ଏକ ଝିନ୍ନ ବାଦଲର ଆସ୍ତରଣ ଭଳି–ଦୁଃଖ ଗ୍ଲାନି ସବୁ ଭାସୁଥିଲେ ।

 

ଫେରିଲାବେଳେ–

 

ଫେରିଲାବେଳେ କିଛିଦୂର ପର୍ଯ୍ୟନ୍ତ ଲିପିକା ଦେବୀ ମୋ ସାଙ୍ଗରେ ଆସୁଥିଲେ । ଭାବୁଥିଲି ତାଙ୍କୁ ପଚାରିବି ଜୀବନରେ ଏପରି ଗୋଟାଏ ଶପଥ ନେଇ ସେ କ’ଣ ଠିକ୍ କରିଛନ୍ତି ? କିନ୍ତୁ ପଚାରିପାରିଲି ନାହିଁ । ମୋତେ ଲାଗିଲା ସେ ଯେପରି ସଚ୍ଚା ପ୍ରେମର ଏକ ପ୍ରତୀକ ।

 

ଅନେକ ତାଜମହଲ ତାଙ୍କର ଏ ନିଷ୍ଠା ନିକଟରେ ଯେପରି ଭାଙ୍ଗିରୁଜି ପଡ଼ୁଛି । ସେ କାମନାମୁକ୍ତ । ଆହୁରି ଉଜ୍ଜ୍ୱଳ । ତାଙ୍କୁ ହଠାତ୍ ମୋର ଚାହିଁବାକୁ ଇଚ୍ଛାହେଲା । ଆଖି ବୁଲାଇ ସ୍ଥିର ହୋଇ ଚାହିଁଲି । ଚାଲୁ ଚାଲୁ ସେ ଛିଡ଼ାହୋଇଗଲେ ଏବଂ ଏକ କରୁଣ କଣ୍ଠରେ କହିଲେ–

 

“ଯେବେ ଆପଣ ପୁଣି ଦିଲ୍ଲୀ ଆସିବେ, ନିଶ୍ଚୟ ଆମ ଘରକୁ ଆସିବେ । ସେଇ ଘରେ ମୁଁ ଥିବି । ଆପଣଙ୍କୁ ଦେଖିଲେ ମୋତେ ଖୁବ୍ ଖୁସି ଲାଗୁଛି । ଆପଣାର ମନେହେଉଛି, ଆସିବେ ।”

 

ତା’ପରେ ଫେରିଗଲେ ମୋତେ ନମସ୍କାର ଜଣାଇ ।

 

ହଠାତ୍ ମୋର ମନେପଡ଼ିଲା ଲରା କଥା । ଯିଏ ମୋତେ ଫାଙ୍କି ଦେଇଥିଲା । ଏକ ଓଜନିଆ ହୃଦୟରେ ମୁଁ କ୍ଷିପ୍ର ପଦପାତ କଲି ନିକଟସ୍ଥ ବସ୍‍ଷ୍ଟପ୍ ପର୍ଯ୍ୟନ୍ତ ।

Image

 

ଏବଂ ମୋର ପ୍ରତିଦ୍ଵନ୍ଦ୍ଵୀ

 

ପ୍ରତିଦ୍ୱନ୍ଦ୍ୱୀ ମାନଙ୍କ ନିଷ୍ଠୁର ଭୟାବହତା ମୁଁ ଆଜି ଅନୁଭବ କରୁଛି, ଜୀନତ୍ ! ଏକ ଉଚ୍ଚତର ସୋପାନକୁ ଉଠିବାକୁ ଇଚ୍ଛା କରି ମୁଁ ସେଇ ହିଂସା ପରାୟଣ ପ୍ରତିଦ୍ଵନ୍ଦ୍ଵୀମାନଙ୍କ ଦ୍ଵାରା ନିକ୍ଷେପିତ ହେଲି ଗହ୍ୱର ପରେ ଗହ୍ୱରକୁ ।

 

ଗହ୍ୱର !

 

ଗହ୍ୱର–ଏକ ଭୟଙ୍କର ମର୍ବିଡ଼ର ଉନ୍ମୁକ୍ତ ‘ଆଁ’ ଭଳି ଏକ ଅକ୍ଟୋପୋସର ସେଇ ପୈଶାଚିକ ଅଷ୍ଟପାଦ ଭଳି । ମୋର ଅଙ୍ଗ ପ୍ରତ୍ୟଙ୍ଗରେ ଏକ ଦାରୁଣ ଶିହରଣ । ମୋର ସ୍ନାୟୁରେ ଉତ୍ତପ୍ତ ତରଳ ଲାଭାର ଦହନକାରୀ ସ୍ରୋତ । ନୀରବରେ ମୁଁ ଚିତ୍କାର କରିଉଠେ ।

 

ମୋର ସ୍ୱର ଯନ୍ତ୍ରଣାକାତର । ଯୁଗ ଯୁଗର ସେଇ ଶଙ୍କାହୀନ କରୁଣ ଆର୍ତ୍ତନାଦ, ଢେଉର ଲମ୍ଫ ଭଳି ଚାରିଆଡ଼େ ଭାଙ୍ଗି ଯେପରି ଛିଟିକିପଡ଼ୁଛି ।

 

ମୁଁ ଅନୁଭବ କରେ–ଯେମିତି କେଉଁ ଏକ ପତଙ୍ଗର ମୃତ୍ୟୁକାଳୀନ ମର୍ମନ୍ତୁଦ ବ୍ୟାକୁଳତା ମଣିଷ ପାଖରେ ଅବୁଝା ରହିଯାଏ, ସେମିତି ମୋର ସ୍ୱର, ଯେମିତି ମୋର ଯନ୍ତ୍ରଣା ସବୁ ଇଥରର କେଉଁ ଏକ ସୁପ୍ତ ସ୍ତର ଭିତରେ ଖଣ୍ଡେ କରକା ଭଳି ତରଳି ତରଳି ମିଳେଇଯାଉଛି । ଅଥଚ କେହି ଶୁଣିପାରୁନାହାନ୍ତି, ଅନୁଭବ କରିପାରୁନାହାନ୍ତି ମୋର ଏ ଦୁଃଖ । ଅନୁକ୍ଷଣ ପରିବର୍ତ୍ତିତ ସମୟର ଏଇ ସ୍ୱର ଯେ କେତେବେଳେ କେଉଁ ଝଙ୍କାର ତୋଳୁଛି, କେତେବେଳେ କେଉଁ ରାଗିଣୀରେ ଆତ୍ମପ୍ରକାଶ କରୁଛି–ତା’ ମୋ ଭଳି ଅନେକ ନିର୍ବୋଧ ମଣିଷ ବୁଝନ୍ତେ ବା କିପରି !

 

ଅତଏବ ମୁଁ ବୁଝିପାରିନି ଠିକ୍ ସମୟରେ । ତେଣୁ ଇଡ଼ି ଯାଇଥିବା ପାଣିପାଇଁ ମୁଁ କାନ୍ଦେ-। ଚେସ୍ ବୋର୍ଡ଼ରେ ମରିଯାଇଥିବା ଡଟ୍ ପାଇଁ ମୁଁ ମନସ୍ତାପ କରେ । କେତେ ବୋକା ମୁଁ ! ଗୋଟିଏ ଡଟ୍–

 

–ସ୍ତାନାନ୍ତରିତ ହେଲେ, ଅନେକ ନୂତନର ଚାଲେଞ୍ଜ ଗ୍ରହଣ କରିବାକୁ ପଡ଼େ, ଏଇ ସାମାନ୍ୟ କଥା ସବୁବେଳେ ଅବୁଝା ମୋ ପାଖରେ !

 

ଜୀନତ୍ !

 

ମୁଁ ଆଜି ତମକୁ କ୍ଷମା ମାଗୁଛି । କାରଣ ମୁଁ ଏକ ‘ମିସ୍ଫିଟ୍’ ମଣିଷ । ଯିଏ ସମୟର ସ୍ୱର ବୁଝେନା, ତା’ସହ ସମତାଳରେ ପଦପାତ କରି ଚଳିପାରେନି । ତେଣୁ ମୁଁ ଦୁଃଖ କରେ, ବାରମ୍ବାର କ୍ଷମାମାଗେ ହେଲେ ତୁମମାନଙ୍କ ଭଳି ଯେଉଁମାନେ ସମୟର ଉଦ୍‍ଗାରିତ ବିଷକୁ ସହଜରେ ପାନ କରି ପ୍ରତିକ୍ରିୟାବିହୀନ ହୋଇପାରନ୍ତି ସେମାନଙ୍କ ପାଖରେ ଏ କ୍ଷମା, ଦୁଃଖର ମାନେ ବା କ’ଣ ?

 

ତୁମକୁ ମୁଁ ଠିକ୍ ବୁଝିନି ବା ଯାହା ବୁଝିଛି, ତା’ କେବଳ ମୋ ନିଜ ମନର ରଙ୍ଗଦେଇ । ତେଣୁ କ୍ଷମା ମାଗୁଛି–ସେଇଥିପାଇଁ; ଯେଉଁଥିପାଇଁ ମୁଁ ମୋଟେ ଦାୟୀ ନୁହେଁ । ଯାହା କରିବାକୁ ଇଛା କରିନି ସେମିତି ଗୋଟିଏ କାର୍ଯ୍ୟପାଇଁ ।

 

ଜୀନତ୍ !

 

ମଣିଷକୁ କ’ଣ ଦାୟୀ କରାଯିବ ଗୋଟିଏ କାର୍ଯ୍ୟପାଇଁ, ଯାହାର କାରଣ ଖୋଜିଲେ ମିଳିବ ନାହିଁ ? ବା ଯାହା ତା’ର ଇଚ୍ଛାକୃତ ନୁହେଁ ? ଯେଉଁ ଭିକ୍ଷୁକକୁ ମୁଁ ତା’ର କ୍ଷୁଧାର କାରଣ ପାଇଁ ପଇସାଟିଏ ଦେଇଛି ସେ ଯଦି ବିଷ କିଣି ଖାଏ ସେଇଥିପାଇଁ କ’ଣ ମୁଁ ଦାୟୀ ?

 

ଏବଂ ମୋର ପ୍ରତିଦ୍ୱନ୍ଦ୍ୱୀ ଭଳି ତୁମେ ଚାଲିଥାଅ ମୋର ପଛେ ପଛେ ।

 

ପାହାଚ ପରେ ପାହାଚ । ପାହାଚ–୨ । ପାହାଚ–୩

 

ଅତିକ୍ରମ କରି ମୁଁ ଚାଲିଛି, ସତର୍କତାର ସହ, ପର୍ବତରୋହୀ ଭଳି ଉପରକୁ ଉପରକୁ । ତୁମେ କିନ୍ତୁ କେଉଁ ଶିଳାର ପ୍ରକାଣ୍ତ ମୂର୍ତ୍ତି ପରେ ହାତ ନେସୁଥାଅ ତ କେଉଁ ଗୁମ୍ଫାକୁ ଅନାଇ ତା’ର ଦୈର୍ଘ୍ୟପ୍ରସ୍ଥ କଳନା କରୁଥାଅ ଅଥବା ପାଲି ଭାଷାରେ ଲିଖିତ ଲିଭିଆସୁଥିବା ଶିଳାଲିପିକୁ ନିର୍ବୋଧ ଭାବେ ଅନେଇ ବୁଝିବାକୁ ଚେଷ୍ଟା କରୁଥାଅ–ତା’ର ଅର୍ଥ ।

 

ମୁଁ କିନ୍ତୁ ଅନୁଭବ କରିଥାଏ, ଏକ ବିଚିତ୍ର ହିଷ୍ଟୋରିକ୍ ସ୍ପିରିଚୁଆଲ୍ ରୋମାନ୍ସ । ଏ ଖଣ୍ଡଗିରିର ଶିଳା, ଗଛ ଲତା ସବୁ ଯେପରି ମୋର ଅତି ପରିଚିତ । ମୁଁ ଯେପରି ସେ ଅତୀତର ସମ୍ରାଟ ଖାରବେଳ ।

 

ଏମିତି ଅନେକଥର ମୁଁ ପାହାଚ ପରେ ପାହାଚ ଅତିକ୍ରମ କରିଛି । ସାରା ଦେହଟା ମୋର ଯେପରି ତୁଳା ଭଳି ହାଲୁକା ହୋଇଉଠୁଥିଲା ଏବଂ ମୁ ଯେପରି ଅନେକ ଜୈନଧର୍ମର ମହତୀ ସତ୍ତାର ଗହଣରେ ପୁଣିଥରେ ମିଶି ଆଗକୁ ଚାଲିଛି ।

 

ହଠାତ୍ ଶେଷ ପାହାଚ ଉପରେ ପାଦରଖି ମୁଁ ଯେତେବେଳେ ଉପରକୁଉଠିଲି ଯିବାପାଇଁ ସେ ବ୍ଲାକ ମାର୍ବଲର ଉଲଗ୍ନ ମୂର୍ତ୍ତି ଶେଷ ତୀର୍ଥଙ୍କର ପାର୍ଶ୍ଵନାଥଙ୍କ ପାଖକୁ–ମୁଁ ଯେପରି ଏକ ଯନ୍ତ୍ର । କାହାର ନିର୍ଦ୍ଦେଶକ ଏକ ହିପୋଟାଇଜଡ଼ ଆତ୍ମା ଭଳି କେବଳ ଆଗେଇଯାଉଛି ।

 

ସାମ୍ନାରେ ମୋର ପାର୍ଶ୍ୱନାଥ ।

 

ନିବିଡ଼ ଭାବେ ମୁଁ ଚାହିଁଥିଲି । ଜାଗତିକ ସମସ୍ତ ସତ୍ତା ମୋର ଲୋପ ହୋଇଆସୁଥିଲା ।

 

ତୁମେ ବି ଜିନତ୍ ! ଚାହିଁଥିଲ ସେଇ ମୂର୍ତ୍ତିକୁ । ଏତେ ନିଖ୍‍ଣ ଜୀବନ୍ତମୂର୍ତ୍ତି ଏକ ଉନ୍ନତ ରୁଚିଶୀଳ ସ୍ଥାପତ୍ୟ–କଳାପ୍ରେମୀ ଜାତିର ସମୃଦ୍ଧ ଅତୀତ କଥା ହୁଏତ ବିଜେ ଭାବୁଥିବ ବା ଭାବୁଥିବ ମଣିଷ ହାତରେ ଦକ୍ଷତା କେତେ । କେତେ ଶୁଚିମନ୍ତ ତା’ର କଳ୍ପନା । ଅଥବା କଳ୍ପନା, ଆଉ ହାତର ଦକ୍ଷତା ମଧ୍ୟରେ କେତେ ତଫାତ୍ !

 

ମୁଁ କିନ୍ତୁ ଭାବୁଥିଲି ଆମ ଦୁଃଖର କାରଣ । ତେଣୁ ପ୍ରସଙ୍ଗବିହୀନ ଭାବେ ପାଗଳଙ୍କ ଭଳି ତୁମକୁ ପଚାରିଲି–

 

ଜୀନତ୍ !

 

'ଉଁ' ମୂର୍ତ୍ତିର କେଉଁ ଏକ ଆକର୍ଷଣୀୟ ଅବୟବ ଉପରେ ଆଖିରଖି ତୁମେ ନିର୍ଲିପ୍ତଭାବେ କହିଥିଲ–ଉଁ ।

 

ଜୀବନରେ ତୁମେ କ’ଣ ସବୁକିଛି ପାଇଛ ଜୀନତ୍ ?

 

–ନା

 

କିଛି ପାଇନା ?

 

–ପାଇଛି ।

 

ନପାଇବାର ଦୁଃଖ, ପାଇବାର ଆନନ୍ଦଠାରୁ କ’ଣ ଢେର ଅଧିକ ?

 

ହଁ, ଢେର ଅଧିକ ।

 

ପାଇବାର ଆନନ୍ଦର ଦୈର୍ଘ୍ୟ ?

 

–ଖୁବ୍ କମ୍ ।

 

ଜୀବନର ଦୁଃଖପୂର୍ଣ୍ଣ ନା ?

 

–ଜାଣେ ।

 

ତା’ ଦେହରୁ କେବେ ମୁକ୍ତି ଚାହିଁଛ ?

 

ନା ।

 

ଏବେ ବି ନୁହେଁ ?

 

ହୁଏତ, ତୁମେ ମୋତେ ଠିକ୍ ବୁଝିପାରି ଫାଙ୍କା ଆଖିରେ ଚାହିଁଲ । ଆଉ ମୁଁ ଅନୁଭବ କଲି ଜୀବନରେ, ନୂତନ କରି ଦୁଃଖର କାରଣ ।

 

ପାର୍ଶ୍ୱନାଥ ମୂର୍ତ୍ତିଆଡ଼କୁ ଆଙ୍ଗୁଳି ଦେଖାଇ କହିଲି–ଏ ଶେଷ ତୀର୍ଥଙ୍କର । ମହାବୀର ଜୈନଙ୍କର ଆବିର୍ଭାବ ପୂର୍ବର । କହିପାରିବ ଜୀନତ୍ ଏ ମୂର୍ତ୍ତି ଉଲଗ୍ନ କାହିଁକି ?

 

ତୁମେ ନିରୁତ୍ତର ଥିଲ ।

 

ମୁଁ କିନ୍ତୁ ପ୍ରଗଲଭ । ଯେମିତି ଅନେକ ଅରହତ୍ ମୋତେ ମୁଖର କରୁଛନ୍ତି ଏକ ସଚ୍ଚା ଜୀବନର ସନ୍ଧାନ ଦେବାକୁ । ଦୁଃଖହୀନ, ଯନ୍ତ୍ରଣାବିହୀନ ଜୀବନର ପଥ ଦେଖାଇଦେବାକୁ ।

 

ଜୀନତ୍, ମୁଁ କହିଲି କେବଳ ଉଲଗ୍ନ ଏ ଦେହ ନୁହେଁ ମନ ବି ! ଜୀବନରେ ଆବରଣର ସ୍ଥାନ ନାହିଁ । ଆବରଣ ହିଁ ସତ୍ୟ ଉପରେ ପରଦା । ସତ୍ୟର ସନ୍ଧାନ କରିବାକୁ ହେଲେ, ଜୀବନରୁ–ଦୁଃଖର ଅନ୍ଧକାର ଦୂର କରିବାକୁ ହେଲେ, ଏ ଆବରଣକୁ ଫିଙ୍ଗିଦେବାକୁ ପଡ଼ିବ । ତେବେଯାଇ ସତ୍ୟର ମହତ୍ତ୍ୱ ବୁଝିହେବ । ସେଇ ମହତୀ ଜ୍ୟୋତିରେ ଏକ ସ୍ଫୁଲିଙ୍ଗ ଭଳି ମିଶି ଯାଇ ହେବ ।

 

ଜୀନତ୍ ! ମୁଁ ଜୀବନରେ ବଡ଼ ଅସହାୟ, ଜୀନତ୍ । ଛିନ୍ନପକ୍ଷ ଜଟାୟୁ ଭଳି ସମୟର ସେଇ ଫୁଟନ୍ତା ପାହାଚ ଉପରେ ଯନ୍ତ୍ରଣାରେ ମୁଁ ଅବିରତ ଛଟପଟ ହୋଇ ଅନ୍ଧଭଳି ଚାରିଆଡ଼କୁ ହାତ ବୁଲାଏ–କିଏ ମୋର ପଥ ? କିଏ ? କେଉଁଠି ମୁଁ ନିରାପଦ ?

 

ଏଇଠି ତ ମୋର ପାଦତଳେ ଗଡ଼ୁଛି ଅନେକ କଟାମୁଣ୍ଡ ସେଇମାନଙ୍କର, ଯେଉଁମାନେ ନିଜ ଯନ୍ତ୍ରଣାର ଦୁଃଖକୁ ଛପେଇ ନ ପାରି, ସମୟର ସ୍ୱରକୁ ନ ବୁଝି, ଧରାପଡ଼ି ଯାଇଛନ୍ତି ଏବଂ କଟା ଯାଇଥିବା ସେମାନଙ୍କ ମୁଣ୍ଡ ଏଇଠି ଗଡ଼ୁଛି । ଏଇଠି ଦେଖ ଗାଲିଚା ସେଇମାନଙ୍କର ରକ୍ତରେ ରଙ୍ଗ କରାଯାଇଛି । ଗାଲିଚାକୁ ଚିରି ଦେଖ, ସେଗୁଡ଼ାକ ସବୁ ହାତ କେବଳ ହାତ–ସେମାନେ ସବୁ ସମୟକୁ ଭୁଲ୍ ଦାନ ମାଗୁଥିଲେ ।

 

କିନ୍ତୁ ବର୍ତ୍ତମାନ ମୁଁ ଏକ ଅପୂର୍ବ ପୁଲକ ଅନୁଭବ କରୁଛି । ମୁଁ ମୁକ୍ତି ଚାହେଁ । ଯନ୍ତ୍ରଣା–କାତର ଜୀବନରୁ ମୁକ୍ତି । ଏ ଅସହାୟତାରୁ କ୍ଷାନ୍ତି ।

 

ହେ ତୀର୍ଥଙ୍କର ! ତୁମେ ମୋର ନିର୍ଦ୍ଦେଶକ । ହେ ସତ୍ୟର ସନ୍ଧାନୀ, ତୁମେ ମୋତେ ଆବରଣବିହୀନ କର । ସରଳ ସୁନ୍ଦର ଜୀବନର ପଥ ଦେଖାଅ । ଏଇ ମୁଁ ତୁମରି ସାମ୍ନାରେ ଫିଙ୍ଗୁଛି ମୋର ବସ୍ତ୍ର । ମନର ସମସ୍ତ ଆବରଣ କାମନା । ତୁମେ ମୋତେ ମୁକ୍ତ କର..ମୁକ୍ତ କର ।

 

ପାର୍ଶ୍ଵନାଥଙ୍କ ସାମ୍ନାରେ ମୁଁ ଫିଙ୍ଗିଥିଲି ମୋର ସମସ୍ତ ପରିଧାନ । ଦିଗମ୍ବର ସାଜି ହାତ ଦୁଇଟାକୁ ଟେକି, ପୂର୍ଣ୍ଣ ଆତ୍ମ–ସମର୍ପଣ କରି ପଶିଯାଇଥିଲି ଖଣ୍ଡିଗିରିର ସେଇ ପତଳା ଅରଣ୍ୟ ଭିତରେ । ଜୀନତ୍ ତୁମେ ଏ ଅଦ୍ଭୁତ ଘଟଣାର ପଟ ପରିବର୍ତ୍ତନ ଦେଖି ହୁଏତ ବିଶ୍ୱାସ କରିପାରୁନଥିବ କ’ଣ ତୁମ ଆଖିଆଗରେ ଘଟିଯାଉଛି । ଦର୍ଶନ–ଛାତ୍ରୀଭାବେ ତୁମେ ପଡ଼ିଥିବା ପାଠ ସବୁ ହୁଏତ ତୁମର ମନେପଡ଼ି ଯାଉଥିବ ଏବଂ ମନେପଡ଼ି ଯାଉଥିବ ଯେ ସତ୍ୟର ସନ୍ଧାନ ପାଇଁ; ଜୀବନରୁ ଦୁଃଖର ବିନାଶ ପାଇଁ ଏ ଆକସ୍ମିକ ପରିବର୍ତ୍ତନ ଭାରତରେ କେବେ କିଛି ନୂଆ କଥା ନୁହେଁ ।

ଏମିତି ତ ଦିନେ ନିଜର ପ୍ରିୟତମା ସୁନ୍ଦରୀ ଗୋପାର ମୋହମୟ ସାନ୍ନିଧ୍ୟ ଛାଡ଼ି ଗୌତମ ଅନ୍ଧକାରରେ ମିଶିଯାଇଥିଲେ ଆଲୋକର ସନ୍ଧାନ ପାଇଁ ।

ଏମିତି ତ ଦିନେ ମହାବୀର ରାଜପ୍ରାସାଦ ସମସ୍ତ ଆକର୍ଷଣ ଭୋଗ ତ୍ୟାଗ କରି ଅରଣ୍ୟରେ କଠୋର ତାପସ ସାଜିଥିଲେ ।

ଏମିତି ତ ଦିନେ ନଦୀର ସ୍ଫୀତ ବକ୍ଷରେ ପଶି ଶଙ୍କର ମା’ଙ୍କୁ କହିଥିଲେ–ମା’ ମୋତେ ତୁ ତ୍ୟାଗ କର । ଏ ମିଥ୍ୟା ସଂସାରରେ ମୋତେ ସନ୍ନ୍ୟାସୀ ହେବାପାଇଁ ଅନୁମତି ନ ଦେଲେ ଏକ ବିରାଟ କୁମ୍ଭୀରଦ୍ଵାରା ମୁଁ ମୃତ୍ୟୁବରଣ କରିବି ।

ସତ୍ୟର ତୃଷ୍ଣା ମୁକ୍ତିର ପ୍ରଲୋଭନ ଯୁଗେ ଯୁଗେ ଏଠି ଏକ ଅବ୍ୟର୍ଥ ଆକର୍ଷଣ ହୋଇଛି-। ସେଥିପାଇଁ ସ୍ଥାନ, ସମୟ, ବୟସର ପ୍ରଶ୍ନ ।

ସେଦିନ ଜୀନତ୍ ବିଚଳିତ ହୋଇଉଠୁଥିଲା । ଚିନ୍ତା କରିପାରୁନଥିଲା କ’ଣ ତା’ର କର୍ତ୍ତବ୍ୟ ।

ମୁଁ ଆଗକୁ ଚାଲିଥିଲି ।

ଖଣ୍ଡଗିରିର ପତଳା ଅରଣ୍ୟର ବାଧା ମାୟା–ପୂର୍ଣ୍ଣ ସଂସାରର ବନ୍ଧନ ଭଳି ମତେ ପ୍ରତିରୋଧ କରୁଥିଲା । ସମ୍ମୁଖରେ ଯେଉଁ ମହତୀ ଜ୍ୟୋତିର ଉଜ୍ଜ୍ୱଳ ଏକ ତିର୍ଯ୍ୟକ୍ ରେଖା ମୋର ମନର ପରଦାରେ ପଡ଼ି କମ୍ପନ ସୃଷ୍ଟି କରୁଥିଲା, ତା’ର ଚିରନ୍ତନ ଆକର୍ଷଣ ଏତେ ପ୍ରବଳ, ଏତେ ଦୁର୍ନିବାର ଯେ କିଏ ପ୍ରତିହତ କରିବ ତା’ର ଗତି ?

ଶ୍ରୀକାନ୍ତ...ଶ୍ରୀକାନ୍ତ–ମୁଁ ପଛରୁ ଶୁଣିଲି ଜୀନତ୍ କଣ୍ଠରେ ମୋର ନାମ ବାରମ୍ବାର ଉଚ୍ଚାରିତ ହେଉଛି ।

ସ୍ଥିରଭାବେ ଛିଡ଼ାହୋଇ ମୁଁ ଅପେକ୍ଷା କଲି ଜୀନତ୍‍ର ଉଦ୍ଦେଶ୍ୟକୁ । କ୍ଷିପ୍ର ଗତିରେ ସେ ସେମିତି ଆସୁଥିଲା, ଯେମିତି ଏକ ସୁପ୍ତ ଆଗ୍ନେୟଗିରି ଜାଗିଉଠିଛି, ମୋରି ସାମ୍ନାରେ ସେ ଫାଟିପଡ଼ି କହିବ–ଶ୍ରୀକାନ୍ତ, ଶ୍ରୀକାନ୍ତ ତୁମେ...

ହଠାତ୍ ଜୀନତ୍ ମୋତେ ଚିପିଧରିଲା ଚିତ୍କାର କରି । ଯେମିତି ଆକସ୍ମିକ ଭାବେ ଅରଣ୍ୟର କେଉଁ ଏକ ହିଂସ୍ରଜନ୍ତୁ ଦ୍ଵାରା ସେ ଆକ୍ରାନ୍ତ ।

ଛାତିଉପରେ ନିର୍ଭୟ ଦେବାକୁଯାଇ ତାକୁ ଚିପିଧରି ପଚାରିଲି–କ’ଣ ହେଲା ? କ’ଣ ?

–ଗୋଟାଏ ସାପ ।

ସାପ ?

–ହଁ ।

ସେ ମୋତେ ଆହୁରି ଯୋରରେ ଚିପିଧରୁଥିଲା, ଯେପରି ସାପଟା ତା’ରିଆଡ଼କୁ ଉତ୍‍କ୍ଷିପ୍ତଭାବେ ଫଣାଟେକି ପହଁରିଆସୁଛି ।

ମୁଁ ଆଶଙ୍କାଗ୍ରସ୍ତ ଆଖିରେ ଚାରିଆଡ଼କୁ ଚାହିଁଲି ! କାହିଁ ସାପ ? କାହିଁ ? ତା’ପରେ ଦେଖିଲି ଏକ ଅଜଣା ଗ୍ରନ୍ଥର ଶିଅ ଉପରୁ ସୁନାରଙ୍ଗର ସାପଟାଏ ଧୀରେ ଧୀରେ ଖସିଆସୁଛି–ତା’ର ଆଖିଦୁଇଟା ପଡ଼ିଛି ଆମରି ଉପରେ ।

ତା’ପରେ ସାପଟା କିଛି ଦୂରରେ ରହି ଆରମ୍ଭ କଲା ଏକ ବୃତ୍ତାକାର ପ୍ରଦକ୍ଷିଣ । ଆମରି ଉପରେ ଆଖି । ଲମ୍ବା ଦେହଟା ତା’ର ଧୀରେ ଧୀରେ ବଙ୍କେଇ ହୋଇ ବୁଲିଯାଉଛି । ଆଉ ତା’ର ଗର୍ଜନ ଯେପରି ମୋରି ଭୟାତୁର (?) ନାସାର ଉଷ୍ମ ନିଃଶ୍ୱାସ ଭଳି ପ୍ରବଳ ହୋଇ ଜୀନତ୍ର ଲାଲ୍ ପଡ଼ିଥିବା ଗଣ୍ଡକୁ ସ୍ପର୍ଶ କରି କୁନ୍ତଳକୁ ବାରମ୍ବାର ଦୋହଲାଉଛି ।

ଜୀନତ୍ ମୋତେ ଚିପିଧରିଛି ।

ଏକ ସର୍ପ ବନ୍ଧନୀ ଭିତରେ ଜୀନତ୍ ଓ ମୁଁ ଯେପରି ଛନ୍ଦି ହୋଇପଡ଼ୁଛି ଅଥଚ ସାପଟା ନିର୍ଭୟରେ ଆଖିର କିଛି ସ୍ଥିର ହିଂସ୍ରତା ଭରି ଧୀରେ ଧୀରେ ଦେହଟାକୁ ବଙ୍କାଇ ବଙ୍କାଇ ଆଗଉଛି ।

ପ୍ରଥମେ ମୁଁ ଅନୁଭବ କଲି ଜୀନତ୍ ଯେପରି ଏକ ଭୟାତୁର ଆତ୍ମା । ସଂସାରରେ ଦୁଃଖ ସବୁ ସାପ ଭଳି ତାକୁ ଆକ୍ରମଣ କରୁଛି ଓ ସେଥିରୁ ମୁକ୍ତି ପାଇଁ ସେ ମୋ ପାଖରେ ଆତ୍ମସମର୍ପଣ କରୁଛି–

–ମୋର କର୍ତ୍ତବ୍ୟ ତାକୁ ରକ୍ଷା କରିବା ।

ଦ୍ଵିତୀୟ ମୁହୂର୍ତ୍ତରେ ଭାବନା ଓ ଅନୁଭୂତି–ଜୀନତ୍ର ଦେହ ଖୁବ୍ ନରମ । ଏକ ମାଂସାଶୀ ଉଷ୍ମତା ତା’ଅଙ୍ଗ ପ୍ରତ୍ୟେଙ୍ଗରେ ଯେପରି ନେସିହୋଇଛି । ହୁଏତ ସେ ତା’ର ସ୍ତନ । ବର୍ଚ୍ଛା ଭଳି ମୋ ଛାତିର ପ୍ରତି ପରଦା ଫୁଟାଇ ସର୍ବାଙ୍ଗରେ ଏକ ଅବଦମିତ କରେଣ୍ଟ୍ ସୃଷ୍ଟି କରୁଛି ।

 

ଅଥଚ ମୋର କର୍ତ୍ତବ୍ୟ ତା’ର ଦେହ...ଦୁଃଖ...ମୁକ୍ତି ସତ୍ୟ...ସତ୍ୟ ତ ତା’ର ଏଇ ଦେହ ! ସତ୍ୟ ଓ ସମ୍ମୁଖରେ ସାପ । ଜୀନତ୍ ଦେହର ପ୍ଲାବିତ କରେଣ୍ଟ ଯେପରି ମୋର ତାତି ଆସୁଥିବା ଦେହ ଦେଇ ଆଥଙ୍ଗ୍ କରୁଛି ।

 

ତୃତୀୟ ମୁହୂର୍ତ୍ତରେ ସେ ସାପ କାଳସର୍ପ ଭଳି ଲମ୍ଫଦେଲା ମୋ’ରି ମୁଣ୍ଡ ଉପରକୁ । ତା’ପରେ ଆଘାତ ।

 

ବାରମ୍ବାର ଆଘାତ । ମୁଁ ଅନୁଭବ କଲି ଯେପରି ମୁଁ ହୋଇଯାଇଛି ସେଇ ସାପର ରୂପାନ୍ତର । ମୋର ଗୋଟାଏ ହାତ ଲାଞ୍ଜ ଭଳି ଗୁଡ଼େଇ ହୋଇଯାଉଛି ଜୀନତ୍ ଦେହରେ । ଅନ୍ୟ ହାତଟା ତା’ର ସର୍ବାଙ୍ଗରେ ବାରମ୍ବାର ତଳ ଉପର ହୋଇ ଦଂଶନ କରିଚାଲିଛି । ଦଂଶନରେ ବିଗଳିତ ତା’ର ବାଟିକ୍ ପ୍ରିଣ୍ଟର ଶାଢ଼ି ଖସିପଡ଼ୁଛି । ଖସିପଡ଼ୁଛି ତା’ ଦେହର ସମସ୍ତ ଆବରଣ ।

 

ଜୀନତ୍, ଏକ ଉଚ୍ଚତର ସୋପାନକୁ ଯିବାକୁ ଇଚ୍ଛାକରି ମୁଁ ଏମିତି ବାରମ୍ବାର ଖସିପଡ଼ୁଛି ଗୋଟାକ ପରେ ଗୋଟାଏ ଗହ୍ୱରରେ ।

 

ଗହ୍ୱରଟା ଏକ ଭୟଙ୍କର ମରବିଡ଼ର ଉନ୍ମୁକ୍ତ ଆଁ ଭଳି । ଏକ ଅକ୍ଟୋପୋସର ପୌଶାଚିକ ଅଷ୍ଟପାଦ ଭଳି, ମୋର ସର୍ବାଙ୍ଗରେ କେଉଁ ଏକ ଜଘନ୍ୟ ଆତତାୟୀଦ୍ଵାରା ପ୍ରତି ମୁହୂର୍ତ୍ତରେ ଛୁରାମାଡ଼ ମୁଁ ଅନୁଭବ କରିଛି । ଅଥଚ ମୁଁ ବୁଝିପାରୁନି, ତଥାପି ସମୟର ସ୍ୱର ଏବଂ ବୁଝିପାରୁନି କିଏ ସେମାନେ ମୋର ନିଷ୍ଠୁର ପ୍ରତିଦ୍ଵନ୍ଦ୍ୱୀ ? ଯେଉଁମାନେ ମୋତେ ସହଜରେ ଅଜାଣତରେ ଏମିତି ଏକ ଉଚ୍ଚତର ସୋପାନରୁ ଠେଲି ଚାଲିଛନ୍ତି ଗହ୍ଵର ପରେ ଗହ୍ୱରକୁ ।

 

ଜୀନତ୍, ଉତ୍କଳ ଏକ୍ ସପ୍ରେସରେ ତୁମେ ଆଜି ଚାଲିଗଲ ଦିଲ୍ଲୀ । ତିନିଦିନ ପରେ ପାଲାମ ବିମାନ ବନ୍ଦରରୁ ଏଆର ଇଣ୍ଡିଆ ବୋଇଂଜେଟରେ ଉଡ଼ିଯିବ ବ୍ୟାଙ୍କକ୍ । ଥାଇଲାଣ୍ଡର ସହର ପରେ ସହର ଅତିକ୍ରମ କରି ଘରେ ପହଞ୍ଚି ଏ ଦୁର୍ଘଟଣାକୁ କିପରି ରୂପ ଦେବ ବା ଚାପିଦେବ ମୁଁ ଜାଣେନି ।

 

ଆଜି କିନ୍ତୁ ତୁମର ଖଣ୍ଡଗିରିରୁ ସେଦିନ ଫେରିଲାବେଳର କରୁଣ ଭୟାତୁର ଆଖି ଦୁଇଟା, ଲଜ୍ଜା ଓ ଦୁଃଖରେ ଲାଲ ପଡ଼ିଥିବା ମୁହଁଟା ମୋ’ ଆଖିରେ ଭାସୁଛି । ତୁମେ ଯେପରି ମୋତେ ଘେରି ନୀରବରେ ତଳକୁ ମୁହଁ ପୋତି ଗୋଟାଏ ପାଦ ପରେ ଆଉ ଏକ ପାଦ ପକାଇବାର ଶକ୍ତି ହରାଇ ନିଜକୁ ଆଶଙ୍କାଗ୍ରସ୍ତ ମନେକରି ଠେଲି ଠେଲି ନେଉଛ ।

 

ଆଉ ମୁଁ ସବୁଦିନ ଭଳି ଏଇ ଆବର୍ତ୍ତମାନ ସମୟର ଗତିକୁ ନ ବୁଝିପାରି ଗୋଟାଏ ବୃନ୍ତଚ୍ୟତ ପତ୍ରଭଳି ଚାରିଆଡ଼େ ପିଟିହୋଇ ଖାଲି ବୁଲୁଛି ଆଉ ବୁଲୁଛି ।

Image

 

ଅରଣ୍ୟେ ଅଜଗର ପ୍ରାୟେ

 

ଅଥବା ବନ୍ୟ ଜ୍ୟୋସ୍ନାର ଏକ ଜାନ୍ତବ ସ୍ପର୍ଶରେ ସମୁଦ୍ର ଫୁଲିଉଠିଲା ଭଳି, ତାକୁ ଭେଟିବାର ପ୍ରବଳ ଆକାଂକ୍ଷା ମୋ ଭିତରେ ଯେତେବେଳେ ଧୀରେ ଧୀରେ ଫୁଲିଉଠି ଜମାଟ ବାନ୍ଧେ, ଏକ ମହାଘ ଉତ୍ତେଜନାରେ ମୁଁ କେମିତି ଗୋଟାଏ ଭିନ୍ନ ମଣିଷ ହୋଇ ସେଇ ବ୍ୟସ୍ତ ବସ୍ ଷ୍ଟପରେ ଛାତିଉପରେ ହାତ ଦୁଇଟାକୁ ଛନ୍ଦି ଅଥବା ସିଗାରେଟ୍‍ଟାଏ ଓଠରେଲଗାଇ ଓଜନିଆ ପଦଚାରଣ କଲାବେଳେ ସତର୍କରେ ଲକ୍ଷ୍ୟକରେ ଦୂରରୁ ଧୀରେ ଧୀରେ ଆସି ଏକ ଯାନ୍ତ୍ରିକ ଶବ୍ଦକରି ଛିଡ଼ା ହୋଇଯାଉଥିବା ବିରାଟକାୟ ଷ୍ଟେଟ୍ ଟ୍ରାନସପୋଟର ବସ୍‍ଗୁଡ଼ାକୁ । କଣ୍ଡକ୍ଟର ଗେଟ୍‍ ଖୋଲେ–ଭିତରୁ ବାହାରିଆସନ୍ତି କେତେଜଣ ବ୍ୟଗ୍ର ପୁରୁଷ ଓ ନାରୀ ଏବଂ ଦୁଇଟା ଶିକାରୀ ତାଲିମ ପ୍ରାପ୍ତ କୁକୁର ଭଳି ମୋ ଆଖିଦୁଇଟା ହଠାତ୍ ଝପଟିଯାଏ ସବୁଗୁଡ଼ାକ ଲେଡ଼ିଜ୍ ସିଟ୍ ଉପରକୁ ।

 

ଯେଉଁମାନେ ବାହାରିଆସିଲେ, ଏକ ଆଶଂକିତ ଯାତ୍ରାର ବିଶ୍ଵସ୍ତ ମୁହୂର୍ତ୍ତରେ । ସେଇ ତରୁଣୀମାନେ...

 

ନା–ସେ ତୁମେ ନୁହଁ ।

 

ସେ ଯେଉଁ ତରୁଣୀ ନିରୁଦବେଗ ଭାବେ ଗାଲରେ ହାତଦେଇ କୋଳ ଉପରେ ଗୋଟାଏ ମାଗାଜିନ୍ ବା ବହିରଖି ପଢ଼ୁଛି, ଅନେକ ସମୟରେ ତୁମେ ବି ତ ସେମିତି ପଢ଼ ।

 

ନା–ସେ ତୁମେ ନୁହଁ ।

 

ପାଖରେ ସେ ଯିଏ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଅନ୍ୟପଟ କେଉଁ ମୁଲାୟମ ଦୃଶ୍ୟ ଦେଖି ମୁହଁ ଉପରେ ଛିଟିକି ପଡ଼ିଥିବା କେଶଗୁଡ଼ାକ ସହଜରେ ମୁଣ୍ଡ ଉପରକୁ ଟାଣିନେଉଛି । ଅନେକ ସମୟରେ ତୁମେ ବି ତ ସେମିତି କେଶ ସଂଯତ କର ।

 

ନା–ସେ ତୁମେ ନୁହଁ । ଏ ସ୍ତ୍ରୀ ଲୋକଟା କି କଳା !

 

ପଛସିଟରେ ବସିଥିବା ତରୁଣୀ ଯାହାର ଉଗ୍ର ସ୍ତନ ଦୁଇଟା ଏତେ ବାହାରକୁ ପର୍ବତ ଭଳି ଦେଖାଯାଉଛି ଏବଂ ତା’ ବ୍ରାସିୟରର ଷ୍ଟ୍ରିପ୍‍ଗୁଡ଼ାକ ଏବଂ ଛାତିରୁ ଖସୁଛି ଭଏଲ ପ୍ରିଣ୍ଟର ଶାଢ଼ିଟା-। ଇସ୍ ସେ କ’ଣ ତୁମେ ହୋଇପାର !

 

ନା–ସେ ତୁମେ ନୁହଁ । ତୁମେ ତ କେମିତି ବରଂ ସଂଯତର ଏକ ମୂର୍ତ୍ତିମତୀ ପ୍ରତିମା । ତୁମ ଦେହରୁ ଲୁଗା ଖସିଯିବା ଅସମ୍ଭବ । ତୁମ ପକ୍ଷରେ ଏପ୍ରକାର ବସିବାର ଅଶ୍ଳିଳ ମୁଦ୍ରା ଏକ ସ୍ୱପ୍ନ ଭଳି ।

 

ନା–ସେ ତୁମେ ନୁହଁ ।

 

ବା ଏପର୍ଯ୍ୟନ୍ତ ତୁମେ ଆସିନା ।

 

ଅଥଚ ସମୟ ଅତିକ୍ରମ କରିଯାଉଛି ।

 

କିନ୍ତୁ ମୁଁ ଆସିଛି । ଆସିଛି ଅନେକ ପୂର୍ବରୁ । ଏଇଠି ଏମିତି ବୁଲିଛି । ଛିଡ଼ା ହୋଇଛି । ସିଗାରେଟ୍ ଟାଣିଛି । ଲୋକଗୁଡ଼ାଙ୍କୁ ଦେଖୁଛି ।

 

ଏଠିକାର ଅନେକ ଲୋକଙ୍କର ଆଖି ଅନେକବାର ମୋ ଉପରେ ଅଟକିଯିବାକୁ ଆରମ୍ଭ କଲାଣି । ହୁଏତ ସେମାନେ ମୋତେ ନେଇ ଏଣିକି ବ୍ୟସ୍ତ ହେବେ । ପରସ୍ପର ସହ କଥା ହେବେ । “ଏଇ” ସେ ଲୋକଟା, ଅନେକ ସମୟ ହେବ ଏଇଠି ବୁଲୁଛି । ନୁହେଁ ? ପ୍ରତିଟି ବସ୍ତୁକୁ ସତର୍କତା ସହ ଚାହୁଁଛି । କ’ଣ କାହାକୁ ଅପେକ୍ଷା କରିଛି ?

 

ଏ’ତ ଗୋଟିଏ ଚୋରା ଅଫିମ ବ୍ୟବସାୟୀ ନୁହେଁ ?

 

କୌଣସି ଝିଅକୁ ଅପେକ୍ଷା କରିନାହିଁ ତ ?

 

କେଉଁ ଶତ୍ରୁକୁ ହତ୍ୟା କରିବାପାଇଁ ଏ ଧର୍ଯ୍ୟବାନ ପ୍ରତୀକ୍ଷା ନୁହେଁ ତ ?

 

ଅଥବା ଅନେକ ଯୁବକ ଭଳି ଏ ତ ପରଭରଟେଡ଼୍ ନୁହେଁ ? ବସ୍‍ଷ୍ଟପରେ ଛିଡ଼ାହୋଇ ଝିଅଙ୍କୁ ଦେଖିବାର ଏ’ତ ମାନିଆ ନୁହେଁ ?

 

ଭାବନ୍ତୁ ସେମାନେ ସେମିତି । ସତ୍ୟ ଯେତେବେଳେ ତା’, ସେମାନେ ଭାବିଲେ ଭୁଲ୍ ବା ସେମାନଙ୍କର କ’ଣ ? ଅଥଚ ମୁଁ ଅପେକ୍ଷା କରିଛି–ବିତିଯାଉଥିଲେ ବି ସମୟର ରଥ ତଥାପି ଜାଣିପାରୁନି ଆସି ପହଞ୍ଚିବ ତୁମେ କେତେବେଳେ ! ମୋର ବା ସେ ବାହାର ଲୋକଙ୍କୁ ନେଇ ଏତେ ବ୍ୟସ୍ତ ହେବାର କ’ଣ ଅଛି ।

 

ସେମାନେ କ’ଣ ଭିରୁ ନୁହଁନ୍ତି ଶିଳା, ଯେଉଁମାନେ ନିଜ ସଂପର୍କରେ–ଅନ୍ୟମାନେ କ’ଣ କହିବେ–ତା’ରି ଅଯଥା ଭୟରେ ବାରମ୍ବାର ଗତିପଥ ବଦଳାନ୍ତି । ସେମାନେ ବିଚରା କେତେ ଅସହାୟ ନୁହଁନ୍ତି ! ନିଜ ଜୀବନକୁ ରକ୍ତାକ୍ତ କରି ଯେଉଁ ମରିଚିକାର ଶୂନ୍ୟ ସ୍ୱର୍ଣ୍ଣମୃଗ ପଛରେ ଧାଆଁନ୍ତି–ବିଚରା ଜାଣନ୍ତି ନାହିଁ ଜୀବନରେ ଗୁଡ଼ାଏ ଶୂନ୍ୟ ତା’ ପଛରେ ଚମତ୍କାର ଭାବେ ଦୌଡ଼ି ଯାଇପାରେ ହେଲେ ତାକୁ ହାତରେ ପାଇହୁଏନା । ଅପର ପକ୍ଷରେ ଲୋକମାନଙ୍କର ଶକ୍ତି ଯେତେବେଳେ ଅଛି ସେମାନେ ଅବଶ୍ୟ କହିବେ–ଆଉ ତାଙ୍କରି ପରିକଳ୍ପିତ ମାନଚିତ୍ର ପଛରେ ଦୌଡ଼ୁ ଦୌଡ଼ୁ ଜୀବନର ସମସ୍ତ ପଥ ଯେ କଣ୍ଟକିତ–ରକ୍ତମୟ ନ ହେବ ୟା’ର ପ୍ରତିବାଦ କରିପାରିବ ବା କିଏ ?

 

ଶିଳା ଅଥଚ ତୁମେ କହିଯାଇଥିବା ସମୟରେ ତୁମେ ଆସିନା ଏବଂ ମୁଁ ଆସିଛି–ଆସିଛି ତା’ର ଅନେକ ପୂର୍ବରୁ । ଯଦିଓ ମୁଁ ଠିକ୍ ଜାଣେ ଏତେ ପୂର୍ବରୁ ମୋର ଆସିବାର ଅର୍ଥ କିଛି ନାହିଁ ଖାଲି ଚାଲିଆସିଛି ଗୋଟାଏ ଆଶଙ୍କାରେ । କିଛି ବ୍ୟଥିତ ଉତ୍ତେଜନାରେ । ଅନେକ ସମୟ ପୂର୍ବରୁ ତୁମକୁ ଭେଟିବାର ଯେଉଁ ପ୍ରବଳ ଘୂର୍ଣ୍ଣିବାତ୍ୟା ମୋତେ ବ୍ୟସ୍ତ କରୁଥିଲା, ଯଦି ତୁମେ ସେମିତି ଅତିଷ୍ଠ ହୋଇଉଠୁଥିବ । ହୁଏତ ମୋରି ଭଳି ତୁମେ ବି ଅନେକ ପୂର୍ବରୁ ଆସିଯାଇପାର !

 

ଅଥଚ ସମୟ କୋଡ଼ିଏ ମିନିଟ୍ ଅତିକ୍ରମ କରିଗଲାଣି । ତୁମେ ଆସିବାର ବିଶ୍ଵାସ–ଅବିଶ୍ଵାସର ଦ୍ୱନ୍ଦ୍ୱ ଭିତରେ ଶୁଖିଲାରେ ମୁଁ ଗୋଟାଏ ମୀନଭଳି ଛଟପଟ ହେଉଛି ଏବଂ ସେଥିରୁ ମୁକ୍ତିପାଇଁ ସିଗାରେଟ୍ ଖଣ୍ଡେ ଖାଇବାକୁ ଇଚ୍ଛାକରି ବି ଯାଇପାରୁନି । କାରଣ ସେଇ ସଜ୍ଜିତ ସିଗାରେଟ୍ ଦୋକାନର କାନ୍ଥରେ ଗୋଟାଏ ବିରାଟ ଘଣ୍ଟା ଏକ ଯାନ୍ତ୍ରୀକ କୋରସ ସୃଷ୍ଟିକରି ସେ ସୂଚାଇ ଦେଉଛି ଚାଲିଯାଉଥିବା ସମୟର ପଦଧ୍ଵନି ।

 

ପଚିଶ...ତିରିଶ...ଚାଳିଶ ମିନିଟ୍ ।

 

ତଥାପି ତୁମେ ଆସିପାରିନା । କେମିତି ମୁଁ ସହ୍ୟ କରିବି ଚାଲିଯାଉଥିବା ଏଇ ନିଷ୍ଠୁର ସମୟକୁ ? ସମୟ ଯଦି ଏଇଠି ଅଟକିଯାଆନ୍ତା ବିନିତଭାବେ ।

 

ଆଃ...ଡ୍ୟାମ୍ ଇଟ୍–

 

ଆରେ ଏମିତି ତ ହୁଏ ଶିଳା ! ଅନେକ ସମୟରେ ବସ୍ ଫେଲ ହୋଇ ହୁଏ । ଅଥବା ବ୍ରେକ୍ଡ଼ାଉନ୍ ଯଦି ଗାଡ଼ି ହୋଇଯାଇଥାଏ । କ୍ଷତି କ’ଣ ଅନ୍ତତଃ ନିଜକୁ ସେମିତି କିଛି ଗୋଟାଏ ବିଶ୍ୱାସଯୋଗ୍ୟ କଥା କହି ଆଉ କିଛି ସମୟ ଅଟକାଇ ଦେବାରେ ।

 

ହୁଏ ତ ତୁମେ ଆସୁଥିବ ।

 

ବିଳମ୍ବ ତୁମକୁ ଯେତେବେଳେ ବିଦାରଣ କରିବ ବାରମ୍ବାର ବସ୍‍ର ଝର୍କାଦେଇ ତୁମେ ଚାହୁଁଥିବ ବାହାରକୁ । ତୁମର ବା ଚାରା କ’ଣ ? ବସ୍‍ଟା ଚାଲିଛି ଏତିକି ଯୋରରେ ଏବଂ ତା’ ଭିତରେ ତୁମେ । ବସ୍‍ ତ ଆଉ ମନପବନ ଜାନ ନୁହେଁ–ଇଚ୍ଛାକଲେ ଉଡ଼ାଇ ଆଣିବ ।

 

ଶିଳା କେତେ ଅବାନ୍ତର ଏ ସହରଟା । ୟାର ହୃଦୟ ଭିତରେ ଛିଡ଼ାହୋଇ ମୁଁ ବଡ଼ ବିଚିତ୍ର ଅନୁଭୂତି ପାଉଛି । ଏଠିକାର ଲୋକଗୁଡ଼ାକ ଯେପରି ସଂଗୃହିତ ଚିଡ଼ିୟାଖାନାର ପଶୁ–କାହାର ନୀରବ ଆଦେଶକୁ ଶିରୋଧାର୍ଯ୍ୟ କରି ଏମାନେ ଏଇଠି ରହି–ସତରେ ଏଇଠି ପୁଣି ନାହାନ୍ତି । ଏମାନେ ଯେମିତି ଯନ୍ତ୍ରର ଏକ ମଣିଷ ଏବଂ ସମସ୍ତେ ଏକାଠି ରହିବାର ଏମାନଙ୍କର ଗର୍ବ ଗୌରବ ନାହିଁ ବରଂ ତଦ୍‍ଜନିତ ଅନେକ କ୍ଳାନ୍ତ । ଅଥଚ ମୁଁ ତୁମକୁ ଏଠି ଅପେକ୍ଷା କରିଛି ।

 

ଏ ସହରର ନାରୀମାନେ ସତେ କି ରହସ୍ୟମୟୀ ଜଣାଯାଉନାହାନ୍ତି ! ତାଙ୍କର ଆଖି, ତାଙ୍କର ପୋଷାକ, ତାଙ୍କର ବସିବା ବା ଚାଲିବାର ଅପୂର୍ବ ଭଙ୍ଗୀ । ସବୁଥିରୁ ଯେପରି ରହସ୍ୟ ଝରିପଡ଼ୁଛି । ଏମାନେ ଯେପରି ସମସ୍ତେ କ୍ଷୁଧିତ । ଏ କ୍ଷୁଧା କ’ଣ ତାଙ୍କ ଜଠରର ? ନା–ତା’ ନୁହେଁ–ହେଲେ ଏପରି ସାବଲୀଳ ଅଙ୍ଗ ସୌଷ୍ଠବ କ’ଣ ସମ୍ଭବ ହୋଇଥାନ୍ତା ।

 

–ତେବେ କ’ଣ ଏ କ୍ଷୁଧା ମନର !

 

ହୁଏତ ନୁହେଁ । ତା’ହେଲେ କେମିତି ଏକ ଅଶ୍ଳିଳ ହସ ଏମାନେ ହସୁଥାନ୍ତେ ପ୍ରତି ମୁହୂର୍ତ୍ତରେ ? ଏମାନେ କ’ଣ ସେଇମାନେ ଯେଉଁମାନେ ରାତ୍ରିର ନିର୍ଜନ ପ୍ରହରରେ ନୀରବରେ କଇଁ କଇଁ ହୋଇ କାନ୍ଦନ୍ତି ସମସ୍ତଙ୍କ ଅଜଣାରେ ଏବଂ ଦିନରେ ସେ ମାଲ୍ୟାଣୀର ମେଣ୍ଢା ଭଳି ବଶମ୍ଵଦ ଭାବେ ବିତରଣ କରନ୍ତି ।

 

ମୋତେ ଲାଗୁଛି ଏମାନଙ୍କ କ୍ଷୁଧା ଯେପରି ଦେହର, ରକ୍ତର, ମାଂସର ଏକ ଅଶ୍ଳିଳ ସମ୍ଭୋଗ ଲିପ୍‍ସା । ଏମାନଙ୍କର ଆଖିରୁ ସର୍ବଲାଇଟର ଆଲୁଅ ଭଳି ଛିଟିକିପଡ଼ୁଛି । କେଶର ଅସଂଯତ କମ୍ପନରେ ଅନେକ ସର୍ପର ଲାଞ୍ଜ ବାରମ୍ବାର ପିଟିହେଉଛି ଏବଂ ବାହାରକୁ ନ ଦେଖେଇବାର ପ୍ରତିଶ୍ରୁତି ନେଇ ଏମାନେ କଂପ୍ରେସଡ଼ କରି ଇଲାଷ୍ଟିକ ଦିଆ ବ୍ରାସୀୟରର ଷ୍ଟ୍ରେପ୍ ସାହାଯ୍ୟରେ ବାନ୍ଧି ପକାଉଛନ୍ତି । ଅଥଚ ଇଚ୍ଛାକଲେ ଏମାନେ ସମୟର କେଉଁ ଏକ ଫାଙ୍କ ଦେଇ ଫିଙ୍ଗିପାରନ୍ତି ମୁଠା ମୁଠା ବାଲି ଅନ୍ୟ ଆଖିଗୁଡ଼ାକ ଉପରକୁ । ଏମାନେ ଚମତ୍କାର ଭାବରେ ସେ ଇଲାଷ୍ଟିକକୁ ଟାଣି ଟାଣି ଲମ୍ବା କରିବେ ଏବଂ ପର ମୁହୂର୍ତ୍ତରେ ପୁଣି କଂପ୍ରେସଡ଼୍ କରିପାରିବେ ।

 

ଏମାନଙ୍କ ଆଖିରୁ ଝରୁଛି କାମନାର ବହ୍ନି । ଓଠରୁ ମେଟିଂକଲ ପାଇଁ ଭିନ୍ନ ଭାଷା । ଉନ୍ନତ ସ୍ତନରୁ ଧର୍ଷିତ ହେବାପାଇଁ ଚାଲେଞ୍ଜ–ସବୁ ରବିସ...ପରଭରସନ ।

 

ଶିଳା ! ତୁମେ କିନ୍ତୁ କେତେ ଭିନ୍ନ ଶିଳା ! ତୁମ ସହ ଏ ସହରର କାମାତୁରା ତରୁଣୀମାନଙ୍କର ତୁଳନା କରାଯାଇପାରେନା । ତୁମେ ଏ ସବୁ କଥାରେ କେତେ ଭୀରୁ ! ତୁମ ଛାତିଉପରୁ ମୋଟେ ଲୁଗା ଖସେନା । କଥାରେ ସଞ୍ଜମ ହରାଅ ନାହିଁ । ଆଖିରେ ଏକ ପ୍ରଶାନ୍ତ ସ୍ଥିରତା ।

 

କେମିତି ଏକ ଅପାର୍ଥିବ ଭାବ । ହେଲେ ଏଠିକାର ତରୁଣୀ, ସମସ୍ତେ ସମସ୍ତେ ଚାହାଁନ୍ତି ନୀରବରେ ତାଙ୍କୁ କେହି ଅଦୃଶ୍ୟ ଶକ୍ତି ଲେପ କରୁ । କୁଚ ମର୍ଦନ କରୁ । ଓଠକୁ ରକ୍ତାକ୍ତ କରୁ । ଗଣ୍ଡଦେଶକୁ ବିବର୍ଣ୍ଣ କରୁ । ଜଙ୍ଘରେ ନଖ କ୍ଷତ ଆଙ୍କିଦେଉ । ତୁମେ ଏ ସହରକୁ ନ ଆସିବା ଭଲ ବରଂ ଶିଳା ।

 

ମାତ୍ର ତୁମେ ମତେ କଥା ଦେଇଥିଲ ।

 

ସମୟ ଅତିକ୍ରମ କରିଛି ଅନେକବେଳୁ ।

 

ନା–ଆଉ ମାତ୍ର ଅଧଘଣ୍ଟାଏ ଏଇଠି ରହିବି, ତା’ପରେ ଚାଲିଯିବି, ତୁମେ ଆସ ବା ନ ଆସ । ଆସି ପରେ ପଛେ ବ୍ୟସ୍ତ ହୁଅ–ମୁଁ କିନ୍ତୁ ନାଚାର । ତୁମର ବୁଝିବା ଦରକାର ଏ ପର୍ଯ୍ୟନ୍ତ ମୁଁ ମୋର ମଧ୍ୟାହ୍ନଭୋଜନ ନେଇନି । ଭାବିଥିଲି ତୁମେ ଆସିଲେ ସାଥିହୋଇ ଖାଇବା ହୋଟେଲର ଗୋଟାଏ ନିଭୃତ କୋଠରୀରେ । ବର୍ତ୍ତମାନ କିନ୍ତୁ ପାଞ୍ଚଟା ବାଜିବାକୁ ଯାଉଛି । ଖାଇ ହେଲାନି । ତୁମେ ବି ଆସିଲ ନାହିଁ ।

 

ବିସ୍ତାରିତ ଅନ୍ୟମନସ୍କ ହଠାତ୍ ମତେ ଚମକାଇଦେଲା ସୁବ୍ରତ । ଡାକି ଡାକି ରିକ୍ସାରୁ ଓହ୍ଲାଇପଡ଼ି କହିଲା–

 

ନମସ୍ତେ ।

 

ନମସ୍ତେ ।

 

ଏଠି ?

 

ଅପେକ୍ଷା କରିଛି ।

 

କାହାକୁ ? ସିଗାରେଟ୍‍ଟାଏ ଯାଚି ସୁବ୍ରତ ପଚାରିଲା ।

 

ଧନ୍ୟବାଦ୍–ସିଗାରେଟ୍ ପାଇଁ । ହେଲେ କାହାପାଇଁ ମୋର ଏ ପ୍ରତୀକ୍ଷା କ’ଣ ଏକାନ୍ତ ଆବଶ୍ୟକ ?

 

କିଛି ବାଧା ଅଛି ଜଣାଇବାରେ ? ସେ ପଚାରିଲେ ।

 

ନା–ପ୍ରେମିକାକୁ ।

 

ସତ ?

 

ହଁ ।

 

ମୁଁ ରହିପାରେ ।

 

ନା

 

ପ୍ରତିଦ୍ଵନ୍ଦ୍ୱିତା କିନ୍ତୁ କରିବି ନାହିଁ ।

 

ପ୍ରଦିଦ୍ୱନ୍ଦ୍ୱିତାର ମୂଲ୍ୟ ତା’ପାଖରେ କିଛି ନାହିଁ ସୁବ୍ରତ । ସେ ଥରେ ଯାହା ଗ୍ରହଣ କରେ ସବୁଦିନ ପାଇଁ ତା’ ଅପରିବର୍ତ୍ତନୀୟ ।

 

ତେବେ ଖୁବ୍ ନିର୍ଭରଯୋଗ୍ୟ ।

 

ମୁଣ୍ଡ ହଲାଇ ମୁଁ ସମ୍ମତି ଜଣାଇଲି ।

 

ଆଚ୍ଛା ଦେଖିବାକୁ କିପରି ?

 

ଖୁବ୍ ସୁନ୍ଦର । ତା’ଛଡ଼ା ମୋ ପ୍ରେମିକ ତ–

 

ପ୍ରେମିକାମାନଙ୍କର ପ୍ରସସ୍ତି ତୁମମାନଙ୍କଭଳି ଲେଖକ, ପ୍ରେମିକମାନେ ଖୁବ୍ ଯେ କରନ୍ତି-। ତା’ ମୁଁ ଜାଣେ ।

 

ନନସେନ୍ସ । ମୋ ପ୍ରେମିକାଠାରେ ଯେ ତୁ ଅନେକ ବିଶେଷତ୍ଵ ପାଇବୁ–ଏ କଥା ନିଶ୍ଚିନ୍ତ-

 

ସୁବ୍ରତ ହସିଉଠିଲା । ଯୋଗଦେଲି ମୁଁ ।

 

ତା’ପରେ କହିଲି–ସୁବ୍ରତ ତୋତେ ଗୋଟାଏ ଅନୁରୋଧ । ତୁ ଶୀଘ୍ର ଚାଲିଯା । ସେ ହୁଏତ ଯେକୌଣସି ମୁହୂର୍ତ୍ତରେ ଏଠି ଆସି ପହଞ୍ଚିଯାଇପାରେ । ଏତେଦିନ ପରେ ଏତେ କମ୍ ସମୟ ପାଇଁ ମୁଁ ଯେତେବଳେ ଭେଟିଛି ମୁଁ ଚାହେଁନା ଆମ ଭିତରେ ଆଉ କେହି ରହୁ । ତା’ଛଡ଼ା ସେ ଏତେ ସାଧାରଣ ଯେ ମୋର କୌଣସି ବନ୍ଧୁକୁ ଭେଟିବାକୁ ସେ ସବୁବେଳେ ଭୀରୁ ଏବଂ ପରସ୍ପର ପାଖରେ ନିଜକୁ ଖୋଲିଦେବାରେ ଯେଉଁ ନୀରବ ଆନନ୍ଦ ତା’ ନିରୋଳା ବାଧାହୀନ ସ୍ଥାନରେ ଯେପରି ରୂପନିଏ ଯେତେ ଅନ୍ତରଙ୍ଗ ବିଶ୍ଵସ୍ତ ବନ୍ଧୁ ଥିଲେ ବି ବାଧାପ୍ରାପ୍ତ ହୁଏ । ଥରେ ଯାହା ବାଧାପ୍ରାପ୍ତ ବିନିଷ୍ଟ ହୁଏ ତାକୁ ସୁଧାରିବା ଏତେ ସହଜ ନୁହେଁ ।

 

ସୁବ୍ରତ ହସିଲା । କହିଲା–ପ୍ରତୀକ୍ଷାରେ ଯେତେବେଳେ ଏତେ ବ୍ୟାକୁଳତା–ମୁଁ ତାକୁ ବାଧାଦେବିନି । କିନ୍ତୁ ଦ୍ଵିତୀୟଥର ତୁମକୁ ଏ ସୁଯୋଗ ମୁଁ ଦେବିନି ।

 

ସେ ପ୍ରତିଶ୍ରୁତି ମୁଁ ଦେଉଛି । ମୁଁ କହିଲି । ସୁବ୍ରତ ଚାଲିଗଲା । ମୁଁ କ୍ଷମା ମାଗିନେଇଥିଲି–ମୋର ଏ କ୍ଷୁଣ୍ଣ କଲାଭଳି ତା’ପ୍ରତି ବ୍ୟବହାର ପାଇଁ ।

 

“ଅଥଚ ଅନେକ ସମୟ ଅତିକ୍ରମ କରିଗଲାଣି । ତଥାପି ଶିଳା ତୁମେ ଆସିଲ ନାହିଁ ।”

 

ଶିଳା ! ଗୋଟାଏ ସଦ୍ୟ କଟା ମୁଣ୍ଡଭଳି ତୁମ ଆସିବାର ପରିତ୍ୟକ୍ତ କାମନା ରକ୍ତାକ୍ତ ହୋଇ ଗଡ଼ୁଛି ମୋ ମନର ଅଗଣାରେ । ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ । ତଥାପି ମୁଁ ତାକୁ ଗ୍ରହଣ କରିକରିପାରୁନି ।

 

କ୍ଷରିତ ରକ୍ତରେ ମୋ ମନର ପରଦା ରକ୍ତାକ୍ତ ହେଉଛି । ପ୍ରଥମ ମୁହୂର୍ତ୍ତରେ ଗ୍ରହଣ କରିନେଲେ, ଦ୍ୱିତୀୟ ମୁହୂର୍ତ୍ତରେ ଫାଙ୍କୁଛି ଏବଂ ଏଇ ସମୟର ଫାଙ୍କଦେଇ ବ୍ୟାକୁଳ ଭାବରେ ତୁମକୁ ଖୋଜୁଛି–ଖସିଯାଇ ଚାରିଆଡ଼କୁ ଚାହୁଁଛି–ଦେଖୁଛି ।

 

ଅକସ୍ମାତ୍ ଏ ସହରର ସବୁ ତରୁଣୀଗୁଡ଼ାକ ଅନ୍ତର୍ଦ୍ଧାନ ହୋଇଯାଇ ଖାଲି ‘ତୁମେ’ ହୋଇଯାଉଛନ୍ତି । ପାଦରେ ଯାଉଛ ତୁମେ, ରିକ୍ସାରେ ଯାଉଛ ତୁମେ । ବରେ ଲେଡ଼ିଜ ସିଟରେ ମାଗାଜିନ ପଢ଼ୁଛ ତୁମେ । କାରର ପଛସିଟରେ ବସି ବାନ୍ଧବୀ ସହ ସଂଭ୍ରମରେ ହସୁଛ ତୁମେ । ସବୁଆଡ଼େ ତୁମେ । ତୁମେ । ତୁମେ ।

 

ପରମୁହୂର୍ତ୍ତରେ ପୁଣି ଦେଖୁଛି ସେମାନେ ତୁମେ ନୁହଁନ୍ତି । ଜଟାଜଟ ବକଳଧାରୀ ସନ୍ନ୍ୟାସୀର ବେଶ ତଳେ ଜଘନ୍ୟ ରାବଣ ଭଳି ତୁମର ନିଷ୍ପାପ ରୂପକୁ ଦେହରେ ମାଖି ବୁଲୁଛନ୍ତି ଏ ସହରର ସେ ଜଘନ୍ୟ କାମୁତୁରା ତରୁଣୀମାନେ ।

 

“ଅଥଚ ତୁମେ ଆସିଲ ନାହିଁ ଶିଳା !”

 

ଏ ଦୀର୍ଘ ପ୍ରତୀକ୍ଷା । ଏ ବିରାଟ ପ୍ରସ୍ତୁତି, ସବୁ ବ୍ୟର୍ଥ ହୋଇଯାଉଛି । ଗଢ଼ିଉଠିଥିବା ମୋ ମନରେ ଅନେକ ତୋରଣ ଭାଙ୍ଗିପଡ଼ୁଛି ମସକା ଡାଳଭଳି ସାମାନ୍ୟ ପବନରେ । ଭୁଶୁଡ଼ି ପଡ଼ୁଛି ଅନେକ ଦୁର୍ଗ, ଯାହାର ସାଜସଜ୍ଜା କେବଳ ତୁମରିପାଇଁ ହୋଇଥିଲା ।

 

ଶିଳା । ଏ ଜୀବନଟା କ’ଣ ଗୋଟାଏ ପ୍ରତୀକ୍ଷା ? ପାଇବାର କାମନାରେ ନପାଇବାର ବ୍ୟର୍ଥତାକୁ ଆମେ କ’ଣ କେବଳ ଅସହାୟହୋଇ ଅଜଗର ଭଳି ଗିଳିଚାଲିଛୁ । ଅଥଚ ପଦେ ଘୁଞ୍ଚିବାକୁ ସ୍ଥାନ ନାହିଁ ।

 

ନିଜ ହାତରେ ସୁନ୍ଦରକରି ଗଢ଼ିଥିବା ଗୋଟାଏ କାଚଘର ନିଜ ଆଖିଆଗରେ ଗୋଟାଏ ବିରାଟକାୟ ଝଡ଼ର ଇଗଲର ଧକ୍କାରେ ଭାଙ୍ଗି ଚୂନା ହୋଇଗଲେ–ଯେଉଁ ଦାରୁଣ ଆଘାତ ବିଦୀର୍ଣ୍ଣ କରେ, ମୁଁ ସେହି କାର୍ଯ୍ୟର ଏକ ଅସହାୟ ଶିକାର ଏବଂ ଅନୁଭବ କରୁଛି ଦୁଇଟି ସତ୍ୟ ।

 

ପ୍ରଥମ ସତ୍ୟ–ପ୍ରତୀକ୍ଷା, ବ୍ୟର୍ଥତା ଏବଂ ତତ୍‍ଜନିତ ଅସାମାନ୍ୟ ଅପ୍ରକାଶ୍ୟ ଯନ୍ତ୍ରଣା ପ୍ରେମକୁ କରୁଛି ବୋଧେ ଏତେ ମହିମାମୟ । ଆକର୍ଷଣୀୟ । ଲୋଭନୀୟ । ରହସ୍ୟମୟ ।

 

ଦ୍ଵିତୀୟ ସତ୍ୟ–ଏ ଜୀବନ ଏକ ପ୍ରତୀକ୍ଷାର ପ୍ଳାଟଫର୍ମ । ଏଠି ପାଇବାର ଛଳନାରେ ଆମେ କେବଳ ହରାଉ । ଏବଂ ସେଇ ହରାଇବାର ଭୟରେ ପାଇବାର ମିଥ୍ୟା କାମନାକୁ ବଳବତ୍ତର କରି ନିଜକୁ ଅନବରତ ଫାଙ୍କୁଛି ।

 

ଅଥଚ ଏ ରାସ୍ତାର ଭିକାରି ଅପେକ୍ଷା କରୁଛି ଗୋଟାଏ ପଇସା ପାଇଁ ଏ ସିଗାରେଟ୍‍ବାଲା ଗୋଟାଏ ଗ୍ରାହକକୁ । ଏ ବ୍ୟବସାୟୀ ଦଳ ପ୍ରଚୁର ଲାଭକୁ । ଏଠି ଛିଡ଼ା ହୋଇଥିବା ବସ୍‍ଗୁଡ଼ାକ ଗୋଟାଏ ନିର୍ଦ୍ଦିଷ୍ଟ ସମୟକୁ ଏବଂ ଏ ସହରର କାମାତୁର ତରୁଣୀମାନେ ସମ୍ଭୋଗର ମୁହୂର୍ତ୍ତକୁ ଏବଂ ମୁଁ–

 

–ମୁଁ

 

ମୁଁ ତୁମକୁ । ତୁମକୁ ଶିଳା । ତୁମକୁ ।

Image

 

Unknown

ରାବଣ

 

ଚନ୍ଦ୍ରକାନ୍ତ ତଥାପି ଫେରିନାହାନ୍ତି ।

 

ଆନି ତୁ ଗୋଟିଏ ସୁନା ଝିଅ । ସୁନା ଝିଅମାନେ ଜିଦ୍ କରନ୍ତି ନାହିଁ । ସେମାନେ କଥା ମାନନ୍ତି । ଯା ପଢ଼ିବାଘରକୁ ଯା । ସେଇଠି ଛବି କରିବୁ । ଡାଡ଼ି ଆସିଲେ ତାଙ୍କୁ କହିବା, ତୋ ପାଇଁ ରଙ୍ଗ ଆଣିବେ ଆଉ ଗୋଟାଏ ତୂଳୀ ଆଣିବେ । ତୁ ଭଲ ଚିତ୍ର କରିବୁ । କିନ୍ତୁ ବର୍ତ୍ତମାନ ଯା, ଏଇ ନାଲି ନେଳି ପେନ୍‍ସିଲରେ ଗୋଟିଏ ଭଲ ଛବି କର, ମୋତେ ଦେଖେଇବୁ, ଡାଡ଼ି ଆସିଲେ ତାଙ୍କୁ ଦେଖେଇବୁ–ସେ ବହୁତ ଖୁସି ହେବେ ।

 

ଡାଡ଼ି କୁଆଡ଼େ ଯାଇଛନ୍ତି ମମି ? ଆନି ପଚାରିଲା ।

 

ବଜାରକୁ ।

 

ବଜାରକୁ କାହିଁକି ଯାଇଛନ୍ତି ?

 

ଲୁଗା ଆଣିବାକୁ ।

 

ଲୁଗା, ମମି, କାହାପାଇଁ ଆଣିବେ ?

 

ତୋ’ପାଇଁ ଆଣିବେ ।

 

ତମ ପାଇଁ ଆଣିବେ ନାହିଁ ?

 

ହଁ ଆଣିବେ ।

 

ତୁମେ ମମି ଡାଡ଼ିଙ୍କୁ ଲୁଗା ଆଣିବାପାଇଁ କହିଲ ?

 

ହଁ ।

 

ତୁମେ ତାଙ୍କ ସାଙ୍ଗରେ ବଜାରକୁ ଗଲ ନାହିଁ ?

 

ଆନି, ତୁ ଭୁଲିଯାଉଛୁ ଡାଡ଼ି ଆସିବା ପୂର୍ବରୁ ଛବିକରି ରଖିଥିବୁ ତୁ ଗୋଟିଏ ସୁନା ଝିଅ । ସୁନାଝିଅମାନେ ବେଶି କଥା ଗପନ୍ତି ନାହିଁ । କାମ କରନ୍ତି । ଯା ପଢ଼ାଘରେ ବସି ଛବିକରି ଆଣିବୁ । ଅନୁରାଧା ଆନିର ପିଠିରେ ହାତବୁଲାଇ ତା’ ହାତକୁ ପେନ୍‍ସିଲଟି ବଢ଼ାଇଦେଲେ ।

 

ଆନି, ପେନ୍‍ସିଲ କାଗଜ ନେଇ ଚାଲିଗଲା । ଅନୁରାଧା ଆଶ୍ୱସ୍ତ ହେଲେ ତା’ ଚାଲିଯିବାର ବାଟକୁ ଅନାଇ । ତା’ପରେ ଭାବିଲେ, ଆନି ବଡ଼ ହେଲେ ନିଶ୍ଚୟ ଜଣେ ବିଖ୍ୟାତ ଚିତ୍ରକର ହେବ । ଅତି ପିଲାଦିନରୁ ଏତେ ସୁନ୍ଦର ଛବି ଯିଏ ଆଙ୍କିପାରୁଛି ସେ ନିଶ୍ଚୟ ଏକ ମହାନ ପ୍ରତିଭାର ଅଧିକାରିଣୀ । ତାଙ୍କର ଦାୟିତ୍ଵ କେବଳ ତା’ପ୍ରତି ସମ୍ବୋଦନଶୀଳ ହୋଇ ସତର୍କ ସଯତ୍ନ ନଜର ଦେବା, ଉତ୍ସାହିତ କରିବା । ଚନ୍ଦ୍ରକାନ୍ତ କିନ୍ତୁ କୁହନ୍ତି–କଳାକାର ହେବା, ଏ ନଷ୍ଟ ସୃଷ୍ଟିରେ ଫୁଟିଥିବା ଗୋଟିଏ ଫୁଲଭଳି ।

 

ଏଠି ସବୁବେଳେ ସେମାନେ ଜଳିବେ । ଜଳିବେ । ଏଠି ବରଂ ସହଜରେ ବଞ୍ଚିବାକୁ ହେଲେ ଭିତରର ସେ କୋମଳ ଚେତନାଟିକୁ ହତ୍ୟା କରିବା ଦରକାର । ଅନୁରାଧା ମନକୁମନ ହସିଉଠନ୍ତି ।

 

ଚନ୍ଦ୍ରକାନ୍ତ ବି କୁଆଡ଼େ ପିଲାଦିନେ ଚିତ୍ର କରୁଥିଲେ । ସେଥିପାଇଁ ବାପାଙ୍କଠାରୁ ମାଷ୍ଟ୍ରଙ୍କଠାରୁ ତାଙ୍କୁ ଢେର ମାଡ଼ ଖାଇବାକୁ ହୋଇଛି । ପରବର୍ତ୍ତୀ ଅବସ୍ଥାରେ ଭୟ, ଉତ୍ସାହର ଅଭାବ ଏବଂ ନିଜର ନିଷ୍ଠା ସାଧନାର ଅବହେଳାରୁ ସେ ସବୁ ଛାଡ଼ି ଦେଲେଣି । ଆଜିକାଲି କଳାପ୍ରତି ତାଙ୍କର ଆଗ୍ରହ ଅଛି, ହେଲେ ଆଙ୍କିବାର ଉତ୍ସାହ ନାହିଁ ବା ମନର ଉନ୍ନତ ଅବସ୍ଥା ବା ହାତରେ ଆଉ ଦକ୍ଷତା ନାହିଁ । ଅଛି ଏକ ଲିଭି ଆସୁଥିବା କ୍ଷତଭଳି ଅସ୍ପଷ୍ଟ ଗ୍ଳାନି, ପ୍ରୌଢ଼ାବସ୍ଥାରେ ମୃତ୍ୟୁର ଛାୟାଭଳି ସାମାନ୍ୟ ସଚେତନତା ।

 

ଚନ୍ଦ୍ରକାନ୍ତ ରୁଚିମନ୍ତ ଲୋକ । ଉନ୍ନତ କଳାତ୍ମକ ଦୃଷ୍ଟିଭଙ୍ଗୀ ଗଭୀର ଓ ଅନ୍ତଃମୁଖୀ । ମାତ୍ର ବର୍ତ୍ତମାନ ଯେଉଁ ଲୁଗା ଦୋକାନରୁ ସେ ଲୁଗା ବାଛୁଥିବେ, ରଙ୍ଗ–ପ୍ରିଣ୍ଟର ଡିଜାଇନ ସବୁକୁ ପରୀକ୍ଷା କରୁଥିବେ ଏବଂ କିଣିବାକୁ ସ୍ଥିର କରିବା ପରେ, ଅକସ୍ମାତ୍ ଅନୁରାଧାଙ୍କ କଥା ତାଙ୍କର ମନେପଡ଼ିଯିବ; ଭାବିବେ–କିପରି ତାଙ୍କର ଏଇ ପସନ୍ଦ ଅନୁରାଧାଙ୍କର ମଧ୍ୟ ପସନ୍ଦ ହେବ ! କିପରି ସୁନ୍ଦର ଦେଖାଯିବେ ସେ ପିନ୍ଧିଲେ !

 

ଅନୁରାଧାଙ୍କର ମନେପଡ଼ିଲା, ଯେଉଁଦିନ ସେ ଖଣ୍ଡେ ନୂଆ ଶାଢ଼ି ପିନ୍ଧନ୍ତି ଚନ୍ଦ୍ରକାନ୍ତ ତାଙ୍କୁ କିପରି ଚାହାନ୍ତି । ଆଖିରେ ତାଙ୍କର ଭରିଥାଏ ଆମନ୍ତ୍ରଣର ଦୁଷ୍ଟାମୀ । ସତରେ ଯେପରି ପ୍ରଥମଥର ପାଇଁ ସେ ଦେଖୁଛନ୍ତି ରୂପବତୀ ଅନୁରାଧାଙ୍କୁ । ଅନୁରାଧା ଲାଜେଇଯାଇ କୁହନ୍ତି–କ’ଣ ଏମିତି ଦେଖୁଛ ମ ! ତୁମେ ଥିଲାବେଳେ ଏଣିକି ଆଉ କେବେ ମୁଁ ଶାଢ଼ି ପିନ୍ଧିବି ନାହିଁ । ଚନ୍ଦ୍ରକାନ୍ତ କଥା କୁହନ୍ତି ନାହିଁ, ମାତ୍ର ଦୁଷ୍ଟାମୀ ଆରମ୍ଭ କରିଦିଅନ୍ତି–ହାତରେ । ଓଠରେ ।

 

ଅନୁରାଧାଙ୍କ ଭିତରେ ଏକ ଉଲ୍ଲାସର ଭାବ ଖେଳିଯାଏ । ସେ ଉଠି ଛିଡ଼ା ହୁଅନ୍ତି । ଧୀରେ ପାଦରେ ଝରକା ପାଖକୁ ଆସି ବାହାରକୁ ଚାହାନ୍ତି ।

 

ସଂଧ୍ୟା ହୋଇଆସୁଛି । ସୂର୍ଯ୍ୟ ହୁଏତ ଛପି ଯାଉଥିବେ । ଅନେକଦିନ ହେବ ସେ ସୂର୍ଯ୍ୟାସ୍ତର ଦୃଶ୍ୟ ଦେଖିନାହାନ୍ତି । ହଁ, ଶେଷଥର ପାଇଁ କେବେ ଦେଖିଲେ ତାହା ଆଉ ତାଙ୍କର ମନେନାହିଁ । ମାତ୍ର ମନେ ଅଛି ବିବାହପରର ପ୍ରଥମ କେତେମାସ ପରେ ଚନ୍ଦ୍ରକାନ୍ତଙ୍କ ସହ ପୁରୀ ସମୁଦ୍ର କୂଳରେ ସେ ଯେତେବେଳେ ସୂର୍ଯ୍ୟାସ୍ତ ଦେଖିଥିଲେ କି ଅପୂର୍ବ ଦୃଶ୍ୟ ସେ । ଗୋଟାଏ ବିରାଟକାୟ ନିଆଁର ବୃତ୍ତଭଳି ସୂର୍ଯ୍ୟ ସମୁଦ୍ର ଭିତରେ ଖସିପଡ଼ିଲା । ସମୁଦ୍ରରେ ସେତେବେଳେ ସୁନା ରଙ୍ଗର ଢେଉ ଯେପରି ବ୍ୟାପିଯାଉଛି ଚାରିଦିଗକୁ । ଆକାଶରେ ପ୍ରଥମ ଚୁମ୍ବନ ଖାଇଥିବା ଏକ ତରୁଣୀର ରୋମାଞ୍ଚ ଓ ରକ୍ତିମା । ଅନୁରାଧାଙ୍କ ମନରେ ଅନୁରଣିତ କବିତାର ଭାବଟିଏ ଓ ଦେହରେ ଆଲୋଡ଼ିତ ସେଇ କବିତାର ଧାରା । ସେ ଧୀରେ ଆଖି ବନ୍ଦ କରି ଯେପରି ଏକ ସ୍ଵପ୍ନ ଭିତରେ ଜଡ଼ି ଯାଉଥିଲେ । ଚନ୍ଦ୍ରକାନ୍ତଙ୍କ ଚୁମ୍ବନରେ ଅନେକ ରୋମାଞ୍ଚ ଓ ପୌରୁଷ ଅଛି ।

 

ଅନୁରାଧା ଆଖି ଖୋଲନ୍ତି । ସୂର୍ଯ୍ୟସ୍ମିତା ପୃଥିବୀଭଳି ମୁହଁ ତାଙ୍କର ଉଜ୍ଜ୍ୱଳ । ଦିପ୍ତିମନ୍ତ । ଚନ୍ଦ୍ରକାନ୍ତ କୁହନ୍ତି ! ରାଧା, ତୁମର ଏଇ ସୁନ୍ଦର ଆଖି ଦୁଇଟା ଭିତରେ ମୁଁ ଯଦି ଛପିଯାଇପାରନ୍ତି !

 

“ଅଥଚ, ଚନ୍ଦ୍ରକାନ୍ତ ତଥାପି ଆସିନାହାନ୍ତି” ।

 

ଅନୁରାଧା ଅନୁଭବ କରିଥିଲେ ତାଙ୍କର ଟିକେ କଫି ଦରକାର । ଦେହର ଏ ଶିଥିଳତାକୁ ଦୂର କରିଦେବା ଦରକାର । ମାତ୍ର ଚନ୍ଦ୍ରକାନ୍ତ ଏ ପର୍ଯ୍ୟନ୍ତ ଫେରିନାହାନ୍ତି । ଏଇ କୋମଳ ସଂଧ୍ୟାରେ ତାଙ୍କ ସହ କଫି ପିଇବାକୁ ଅନୁରାଧା ଖୁବ୍ ପସନ୍ଦ କରନ୍ତି । ସେତେବେଳେ ସିଗାରେଟ୍ ଲଗାଇ ଚନ୍ଦ୍ରକାନ୍ତ ଖୁବ୍ ଭାବମୟ ହୋଇଉଠନ୍ତି । ସମୟେ ସମୟେ ଅତି ବିଚିତ୍ର କଥା କୁହନ୍ତି । ସେଦିନ ରେଡ଼ିଓରୁ ରଶ୍ମି ମିଶ୍ରଙ୍କ ସାବଲୀଳ କଣ୍ଠର ମଧୁର ଝଙ୍କାରରେ ଥିଲା ଏକ ଆବଦମିତ ଆକର୍ଷଣ । ଚନ୍ଦ୍ରକାନ୍ତ ଗମ୍ଭୀର ହୋଇ ଶୁଣିଥିଲେ :

 

ବନଗିରି ହେ ଲତାଗିରି

 

ମୋ କାନ୍ତ ଗଲେ ମୃଗମାରି

 

ମାୟା କୁରଙ୍ଗୀ ଦେଖି, ଲୋଭେ ହୋଇଣ ସୁଖୀ

 

କାନ୍ତେ ବୋଇଲି ଶ୍ରଦ୍ଧାକରି ହେ ।

 

ବାଃ କି ଚମତ୍କାର ! କି ସ୍ୱର ସାଧନା ! ଗୋଟାଏ ଗୋଟାଏ ଗୀତ ଏମିତି ଜଣେ ଜଣେ ଶିଳ୍ପୀଙ୍କ କଣ୍ଠରେ ଏତେ ଜୀବନ୍ତ ହୋଇପଡ଼େ ଯେ ତାକୁ ନ ଶୁଣିଲେ ହୁଏତ କଳ୍ପନା ମଧ୍ୟ କରିପାରିବେ ନାହିଁ । ଚନ୍ଦ୍ରକାନ୍ତ ମୁଖରେ ହୋଇ ଉଠୁଥିଲେ ପ୍ରଶଂସାରେ । ତା’ପରେ ଗମ୍ଭୀର ହୋଇଉଠି କହିଲେ ରାଧା ! ରାବଣ ସୀତାକୁ ଚୋରାଇ ନେବା ପରେ ସୀତା ଯଦି ତା’ର ପ୍ରେମକୁ ସ୍ଵୀକାର କରିଯାଇଥାଆନ୍ତେ ଅଥବା ରାମଚନ୍ଦ୍ର ଅନ୍ୟ କେଉଁ ସୁନ୍ଦରୀକୁ ତରୁଣୀକୁ ପୁନବିବାହ କରିଯାଇଥାଆନ୍ତେ ତା’ହେଲେ ଜଣାଯାଇଥାନ୍ତା ଯେ ଆମ ସମାଜର ଲୋକମାନେ ଯେମିତି ବାସ୍ତବବାଦୀ ସେତିକି ମଧ୍ୟ ଜୀବନରେ ସେମାନେ ନିର୍ଲିପ୍ତ । ନିର୍ଲିପ୍ତତା ଦେଇଥାଆନ୍ତା । ଜୀବନରେ ସହଜ ଭାବେ ବଞ୍ଚିବାପାଇଁ–ଖୋରାକ୍ ଏବଂ ବାସ୍ତବତାକୁ ଗ୍ରହଣ କରିଯିବାରେ ଥାଆନ୍ତା ଉଦାରତା-। କି ଚମତ୍କାର ସମନ୍ଵୟ ବଞ୍ଚିବା ପାଇଁ କି ସହଜ ବାଟ !

 

ଅନୁରାଧା ଶୁଣୁଥିଲେ ଆଶ୍ଚର୍ଯ୍ୟ ହୋଇ । ପ୍ରଥମେ ତାଙ୍କୁ ଭଲ ଲାଗିଥିଲା । ମାତ୍ର ପର ମୁହୂର୍ତ୍ତରେ ଭୟରେ ସେ କିପରି ଆତଙ୍କିତ ହୋଇପଡ଼ିଲେ, ଭାବିଲେ ଚନ୍ଦ୍ରକାନ୍ତଙ୍କର କ’ଣ ତାଙ୍କ ପ୍ରତି ଗଭୀର ପ୍ରେମ ବା ଆସକ୍ତି ବା ମାୟା ନାହିଁ ? ଜଳ ଜଳ ଆଖିରେ ସେ ଚନ୍ଦ୍ରକାନ୍ତଙ୍କୁ ଚାହାନ୍ତି ।

 

ଚନ୍ଦ୍ରକାନ୍ତ–ସ୍ଥିର, ଅଥଚ ଗମ୍ଭୀର ! ଏକ ଭାବର ଆକାଶରେ ସେ ଯେପରି ଉଡ଼ି ବୁଲୁଛନ୍ତି ଧୀରେ ଧୀରେ–ନିଜର ଡେଣା ଦୁଇଟାକୁ ହଲାଇ ହଲାଇ । ସେଠି ସୀମା ନାହିଁ । ଗଭୀରତା ଅଛି । ଗଭୀରତା ଦିଏ ସ୍ଥିରତା । ଚନ୍ଦ୍ରକାନ୍ତ ସ୍ଥିର–ସେଇ ଗଭୀରତାରେ ।

 

ଅଥଚ ଅନୁରାଧା ଅସ୍ଥିରତାରେ–ଆତଙ୍କିତ । ସେ ଭାବୁଥିଲେ ଚନ୍ଦ୍ରକାନ୍ତଙ୍କର ନିର୍ଲିପ୍ତତା ଯଦି ସତ; ତେବେ ସେ ବିପଦରେ ଅଛନ୍ତି, ସେଇ ନିରୀହ ମୃଗୁଣୀଟି ଭଳି ।

 

ପବନରେ ସେ ବିସ୍ତାରିତ ଜାଲ ହଲିଯାଉଛି କାଳୀ ମାଆର ଜିଭ ଭଳି; କାହାକୁ ଯେପରି ଛନ୍ଦି ପକାଇବାକୁ । ପଛରେ ଲମ୍ଫ ଦେଉଥିବା ସେଇ ରକ୍ତମୁଖା ଶ୍ୱାନ ଚଳନ୍ତି ମୃତ୍ୟୁଭଳି ଧାବମାନ । କଡ଼ରେ ଜଳୁଛି ନିଆଁ କାଳାନଳ । ପ୍ରଚଣ୍ତ, ପୁଣି କ୍ଷୁଧାରେ ଲହ ଲହ ! ଧ୍ଵଂସକରି ଦେବାର ଦୁର୍ବାର ଆହ୍ୱାନ ଯେତିକି ନୀରବ, ସେତିକି ଅବଦମିତ । ପାଖରେ ସେଇ ଛୋଟ ଶାବକ ଆତଙ୍କରେ, ଭୟରେ ତା’ ମା’କୁ ଚାହିଁ ରହିଛି । ଦେହରେ ଦେହ ଘସି କହିଯାଉଛି–ମା’ ମା’...

 

ହଠାତ୍ ଅନୁରାଧାଙ୍କର ଆନିକଥା ମନେପଡ଼ିଲା । ଧୀରେ ସେ ତା’ର ପଢ଼ିବା ଘରକୁ ଗଲେ ।

 

ଆନି ଚିତ୍ର କରୁଛି । ଛୋଟ ଛୋଟ କାନ ତଳ ପର୍ଯ୍ୟନ୍ତ ଲମ୍ବିଥିବା କେଶଗୁଡ଼ାକ ଗୋଟାଏ କଳା ଚାମଚ ଭଳି ଝୁଲିପଡ଼ୁଛି । ଭିତରେ ତା’ର ରହି ରହି ହଲିଯାଉଛି କାନର ରିଙ୍ଗ୍ । ବାଁ ହାତର, କେବେ ବା ଡାହାଣ ହାତର, ଟିକି ଆଙ୍ଗୁଠିରେ କେଶଗୁଡ଼ାକ ମୁଣ୍ଡ ଉପରକୁ ବ୍ୟର୍ଥ ଭାବେ ଟେକିନେଇ ଆନି ନିରୀକ୍ଷଣ କରୁଛି ଖୋଜୁଛି ହୁଏତ ଦୁର୍ବଳ ଅଂଶମାନ । ଆନିଠାରେ ସେହି ଉନ୍ମୋହନ ଅବସ୍ଥା, ସେଇ ପରିବେଶ ପ୍ରତି ନିର୍ଲିପ୍ତତା, ଛବି ପ୍ରତି ସେଇ ଗଭୀର ଧ୍ୟାନ–ଯାହା ଜଣେ ଶିଳ୍ପୀର ନିଜନ୍ଦ୍ୱିଭାବ ।

 

ଅନୁରାଧା ଧୀର କଣ୍ଠରେ ଡାକିଲେ–ଆନି !

 

ଆନି ମୁହଁ ଟେକି ଚାହିଁଲା । ଅପାର୍ଥିବ ଏକ ଭାବର ରହସ୍ୟ ସେ ମୁହଁରେ ନେସି ହୋଇଯାଇଛି ।

 

ଛବି ସରିଲାଣି ମା’ ? ଅନୁରାଧା ପଚାରିଲେ ।

 

ଛବିଟିକି ଓଲଟାଇ ଦେଇ ଆନି କହିଲା ମୁଁ ତୁମକୁ ଏବେ ଦେଖାଇବି ନିମା । ପୂରା ଆଙ୍କିବା ପରେ ଦେଖାଇବି । ତୁମେ ଅନ୍ୟ ଘରେ ଥାଅ । ମୁଁ ଶୀଘ୍ର ଯିବି ।

 

ମୁଁ ଅପେକ୍ଷା କରିଛି । ଡାଡ଼ିବି ଆସି ଯାଇଥିବେ ସେତେବେଳେ । ଭଲ ନିର୍ଭୁଲଭାବେ ଛବିଟିଏ ଆଙ୍କି ଆଣେ । ଆବେଗଭରା କଣ୍ଠରେ ଅନୁରାଧା କହି କହି ଫେରିଆସିଲେ ।

 

ଆନି ଛବିକୁ ଚାହିଁଲା ।

 

ଅନୁରାଧା ଭାବୁଥିଲେ ବଜାରରୁ କ୍ଳାନ୍ତହୋଇ ଫେରୁଥିବେ ଚନ୍ଦ୍ରକାନ୍ତ କଫି ତାଙ୍କ ପାଇଁ ପ୍ରସ୍ତୁତ କରି ରଖିଥିବା ଦରକାର । ପୁଣି ଭାବିଲେ ଚନ୍ଦ୍ରକାନ୍ତଙ୍କ ସହ ବଜାରକୁ ନ ଯାଇ ସେ ଭୁଲ୍ କରିଛନ୍ତି । ତାଙ୍କର ପୋଷାକ ବି କମିଗଲାଣି । ଯୋ’ର କରି ହଳେ ନ କରେଇଦେଲେ ସେ ମୋଟେ ବି ନିଜ ଇଚ୍ଛାରେ ତିଆରି କରିବେ ନାହିଁ । ସବୁବେଳେ ନିଜ ପ୍ରତି ସେ ସେମିତି ଉଦାସୀନ, ଅଥଚ ତାଙ୍କ ବିଷୟରେ ସେ କେବେ ସଜାଗ !

 

ଅନୁରାଧା ହଠାତ୍ ଅନୁଭବ କଲେ ଚନ୍ଦ୍ରକାନ୍ତଙ୍କ ପ୍ରତି ଏକ ବାତ୍ସଲ୍ୟଭାବ । ତାଙ୍କୁ ଲାଗୁଥିଲା ଚନ୍ଦ୍ରକାନ୍ତ ଛୋଟ ପିଲାଟିଏ ହୋଇଯାଆନ୍ତେକି ସେ ନିଜ ଛାତିରେ ତାଙ୍କୁ ଚିପିଧରି ଗେଲ କରନ୍ତେ । ସ୍ତନ୍ୟ ଖୁଆନ୍ତେ । ପୁଣି–ତାଙ୍କରି ଭିତରେ ସେ ନିଜକୁ ହଜାନ୍ତେ । ପୁଣି ପାଆନ୍ତେ ନିଜକୁ–କେତେବେଳେ ଚନ୍ଦ୍ରକାନ୍ତ ରୂପରେ କେତେବେଳେ ଅନୁରାଧା ରୂପରେ ବା କେତେବେଳେ ଆନି ରୂପରେ । ନିଜକୁ ହଜାଇ ଦେବାର ଆନନ୍ଦ, ଏକ ସ୍ୱତନ୍ତ୍ର ନିଜସ୍ୱ ସ୍ଥିତି ରକ୍ଷା କରିବାରେ ନାହିଁ । ଏ ସଂକୀର୍ଣ୍ଣତା ଅଛି ବରଂ କେମିତି ଏକ ବିଜାତୀୟ ଭାବରୂପେ ଯାହା ଭାବକୁ ଅଭାବ ।

 

ଅନୁରାଧାଙ୍କର ଇଚ୍ଛା ହେଉଥିଲା ଚନ୍ଦ୍ରକାନ୍ତଙ୍କୁ ସେ ଦେଖନ୍ତେ । ଏଇ ମୁହୂର୍ତ୍ତରେ ଦେଖନ୍ତେ । ତାଙ୍କର ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ । ବାରମ୍ବାର ଦେଖନ୍ତେ ଏବଂ ନିଜକୁ ପୂର୍ଣ୍ଣଭାବେ ସମର୍ପିତ କରିଦିଅନ୍ତେ–ସେଇ ଅନୁରାଧାକୁ ଏତେ ନିବିଡ଼ଭାବେ ଭଲପାଉଥିବା ସେଇ ମୂର୍ତ୍ତିମନ୍ତ ପ୍ରତୀକ ନିକଟରେ ।

 

“ଅଥଚ ଚନ୍ଦ୍ରକାନ୍ତ ତଥାପି ଆସିନାହାନ୍ତି”

 

ଆନୁରାଧା ଚମକିପଡ଼ି ବାହାରକୁ ଚାହିଁଲେ କବାଟରେ କାହାର ମୃଦୁ କଚାଘାତ । ଚନ୍ଦ୍ରକାନ୍ତ କି ? ସେ ବି ଦିନେ ଦିନେ ଏଇପରି ଅପରିଚିତ ଭଳି ରସିକତା କରନ୍ତି । ସେ ଦିନ–

 

ଅନୁରାଧା ଦେବୀ ଅଛନ୍ତି ? ଚନ୍ଦ୍ରକାନ୍ତ ଅନୁରାଧାଙ୍କୁ ପଚାରିଲେ । ଅନୁରାଧା ସମସ୍ତେ ଆବେଶକୁ ଚାପିନେଇ ପ୍ରଶ୍ନ କଲେ–ହଁ ଅଛନ୍ତି, ଆପଣଙ୍କର କ’ଣ ଦରକାର ଥିଲା ଟଙ୍କା ସହିତ ?

 

ଖୁବ୍ ବନ୍ଧୁତା ଆମର ଥିଲା । ଭାବିଲି ଯେତେବେଳେ ଏ ସହରକୁ ଆସିଲି, ଦେଖାକରି ଯିବି ତାଙ୍କୁ ।

 

ଆଚ୍ଛା, ବସନ୍ତୁ । ଅନୁରାଧା ସୋଫା ଦେଖାଇ ଦେଇ ଅନୁରୋଧ କଲେ । ଚନ୍ଦ୍ରକାନ୍ତ ସମ୍ପୂର୍ଣ୍ଣ ଅପରିଚିତ ଗାମ୍ଭୀର୍ଯ୍ୟ ରକ୍ଷାକରି ସେଦିନ ବସି ରହିଲେ । ଅନୁରାଧା ଭିତରକୁ ଆସିଲେ ନିଜକୁ ପୁଣି ଡାକିନେବାକୁ ।

 

ଡ୍ରଇଁ ରୁମରେ ଅନୁରାଧା ସେଦିନ ଟିକେ ମେକ୍‍ଅପ୍ ନେଲେ । ଶାଢ଼ି ବଦଳାଇ ନିଜକୁ ସଜାଇନେଲେ । ଦେହରେ ସାମାନ୍ୟ ସେଣ୍ଟ ଦେଲେ । ଚାପରେ ଧୀରେ ଯେତେବେଳେ ଫେରିଆସିଲେ ମନରେ ତାଙ୍କର ଏକ ଅଭିସାରିକାର ରୂପା ଉତ୍କଣ୍ଠା । ଚନ୍ଦ୍ରକାନ୍ତ ଏକ ପାଗଳ ଭଳି ହଠାତ ଉଠିଆସି ତାଙ୍କୁ ଗୁତିରେ ଚିପିଧରିଲେ । ଅନୁରାଧା ମୋହାଚ୍ଛନ୍ନ ଏକ କିନ୍ନରିଭଳି ଏକ ଗଭୀର ଆଶ୍ଳେଷରେ ଭାବୁଥିଲେ ମୃତ୍ୟୁ ପଯ୍ୟନ୍ତ ଚନ୍ଦ୍ରକାନ୍ତ ତାଙ୍କୁ ଏମିତି ଭିଡ଼ି ଧରିଥାଆନ୍ତେ କି !

 

ସତର୍କ ହୋଇ ଅନୁରାଧା ସ୍କ୍ରିନ ଅଡ଼େଇଲେ । ଚନ୍ଦ୍ରକାନ୍ତ ନୁହନ୍ତି । କମଳବାବୁ । ସ୍ୱାମୀଙ୍କର ବନ୍ଧୁ ।

 

ନମସ୍କାର–ଅନୁରାଧା କହିଲେ ।

 

ନମସ୍କାର । କହି କମଳବାବୁ ପଚାରିଲେ–ଚନ୍ଦ୍ରକାନ୍ତ ଅଛି ?

 

–ନା ବଜାର ଯାଇଛନ୍ତି । ଏବେ ଆସୁଥିବେ । ଆସନ୍ତୁ ଭିତରକୁ । ଅନୁରାଧା ଆମନ୍ତ୍ରଣ କରନ୍ତି ।

 

ସୋଫା ଉପରେ କମଳବାବୁ ବସୁବସୁ ପଚାରିଲେ–ଚନ୍ଦ୍ରକାନ୍ତ କ’ଣ ଏବେ ଆସିବେ ?

 

ହଁ, ହୁଏତ ଆସୁଥିବେ । ଅନେକବେଳୁ ଗଲେଣି ତ ।

 

ଆଚ୍ଛା, ଆନି କାହିଁ ?

 

ଛବି ଆଙ୍କୁଛି ।

 

ଚନ୍ଦ୍ରକାନ୍ତ ବି ଦିନେ ଛବି ଆଙ୍କୁଥିଲା । ମୁଁ କହୁଛି ତା’ର ପିଲାଦିନର କଥା, ସେତେବେଳେ ଆମେ ସାଙ୍ଗ ହୋଇ ଗୋଟିଏ ଶ୍ରେଣୀରେ ପଢ଼ୁଥାଉ ।

 

ଅନୁରାଧା ସବୁ ଶୁଣି ସଲ୍ଲଜ ଭାବେ ହସନ୍ତି ।

 

କମଳବାବୁ କହନ୍ତି–“ମାତ୍ର ଉତ୍ସାହ ଉଦ୍ଦୀପନାର ଅଭାବରୁ ସେ ପ୍ରତିଭା ତା’ର ଲୋପ ପାଇଗଲା । ଆନିକୁ କିନ୍ତୁ ଆପଣ ଲକ୍ଷ୍ୟ ରଖନ୍ତୁ । ଏ ଦେଶରେ ପ୍ରତିଭାର ଅନେକ ମୃତ୍ୟୁ ମୁଁ ନିଜେ ଦେଖିଛି–ଖାଲି ଟିକେ ସୁଯୋଗ ଓ ଉତ୍ସାହ ଅଭାବରୁ ।”

 

“ମୋର ମଧ୍ୟ ସେଇ ଧାରଣା ।” ଅନୁରାଧା ମନ୍ତବ୍ୟ କଲେ ।

 

“ମୋର କିନ୍ତୁ ଧାରଣା ଯେ ଆପଣ ନିଶ୍ଚୟ ପାରିବେ । ଏତେ ମାର୍ଜିତ ଓ ଉତ୍ସାହର ଉତ୍ସ ଆପଣ ଯେ ଖାଲି ଟିକେ ଧ୍ୟାନଦେଲେ ସବୁ ଠିକ୍ ହୋଇଯିବ । ଭବିଷ୍ୟତରେ ସେ ଜଣେ କୁଶଳୀ ଶିଳ୍ପୀ ହୋଇପାରିବ । ’’

 

ଅନୁରାଧା ତଳକୁ ମୁଁହ ପୋତନ୍ତି । ଚାହାନ୍ତି ଫ୍ଲୋରକୁ । ଝୁଲୁଥିବା ପାଦ ଉପରେ ଲୁଗାକୁ । ଏକ କଳ୍ପିତ ଆନନ୍ଦ କେମିତି ନୀରବରେ ତାଙ୍କ ଭିତରେ ମଥା ପିଟୁଥିଲା । ସେ ଭାବୁଥିଲେ ଆନିର ଏଇ ଗୌରବରେ ସେ ତ ଖୁସିହେବେ । ଚନ୍ଦ୍ରକାନ୍ତ ନିଶ୍ଚୟ । ନିଜ ଜୀବନର ଯେଉଁ ଇପ୍‍ସିତ କାମନାରୁ ନିଷ୍ଠୁରଭାବେ ସେ ତଳକୁ ଖସିପଡ଼ିଛନ୍ତି, ସେଇଠି–ସେଇ ପାହାଚ ଉପରେ ଆନି ଯଦି ଛିଡ଼ା ହୁଏ–ମନର ଅନେକ ଗ୍ଳାନି ମେଣ୍ଟିଯିବ ।

 

ଚନ୍ଦ୍ରକାନ୍ତ କିନ୍ତୁ ଖେୟାଲି ଲୋକ । ପୁଣି କିଛିଟା ଭାବପ୍ରବଣ ଓ ଦାୟିତ୍ଵହୀନ ବି । ତେଣୁ ତା’ ଉପରେ ଏ ଦିଗରେ ନିର୍ଭର କରିହେବନି ।

 

ଧୀରେ ଅନୁରାଧା ଛିଡ଼ାହୋଇ କହିଲେ–ମୁଁ ଆସୁଛି ଟିକେ କଫିଆଣି । ଆପଣ ବରଂ କୌଣସି ଏକ ପତ୍ରିକା ଉପରେ ଆଖିପକାନ୍ତୁ–ମୋର ଏ ଅନୁପସ୍ଥିତି ପାଇଁ କ୍ଷମା କରିବେ ।

 

ଅନୁରାଧା ଚାଲିଗଲେ । ବନହଂସୀଭଳି ସମଗ୍ର ଦେହରେ ଏକ ଉଦାର ଲବଣ୍ୟ । ଚାଲିବାର ଛନ୍ଦରେ ଲାଳିତ୍ୟ । କଥା କହିବାର ଭଙ୍ଗୀରେ ମାର୍ଜିତ ସାମ୍ଭ୍ରାନ୍ତ୍ୟର ଛାପ । ଅଥଚ, ଅଥଚ ସିପ୍ରା ? ସିପ୍ରା ତାଙ୍କର ସ୍ତ୍ରୀ । ଏକ ନିଃସଙ୍ଗ ଗ୍ରୀଷ୍ମଦଗ୍ଧ ମଧ୍ୟାହ୍ନଭଳି କେତେ ବିରକ୍ତିକର ସେ ! ରୁଚି ନାହିଁ । ଛନ୍ଦ ନାହିଁ । ଅଛି କେମିତି ଏକ ରୁଢ଼ତା, ବିରକ୍ତିର ଆବେଦନ । ଯଥେଚ୍ଛା ଦାବୀ । ଅମାନୁଷିକ ହୃଦୟ ହୀନତା । କମଳବାବୁଙ୍କ ମନ ଘୃଣାରେ ଭରିଯାଏ । ସେ ଭାବନ୍ତି ଯେଉଁ ନାରୀର ଆବେଦନ ନାହିଁ, ନାରୀସୁଲଭ ସମ୍ଭ୍ରମତା ନାହିଁ, ସେ ଠିକ୍ ଲଳନା ନୁହେଁ, ବରଂ ଗୋଟିଏ ବିଧବା ।

 

ଅଥଚ ଅନୁରାଧା, ସଂପୂର୍ଣ୍ଣ ଏକ ନାରୀ । ଦେହରେ, ମନରେ, ହୃଦୟରେ ।

 

ଅନୁରାଧାଙ୍କ ହାତରୁ କପ୍‍ଟା ନେଇ ଓଠରେ ଲଗାଇଲେ କମଳବାବୁ । କଫିର ବାସ୍ନାରେ ପିଇଯିବାର ତୃଷ୍ଣା । ସେ ଭାବିବାକୁ ଲାଗିଲେ, ସିପ୍ରା ତାଙ୍କୁ କେବେ ଏପରି କଫି ଦେଇଛି କି ? ପରମୁହୂର୍ତ୍ତରେ ବିସ୍ତାରିତ ନୈରାଶ୍ୟରେ ସେ ଦୀର୍ଘଶ୍ୱାସ ପକାଇଲେ । କଫିର ଏକ ଲମ୍ବା ସିପ୍ ନେଇ କହିଲେ–‘ଜୀବନଟା କି ବିଡ଼ମ୍ୱନା !’

 

ବିବ୍ରତ ଭାବେ ଅନୁରାଧା ପଚାରିଲେ–କଫିଟା ବୋଧେ ଭଲହେଲାନି । ଆପଣଙ୍କୁ ଏକୁଟିଆ ଭଲ ଲାଗୁନଥିବ ବୋଲି ମୁଁ ଶୀଘ୍ର ତିଆରି କରି ନେଇଆସିଛି । ନାଁ; ମୁଁ କଫି କଥା କହୁନି-। ଫାଙ୍କା ଆଖିରେ ଅନୁରାଧାଙ୍କୁ ଚାହିଁ କମଳବାବୁ ଗମ୍ଭୀରଭାବେ କହିଲେ–କହୁଛି ସିପ୍ରା କଥା ।”

 

–ସିପ୍ରା ଆପଣଙ୍କର ସ୍ତ୍ରୀ !

 

ହଁ, ସେଇ ତ ମୋର ଦୁର୍ଭାଗ୍ୟ ।

 

ମୁହୂର୍ତ୍ତକ ପାଇଁ ଅନୁରାଧା ସ୍ଥବିର ପାଲଟି ଗଲେ । କିଛି ସେ ବୁଝିପାରିଲେ ନାହିଁ କମଳବାବୁଙ୍କ କଥାରୁ । ତାଙ୍କର କିନ୍ତୁ ମନେପଡ଼ୁଥିଲା ସିପ୍ରା ତ ବେଶ୍ ସ୍ମାର୍ଟ । ଶିକ୍ଷିତା । ସୁନ୍ଦରୀ । ଆଧୁନିକା । ତା’ର ପାରିବାରିକ ଜୀବନ କ’ଣ ଅଶାନ୍ତିକର ? ଆନ୍ଦୋଳିତ ସ୍ରୋତରେ ଏକ କ୍ଷୁଦ୍ର ନୌକାଭଳି ତାହା କ’ଣ ଅସ୍ଥିର ? କେବେ ତ ସିପ୍ରା ତାଙ୍କୁ ଏ କଥା କହିନି । ବିଚରା କେତେ ଦୁଃଖୀ ମନ ହେଉଛନ୍ତି ଏଇ କମଳବାବୁ !

 

ସେଇ ଅସ୍ଵାସ୍ଥ୍ୟକର ପାରିବାରିକ ଜୀବନ ଦଂଶନଜ୍ଵାଳା । କମଳ ବାବୁଙ୍କୁ ବୋଧେ ବିଷାକ୍ତ କରିପକାଇଲା ତା’ର ସ୍ମୃତି । ଅହେତୁକ ଗମ୍ଭୀର ହୋଇ ଚାପା ସ୍ୱରରେ କହିଲେ–ମୋତେ କ୍ଷମା କରିବେ । ଜୀବନରେ ଯାହା ସହିହୁଏନି, ତା’ ହୁଏ ତ ଛପାଇ ହୁଏନି । ସବୁଗୁଡ଼ାକ ନିଜ ଭିତରେ ଚାପିଦେବାକୁ ମୁଁ କମ୍ ପ୍ରୟାସ କରିନି । କିନ୍ତୁ ଏମିତି ଏକ ଦୁର୍ବଳ ମୁହୂର୍ତ୍ତରେ ସେ ସବୁ ଫାଟିପଡ଼େ । ଅକସ୍ମାତ୍ ମୁଁ ଅନୁଭବ କରେ–ମୁଁ ଅସହାୟ ପାଲଟିଯାଉଛି ଏବଂ କୌଣସି ଘଟଣା ମୋ’ର କର୍ତ୍ତୃତ୍ଵରେ ରହୁନି । ଆପଣଙ୍କୁ ଦେଖିଲେହିଁ ମୁଁ ମନେକରେ–ସିପ୍ରାର କ’ଣ ହେବାର ଥିଲା–ମାତ୍ର ସେ କ’ଣ ହୋଇଛି ।

 

ସିପ୍ରା କ’ଣ ଆପଣକୁ ସେମିତି ଭଲପାଏନି । ଏକ ପିଲାକଥା ସରଳତାରେ ଅନୁରାଧା ପଚାରନ୍ତି ।

 

ଭଲପାଇବା ପାଇଁ ଗୋଟାଏ ହୃଦୟ ଦରକାର । ସବୁ ନାରୀଙ୍କର ହୃଦୟ ଅଛି–ହେଲେ ସେଥିରେ ରକ୍ତ ସଂଚାଳନ କରେ । ମାତ୍ର ଅବିରତ ରକ୍ତ ସଂଚାଳନ କରୁଥିବା ସେଇ ହୃଦୟଟି ଅନେକଙ୍କର କେବଳ ଗୋଟାଏ ଯତ୍ନ । ସଙ୍କୋଚନ–ପ୍ରସାରଣର ଯାନ୍ତ୍ରିକ କାର୍ଯ୍ୟରେ ସେ ଭଲପାଇବାଭଳି ଗୋଟାଏ ସୁକ୍ଷ୍ମ ଅନୁଭୂତିକୁ, ଚେତନାକୁ ହତ୍ୟା କରେ ଏବଂ ତା’ଦେହରୁ ଝରୁଥିବା ରକ୍ତ କେବେ ଦୂଷିତ ବା ଲବଣାକ୍ତ ହୋଇ ସେମାନଙ୍କ ଦେହ ଓ ମନକୁ ବିଷାକ୍ତ କରେ ।

 

ସ୍ଥିର ଭାବରେ ଅନୁରାଧା ପିଲାଟିଏ ଭଳି ବାମ ହାତ ଉପରେ ମୁହଁଟାକୁ ଥୋଇ କମଳବାବୁଙ୍କୁ ଚାହିଁଥାଆନ୍ତି । ସହାନୁଭୂତିରେ ଆର୍ଦ୍ର ତାଙ୍କର ବ୍ୟକ୍ତିତ୍ଵ, ସେତେବେଳେ ଆହୁରି ଲୋଭନୀୟ, ଆହୁରି କୋମଳ ହୋଇଉଠୁଥାଏ । ସେ ଭାବନ୍ତି–ଇଚ୍ଛାକରି କ’ଣ ଏଇ ଭାଙ୍ଗିପଡ଼ୁଥିବା ପାରିବାରିକ ଜୀବନକୁ ରକ୍ଷା କରିହୁଅନ୍ତା ନାହିଁ, ବୁଝିହୁଅନ୍ତା ନାହିଁ କ’ଣ ପରସ୍ପରକୁ ?

 

ଦୀର୍ଘଶ୍ୱାସ ପକାଇ କମଳବାବୁ କହିଲେ ! ସିପ୍ରା ନ ହୋଇ ସିପ୍ରାର ଅନୁରାଧା ହେବାର ଥିଲା–ଅନୁରାଧା...

 

“ଅନୁରାଧା”–ଉଚ୍ଚାରିତ ତାଙ୍କର ନାମ ଶୁଣି ଚମକିପଡ଼ିଲେ ସେ, ଲଜ୍ଜାର ଏକ ସ୍ପଷ୍ଟ ଆବରଣ କାରୁଣ୍ୟ ଭଳି ଖେଳିଗଲା ସମଗ୍ର ମୁହଁରେ ।

 

ଗମ୍ଭୀର ହୋଇ କମଳବାବୁ ତଥାପି ବସିଥାଆନ୍ତି । ବିବ୍ରତଭାବେ ଅନୁରାଧା ଭାବୁଥିଲେ–କମଳବାବୁ ଏଭଳି କଥା କହିପାରିଲେ କିପରି ? ତାଙ୍କର ସମସ୍ତ ଅକପଟ ବନ୍ଧୁତ୍ୱକୁ ଏତେ ନୀଚଭାବରେ, ଏତେ ହୀନ ଦୃଷ୍ଟିରେ, ସେ ଦେଖୁଛନ୍ତି ? ଅନୁରାଧାଙ୍କର ଇଚ୍ଛା ହେଉଥିଲା ସେଇ ମୁହୂର୍ତ୍ତରେ ସେ ସେଠୁ ଉଠି ପଳାଇବେ । ପଳାଇବେ ଚନ୍ଦ୍ରକାନ୍ତଙ୍କ ପାଖକୁ ।

 

‘ମାମି’ ମାମି ଡାକି ହଠାତ୍ ଆନି ଦୌଡ଼ିଆସିଲା ଅନ୍ୟଘରୁ । ହାତରେ ତା’ର ଛବିଟିଏ । ଅକସ୍ମାତ୍ କମଳବାବୁଙ୍କୁ ଦେଖି ସେ ନମସ୍କାର କରି ଲାଜେଇ ମାମିଙ୍କ ପାଖରେ ଛିଡ଼ାହେଲା । ଅନୁରାଧା ହାତରୁ ତା’ର ଛବିଟି ନେଇ ଚାହିଁଲେ ।

 

ଆନି ! କି ଛବି କରିଛ ମତେ ଦେଖେଇବ ନାହିଁ ? କମଳବାବୁ ସାମାନ୍ୟ ହସି ଆନିକୁ ପଚାରିଲେ ।

 

ଲାଜେଇଯାଇ ଅନୁରାଧାଙ୍କ ହାତରୁ ଛବିଟି ଆଣି ଆନି କମଳ ବାବୁଙ୍କୁ ବଢ଼ାଇଦେଲା । ଆନିକୁ ନିଜ ପାଖକୁ ଡାକିନେଇ ଛବିଟି ଦେଖି କମଳବାବୁ ହସିଉଠିଲେ । କହିଲେ–

 

ଚମତ୍କାର ଛବି କରିଛୁ ମା’ ? ବଡ଼ ଭୟଙ୍କର ଦେଖାଯାଉଛି । ହେଲେ; କହିଲୁ ମା’ ଚାରିଆଡ଼େ କାହିଁକି ଖାଲି କଳାରଙ୍ଗ ଦେଇଛୁ ?

 

ତଥାପି ଆନି ନୀରବ ଏବଂ ସେମିତି ଗମ୍ଭୀର, ଠିକ୍ ଯେମିତି ଅନେକ ସମୟରେ ଚନ୍ଦ୍ରକାନ୍ତ ଅଥବା ଅନୁରାଧା...

 

ଆଚ୍ଛା କହିଲୁ ମା’ ଏ କାହାର ଛବି କରିଛୁ !

 

ରାବଣ ! ସହଜ କଣ୍ଠରେ ଆନି କହିଲା–ରା–ବ–ଣ ।

 

ରାବଣ ! ତୋର ତ ଅଦ୍ଭୁତ ଆଇଡ଼ିଆ, ଆନି ! କହୁ କହୁ କମଳବାବୁ ହସିଉଠିଲେ । ତା’ପରେ ନୀରବ ହୋଇ ପୁଣି କହିଲେ ।

 

ରାବଣ, କଳା–ଠିକ୍ କରିଛୁ । ମୁହଁରେ ତା’ର ବଡ଼ ବଡ଼ ଭୟଙ୍କର ଆଖି । ମେଲା ପାଟି, ବଡ଼ ଦାନ୍ତ, ପୁଣି ଏତେ ଲମ୍ବା ମୋଟା ନିଶ କରି ତା’ର ରୂପର ବିଭତ୍ସ ଦିଗପ୍ରତି ଯେତିକି ଧ୍ୟାନଦେଇଛୁ ସେତିକି ବି ତା’ ଭୟଙ୍କର ମନୋବୃତ୍ତି ଉପରେ । ହେଲେ ଆନି, ରାବଣର ପରା ଦଶଟା ମୁଣ୍ଡ ?

 

–ରାବଣର ପରା ଦଶଟା ମୁଣ୍ଡ–ଆନିକୁ ଶୁଭିଲା–ରାବଣର ପରା ଦଶଟା ମୁଣ୍ଡ !

 

ଆନି ମୁହଁରେ ଦେଖାଦେଲା ଆଶଙ୍କା । ପୁଣି ସେଇ ଟିକି କୋମଳ ଅନୁରାଧାଙ୍କ ଭଳି ଅବିକଳ ଦେଖାଯାଉଥିବା ନିରୀହ ମୁହଁଟି ପାଲଟିଗଲା ରକ୍ତହୀନ । ସେ ଯେପରି ଗଭୀରଭାବେ ଚିନ୍ତିତ ହୋଇପଡ଼ିଲା !

 

କମଳବାବୁ ଛବିଟିକୁ ବଢ଼ାଇଦେଲେ ଆନିର ହାତକୁ । ଆନି ଛବିଟି ଧରି ଅନୁରାଧାଙ୍କ ପାଖକୁ ଯାଇ ପଚାରିଲା–ମାମି ! ରାବଣର କ’ଣ ଗୋଟାଏ ମୁଣ୍ଡ ହୋଇପାରିବ ନାହିଁ ?

 

ହଁ, ମା–ମୁହୂର୍ତ୍ତେ ଅନୁରାଧା ଚିନ୍ତାକରି କହିଲା–‘ରାବଣର ଗୋଟାଏ ମୁଣ୍ଡ । ଗୋଟାଏ ମୁଣ୍ଡରେ ରାବଣ ଅଧିକ ସତ୍ୟ’ ।

 

ଆନି ମୁହଁରେ ଏକ ଆଲୋକର ଝଲକ, ଏକ ସୁଖଦ ଅପାର୍ଥିବ ଅନୁଭୂତି ଭଳି, ଝଲସିଉଠିଲା ।

 

ବିବ୍ରତଭାବେ ସୋଫାଉପରୁ ଉଠୁ ଉଠୁ କମଳବାବୁ କହିଲେ–କହିଦେବେ ଚନ୍ଦ୍ରକାନ୍ତକୁ, ମୁଁ ଆସିଥିଲି ଏବଂ ଫେରିଯାଇଛି ।

 

ଅନୁରାଧା କହିଲେ–ନମସ୍କାର ।

 

ନମସ୍କାର । କମଳବାବୁ କହି ଚାଲି ଯାଉ ଯାଉ ମୁହୂର୍ତ୍ତକ ପାଇଁ ଅଟକିଯାଇ ଆନିକୁ କହିଲେ–ହଁ ଆନି, ଗୋଟାଏ ମୁଣ୍ଡରେ ରାବଣ ଅଧିକ ସତ୍ୟ ।

 

ଆନି ଭାବିଲା–ରାବଣର ପ୍ରକୃତରେ ଗୋଟିଏ ମୁଣ୍ଡ । ଦଶମୁଣ୍ଡ–ଭୁଲ୍ । ଭୁଲ୍ । ଭୁଲ୍ ।

Image

 

ପାହାଡ଼ ଚଢ଼ା

 

ମୁଁ କହିଲେ–ହଁ

 

ସେ କହେ–ନା ।

 

ମୁଁ କହିଲେ–ନା ।

 

ସେ କହେ–ହଁ

 

ଏମିତି ସେ ଓ ମୁଁ ଜୀବନରେ ଦୌଡ଼ୁଥିଲୁ । ସେ ରହୁଥିଲା ଲେଡ଼ିଜ ହଷ୍ଟେଲରେ । ମୁଁ ରହୁଥିଲି ବାହାରେ, ଭଡ଼ାଘର ନେଇ । ଇଚ୍ଛାକଲେ ସେ ମୋ ଘରେ ବେଳ ଅବେଳରେ ପହଞ୍ଚି ଯାଇଥିଲା । ମନଇଚ୍ଛା ଗପୁଥିଲା । ବିଛଣାରେ ଶୋଇରହି କବିତା ପଢ଼ିଥିଲା । ଇଚ୍ଛାହେଲେ ଅକସ୍ମାତ୍ ଉଠି ଚାଲିଯାଉଥିଲା । ମୁଁ କହିଲେ–ଆଉ କିଛି ସମୟ ରହେ ।

 

କିମ୍ବା ପାଦରେ ଚଟିଗଳେଇ ମୁଣ୍ଡ ହଲେଇ ହଲେଇ ଚାଲି ଯାଉ ଯାଉ କେତେବେଳେ ପୁଣି ପଚାରୁଥିଲା–କାହିଁକି ? କାହିଁକି ?

 

ଇଚ୍ଛାହେଲେ ମୁଁ ଯାଉଥିଲି ଲେଡ଼ିଜ ହଷ୍ଟେଲକୁ । ୱେଟିଂ ରୁମରେ ବସି ତାକୁ ଅପେକ୍ଷା କରୁଥିଲି–ସେ ଆସିଲେ ଗପ ଜମୁଥିଲା । ଢେଙ୍କିଶାଳରୁ ଢେଙ୍କାନାଳ ଯାଏଁ । ପୁଣି ବା କେବେ ନୀରବରେ ସେ ତା’ ଲମ୍ବା ସାପଭଳି ବେଣୀକୁ ଅଧା ଖୋଲି ପୁଣି ବାନ୍ଧୁଥିଲା । ପୁଣି ଖୋଲୁଥିଲା । ସେତେବେଳେ ମୁଁହରେ ତା’ର ପ୍ରାପ୍ତିର ପୂର୍ଣ୍ଣତା । ସମଗ୍ର ଦେହ–ମୁଦ୍ରାରେ ଏକ ବିମୋହିତ ଭାବ ସବୁ ଦେଖି ମୁଁ କହେ, ତୁମେ ହିଁ ବର୍ଷା, ଦିନେ ହେବ ମୋ ମୃତ୍ୟୁର କାରଣ । ମୁହଁ ଟେକି ସେ ମତେ ଚାହେଁ । ମୁଁ ଅନୁଭବକରେ ଏକ ଅପ୍ରକାଶ୍ୟ ଶୀତଳ ଯୁଦ୍ଧ ମୋ ଭିତରେ ଚାଲିଛି ଏବଂ ମୁଁ ପ୍ରତିମୁହୂର୍ତ୍ତରେ ଅଣନିଃଶ୍ୱାସୀ ହୋଇଯାଉଛି । ତା’ପରେ ମୁଁ ସାହସୀ ହୁଏ ଏବଂ କହେ–ତୁମର ଏଭଳି ଚାହିଁବା ସବୁବେଳେ ନିରାପଦ ନୁହେଁ ବର୍ଷା ।

 

ଥରେ ସେ ମୋ ବସାରେ ପହଞ୍ଚି କହିଲା–ଚାଲ ପାହାଡ଼ ଚଢ଼ିଯିବା ।

 

ମୁଁ କହିଲି–କ’ଣ ମୁଣ୍ଡ ଖରାପ ।

 

ମୁଣ୍ଡଟାକୁ ଦୁଇହାତରେ ଚିପିଧରି ବଡ଼ବଡ଼ ଆଖି ଦୁଇଟାକୁ ନଚେଇ କହିଲା–କାହାର ?

 

ଯୋରଦେଇ ମୁଁ କହିଲି–କାହିଁ, ତୁମର !

 

ତା’ପରେ ହଠାତ୍ ସବୁ ଭାବଭଙ୍ଗୀ ପରିବର୍ତ୍ତନ କରିନେଇ ପଚାରିଲା–କହିଲ ଯିବ କି ନାହିଁ ?

 

ଅଦ୍ଭୁତ ତା’ର ଏ ଖେୟାଲରେ ମୁଁ ଗୋଟାଏ କାଗଜଡଙ୍ଗାଭଳି ଭାସୁଥିଲି ଏବଂ କିଛି ସ୍ଥିର ନ କରିପାରି କହିଲି–ଆଚ୍ଛା ମୁଁ ଚିନ୍ତା କରି କହିବି ।

 

ତୀର୍ଯ୍ୟକ ଭାବେ ମୋ ମୁହଁକୁ ଚାହିଁ ଦୃଢ଼ କଣ୍ଠରେ ଦାବି କଲାଭଳି ପଚାରିଲା–ସେ ଚିନ୍ତା ଫିନ୍ତା କିଛି ନାହିଁ । ଯିବି କି ନାହିଁ । ଖାଲି–ହଁ କି ନାହିଁ ।

 

ଭଲ ଲାଗୁଥିଲା ତା’ର ଏମିତି କଥା । ଟିକେ ମଜା କରିବା ଲାଗି ମୁଁ କହିଲି–ଯଦି ମୁଁ ନାହିଁକରେ ?

 

–ହେଲେ ମୁଁ, ଆଉ କାହାକୁ କହିବି ଯିବାକୁ । ହଠାତ୍ ଗୋଟାଏ ବିଷାକ୍ତ ତୀର ଯେପରି ମୋ ଛାତିରେ ଆସି ବଦ୍ଧ ହେଲା । ଲାଗିଲା, ମୋରି କ୍ଷେପିତ ଦୁମେରାଂ ମୋତେ ଆଘାତ କରିଛି । କାବାହୋଇ ମୁଁ ତା’ ସାଦା ଭାବହୀନ ନିର୍ଲିପ୍ତ ମୁହଁକୁ ଚାହିଁ ଭାବୁଥିଲି–ଇଏ, ଆଉ କାହା ସାଙ୍ଗରେ ପାହାଡ଼ ଚଢ଼ିବାକୁ ଯିବ । ପାହାଡ଼କୁ ଘେରିଛି ଜଙ୍ଗଲ । ଜଙ୍ଗଲ ପୁଣି ନିର୍ଜନ । କଥାର ମୋଡ଼ ପରିବର୍ତ୍ତନ କରିଦେବା ଲାଗି କହିଲି–ହଠାତ୍ ପାହାଡ଼ ଚଢ଼ିବାର ଖେୟାଲ କାହିଁକି ?

 

ନା ଖେୟାଲ ନୁହେଁ । ବହୁ ପିଲାଦିନର ଏଇ ଏକ ଇପ୍‍ସିତ ବାସନା–ଏମିତି ବି ଅନେକ ଦିନ ମୁଁ ସ୍ୱପ୍ନ ଦେଖିଛି–ମୁଁ ପାହାଡ଼ ଚଢ଼ୁଛି । କହିଲାବେଳେ ଆଖି ଦୁଇଟାରେ ତା’ର ସେଇ ଭାବ, ଯେପରି ସେ ବର୍ତ୍ତମାନ ପାହାଡ଼ ଚଢ଼ୁଛି ବା ସ୍ୱପ୍ନ ଦେଖୁଛି–ମୁହଁରେ ଏକ ଅତିନ୍ଦ୍ରିୟ ଭାବର ସ୍ପର୍ଶ ।

 

ମୁଁ କହିଲି ପାହାଡ଼ ଚଢ଼ିବାକୁ ହେଲେ–ସେଥିପାଇଁ ପ୍ରସ୍ତୁତି ଦରକାର । କୌଶଳ ଜାଣିବାର ଆବଶ୍ୟକତା ଅଛି । ନହେଲେ କେଉଁ ପଥରଖଣ୍ଡ ଉପରୁ ଗୋଡ଼ ଖସିଲେ...

 

ମୋ କଥାକୁ ଯେପରି ନ ଶୁଣିବାର ଅଭିନୟ କରି ସେ ସିଧା ସିଧା ପଚାରିଲା–ମୁଁ ଏତେ କଥା ଜାଣିବାକୁ ଚାହୁଁ ନାହିଁ । ତୁମେ ମୋ ସାଙ୍ଗରେ ଯିବ କି ନାହିଁ ।

 

ଯୋଉ ସ୍ପଷ୍ଟ ଅଭିମାନର ଯୋରରେ ତା’ ପ୍ରଶ୍ନର ଭାର ଗୁରୁ ହୋଇଯାଇଥିଲା, ମୁଁ ସେଠି ଶୀର ନତ କରି ଧିରେ କହିଲି ।

 

–ଯିବି । ନିଶ୍ଚୟ ଯିବି । ତୁମେ ମୋତେ ମହାସମୁଦ୍ରରେ ଝାସଦେବାକୁ କହିଲେ ବି ମୁଁ ନିଶ୍ଚୟ ଯିବି ।

 

ତା’ର ପୂରିଲା ପୂରିଲା ଗହମ ରଙ୍ଗର ମୁହଁରେ ପୁଳାଏ ଆଲୁଅ ଛିଟିକିପଡ଼ିଲା । ସେ କହିଲା–ମୁଁ ଜାଣିଥିଲି, ତୁମେ ତେବେ ଅସ୍ଵୀକାର କରିବ ନାହିଁ ।

 

ବର୍ଷା ସେତେବେଳେ ଦେଖାଯାଉଥିଲା ଯେପରି ଅନେକ ଯୁଗର ତା’ର ଅପୂରଣ ରହିଥିବା ଏକ କାମନା ପୂରଣ ହୋଇଯାଇଛି । ଆନନ୍ଦରେ ଯେପରି ସେ ଫାଟିପଡ଼ିବ–ସେଇ ଉଲ୍ଳାସର ଭାବ । ଟିକି ଗୋଟିଏ ଚଢ଼େଇ ଭଳି ସେ ଯେପରି ଉଡ଼ି ବୁଲିବ । ସେଇ ଚଞ୍ଚଳତା,ତା’ର ସୁଗଠିତ ଅଙ୍ଗରେ । ହଠାତ୍ ବିଛଣାରୁ ଉଠିଯାଇ ବୁକସେଲଫ୍‍ରୁ ‘ନଈ ପହଁରା ।’ କବିତା ବହିଟି ଟାଣିଆଣିଲା ଏବଂ ମେଲେଇ ଦେଇ ପଢ଼ିବାକୁ ଲାଗିଲା–

 

ମୁଁ ତାଙ୍କର ଅଶୋକ ବନର ସମସ୍ତ ଜଗୁଆଳିଙ୍କୁ ହାତକରି ନେଇଛି,

 

ଯେମିତି ଅସୁବିଧା ନହେବ ।

 

ଅତିଥିମାନେ ମୋର ଗୋପନ ଭୋଜନ ସାରିଦେବେ ମଧ୍ୟରାତ୍ରିବେଳେ ।

 

ଛଟପଟ ହେଉଥିବା ବୃହତ୍ତମ ଘଣ୍ଟାର ଛକରେ ।

 

ଅର୍ଦ୍ଧ ଆଲୋକିତ ସେଇ ନଈକୂଳ ଗଛ ଗହଳିରେ ।

 

ଜଣେ ଅଧେ ଯୁକ୍ତି କଲେ–

 

ପ୍ରସ୍ତୁତି ମାନେଇ ଅହଙ୍କାର ।

 

ହଠାତ୍ ବହି ବନ୍ଦ କରିଦେଇ, ନୀରବ ହୋଇ ସେ ଯେପରି କିଛି ସମୟ ଭାବିଲା । ତାପରେ ଉଠିଯାଇ ଅଧା ସ୍କ୍ରିନ୍ ଥିବା ଝରକାର ଖୋଲା ଉପର ଅଂଶ ଦେଇ ଆକାଶକୁ ଚାହିଁଲା–ବୋଧେ ଉଡ଼ୁଥିବା କେଉଁ ଏକ ପକ୍ଷୀକୁ ସେ ଖୋଜୁଥିଲା । ଅଭାବିତ ତା’ର ଉପସ୍ଥିତି ବର୍ଷାର ଏଇ ଆନନ୍ଦ ମୁହୂର୍ତ୍ତରେ ଏକ କାରୁଣ୍ୟର ଝଙ୍କାର ଭଳି । ସେଦିଗରୁ ମୁହଁ ଫେରାଇନେଇ ସେ ମୋତେ ପ୍ରଶ୍ନ କଲା–ତୁମେ ଭାଓଲିନ୍ ଶୁଣନା ପ୍ରଳୟ ।

 

ଆଶ୍ଚର୍ଯ୍ୟ ହୋଇ ତା’ର ଏ ଅଭିବ୍ୟକ୍ତିକୁ ଶୁଣି ମୁଁ ଭାବୁଥିଲି ସବୁ ନାରୀମାନେ କ’ଣ ଏମିତି–ଖଣ୍ଡିତ...ରହସ୍ୟମୟ । ଯାହାକୁ ଯେତେ ପାଖରେ ପାଇଲେ ବି ବୁଝିହୁଏନା ।

 

ହଠାତ୍ ବର୍ଷା ପାଦରେ ଚଟି ଗଳେଇ କହିଲା–କାଲି ସକାଳେ ଆଠଟା ବେଳକୁ ଯେପରି ପ୍ରସ୍ତୁତ ଥାଆନ୍ତି ।

 

ମୁଁ ସମ୍ମତି ଜଣେଇଲି ଏବଂ ସେ ବାହାରିଲା । ମୁଁ କହିଲି–ରୁହନା ଆଉ କିଛି ସମୟ ।

 

କାହିଁକି ? କାହିଁକି ? ସେଇ ତା’ର ପୁରୁଣା ପ୍ରଶ୍ନ । ଏଇ, ତୁମେ ପାଖରେ ଥିଲେ ମୋତେ ଭଲଲାଗେ ।

 

–ତା’ପରେ ? ଏକ ଅବାନ୍ତର ପ୍ରଶ୍ନ ।

 

ସ୍ୱପ୍ନ ବି ଦେଖିବାକୁ ଇଚ୍ଛା ହୁଏ ।

 

–କି ସ୍ୱପ୍ନ ?

 

ଏମିତି, ତୁମକୁ ନେଇ । ପାହାଡ଼ ଚଢ଼ା ବି ହୋଇପାରେ ।

 

ନା–ନା, ସ୍ୱପ୍ନରେ ପାହାଡ଼ ଚଢ଼ା ଦେଖନା । କାରଣ ବାସ୍ତବରେ ଆମେ ଯେତେବେଳେ ସେଠିକୁ ଯାଉଛେ ତା’ର ରୋମାନ୍ସ ଆଉ ରହିବ ନାହିଁ ।

 

ମୁଁ ପଚାରିଲି–ଯିବାର ଲକ୍ଷ୍ୟ କ’ଣ, ସେଠି ଆମର ରୋମାନ୍ସ ପାଇଁ ?

 

କାଲି ସକାଳ ଆଠଟା–ଚାଲି ଯାଉ ଯାଉ ସେ ଉତ୍ତର ଦେଲା । ତୁମପାଇଁ ରାତ୍ରିରେ ଏକ ଚମତ୍କାର ସ୍ୱପ୍ନ ମୁଁ କାମନା କରୁଛି ।

 

୩୪–’୨୭'–୩୪'ର ଦେହଟାକୁ ନେଇ ଏକ ଛନ୍ଦରେ ଚାଲି ଯାଉ ଯାଉ ବର୍ଷା ହସିଉଠିଲା–ମୋତେ ଲାଗୁଥିଲା ଯେପରି ଅନେକ ମଲ୍ଲୀ ଫୁଟିଉଠୁଛି ।

 

ପାଞ୍ଚଟାବେଳେ ଟ୍ୟାକ୍ସିକୁ ଆସିବାକୁ କହି ଆମେ ଯେତେବେଳେ ଓହ୍ଲାଇପଡ଼ିଲୁ ସେତେବେଳେ ବାରଟା ବାଜିବାକୁ ଆହୁରି କିଛି ସମୟ ବାକି ଅଛି । ବର୍ଷା ଆଣିଥିବା ଖାଦ୍ୟ ଓ ପ୍ଳାଷ୍ଟିକ ୱାଟର କଣ୍ଟେନରକୁ ଲମ୍ବା ଡୋର ବ୍ୟାଗରେ ପୂରାଇ କାନ୍ଧରେ ଓହଳାଇ, ଲଗାଇଥିବା ଗୋ ଗୋ ଚଷମା ଦେଇ ଜଙ୍ଗଲଘେରା ପାହାଡ଼କୁ ଚାହିଁଲା । ମୁହଁରେ ତା’ର ପ୍ରାପ୍ତିର ପୂର୍ଣ୍ଣତା । ସିଗାରେଟ୍ ଗୋଟାଏ ଲଗାଇ ମୁଁ ପଚାରିଲି–କେମିତି ଲାଗୁଛି ବର୍ଷା ?

 

ଲାଗୁଛି ଯେମିତି ମୁଁ ଏଠି ଖୁବ୍ ପରିଚିତ । ଏ ପାହାଡ଼ ମୋର ନିଜ ଲୋକ । ଏ ଜଙ୍ଗଲ ଯେମିତି ଘର । ଅନେକଦିନ ପରେ ଯେପରି ମୁଁ ଫେରିଆସୁଛି । ଆସ ଭିତରକୁ ଯିବା । ସାମାନ୍ୟ ବିଳମ୍ବ ଯେପରି ମୁଁ ସହ୍ୟ କରିପାରୁନି ।

 

ସେ ଚାଲିଲା ଆଗେ ଆଗେ ।

 

ପଛରେ ମୁଁ । ଯେମିତି ଏକ ବନ୍ୟ ହରିଣୀର ଅନୁଧାବନ କରେ ତା’ର ଶାବକ । ବର୍ଷା ଚାଲିଛି–ଖୋଜୁଛି ଯେପରି ଏଇ ଜଙ୍ଗଲ ଭିତରେ ଛପିଥିବା ତା’ର ଆକାଂକ୍ଷିତ ବସ୍ତୁକୁ । ହଠାତ୍ ଖଣ୍ଡେ ପଥର ଝୁଣ୍ଟି ଛିଡ଼ା ହୋଇଗଲା ସେ । ମୁହୂର୍ତ୍ତକ ପାଇଁ ଯନ୍ତ୍ରଣାରେ ବିବର୍ଣ୍ଣ ହେଲା ମୁହଁ, ତା’ପରେ ସେ ହସିଉଠିଲା ଯନ୍ତ୍ରଣାଭରା ତା’ର ସେଇ ମୁହଁରେ ଏକ ବିଜୟର ହସଭଳି । ସେଥିରେ ଗ୍ଳାନି ନ ଥିଲା, ବରଂ ଥିଲା–କେମିତି ଏକ ଆତ୍ମ–ପ୍ରସାଦ ।

 

ଜଙ୍ଗଲ ଭିତରେ କ’ଣ ଜଙ୍ଗଲକୁ ଠିକ୍ ଦେଖିହୁଏ–ମୁଁ ଭାବୁଥିଲି, ପାହାଡ଼ର କେଉଁ ସୀମିତ ଅଂଶରେ ଛିଡ଼ାହୋଇ ବୁଝିହେବ କ’ଣ ପାହାଡ଼କୁ ? ଅଥଚ ବର୍ଷା ଭିତରକୁ ଭିତରକୁ ଚାଲିଛି ବ୍ୟୁହ ଭେଦକରି ଅଭିମନ୍ୟୁ ଭଳି । ହୁଏତ ନିଜ ଅଜାଣତରେ ହଠାତ୍ ଦେଖିବ କେଉଁ ଏକ ଫାସଦ୍ୱାରା ସେ ବାନ୍ଧି ହୋଇପଡ଼ିଛି । ଜଙ୍ଗଲର ଆକର୍ଷଣ ଯେତିକି ପ୍ରବଳ ତା’ର ଦଂଶନର ଜ୍ଵାଳା ସେତିକି ଭୟାବହ ।

 

ବର୍ଷା କହିଲା–ଆସନା ପ୍ରଳୟ ଶୀଘ୍ର ଶୀଘ୍ର । ପାହାଡ଼ର ଶିଖରରେ ପହଞ୍ଚିଲାବେଳକୁ ତୁମେ ଯେମିତି ଚାଲୁଛନା ଖୁବ୍ କ୍ଳାନ୍ତ ହୋଇପଡ଼ିପାର । ଅନେକ ବାଟ ଯିବାକୁ ପଡ଼ିବ ତ !

 

ପାଦର ମାଂସପେଶୀ ମୋର ଧୀରେ ଶୀଥିଳ ହୋଇଆସୁଥିଲା । ମୁଁ ଭାବୁଥିଲି–ଉପରକୁ ଯିବାର ମୋହ ସତେ କେତେ ଅଧିକ ! ବର୍ଷା ଯେପରି ଏଇ ସପ୍ତଶଯ୍ୟାର ପୂର୍ବପଟ ଉଚ୍ଚତମ ପାହାଡ଼ ଉପରେ ଚଢ଼ିବାକୁ ପାଗଳୀ ହୋଇଉଠୁଛି । ବିଚାରୀ ଜାଣିନି ଅପ୍ରାପ୍ତିରେ ଯନ୍ତ୍ରଣା ଅଛି, ହେଲେ ପ୍ରାପ୍ତିର ଶୂନ୍ୟତାଠାରୁ ସେ ଏତେ ଜ୍ୱାଳାମୁଖୀ ନୁହେଁ । ଯେଉଁ ପାହାଡ଼ର ଶିଖର ତାକୁ ମୋହାଚ୍ଛନ୍ନ କରି ଆକର୍ଷଣ କରୁଛି ସେଠି ପହଞ୍ଚି ଯେତେବେଳେ ଦେଖିବ–ଶୂନ୍ୟତାର ହାହାକାର, କିଛି ନଥିବାର ବ୍ୟର୍ଥତା ନିଷ୍ଠୁରଭାବେ ଏକ ବଂଧ୍ୟାର ଆତ୍ମଗ୍ଳାନି ଭଳି ଖାଲି ପଡ଼ି ରହିଛି ପାଷାଣର ଖାଲଢ଼ିପର ସେଇ ବିସ୍ତାରିତ ବୁକୁ ଉପରେ । ହୁଏତ ବର୍ଷା ଚିତ୍କାର କରିଉଠିବ । କହିବ–

 

ଏଇଟା ଶ୍ରୀରାମ ମନ୍ଦିର ନା ପ୍ରଳୟ ? ବର୍ଷା ପଚାରିଲା ।

 

ମୁଁ କହିଲି–ଦର୍ଶନ କରିବା ?

 

–ନା, ଫେରିଲା ବେଳକୁ ।

 

ଯଜ୍ଞ ମନ୍ଦିରର ପାଖଦେଇ ଗଲାବେଳେ ବର୍ଷା ହଠାତ୍ ଛୋଟ ପିଲାଭଳି ଦୌଡ଼ିଗଲା ଭିତରକୁ । ମୁହୂର୍ତ୍ତେ ଯଜ୍ଞ ମଣ୍ଡପ ଉପରେ ଆଖି ବୁଲେଇ ନେଇ ସେ ଛିଡ଼ାହୋଇ ହସିଉଠିଲା–ପଥରର ସେଇ ଋଷିମାନଙ୍କୁ ଦେଖି । କହିଲା–ଆମର ପରା ଏବେ ପଥରର ମୂର୍ତ୍ତିସବୁ ଚୋରି ଚାଲିଛି । ଏଗୁଡ଼ାକ କେହି ନେଇଯାଉନାହାନ୍ତି ।

 

ସବୁ ପଦାର୍ଥ ଚୋରି କରାଯାଏ ନାହିଁ ବର୍ଷା । ଏମିତି ଅନେକ ପଦାର୍ଥ ଚୋରମାନେ ଇଚ୍ଛା କରି ବି ଛାଡ଼ିଦେଇଯାଆନ୍ତି ।

 

ସେଭଳି ସନଦାର ଚୋରଙ୍କୁ, ବର୍ଷା ହସି ହସି କହିଲା–ମୁଁ ବଧେଇ ଜଣାଉଛି । ମୁଁ ହସିଉଠିଲି । କହିଲି–ସେ ଭଳି ଚୋର ଆଜିକାଲି ଖୁବ୍ କମ୍ ।

 

ପାହାଡ଼ ଉପରକୁ ଉଠୁ ଉଠୁ ବର୍ଷା କହେ–ମୋର ତ ମନେହେଉଛି, ଆଜିକାଲି ସବୁ ମଣିଷ ଯେମିତି ଗୋଟାଏ ଗୋଟାଏ ଚୋର ପାଲଟିଯାଇଛନ୍ତି ।

 

–ତା’ହିଁ ତ ମୁଁ ବି ଅନୁଭବ କରେ । ନିଜର ସାମର୍ଥ୍ୟ ଉପରେ ଯେଉଁମାନଙ୍କର ଆସ୍ଥା ନାହିଁ ଏବଂ ସବୁ ପଦାର୍ଥର ମାଲିକ ହେବାକୁ ଯେଉଁ ଭୀରୁ କାପୁରୁଷମାନେ ବ୍ୟାକୁଳରେ ରାତିରେ ଟିକିଏ ନିଦ ବି ଯାଇପାରନ୍ତି ନାହିଁ । ଅନ୍ୟର ଅଧିକାର ଦେଖିଲେ ଯେଉଁ ମାନସିକ ରୋଗୀମାନେ ଚଟପଟ ହୁଅନ୍ତି, ଯନ୍ତ୍ରଣାରେ ନିଜର ହସ୍ତଗତ ପାଇଁ–ସେଭଳି ଅସହାୟ ମଣିଷମାନେ ଚୋର ନ ହୋଇ ଆଉ ହେବେ କ’ଣ ବର୍ଷା ?

 

ଅଥଚ ବର୍ଷା...ଆଶ୍ଚର୍ଯ୍ୟ ! ବର୍ଷା ଗଛ ଉପରେ ନିଜର ସ୍ଲିମ୍ ଦେହ ନଦୀ ପଡ଼ିଯିବାର ଆଶଙ୍କାରେ ଲଟାକୁ ଜାବୁଡ଼ି ଧରି ଉଠୁନଥିବା ଗୋଡ଼ ଦୁଇଟାକୁ ଟେକି ଟେକି ଅନ୍ଧଭଳି ଆଗକୁ ଚାଲୁଛି ।

 

ତାକୁ ଦେଖାଯାଉନି । ଦେଖାଯାଉନି–ଗଛ ଉପରେ ମାଡ଼ିଥିବା ଅଚିହ୍ନା ଲଟାରେ ଫୁଟିଥିବା ନାନାରଙ୍ଗି ଫୁଲର ଶୋଭା । ଝୁଲୁଥିବା ଛୋଟ ଛୋଟ ପକ୍ଷୀମାନଙ୍କର ନୃତ୍ୟ । ତାଙ୍କ କଣ୍ଠରେ ଅବୁଝା ଭାଷା ସବୁଗୁଡ଼ାକ ଅଲୋଡ଼ା ଭଳି ବର୍ଷା ଅତିକ୍ରମ କରି ଯାଉଛି । ମୁଁ ଭାବୁଥିଲି...ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାର ଅଭିଳାଷ ଯା’ର ଯେତେ ତୀବ୍ର ତା’ର ବୋଧେ ବାଟର ସବୁ ଆକର୍ଷଣ ପ୍ରତିବନ୍ଧନ ସବୁ ମାୟା ପ୍ରତି ସବୁବେଳେ ଏମିତି ହିଁ ବିରାଗ । ଉଦାସୀନତା ।

 

ହଠାତ୍ ସେଇ ଟିକି ଟିକି ନାନାରଙ୍ଗୀ ଚଢ଼େଇ ଆନନ୍ଦରେ ଫଳ ଖାଉଥିବା ସେଇ ନିରୀହ ପକ୍ଷୀମାନଙ୍କ ଭିତରେ ଆତଙ୍କ ଖେଳିଗଲା । ଯେମିତି ଛିଣ୍ଡିଗଲା ତାଙ୍କ କଣ୍ଠର ମଧୁର ସଙ୍ଗୀତ । ଦିଗଭ୍ରଷ୍ଟ ଭାବେ ଟିକିଟିକି ଡେଣାକୁ ହଲେଇ ହଲେଇ ସେମାନେ ଭୟରେ ଆକାଶରେ ଝାମ୍ପଦେଲେ–ମୁଁ ଦେଖୁଥିଲି ଗୋଟାଏ ଝଡ଼ର ଇଗଲ ଭଳି ଏକ ଭୟଙ୍କର ଧୂସର ରଙ୍ଗର ବିରାଟକାୟ ପକ୍ଷୀ ସେଠି ଆସି ପହଞ୍ଚିଲା–ହିଂସ୍ରତାରେ ଜଳୁଥିବା ତା’ର ଆଖି ଯେପରି ଅନେକ ଯୁଗରୁ କ୍ଷୁଧାର୍ତ୍ତ–ଏବଂ ଖୋଜୁଛି ସେଇ ନିଷ୍ଠୁର ନିର୍ମମ ଆଖିଦୁଇଟା ଦେଇ କେଇଟା ଶିକାର । ତୀକ୍ଷ୍ଣ ଥଣ୍ଟର ଶକ୍ତ ଚାପ । ପାଦର ନଖରେ ସେ ବିଦାରଣ କରିବ ଅନେକ ନୃସିଂହଭଳି ! ମୁଁ ବର୍ଷାକୁ ଚାହିଁଲି–ସେ ତ ଭୟପାଇ ଯାଇନି ।

 

ମାତ୍ର ବର୍ଷା ସେତେବେଳକୁ ବସିଛି ପାଦ ଦୁଇଟା ଉପରେ ନିଜର ହାତରଖି ଗୋଟାଏ ପଥର ଖଣ୍ଡ ଉପରେ । ଉପରକୁ ଉଠିଯାଇ ପାଖରେ ତା’ର ବସୁ ବସୁ କହିଲି–କ’ଣ ଖୁବ୍ କ୍ଳାନ୍ତ ହୋଇପଡ଼ିଲଣି ?

 

ନା–ସେ କହିଲା–ଏଇଠି ଖାଇନେବା । ସାମାନ୍ୟ ବିଶ୍ରାମ କରିବା ତା’ପରେ ...ଉଠିବା ଶିଖରରେ ପହଞ୍ଚିବା ପର୍ଯ୍ୟନ୍ତ ।

 

ମୁଁ କହିଲି–ଏତେ ଉପରକୁ ଉଠିବାକୁ ତୁମର ଭୟ ନାହିଁ ?

 

–ନା, ଭୟ ତ ଏକ ଅଜ୍ଞ ମଣିଷର ରୁଗ୍‍ଣ ମାନସିକ ପତିକ୍ରିୟା । ବର୍ଷା ବ୍ୟାଗରୁ ବାହାରକଲା ରୁଟି ମାଂସ । ମୁଁ ନୀରବ ଥିଲି–ଭାବୁଥିଲି ଉପରକୁ ଉଠିବାର ପୌରୁଷବୋଧ କ’ଣ ତଳକୁ ଖସିବାର ଯନ୍ତ୍ରଣା ଭିତରେ ଗୋଟାଏ ଶୁଖିଲାରେ ପଡ଼ିଥିବା ମାଛଭଳି ଛଟପଟ ହୁଏନାହିଁ !

 

ବର୍ଷା କହିଲା–ନିଅ ଏ ମାଂସ ସବୁଗୁଡ଼ାକ ତୁମେ ଖାଅ, ତୁମେ ତ ମାଂସ ଖାଇବାକୁ ବାଘ । ମୁଁ କେବଳ ଏଇ ଜେଲି ଲଗେଇ ଏଇ ଟିକକ ଛେନା ସହ ଖାଇଦେବି ।

 

ମୋର ମନେପଡ଼ିଲା ବାଘ କଥା । ପଚାରିଲି–ବର୍ଷା ତୁମେ ବାଘ ଦେଖିଛ ?

 

ମୁଣ୍ଡ ହଲାଇ ସେ ହଁ କହିଲା ।

 

କେଉଁଠି–ମୁଁ ପଚାରିଲି ।

 

ଚିଡ଼ିଆଖାନାରେ । ସର୍କସରେ । ନନ୍ଦନକାନନରେ । ଏମିତି ଆଉ କେଉଁଠି ।

 

–ଜଙ୍ଗଲର ସ୍ୱେଛାଚାରି ବାଘ ଦେଖିଛ ?

 

ଯେମିତି ମୋର ନିଗୁଢ଼ପ୍ରଶ୍ନକୁ ବୁଝିପାରୁନି ବର୍ଷା । ସେଇ ନବୁଝିବାର ଅଜ୍ଞତା, ବୁଝିବାର କୌତୂହଳା ଆଖିରେ ତା’ର ଝଲସିଉଠୁଛି–ମୁଁ ଗାଇଲି ।

 

ବାଘ ଆସେ ଗର୍ଜି ଗର୍ଜି ଗିଳିବାକୁ ତୁମରି ଶରୀର,

 

ଯେପର୍ଯ୍ୟନ୍ତ ଗିଳି ନାହିଁ; ସେ ପର୍ଯ୍ୟନ୍ତ ବାଘ ଦେଖିପାର ।

 

ହଠାତ୍ ବର୍ଷା ଭୟରେ ଚାରିଆଡ଼କୁ ତା’ର ସତର୍କ ଆଖି ବୁଲେଇଆଣିଲା । ତା’ପରେ ହସିଉଠି କହିଲା–ମୋତେ ଡରଉଛ ନା ! ତୁମେ ଯେତେବେଳେ ମୋ ପାଖେ ପାଖେ ଅଛ କୌଣସି ବାଘକୁ ମୋର ଭୟନାହିଁ । ଉପରେ ପହଞ୍ଚିବାର ମୋହ ମତେ ବିବ୍ରତ କଲାଣି । କେମିତି ଏକ ଅନୁରୋଧ ମିଶ୍ରିତ ଦାବି କରିବା କଣ୍ଠରେ ସେ କହିଗଲା ।

 

ସିଗାରେଟ୍ ଲଗାଇ ମୁଁ ଯେତେବେଳେ ଉଠୁଥିଲି ବର୍ଷା କହିଲା–ପ୍ରଳୟ ଅନୁଭବ କରିପାରୁଛ ତୁମେ, ଶିଖରରେ ଯେତେବେଳେ ଆମେ ପ୍ରଥମେ ପାଦ ଦେବା କେମିତି ଲାଗିବ ! ତୁମେ ମୋର ଖୁବ୍ ନିକଟରେ ଥିବ । ଉପରେ ନୀଳ ଆକାଶର ନୀରବ ଆହ୍ୱାନ । ଘେରି ରହିଥିବା ଜଙ୍ଗଲର ଏକ ରହସ୍ୟମୟ ସଙ୍ଗୀତର ଆର୍କେଷ୍ଟ୍ରା । ପବନରେ ନୀରବ କମ୍ପନ ଏକ ଫୁଲର ସ୍ପର୍ଶ ଭଳି–ସେତେବେଳେ ଲାଗିବ–ଜୀବନ ଏକ ଭାବ । ଭାବର ସମୁଦ୍ର । ସେଠି ବନ୍ଧନର ଯନ୍ତ୍ରଣା ନାହିଁ-। ବ୍ୟର୍ଥ କାମନା ଜନିତ ନପୁଂଷକ ଆକ୍ରୋସର ଗ୍ଳାନି ନାହିଁ । କ୍ଷମତାପ୍ରାପ୍ତିର ଅନ୍ଧ ମୋହ ନାହିଁ–ଅଛି କେବଳ ଭାବ–ଅତିନ୍ଦ୍ରିୟ, ଅପାର୍ଥିବ ଭାବ । ସେଥିରେ ଲହଡ଼ି ଉଠୁଛି ଏବଂ ଏକ ଧଳା ହଂସ ବାରମ୍ବାର ସେଇ ଲହଡ଼ିକୁ ସ୍ପର୍ଶ କରି ପୁଣି ଉପରକୁ ଉଠିଯାଉଛି । ପୁଣି ଖସୁଛି ତଳକୁ । ଆସ ପ୍ରଳୟ ଆଉ ଡେରିକରନା ।

 

ବର୍ଷା, ଏକ ଝଡ଼ ଭଳି ଅନ୍ଧ । ପୁଣି ବନ୍ୟା ଭଳି । ଭାବପ୍ରବଣ ମୁହୂର୍ତ୍ତରେ ଯେପରି ସ୍ୱର୍ଗର କିନ୍ନରୀ ସେ ଯେମିତି ମୁହଁରେ ତା’ର ଆଲୋକ । ପ୍ରଶାନ୍ତି । ଏକ ସାତ୍ତ୍ଵିକ ଭାବ ଅଙ୍ଗ ପ୍ରତ୍ୟଙ୍ଗରେ ଢେଉ ଖେଳେ । ସିଗାରେଟରୁ ଧୂଆଁ ଛାଡ଼ୁ ଛାଡ଼ୁ ମୁଁ ତାକୁ ଦେଖୁଥିଲି ।

 

ସେ ଚାଲିଛି । ଆଗରେ ତା’ର ଆଉ ପୁରୁଣା ରାସ୍ତାର ଧାରା ନାହିଁ । ତଥାପି କେଉଁଠି ସାପ ଭଳି କେଉଁଠି ବିରାଡ଼ି ଭଳି ଗଛର କନ୍ଦିରେ ସେ ଗଳି ଗଳି ଚାଲିଛି । ଦେହର ଭାରସାମ୍ୟ ରଖୁଛି ଲଟା ବା ଡାଳକୁ ମାଡ଼ିବସି । ହଠାତ ପଡ଼ିଯିବାର ଉପକ୍ରମରୁ ନିଜକୁ ସତର୍କତା ସହ ରକ୍ଷା କରି କହିଲି, ଆଉ ସେ ଆଗକୁ ବାଟ ନାହିଁ ।

 

–ସବୁବେଳେ ଆଗକୁ ବାଟ ନ ଥାଏ । ତଥାପି ଲୋକମାନେ ଆଗକୁ ଯାଆନ୍ତି ।

 

ମାନେ ? ବିରକ୍ତିରେ ମୁଁ ପଚାରିଲି ।

 

ନୂଆ ବାଟ କରିବା । ନ ହେଲେ ଠିକ୍ ଜାଗାରେ ପହଞ୍ଚି ହେବ ନାହିଁ ଯେ । ତୁମେ କ’ଣ ବିରକ୍ତ ହୋଇଯାଉଛ ପ୍ରଳୟ ? ପ୍ରଶ୍ନ ଶୁଣି ମୁଁ ଚମକିପଡ଼ିଲି । ମୋ କଣ୍ଠର କର୍କଷତା ହୁଏତ ସେ ଧରିପାରିଲା–ତାକୁ ଭୁଲାଇବା ଲାଗି କହିଲା, ନା–ନୂଆ ବାଟରେ ସାବଧାନ ହୋଇଯିବାକୁ ପଡ଼େ । ସବୁ ନୂଆ ବାଟ ସବୁବେଳେ ଲକ୍ଷ୍ୟ ସ୍ଥାନରେ ପହଞ୍ଚାଇ ଦିଏନି । ତେଣୁ ଟିକେ ସତର୍କତା ବେଶି ଦରକାର ।

ତଥାପି ବର୍ଷାର ନିର୍ଦ୍ଦେଶିତ ପଥରେ ଚାଲୁଥିଲି । ଯେମିତି ଠିକ୍ ତାକୁ ଅନୁକରଣ କରୁଛି ମୁଁ–ସେଇ ଲଟାକୁ ଧରୁଛି । ଗଛଉପରେ ଦେହର ଭାର ନଦୁଛି ପୁଣି ତଳକୁ ଚାହୁଁଛି ।

ଆଃ ବର୍ଷା, ବର୍ଷା । ଏ କ’ଣ ହେଲା ବର୍ଷା...ତୁମର ଲୁଗାଟା ଯେ ଚିରିଗଲା । ଏକ ଅପୂର୍ବ ଅସହଜ ଭଙ୍ଗୀରେ ବର୍ଷା ଛିଡ଼ାହୋଇ ଦେଖିଲା ଚିରିଯାଇଥିବା ଲୁଗାକୁ । ତା’ପରେ ମୁହଁରେ ଏକ କାରୁଣ୍ୟର ଛଟା ଦେଇ ସ୍ୱଗୋତୋକ୍ତି କଲାଭଳି ଅସ୍ପଷ୍ଟ ସ୍ଵରରେ କହିଲା–ଏଇ ଶାଢ଼ିର ରଙ୍ଗଟାକୁ ଭାଇଙ୍କର ଭାରି ପସନ୍ଦ । ଚିରିଯିବାର ଜାଣିଲେ, ଖୁବ୍ ଦୁଃଖ କରିବେ ।

ପାଖରେ ତା’ର ପହଞ୍ଚି ମୁଁ କହିଲି–ତୁମେ ଏ ଲୁଗାଟାକୁ ଖୋଲିଦେଇ ସହଜରେ ଯାଇପାରନ୍ତ ନାହିଁ ବର୍ଷା ?

ମୁହଁ ତା’ର ଲାଲ ପଡ଼ିଗଲା । କ’ଣ ଭାବିଲା ଭଳି ପୁଣି ମୁହୂର୍ତ୍ତକର ଗାମ୍ଭୀର୍ଯ୍ୟ ଭିତରୁ ଉଚିତ ସୂର୍ଯ୍ୟ ଭଳି ମୁହଁ ତା’ର ଝଲସିଉଠିଲା–ହଠାତ୍ ଲୁଗାଟିକୁ ମୋ ଆଖିଆଗରେ ସେ ଖୋଲିଦେଇ ଅନାୟାସରେ ଭାଙ୍ଗିବାକୁ ଲାଗିଲା । ତା’ପରେ ପ୍ଲାଷ୍ଟିକର ଲମ୍ବା ଡୋର ବ୍ୟାଗ ଭିତରେ ରଖି ଆଗକୁ ଚାଲିଲା ।

ଆଖିଆଗରେ ଯେପରି ମୋର ଘେରିଯାଉଥିଲା ଅନ୍ଧକାର । ସେଇ ଅନ୍ଧକାର ଭିତରେ ଅନେକ ଗୋଲାକାର ପୃଥିବୀ ଘୂରି ବୁଲୁଥିଲା । ଏଇ ବର୍ଷା ଦେହରେ ଲୁଗା ନାହିଁ । ପରିପୁଷ୍ଟ ସ୍ତନକୁ ବ୍ରାସିୟର ସାପ ଭଳି କାମୁଡ଼ି ଧରି ଗୁଡ଼େଇ ପକେଇଛି । ତା’ପରେ ମିନି ବ୍ଲାଉଜକୁ ସଂକୀର୍ଣ୍ଣ ଅବୟବ, ତଳକୁ କୋମଳ ମାଂସର ମହୋତ୍ସବ–ଏକ ନିବିଡ଼ ଶବ୍ଦହୀନ ଆହ୍ଵାନ । କଟିପାଖରୁ ଇଲାଷ୍ଟିକ ଦିଆ ସାୟାର ନିମ୍ନାଂଶ ଲମ୍ବିଯାଉଛି ।

ସ୍ପଷ୍ଟ ଅସ୍ପଷ୍ଟ ଭାବେ ଦିଶୁଛି ନିତମ୍ବ । ମୁଁ ଛଟପଟ ହେଉଥିଲି–ଏକ ବୈଦ୍ୟୁତିକ ପ୍ରକମ୍ପନରେ । ଗୁଡ଼ାଏ କ୍ଷୁଧାରେ । ସମଗ୍ର ଦେହରେ ମୋର ରକ୍ତର ଉଷ୍ମ ପ୍ରସବଣ ଛୁଟୁଛି । –ମୁଁ ଜାଣେ ଏ ବ୍ରାସିୟରର ତଳରେ ଆତ୍ମଗୋପନ କରିଥିବା ସେଇ ବୃତ୍ତାକାର ମାଂସପେଶୀର ଅହଂକାର–ମୁଁ ଜାଣିଛି–ସେଇ ଅରଣ୍ୟର ଅନନ୍ତ ରହସ୍ୟ ।

ଅଥଚ ରହସ୍ୟମୟୀ ବର୍ଷା । ଗଛର ଦେହରେ ନିଜ ଦେହକୁ ନଦି ସୌଷ୍ଠବମୟ ଅଙ୍ଗର ଏକ କ୍ଷୁଧିତ ବାସ୍ନା ଛୁଟାଇ ଚାଲିଯାଉଛି–ଆଉ ତା’ର ପ୍ରତିଟି ଦେହମୁଦ୍ରାରେ–ମୁଁ କ୍ଷୁଧାତୁର ହୋଇପଡ଼ୁଛି ।

ଓ ଗଡ୍ ।

ମୁଁ କ୍ଳାନ୍ତ ପାଲଟିଯାଉଛି । ଛିଡ଼ା ହେବାକୁ ମୋର ସାମର୍ଥ୍ୟ ମୁଁ ଧିରେ ଧିରେ ହରାଉଛି, ନା, ମୋତେ ଗୋଟାଏ ଗଛର ଆଶ୍ରା ନେବାକୁ ପଡ଼ିବ । ନ ହେଲେ–କେଉଁ ଗହ୍ୱରର ନିର୍ଯ୍ୟାତନାରେ ହେବ ମୋର ଜୀବନର ସମାପ୍ତି ।

ବର୍ଷା ଅଟକି ଗଲା । ଅନୁଭବ କଲା ପଛରେ ତା’ର ଯାଉଥିବା ମୁଁ; ମୋର ସଙ୍କେତ କିଛି ହିଁ ଶୁଭୁନି । ଶୁଭୁନି ପତ୍ରରେ ପଡ଼ୁଥିବା ପାଦର ଶବ୍ଦ । ପଛକୁ ସେ ଫେରି ଚାହିଁଲା ।

ନିର୍ନିମେଷ ନୟନରେ ତାକୁହିଁ ଚାହିଁ ଗଛରେ ଭାର ଦେଇ ଛିଡ଼ା ହୋଇ ରହିଛି ଏକ ପଥରର ମୂର୍ତ୍ତିଭଳି ।

ବର୍ଷା କହିଲା ହସି ହସି–କ’ଣ ସେଠି ରହିଗଲ ?

–ଆଉ ଯାଇପାରିବି ନାହିଁ ।

–କ’ଣ ଖୁବ୍ କ୍ଳାନ୍ତ ହୋଇପଡ଼ିଲଣି ?

–ନା, କ୍ଷୁଧାର୍ତ୍ତ ।

–କିଛି ସମୟ ପୂର୍ବରୁ ତ ସେଇଠି ଖାଇଥିଲ ।

–ତଥାପି ଭୋକ କରୁଛି ।

–ନା, ମିଛ କହୁଛ ।

–ଦେଖନା, ମୁଁ କ୍ଳାନ୍ତ କେତେ !

ମୁଁ ତୁମ ପାଖରେ ଅଛି ଅଥଚ ଏ ଯାତ୍ରାରେ ତୁମେ କ୍ଳାନ୍ତ ହୋଇପଡ଼ୁଛ ?

ତୁମେ ହିଁ ତ ମୋର କ୍ଲାନ୍ତିର କାରଣ ।

ଆଖି ନଚେଇ ବର୍ଷା କହିଲା–ଆସନା, ମୋ ରାଣ । ଏଇତ ଆଉ ଅଳ୍ପ ବାଟ । ଶିଖର ପ୍ରାୟ ଦେଖାଯାଉଛି ।

ବର୍ଷା...ଏକ ବାଘର ଯାନ୍ତବ କ୍ଷୁଧା ମୋତେ ଛଟପଟ କରି କ୍ଳାନ୍ତ କରିପକାଉଛି ।

ବାଘ ? ଚମକିପଡ଼ି ଆତଙ୍କିତ କଣ୍ଠରେ ଉଚ୍ଚାରଣ କଲା ବର୍ଷା । ଭୟରେ ଚାରିଆଡ଼କୁ ଅନେଇଲା ।

ହଁ, ବର୍ଷା । ମୋତେ ଲାଗୁଛି–ମୁଁ ବାଘ ପାଲଟିଯାଇଛି । ମୋରି ଆଗରେ ଗୋଟାଏ ପରିପୁଷ୍ଟ ବନ୍ୟ ହରିଣୀ ଡେଇଁ ଡେଇଁ କଅଁଳ ଘାସଖାଇ ଆଗକୁ ବଢ଼ୁଛି । ଚଞ୍ଚଳ ଗତିରେ ଅଙ୍ଗଲତାର ସୌଷ୍ଠବମୟ ଚାଳନାରେ ଯେଉଁ ମୁଦ୍ରା ଖେଳିଯାଉଛି, ସବୁଗୁଡ଼ାକ ମିଳିତ ଭାବେ ମୋତେ ଅସୀମ କ୍ଷୁଧାର ତାଡ଼ନାରେ ମ୍ରିୟମାଣ କରିପକାଉଛି–ଅଥଚ ହାତ ପାହାନ୍ତାରେ ସେ ମୋର, ତଥାପି ଅକ୍ଷୁଣ୍ଣ ରହିଛି ।

ମୁହୂର୍ତ୍ତେ ଛିଡ଼ା ହୋଇ ବର୍ଷା ସେଇଠି କ’ଣ ଭାବିଲା, ତା’ପରେ ତଳକୁ ମୁହଁ ପୋତି ମୋରିଆଡ଼କୁ ପାଦ ପକେଇଲା । ମୁଁ ଦେଖୁଥିଲି ବର୍ଷାର ରଙ୍ଗୀନ ସୁନ୍ଦର ମୁହଁରେ ଗୋଲାପରେ କମ୍ପନ । ପରିପୁଷ୍ଟ ସ୍ତନ ଦୁଇଟାରେ ନୀରବ ଆତ୍ମସମର୍ପଣ ଭାବ, କଟିର ପତଳା ମାଂସପେଶୀର ସଙ୍ଘାତ ଜନିତ ଏକ ମଧୁର ଆକର୍ଷଣ । ବର୍ଷା ହଠାତ୍ ମୋର ହାତଟାକୁ ଧରି ତା’ର ତୀକ୍ଷ୍ଣ ଆଖିରେ ମୋ ଆଖିକୁ ଅନାଇ ମୃଦୁ ହସି କହିଲା–ଆସ, ଆସ ନା ।

ପୁଣିଥରେ ମୁଁ ଅନୁଭବ କଲି ସେଇ ବାଘର ହିଂସ୍ର ଗର୍ଜନ । ବର୍ଷା ହାତକୁ ଖସେଇ ଦେଇ ଏକ ତୀବ୍ର ଅନ୍ଧ ହିଂସ୍ରତାରେ ଶକ୍ତ ପଞ୍ଝା ଦୁଇଟାରେ ତାକୁ ଟାଣିଆଣିଲି ନିଜର ଆୟତ୍ତକୁ ।

ଛିଡ଼ିଗଲା ବର୍ଷାର ବ୍ଳାଉଜ ବ୍ରାସିୟର ଷ୍ଟ୍ରିପ୍ । କ୍ଷତ ବିକ୍ଷତ ହେଲା ସମଗ୍ର ଦେହ ଏବଂ ବାଘର କେଉଁ ଗୁମ୍ଫାରେ ଶୁଭୁଥିଲା ଦୂରରୁ ହେଣ୍ଟାଳ ।

କ୍ଳାନ୍ତ ବର୍ଷା, ଖୋଜି ଖୋଜି ଦେଖୁଥିଲା ନିଜ ଦେହରେ କ୍ଷତ ଚିହ୍ନ । ମୁହଁ ତା’ର ବିବର୍ଣ୍ଣ, ଜୀବନରେ ଲକ୍ଷ୍ୟ ଯେମିତି ତା’ର ଭ୍ରଷ୍ଟ । ଅଭିଶପ୍ତା କିନ୍ନରୀ ଭଳି ଯେପରି ସେ ବାହୁନିଉଠୁଥିଲା ନୀରବରେ ।

ତଳୁ ଖଣ୍ଡେ ଛୋଟ ପଥର ଗୋଟାଇ ଆଣି ମୁଁ ଅନୁଭବ କରୁଥିଲି–ଯେପରି ମୁଁ ଗୋଟାଏ ପାପ କରିଛି ଏବଂ ତାକୁ ଛପାଇବା ମୋର କ୍ଷମତାର ବାହାରେ । ହୁଏତ ଏକ ପ୍ରାୟଶ୍ଚିତ ନକରିବା ଯାଏଁ ମୁଁ ଏମିତି, ଏମିତି ଆତ୍ମଗ୍ଳାନିରେ ଛଟପଟ ହେବି ।

ଅଥଚ ବର୍ଷା, ତା’ର ରୂପ, ତା’ର ଦେହର କମ୍ପନ । ଏ ଜଙ୍ଗଲର ନୀରବ ଅର୍କେଷ୍ଟ୍ରା । ଅନାମିକା ପତ୍ରର ଧୀର ସ୍ପର୍ଶ । ଆକାଶର ନିର୍ଲିପ୍ତତା–ଏସବୁ କ’ଣ ମତେ ପ୍ରଲୁବ୍ଧ କରିନାହାନ୍ତି–ମତେ ବାଘ ପାଲଟିବାକୁ ? ମୁଁ କ’ଣ ସମସ୍ତ ସତର୍କତା ଭିତରୁ ଧୀରେ ଅସହାୟ ଭାବେ ବାହାରିଆସି ନାହିଁ ? ଦୀର୍ଘଶ୍ଵାସ ଭରି ଖାଲିକପ୍ ଭଳି ଫାଙ୍କା ଆଖିରେ ଆକାଶକୁ ଚାହିଁଥିଲି । ଅଥଚ ବର୍ଷା ଧ୍ୟାନ ଭାଙ୍ଗି କହିଲା–ପ୍ରଳୟ, ଆମକୁ କ’ଣ ଏଇଠୁ ଫେରିଯିବାକୁ ପଡ଼ିବ ?

ବର୍ଷାକୁ ମୁଁ ଚାହିଁଲି–ଭାବହୀନ ସେ । କଣ୍ଠରେ ଏକ ମଧୁର କାରୁଣ୍ୟ । ତା’ର ଏଇ ଆବେଦନ ଥିଲା ଆଦେଶପୂର୍ଣ୍ଣ ।

ମୁଁ ଉଠି ଛିଡ଼ାହେଲି ।

ଜଙ୍ଗଲଟା ଥିଲା ଏକ ମାୟାପୁରୀ । ତା’ରି କୋଳରେ ରହି ଆମେ ତାକୁ ଦେଖିପାରୁନଥିଲୁ । ଆମକୁ ସେ ଯେପରି କିମିଆଁ କରିଛି–ତା’ରି ନୀରବତାରେ ଆମେ ବାଟ ଚାଲୁଛୁ । ଧିରେ ଧିରେ ଆମେ ଉପରକୁ ଉଠୁଛୁ । ଆହୁରି ଉପରକୁ । ତଳେ ରହିଯାଉଛି ଅପରିଚିତ ଭଳି ସମସ୍ତ ପରିଚିତ ।

ଇ–ମାଁ, ପ୍ରଳୟ, ଏଇ ପାହାଡ଼ର ଶିଖରୀ ଦେଖାଯାଉଛି । ଦ୍ରୁତ ପାଦରେ ପାଖକୁଯାଇ ଦେଖିଲି–ଏକ ଧୂସର ମେଘଖଣ୍ଡ ଭଳି ଅରଣ୍ୟର ସବୁଜ ଗଛଲତାର ଫାଙ୍କରେ ପାହାଡ଼ର ଶୀର୍ଷ ଦିଶୁଛି । ଆଉ କେତେ ସମୟ ପରେ ଆମେ ସେଇଠି ପହଞ୍ଚିବୁ । ବର୍ଷାର ଗୋଟାଏ ସ୍ୱପ୍ନ ଗୋଟାଏ ଦୁରନ୍ତ କାମନା ପୂରଣ ହେବା କେତେ ଖୁସି ନହେବ ସେ ସେଠି ପହଞ୍ଚି !

ବର୍ଷା କହିଲା–ନା–ପ୍ରଳୟ ମୁଁ ଆଉ ଯାଇପାରିବି ନାହିଁ । ସମଗ୍ର ଗୋଡ଼ ଦୁଇଟା ମୋର ବାନ୍ଧି ହୋଇଯାଉଛି । ଯେପରି ମାଂସପେଶୀ ଛିଡ଼ି ପଡ଼ିବ । ଛାତିରେ ମୁଁ ଏକ ତୀବ୍ର ଜ୍ଵାଳା ଅନୁଭବ କରୁଛି–ମୁଁ ଆଉ ପାରିବି ନାହିଁ । ମତେ ଲାଗୁଛି ଯେପରି ମୋର ନିଃଶ୍ଵାସ ବନ୍ଦ ହୋଇଯିବ !

ବର୍ଷା ବସିପଡ଼ିଲା ଅଜସ୍ର କ୍ଳାନ୍ତିରେ ପାହାଡ଼ ଉପରେ । ମୁଁ ବୁଝେଇବାକୁ ଚେଷ୍ଟା କରି କହିଲି–ଦେଖ, ତୁମେ ଏଇଠି ରହିଯିବ । ଅଥଚ ପାହାଡ଼ ଉପରକୁ ଯିବାକୁ ତୁମର କେତେ କଳ୍ପନା ଥିଲା । କେତେ ସ୍ଵପ୍ନ ଥିଲା । ପୁଣି କେତେ କଷ୍ଟ । ପୁଣି କେତେ ତ୍ୟାଗ, ପୁଣି କେତେ...ହଠାତ୍ ନକହି ପାରି ମୁଁ ରହିଗଲି । ସେ ମୋତେ ଚାହିଁଥିଲା–ମୁଁ କହିଲି ଆସ ମୋ ହାତ ଧର, ମୁଁ ତୁମକୁ ନେଇଯିବି ପାହଡ଼ର ଶିଖରକୁ ।

ବର୍ଷା ହାତ ଧରି ଛିଡ଼ାହେଲା । ପାଦ ପକାଇଲା...ନୂଆକରି ପାଦ ପକାଉଥିବା ପିଲାଭଳି । ଏକ...ଦୁଇ...ତିନି । ମୁଁ କହିଲି ବାସ୍ ମୋ କାନ୍ଧରେ ହାତ ଗୁଡ଼ାଇ ଦିଅ । ମୁଁ ଧରୁଛି ଶକ୍ତ କରି ତୁମ ଅଣ୍ଟାକୁ–ତା’ପରେ ଚାଲ–ମୋ’ରି ଉପରେ ତୁମର ଭାର ନଦି ।

କଷ୍ଟ ସତ୍ତ୍ଵେ ବର୍ଷା ହସିଉଠିଲା–କହିଲା–ପ୍ରଳୟ, ନା–ସମ୍ପୂର୍ଣ୍ଣ ଅସମ୍ଭବ ମୋତେ ଲାଗୁଛି-। ତୁମେ ବରଂ ଯାଅ, ଚାଲିଯାଅ, ଦେଖିଆସ । ମୁଁ ଏଇଠି ଏମିତି ଅନେଇଛି । ଟିକିଏ କ୍ଳାନ୍ତି ମେଣ୍ଟଉଛି । ମୁଁ କିନ୍ତୁ ଆଉ ପାରିବି ନାହିଁ ।

ନା, ବର୍ଷା ତୁମେ ଏଇଠୁ ଫେରିବ, ତା’ ସମ୍ଭବ ନୁହେଁ ବରଂ ମୁଁ ତୁମକୁ ଏଇ ଆଖି ପାହାନ୍ତାର ଉପରକୁ ନିଶ୍ଚୟ ନେଇଯିବି । ତମେ ଟିକେ ମନ ଦୃଢ଼ କର । ହୁଏତ ଆଉ ଖୁବ୍ ବେଶିରେ ପାଞ୍ଚମିନିଟ୍ । ହୁଏତ କଷ୍ଟ ହେଉଛି–ହେଲେ ଆଉ ଏତିକି ସମୟ ପାଇଁ କ’ଣ ସହ୍ୟ କରିପାରିବ ନାହିଁ । ଏଠୁ ଫେରିଗଲେ କେମିତି ଗୋଟାଏ ଗ୍ଳାନି, ଏକ ପରାଜୟ ଭାବ ଭିତରେ ସନ୍ତୁଳି ହେବାକୁ ପଡ଼ିବ । ତୁମେ ଆଖିବୁଜି ଦେଖିବ, ଆଖି ଖୋଲିଲା ବେଳକୁ ତୁମେ ପାହାଡ଼ ଉପରେ–ଶିଖରୀରେ ।

ଶିଖର ଉପରେ ଯେତେବେଳେ ବର୍ଷା ପାଦ ରଖିଲା, ସେତେବେଳେ ଯନ୍ତ୍ରଣାରେ ବ୍ୟାକୁଳ ଭାବେ ଚିତ୍କାର କରିଉଠିଲା । ଆକୁଳରେ ମୋତେ ମାଡ଼ିବସି କହିଲା–ପ୍ରଳୟ । ପ୍ରଳୟ ମୋତେ ତୁମେ ନେଇଚାଲ । ମୋର ସମସ୍ତ ଦେହ ଥରିଉଠୁଛି । ମୁଣ୍ଡଟା ଯେପରି ଫାଟିଯିବ । ଏକ ଅସହାୟ ନିଃସଙ୍ଗତା ମୁଁ ଏଠି ଅନୁଭବ କରୁଛି–ସେ ମୋତେ ଯେପରି ଭୂତ ଭଳି ଡରାଉଛି । ମୁଁ ଏଠି ମୁହୂର୍ତ୍ତେ ରହିପାରିବି ନାହିଁ–ମତେ ନେଇଚାଲ । ପ୍ଲିଜ୍ ।

ମୁଁ କହିଲି–ତୁମେ ତ ଏଇଠିକୁ ଆସିବାକୁ ଚାହିଁଥିଲ ।

ଏଇ ଶିଖରର ମାୟା ତୁମକୁ ଏକ ଚୁମ୍ବକ ଭଳି ଟାଣୁଥିଲା ।

–ନା–ନା, ମୁଁ ଏଠିକୁ ଆସିବାକୁ ଚାହିଁନଥିଲି–ମୁଁ ଭାବୁଥିଲି ଏଇଠୁ ବହୁଥିବ ଝରଣା–ଧିର ଗତିରେ ପବନର ସ୍ପର୍ଶ ପାଇ ସଂଗୀତ ତୋଳୁଥିବ । ଅନେକ ସୁନ୍ଦର ଲଟା, ଗଛ ଉପରେ ଛନ୍ଦିହୋଇ ଫୁଲରେ ଦୋହଲି ଉଠୁଥିବେ, ଧୀର ପବନ ସ୍ପର୍ଶରେ ଥିବ ଫୁଲର ଗନ୍ଧ ।

ପକ୍ଷୀମାନଙ୍କ କାକଳୀରେ ଥିବ ଜୀବନର ନୂତନ ଇଙ୍ଗିତ–ହେଲେ ପ୍ରଳୟ, ମୁଁ ଏଠି ଏକାକୀ ବୋଧ କରୁଛି । ଏ ଉଚ୍ଚତମ ସ୍ଥାନରୁ ପଡ଼ିଯିବାର ଭୟ ମୋତେ ବିବ୍ରତ କରୁଛି । ମତେ ତୁମେ ନେଇଚାଲ–ପ୍ଲିଜ୍...ବ୍ୟାକୁଳ ଭାବେ ବର୍ଷା କହିଯାଉଥିଲା–ପ୍ଲିଜ୍ ।

ମୁଁ ଭାବୁଥିଲି–ଜୀବନରେ ଯେଉଁ କାମନା ଆମକୁ ଆକର୍ଷଣ କରେ । କରେ ଅସ୍ଥିର ପ୍ରତିମୁହୂର୍ତ୍ତରେ–ସେ ସବୁ କ’ଣ ଏମିତି ଶୂନ୍ୟ–ପାଖରେ ପହଞ୍ଚିଲେ ଏମିତି ଭୟାବହ ?

ଆତଙ୍କିତ ବର୍ଷାକୁ ସାନ୍ତ୍ଵନା ଦେବାକୁ ତା’ ଓଠ ସହ ଓଠ ଲଗାଇ କହିଲା–ବ୍ୟସ୍ତ ହୁଅନା...ଉଠିବାର କଷ୍ଟ ଓହ୍ଲାଇବାରେ ନ ଥାଏ । ବର୍ଷା ଧିରେ ଉଠି ଛିଡ଼ା ହୋଇ ମୋ କାନ୍ଧରେ ହାତଟାଏ ସାପ ଭଳି ଗୁଡ଼ାଇଦେଇ ତଳକୁ ପାଦ ପକାଇଲା ।

Image

 

ସର୍କସ ଚାଲିଛି

 

ଧୂଆଁ ପତ୍ରର ପିକାଟିରେ ନିଆଁ ଲଗାଇ ବୁଢ଼ୀ ଓଠରେ ଜାକିଲା । କାନିରେ ବାନ୍ଧିଲା ପଇସା ଆଠଣା ଓ ଚୂନ ମିଶା ଟିକିଏ ଦୋକତା । ମଇଳା ଲୁଗାଟିକୁ ଦେହରେ ଟାଣିଓଟାରି ଚିରା ପ୍ରତି ସାବଧାନ ରହି ଗୁଡ଼େଇ ହୋଇ ହାତରେ ଓହୋଳେଇଲା କିରୋସିନି ବୋତଲ । ଘରୁ ପାଦ କାଢ଼ି ବାହାରକୁ ବାହାରିଆସିଲାବେଳେ କୁଟା କାଠିର ଧୂଆଁ ଭିତରେ ଚୁଲି ଫୁଙ୍କୁଥିବା ବୋହୂ ପାଟି କରି କହିଲା–ଯା ଶୀଘ୍ର ଆସିବୁ । ଡିବିରେ ତେଲ ଟିକିଏ ନାହିଁ । ପିଲାଟା ଯଦି ଉଠିବ ଅନ୍ଧାରରେ କେଁ କେଁ ହେବ ।

 

ସେ’ ତ କୁଆଡ଼େ ଯାଇଚି ଯେ କେତେବେଳେ ଆଉଚି କେଜାଣି ! ମୁଁ ରୋଷେଇ କରିବି କେମିତି, ପିଲା ଧରିବି କେମିତି ? ଖାଇଲାବେଳକୁ ସମସ୍ତେ ଆସି ପହଞ୍ଚିଯିବେ । ଚୁଲି ଭିତରର ମେଞ୍ଚା ମେଞ୍ଚା ଧୂଆଁ ପଶିଯାଉଛି ଆଖିରେ, କାନରେ, ତଥାପି ଚୁଲି ଜଳୁନି । ଆଖିରୁ ଲୁହ ବୋହିପଡ଼ୁଛି । ବିରକ୍ତିରେ ବୋହୂ ପୁଣି କହିଲା ମରିଯାଆନ୍ତି ଭଲା, ସବୁ ଜଞ୍ଜାଳ ତୁଟିଯାଆନ୍ତା ।

 

ବୁଢ଼ୀ ବାହାରେ ପାଦ ପକେଇଲା କ୍ଷଣି ନ ଶୁଣିଲା ଭଳି ଆଗକୁ ବଢ଼ିଲା । ବଜାର ଅଧାକୋସେ ବାଟ । ଶୀତ ପଡ଼ିଲାଣି । ପହିଲା ମାର୍ଗଶିରରେ ଦେହ ଥରିଉଠୁଛି । ଆଗକୁ ମାଘ । ବାଘ ଭଳି ଆସିବ ଶୀତ । ଚଦର ଖଣ୍ଡେ ବା ଲୁଗା ଖଣ୍ଡେ ନାହିଁ । କେତେ ସେ ଅଖା ଘୋରିହୋଇ ପଡ଼ିରହିବ । ଭାବୁ ଭାବୁ ବୁଢ଼ୀ ପିକାରୁ ଧୂଆଁ ଟାଣିଲା । ରାଗହେଲା ତା’ର ପୁଅ ଉପରେ । ଧାନକାଟି ଯାଇଛି ଯେ ଫେରିନାହିଁ । କାହା ସାଙ୍ଗରେ ବସି ହେଁ ହେଁ ଫେଁ ଫେଁ ହେଉଥିବ । ଏଡ଼ୁଟିଏ ହେଲାଣି ହେଜ ପଶୁ ନାହିଁ । ମଲା ମାଇଲା କାଳ । କୁଆଡ଼େ ଯିବ ସିଆଡ଼େ ନାଗିବ । ଘରକୁ ଆସିଥିଲେ, କିରୋସିନି ପାଇଁ ଯାଇଥାଆନ୍ତା । ସେ ବସିଥାଆନ୍ତା ଚୁଲି ମୁଣ୍ଡରେ । କୁଟା ଜାଳୁ ଜାଳୁ ଦେହକୁ ସେକୁ ଥାଆନ୍ତା । ନିଆଁ ଧାସରେ ତାତି ଯାଉଥିଲେ ଗୋଡ଼ ଉପରେ ହାତ ବୁଲାଉଥାଆନ୍ତା । ଦେହରେ କ’ଣ ଆଉ ରକତ ବା ଯୁ’ ଅଛି ଯେ ଶୀତ କାକର ସହିବା ବ’ସ ଗଡ଼ିଗଲାଣି । ତାରି ବ’ସର ବାବୁ, ବାବୁଆଣିମାନେ କେତେ କ’ଣ ଘୋରି ହୋଇ କବାଟ କିଳି ଗୋଟାଏ ଠା’ରେ ବସୁଛନ୍ତି । ଚା’ ପିଉଛନ୍ତି । ସେ କେତେ ଅନିଭୋଗ କରୁଛି । ଯାହାର ଯାହା ଭାଗ୍ୟ । ଗତ ଜନମରେ ଯିଏ ଯେଉଁ କାମ କରିଛି । ଫଳ ପାଇବ ନାଇଁ ତ ଆଉ କ’ଣ କରିବ । ବୁଢ଼ୀର ମନ ଭିତରେ ଝଲସିଗଲା ଆଗାମୀ ଜନ୍ମର କଥା–କ’ଣ ସେ ହୋଇ ଜନମ ହେବ ? ଏ ଦୁଃଖରୁ କ’ଣ ତାକୁ ରିହାତି ମିଳିବ ନାହିଁ ?

 

ଅନ୍ଧାର ହୋଇଆସୁଛି । ବଜାରରୁ ଲୋକମାନେ ଫେରିଆସିଲେଣି ଘରକୁ । ଶୀତ ରାତିରେ କିଏ କାହିଁକି ବା ଡେରି କରି ରହିବ ବଜାରରେ । ବୁଢ଼ୀ ଭାବିଲା–ଏ ଶୀତରେ ସେ ଏତେବାଟ ଯାଇ ଆସିପାରିବ ନାହିଁ । ଚନ୍ଦରା ଦୋକାନରୁ କିରୋସିନି ନେଇଯିବ ।

 

ଚନ୍ଦରାଟା ଠକ । ତେଲ କମ୍ ଦେବ । ପଇସା ବେଶି ନବ । ବଜାରରେ ତେଲ ଶ ପନ୍ଦର ନୂଆ । ଚନ୍ଦରା ପାଖରେ କୋଡ଼ିଏ । ଏତେ ବାଟ ଆଇଲାଣି; ଆଉ କେତେ ବା ବାଟ ? ଦି’ ଖୋଜର । ବଜାରରୁ ନେଇଆସିବା ଭଲ ।

 

ବୁଢ଼ୀ ତରତର ହୋଇ ଚାଲିଲା । ପିକାରୁ ତଥାପି ଧୂଆଁ ବାହାରୁଛି । ଆଜିକାଲି ଏ ଧୂଆଁ ପତର ଆଗକାର ପତର ଭଳି କଡ଼ା ହେଉ ନାହିଁ । ପାଟିରେ ପକେଇଲେ ପିତା ନାଗୁଛି । ଅଶରଣକୁ ଖାଇବା କଥା–ନହେଲେ ପାଟିରେ ଛାପ ରହିବ ନାହିଁ ।

 

–ଆଜିକାଲି ତ ସବୁ ଦର ବଢ଼ୁଛି । ମହଙ୍ଗା ହେଉଛି । ଟିକିଏ ଯାହାକି ଏଇ କେଇଦିନ ହେବ ଥୟ ଅଛି । ଇନ୍ଦିରାଗାନ୍ଧୀ କିଏ, କ’ଣ ଗୋଟାଏ କହୁଛନ୍ତି, ଇମରଜେଣ୍ଟି କରିଛି । ଦର ବଢ଼ିବ ନାହିଁ । ହେଲେ ଚନ୍ଦରା କେମିତି କିରୋସିନିରେ ପାଞ୍ଚପଇସା ଅଧିକା ନଉଛି !

 

ବୁଢ଼ୀର ମନେପଡ଼ିଲା, ରତନା କହୁଥିଲା କୁଆଡ଼େ ହରିଜନମାନଙ୍କୁ ସରକାର ଜମି ଦେବେ । ପାଦଟିଏ ପକାଇବାକୁ ତ ତାଙ୍କର ଜାଗା ନାହିଁ । ଦିଅନ୍ତେ କି ସରକାର ! ଶାଗ ମୁଗ ଗଣ୍ଡାଏ କରନ୍ତେ ସେଥିରେ ଏ’ ଗାଁର ବାବୁମାନଙ୍କର ତ ପୁଣି ଜମି ପଡ଼ିଆ ପଡ଼ୁଛି–ଚାଷ କରିପାରୁନାହାନ୍ତି । ଯିଏ ଚାଷ କରିପାରିବ ନାହିଁ ସେ କାହିଁକି ଜମି ରଖିବ ? ତାଙ୍କୁ ଦେଲେ ଅବଶ୍ୟ ସେ ଚାଷ କରନ୍ତେ । ମାସେଟାଏ ହେଲେ ତ ପେଟପୂରା କରି ଖାଆନ୍ତେ ।

 

ସରକାର କ’ଣ ମାଗଣା ଜମି ଦେବେ ? ସରକାରଙ୍କର କ’ଣ ଏତେ ଜମି ଅଛି ? ରତନା କହୁଥିଲା–ଯାହାର ବେଶି ଜମି ଅଛି ତାଙ୍କଠାରୁ ନେଇଆସିବେ ।

 

ଇଏ କୁଆଡ଼ିକାର କଥା ! ଯାହାର ବେଶି ଜମି ଅଛି ବୋଲି ତା’ଠାରୁ ନେଇଯିବେ । ସେ ଛାଡ଼ିଦେବ ! କମେଇଛନ୍ତି ସେ ଜମି ନ ହେଲେ ପୁରୁବ ପୁରୁଷରୁ ଅଛି–ତାକୁ ନବା କ’ଣ ସହଜ !

 

ସବୁ ବାଜେ କଥା । ଏତିକି କଥା ପୁଣି ଶୁଣିବାକୁ ମିଳୁଛି । ଯେଉଁ ମହାଜନ ପାଖରୁ ଟଙ୍କା କରଜ ଆଣିଛ, ତାକୁ ଆଉ ଫେରାଇ ଦିଆହେବ ନାହିଁ । ମହାଜନ ପୁଅ ସେ–ସାକ୍ଷାତ ବାଘ, ସେ ରଖିବ ? କାମୁଡ଼ି ଖାଇଯିବ ନାଇ ! କେଶ୍ କରିବ ନାହିଁ । ସେ ତ ପୁଣି ଏଡ଼େ ଚାଲାକ ଯେ ଆଗରୁ ବାଟ ସଫା କରିଛି । ଦଶ ଟଙ୍କାର ଜିନିଷଟାଏ ଦେଲେ, ବିକଳ ହେଲେ ଦି’ଟଙ୍କା ଦେବ । ନ ହେଲେ ମୁହେଁ ମୁହେଁ ନାହିଁ କରିଦେବ ।

 

ବୁଢ଼ୀ ଭାବିଲା ସରକାର ଯାହା କରୁଛନ୍ତି, ଲୋକଙ୍କ ଭଲ ପାଇଁ, ହେଲେ ଏଇ ଲୋକ ଗୁଡ଼ାକ ବଦମାସ । ସବୁ ଭଣ୍ଡୁର କରିଦେଉଛନ୍ତି ।

 

ବୁଢ଼ୀ ଆଗକୁ ଚାଲୁଥିଲା । ଦେହରେ ବାଜୁଥିଲା କାଲୁଆ ପବନର ଧୀର ପ୍ରବାହ । ସେ ଅନୁଭବ କଲା ପିକାରୁ ନିଆଁ ଲିଭିଗଲାଣି । ପାଟିରୁ କାଢ଼ି ହାତରେ ଦେଖିଲା–ହଁ ନିଭିଗଲାଣି । ଯାଉ, ବଜାରରେ ଥରେ ନଗେଇବା । ବୁଢ଼ୀ ଆଗକୁ ଚାହିଁଲା–କିଏ ସତିଆ ହେବ ପରା !

 

ହଁ, ସତିଆ । ବଜାରରୁ ଫେରୁଛି । ଆଉ ଦୁଇଜଣ ବାବୁଙ୍କ ସାଙ୍ଗରେ କ’ଣ ଗପସପ ହୋଇ ।

 

କୁଆଡ଼େ ଯାଉଛୁ କିଲୋ ବୁଢ଼ୀ ? ସତିଆ ପଚାରିଲା ।

 

ବଜାରକୁ ବା ।

 

କାଇଁକି ଯାଉଛୁ ?

 

ଡିବିତେଲ ପାଇଁ ।

 

ଦୋକାନ ସବୁ ବନ୍ଦ ହେଲାଣି । ଆ, ଫେରିଆ । ଆଗକୁ ବଢ଼ୁ ବଢ଼ୁ ସତିଆ କହିଦେଇ ବାବୁଙ୍କ ସାଙ୍ଗରେ କଥା ଆରମ୍ଭ କରି ପୁଣି ଚାଲିଲା ।

 

ବୁଢ଼ୀ ଛିଡ଼ା ହୋଇ ଭାବିଲା–ବେଳବୁଡ଼ଟାରେ ଦୋକାନ ବଜାର ବନ୍ଦ ହେବ । ରାତି ଅଧଯାଏ ସବୁଦିନେ ଖୋଲାଥାଏ । ସତିଆ ବୋଧେ ଥଟ୍ଟା କଲା । ସେ କ’ଣ କମ୍ ଖଣ୍ଡେ କି ! ଯଉଁ ବାହାପିଆ ମିଛୁଆ ! ସେଦିନ ଅନଉ ଅନଉ କଜିଆ ଲଗେଇ ଦେଇଥାଆନ୍ତା !

 

ମୁହଁ ଟେକି ବୁଢ଼ୀ ଆଗକୁ ଚାହିଁଲା । ବଜାରରେ ପାଟି ଶୁଭୁଛି । ଦେଖାଯାଉଛି ଆଲୁଅ । ଲୋକ ଯା’ଆସ କରୁଛନ୍ତି । ଦୋକାନ କାଇଁକି ବନ୍ଦ ହେବ ? ବାହାପିଆ ସତିଆ ମିଛ କଥା କହିଛି-। ବୁଢ଼ୀ ଭାବିଲା–ଶିଘିର ଯାଇ ତା’ର ଦୋକାନରେ ପହଞ୍ଚିବା ଉଚିତ । ନ ହେଲେ ଦୋକାନୀକୁ ମାଗୁଥା । ସବୁ ଶୁଣିଲେ ନ ଶୁଣିଲା ଭଳି ମୁହଁକୁ ଅନେଇ ରହିବେ । ଲୋକ ଦେଖି କାରବାର ତାଙ୍କର । ବାବୁମାନେ ଆସୁଥିବେ ଜିନିଷ ମାଗି ଦେଉଥିବେ, ନେଇ ଚାଲିଯାଉଥିବେ । ୟାଙ୍କ କଥା ଶୁଣୁଛି କିଏ ? ଦେବେ ଦେବେ ବୋଲି ଘଡ଼ିଏ ଚାଲିଯିବ । ସତରେ ଯେପରି ବାବୁମାନେ ଖାଲି ପଇସା ଦେବେ, ଏମାନେ ଦେବେ ଗୋଡ଼ି ବା ମାଗଣାରେ ନେବେ । ବାବୁମାନେ ଧମକେଇବେ । ଦି’ଚାରି ପଇସା କାଟିଦେଇ ପକାଇ ଦେଇଆସିବେ, ଦୋକାନୀ ନବ-। ଇଏ ଯେତେ କହିଲେ ଛଦାମେ ଛାଡ଼ିବ ନାହିଁ । ବୁଢ଼ୀ ବୁଝିପାରେ ନାହିଁ ଏ ସବୁ କଥା । ତାକୁ ଖାଲି ସବୁ ଓଲଟା ଜଣାଯାଏ-। ଯିଏ ଧମକଉଛି, ପଇସା କାମ ଦେଉଛି, ଡେରି ଟିକିଏ ହେଲେ ପାଟି କରୁଛି, ଏ ଦୋକାନୀ ତାଙ୍କ କଥା ଶୁଣୁଛନ୍ତି, ହେଲେ ଯିଏ ପଇସା ବେଶିଦିଏ, ଜିନିଷ କମ ପାଏ, ଘଡ଼ିଏ ମାଗି ମାଗି ଅପେକ୍ଷା କରେ, ବିକଳ ହୋଇ କୁହେ, ବାବୁ ଡେରି ହୋଇଯାଉଛି ରୋଷେଇ ହବ, ଚୁଲି ନିଭିଥିବ, ତାଙ୍କ କଥା ଶୁଣି ଦୋକାନୀ ଖିଙ୍କାରି ହୁଏ କହେ–ଆବେ ଡେରିହୋଇଯାଉଛି ତ ଆଉ କେଉଁଠୁ ଯା’ ଆଣିବୁ । ମୁଁ କ’ଣ ଫାଡ଼ିହେବି !

 

ବଜାର ଭିତରେ ପଶିଯାଇ ବୁଢ଼ୀ ଦେଖିଲା ଲୋକଗୁଡ଼ାକ ମଳା ମଳା ହେଉଛନ୍ତି । ପ୍ରଥମେ ସେ କିଛି ଅନୁମାନ କରିପାରିଲା ନାହିଁ । ଆଗକୁ ଚାହିଁ ଦେଖିଲା–ଲୋକଙ୍କ ଭିତରେ ପୁଲିସ । ମୁଣ୍ଡରେ ଟୋପି । ହାତରେ କାହାର ବନ୍ଧୁକ, କିଏ ଠେଙ୍ଗା ଧରି ଛିଡ଼ା ହୋଇଛନ୍ତି ଚୁପଚାପ୍-। ତାଙ୍କୁ ଘେରିଥିବା ପିଲାଙ୍କ ଆଖିରେ କୌତୂହଳ । ବୟସ୍କଙ୍କ ଆଖିରେ ଘଟଣାକୁ ଠିକ୍ ବୁଝିଥିବାର ସ୍ଥିର ଚିନ୍ତାର ଭାବ । କେଇଜଣ ବାବୁ ପୁଣି ହସି ହସି କ’ଣ କ’ଣ ଗପି ଯାଉଛନ୍ତି । ରାସ୍ତା କଡ଼ରେ ଗୋଟାଏ ମଟର । ତା’ଉପରେ ଯତନରେ ଟଣାଯାଇଛି ପାଲ । ତା’ ଭିତରେ ବସିଛନ୍ତି ଜଣେ ବାବୁ-। ଚଷମା ପିନ୍ଧିଛନ୍ତି । ବେକରେ କ’ଣ ଗୋଟାଏ ଛିଟ କନାଟାଏ ବାନ୍ଧିଛନ୍ତି । ସେ ଲମ୍ବିପଡ଼ିଛି ପେଟଯାଏଁ । ଗମ୍ଭୀର ହୋଇ ବସିଛନ୍ତି ସେ । ତାଙ୍କଠାରୁ ଦୂରରେ ଛିଡ଼ା ହୋଇଛନ୍ତି ପୋଲିସ ।

 

ପୋଲିସ କାହିଁକି ଛିଡ଼ା ହୋଇଛନ୍ତି ବୁଢ଼ୀ ବୁଝିପାରିଲା ନାହିଁ । ତାକୁ ଲାଗିଲା ଏଠି ଗୋଟାଏ ଜାନକାରି କେସ୍ କି ମଡ଼ର କେସ୍ ହୋଇଛି ବା କିଛି ଗଣ୍ଡଗୋଳ ହୋଇଛି । ହେଲେ ସେ କାହାକୁ ପଚାରିବ–ଘଟଣା କ’ଣ ?

 

ଫୁଲୁପେଣ୍ଟ ପିନ୍ଧା ଜଣେ ହସୁକୁଡ଼ା ଟୋକା ସେଠି ଠିଆହୋଇ ସିଗାରେଟ ଟାଣୁଥିଲା । ବୁଢ଼ୀ ମନରେ ସାହସ ଧରିବସିଲା, ତାକୁ ପଚାରିବ ।

 

–ପୁଅ କ’ଣ ହୋଇଛି କି ?

 

କଉଁଠି ? ଟୋକାଟି ସିଗାରେଟ ଧୂଆଁ ଛାଡ଼ି ପଚାରିଲା ।

 

–ଏଇଠି । ପୁଲିସବାଲା କାଇଁ ଏତେ ଜମା ହୋଇଛନ୍ତି ।

 

ସର୍କସ ଚାଲିଛି । ଉତ୍ତର ଦେଇ ସେ ସାଡ଼କୁ ଅନେଇଲା ।

 

ସର୍କସ ଚାଲିଛି !

 

ବୁଢ଼ୀ ଭାବିଲା–କି ସରକସ । ଗତସନ ସରକସ ଆସିଥିଲା ଯେ ଚାରିଆଡ଼େ ରେଡ଼ିଓ ବୁଲି କହୁଥିଲା । ବାଘ, ଭାଲୁ, ଗଣ୍ଡା, ହାତୀ, ମାଇକିନିଆ, ମଲ, ସମସ୍ତେ ଆଇଚନ୍ତି ଖେଳ ଦେଖାଇବେ । ଏସନ ତ ପ୍ରଚାର ହୋଇନାହିଁ । ସେ ସରକସ ବାଲା କୁଆଡ଼େ ଏଠୁ ଗୁଡ଼ାଏ ଟଙ୍କା ନେଇଗଲେ ବୋଲି ଲୋକେ କୁହାକୁହି ହେଲେ । ଏଥର ପୁଣି କେତେ ଟଙ୍କା ନବ । ସରକସ୍‍ ବାଲାର ମନ ଲାଗିଛି । ହେଲେ ଏ ସନ ତ ବଢ଼ିରେ ଲୋକଙ୍କର ଆଉ କିଛି ନାହିଁ । ପଇସା କେଉଁଠୁ ପାଇବେ ଯେ ଥରକୁ ଦୁଇଥର ଦେଖିବେ !

 

ବୁଢ଼ୀ ଭାବିଲା ତା’ର ଡେରି ହୋଇଯାଉଛି । ଡେରିରେ ପହଞ୍ଚିଲେ ବୋହୁ ଶୋଧିବ । ଅଖାଡ଼ୁଆ କରି ଗାଳି ଦେବ । ବଜାର ଭିତରକୁ ପଶିଯାଇ ବୁଢ଼ୀ କାବା ହେଲା । ସବୁ ଦୋକାନ ପଟା ବନ୍ଦ । ସତିଆ ଯାହା କହୁଥିଲା–ସତ କହୁଥିଲା । ବୁଢ଼ୀ ଆଗକୁ ଚାଲିଲା, କାଳେ ଆଗରେ ଦୋକାନ ଖୋଲାଥିବ । ହେଲେ ସବୁ ବନ୍ଦ । ଗୋଟାଏ ବଡ଼ ଦୋକାନ ଖୋଲାଥିଲା । ତା’ ଆଗରେ ଦି’ଜଣ ପୋଲିସ ବନ୍ଧୁକ ଧରି ଛିଡ଼ା ହୋଇଛନ୍ତି । ଦୋକାନୀ ବାହାରେ ଛିଡ଼ା ହୋଇ ସେ ଗହଳିଆଡ଼କୁ ଅନେଇଛି । ବୁଢ଼ୀକୁ ଡର ଲାଗିଲା । ଗୋଟାଏ ଗରାକ ସେଠି ନାହାନ୍ତି । ସେ ବି ସେଠିକୁ ଯାଇପାରିଲା ନାହିଁ । ଭାବିଲା, ଚନ୍ଦରା ଦୋକାନରୁ ବେଶି ପଇସା ପଡ଼ୁ ପଛେ ସେଇଠୁ ତେଲ ନବ ।

 

କି ସରକସ ଆସିଛି ଯେ ଦୋକାନ ପଟା ସବୁ ବନ୍ଦ । ତାକୁ ଲାଗିଲା–ନା, ଏ ସରକସ ନୁହେଁ, ଆଉ କ’ଣ ? ସେ ବାବୁ ତାକୁ ମିଛ କହିଲେ । ସରକସ ଦିନେ ତ ଦୋକାନ ଡେରିଯାଏ ଖୋଲାଥାଏ । ପୋଲିସ ନ ଥାଏ । ହଉ, ଯାହା ହେଉଛି ହେଉ । ତା’ର କ’ଣ ଅଛି ? ସେ ଫେରିଯିବ । ଘର ସାଡ଼େ ଅନ୍ଧାର ହେବଣି । ପୁଣି ପିଲାଟା ଯଦି ଉଠିଥିବ କେଁ କେଁ ହେଉଥିବ । ତା’ ବୋଉ କ’ଣ ସଜର ଲୋକ ଯେ ପିଲାଟାକୁ ବୁଝେଇଦେବ ବା ଦୁଧ ଖୁଆଇ ଶୁଆଇ ଦେବ !

 

ଦୁଧ ଖିଆ କଥା ମନେପଡ଼ିବାରୁ ବୁଢ଼ୀକୁ ହସମାଡ଼ିଲା । ସେଦିନ ପଞ୍ଝାଏ ଟୋକା କଥା ହେଉଥିଲେ । ମା’ ମାନେ କୁଆଡ଼େ ଛୁଆକୁ ଆଉ ଦୁଧ ଦେଉନାହାନ୍ତି–ଥନ ଭାଙ୍ଗିଯିବ ବୋଲି । ଇଏ ପୁଣି କି କଥା । ପିଲାଟି ବଞ୍ଚିବ କେମିତି ? ମା’ ଥନରୁ ଦୁଧ ନ ଖାଇଲେ ଯୁ’ ଆସିବ କୁଆଡ଼ୁ । ଭଗବାନ ତ ଥନ ଦେଇଛନ୍ତି ସେଇଥିପାଇଁ । ପିଲାଟି ମାଟିରେ ପଡ଼ି କୁଆଁ କୁଆଁ ହେଲେ, ପାଟିରେ ଥନ ପୂରାଇ ତାକୁ ତୁନି କରେଇ ଦେବେ । ଭୋକ ମାରିବେ ।

 

ବୁଢ଼ୀର ମନ ଭିତରେ ଏକ ବିଜାତୀୟ ବିଷାକ୍ତ ଭାବ ମଥା ପିଟୁଥିଲା । ବୁଢ଼ୀ ଅନୁଭବ କରୁଥିଲା ଏ ନଷ୍ଟ ସୃଷ୍ଟିର ଉପାଖ୍ୟାନ । ମନ୍ତ୍ର ତା’ର ଭାଷା ନ ଥିଲା ପାଟିରେ । ତା’ ଅନୁଭୂତିକୁ ଭାଷା ଯଦି ରୂପ ଦିଅନ୍ତା ତେବେ ସେ କହନ୍ତା–

 

ଆଜିକାଲି ମାତୃତ୍ୱର ଗୌରବ ଅପେକ୍ଷା, ଏକ ମାନସିକ ବେଶ୍ୟାଟିର ନାରୀମାନଙ୍କୁ କରିଛି ଅଧିକ ସଚେତନ ।

 

ବୁଢ଼ୀ ଯିବାକୁ ବାହାରି ଚାରିଆଡ଼କୁ ଚାହିଁଲା ସାଙ୍ଗଟିଏ ଖୋଜିବାକୁ । ଆଗରେ ତା’ର ଚାଲିଛି ରତନା । ତା’ ସାଙ୍ଗରେ ଚାଲିଛନ୍ତି ଆଉ ଦି’ଜଣ ସେଇ ଗାଁର କଲେଜ ପଢ଼ା ବାବୁ । ଶରତବାବୁ ଘନବାବୁ । ବୁଢ଼ୀ ଡାକିଲା ରତନା । ରତନା–ଘରକୁ ଯାଉଛୁ । ରହ । ରହ ଯିବା । ଅନ୍ଧାର ହେଲାଣି ଦେଖାଯାଉଛି କ’ଣ ଆଉ ମତେ । ଆଖିରୁ ତ ଯୋର ଗଲା ।

 

ରତନା ପଛକୁ ଅନେଇଲା । ବାବୁମାନେ ଫେରି ଚାହିଁଲେ । ବୁଢ଼ୀ ତାଙ୍କୁ ଧରିବାଲାଗି ଆଗକୁ ପାଦ ପକାଇଲା ଜୋରରେ । ପାଖରେ ପହଞ୍ଚି ଦେଖିଲା ରତନା ସଁ ସଁ ହୋଇ କାନ୍ଦୁଛି । ବୁଢ଼ୀ ବୁଝିପାରିଲା ନାହିଁ କିଛି । ତା’ ଭିତରେ ବଳେ ବଳେ ଏକ ମାତୃତ୍ଵ ସୁଲଭ ଭାବ ଚେଇଁଉଠିଲା ସେ ପଚାରିଲା–

 

କ’ଣ ହେଲା କିରେ, ରତନା ?

 

ରତନା ନୀରବ ରହିଲା ।

 

ଘନବାବୁ କହିଲେ, ତା’ ସାଇକେଲ ମୋବାଇଲ କୋର୍ଟ ଜବତ କରିଛି ।

 

ମୋବାଇଲି କୋର୍ଟ କ’ଣ ବା ବାବୁ ? ବୁଢ଼ୀ ପଚାରିଲା ।

 

ଆରେ, ଯିଏ ଅସୁବିଧା କରିବ ବା ନିୟମ ଭଙ୍ଗ କରିବ, ସେମାନେ ତାଙ୍କୁ ଧରି ଦଣ୍ଡ ଦେବେ ! ହସି ହସି ଶରତବାବୁ କହିଲେ ।

 

–ରତନା କ’ଣ କଲାକି ?

 

ରତନା କହିଲା–ତୁ’ତ ଜାଣିଛୁ ତିନିଦିନ ହେଲା ବୋଉକୁ ଜର । ପାଟିରେ ଟିକିଏ ପାଣି ଦବାକୁ ନାଇଁ । ଡାକତର କହିଲା ତାକୁ ସାଗୁ ଖାଇବାକୁ ଦେବାକୁ । କାମ ସାରି ମୁଁ ଶୀଘ୍ର ଆସି ନେଇଯିବି ବୋଲି ହରିବାବୁଙ୍କଠାରୁ ତାଙ୍କ ସାଇକେଲ ଟିକିଏ ମାଗି ଆଣିଥିଲି । ରାସ୍ତାକଡ଼ରେ ଦୋକାନ ଆଗରେ ସାଇକେଲ ରଖି ଶାଗୁ କିଣୁଛି । ଦୁଇଟା ପୋଲିସ, ଗୋଟାଏ ବାବୁ ଆସି ସାଇକେଲକୁ ଧରିପକାଇ ପଚାରିଲେ:

 

–ଇଏ କାହା ସାଇକେଲ୍ ?

 

–ମୋର । ମୁଁ କହିଲି, ରତନା କହିଲା ।

 

ଏ ରାସ୍ତା ଉପରେ କାହିଁକି ରଖିଛୁ । ଯାନବାହନ ଯିବାରେ ଅସୁବିଧା ହେଉଛି । ପାଞ୍ଚଟଙ୍କା ଫାଇନ କରାଗଲା ।

 

ମୁଁ କାବା ପାଲଟିଗଲି । କହିଲି, ବାବୁ ଯେ ସାଇକେଲ ମୋର ନୁହେଁ । ହରିବାବୁଙ୍କର ମାଗିକରି ଆଣିଛି ଶାଗୁ କିଣିବି ବୋଲି । ପାଞ୍ଚଟଙ୍କା ମୁଁ କେଉଁଠୁ ଦେବି ।

 

–ଯୁକ୍ତି କରୁଛୁ ! ଦଶଟଙ୍କା ଫାଇନ କରାଗଲା ।

 

ମୁଁ କିଛି ବୁଝିପାରିଲି ନାହିଁ । ଗାମୁଛାରେ ଶାଗୁ ବାନ୍ଧୁ ବାନ୍ଧୁ ହାତରୁ ଖସିପଡ଼ି ବୁଣିଗଲା । ବାବୁ ଦୁଇଜଣ ହସିଉଠିଲେ । ମୁଁ ରାଗିଉଠିଲି ହେଲେ କିଛି ନ କହି ସାଇକେଲ ଧରି ନେଇଯିବାକୁ ବାହାରିଲି । ପୋଲିସ ଦୁଇଜଣ ମୋ ହାତକୁ ଧରିପକେଇଲେ । ବାବୁ ଜଣକ କହିଲେ–ଛଡ଼ାଉଛୁ–ପନ୍ଦର ଟଙ୍କା ଫାଇନ । ଆଚ୍ଛା ଲାଇସେନ୍ସ ଅଛି, ଦେଖା । ମୋ ପାଟିରୁ କଥା ବାହାରିଲା ନାହିଁ–କଷ୍ଟରେ କହିଲି–ସାଇକେଲ ହରିବାବୁଙ୍କର ତାଙ୍କରିଠାରୁ ମୁଁ ମାଗି ଆଣିଥିଲି । ତାଙ୍କରି ପାଖରେ ଲାଇସେନ୍ସ ଥିବ !

 

ପୋଲିସ ବାବୁଟି ସାଇକେଲଟି ଧରିଥାଆନ୍ତି । ଆଉଜଣେ ପଚାରିଲେ–

 

–ଏ, ତୋ ନାଁ କ’ଣ ?

 

–ରତନା ମଳିକ ।

 

–ବାପା ନାଁ ?

 

–ଗନ୍ଧର୍ବ ମଳିକ ।

 

–ଘର କେଉଁଠି ?

 

–ମାଟିଆ ।

 

–ଥାନା ତ’ ଏଇ ପଟ୍ଟାମୁଣ୍ଡାଇ ?

 

ଆଜ୍ଞା ହଁ । ମୁଁ ଡରି ଡରି ଉତ୍ତର ଦେଲି ସେ ସବୁ ଟିପି ରଖିଲେ ସାଇକେଲ ଧରି ପୋଲିସବାଲା ଡାକବଙ୍ଗଳା ପାଖକୁ ଆଣିଲେ । ମୁଁ ବିକଳ ହୋଇ ତାଙ୍କୁ କହିଲି–ବାବୁ ମୋର ଭୁଲ୍ ହୋଇଛି । ମୁଁ ଗରିବ ଲୋକ । ବୋଉକୁ ତିନିଦିନ ହେବ ଜର, ଶାଗୁ ନେବାକୁ ସାଇକେଲ ମାଗି ଆଣିଥିଲି ଏତେକଥା ମୁଁ ଜାଣିନଥିଲି । ମୂଲିଆ ଲୋକମାନେ ଏତେ ଟଙ୍କା କେଉଁଠୁ ପାଇବୁ । ଏଇ ଥରକ ଛାଡ଼ିଦିଅନ୍ତୁ । ମୋ କଥା ନଶୁଣିଲା ଭଳି ବାବୁମାନେ ଚାଲୁଥାଆନ୍ତି–ଜଣେ ଚିଡ଼ିଉଠି କହିଲେ–କାଇଁକି ପାଟି କରୁଛୁ । ଟଙ୍କା ଆଣ । ଲାଇସେନ୍ସ ଦେଖା ଗାଡ଼ି ନେଇଯିବୁ ।

 

ଏତିକିବେଳେ ଘନବାବୁ ପଛରୁ ଡାକି ମତେ କହିଲେ–ତାଙ୍କ ସାଙ୍ଗରେ ଯୁକ୍ତି କରନା । ଆ’ ହରିଦାଦାଙ୍କୁ କହିବା । ରତନା କହୁ କହୁ ପୁଣି କାନ୍ଦିଉଠିଲା ।

 

ବୁଢ଼ୀ ପଚାରିଲା–ହଇଓ ବାବୁ ଇଏ କି କଥା ?

 

ମୋବାଇଲ କୋର୍ଟର ତ ସେଇଆ ନିୟମ । ଶରତବାବୁ ଉତ୍ତର ଦେଲେ ।

 

ଇଏ କି ନିଅଁମ ବା ? ରତନା ଉପରକୁ ପୁଣି ବୁଢ଼ୀ ବିରକ୍ତ ହୋଇଉଠିଲା, କହିଲା–ଏ ଟୋକା ଖଣ୍ଡିକ କ’ଣ କମ୍ ରସିକ କି ! ସାଇକେଲରେ ଆସିବ, ବାବୁଙ୍କ ଗୋଡ଼ ମାଟିରେ ନାଗିବନାଇଁ । ଯା ବାବୁ ପାଲୁଟୁଥିଲୁ, ଦେ ଅବିକା ପନ୍ଦର ଟଙ୍କା ସାଇକେଲ ଚଢ଼ା ଗୁଣ ପା’ ।

 

ରତନା କାନ୍ଦୁଥିଲା । ବୁଢ଼ୀ ସିନା ରାଗରେ ଏତେକ କହିପକାଇଲା ପରେ ସେ ବୁଝିଲା ରତନାର ଅବସ୍ଥା–ପନ୍ଦର ଟଙ୍କା କିଏ ସେ କିଏ ? ମୂଲ ଆଣିଲେ ହାଣ୍ଡି ଚୁଲିକୁ ଯିବ । ଟଙ୍କା କଥା ଶୁଣିଲେ ତା’ ବାପା ତାକୁ ରଖିବ ! ବୋଉ ତ ସହଜେ ବେମାର; ହୋସ ଉଡ଼ିଯିବ । କିଛି ସମୟ ନୀରବରେ ଚାଲି ବୁଢ଼ୀ ପୁଣି ପଚାରିଲା–ହଇଓ ବାବୁ ଦୋକାନ ବଜାର କାଇଁକି ବନ୍ଦ ? କିରୋସିନି ପାଇଁ ଯାଇଥିଲି ଯେ ଟୋପିଏ ପାଇଲି ନାହିଁ ।

 

ଏ ଯେଉଁ ବ୍ୟବସାୟୀମାନେ ସମସ୍ତେ, ଅସାଧୁ, ହସି ହସି ଶରତ ବାବୁ କହିଲେ–କେଉଁଠି ମନଇଚ୍ଛା ଦର ବଢ଼ାଉଛନ୍ତି ତ କେଉଁଠି ଅଟାରେ ଅଖାଦ୍ୟ ମିଶାଉଛନ୍ତି–ସେମାନେ ବନ୍ଦ କରିବେ ହିଁ କରିବେ । ନହେଲେ ଜେଲ ଯିବେ ଯେ !

 

–ଜେଲ୍ ଯିବେ ?

 

–ହଁ । ଯାଇପାରନ୍ତି । –କିଏ ତାଙ୍କୁ ନେବ ?

 

ସରକାର । ପୋଲିସବାଲା । ଘନବାବୁ ଉତ୍ତର ଦେଲେ ।

 

ସେମାନଙ୍କୁ ନଉନାହାନ୍ତି କାହିଁକି ବାପା ? ଦର ବଢ଼େଇ ବଢ଼େଇ ଆମକୁ ମାରିସାରିଲେଣି । ଜିନିଷ ପାଇଁ ଗଲାବେଳକୁ ଦୋକନ ପୁଣି ବନ୍ଦ ହେଉଛି । ବାବୁ, ପୁଣି ଖୋଲିବ କେବେ ?

 

–ମୋବାଇଲ କୋଟ ଗଲେ ।

 

ବନ୍ଦ ରଖିଲେ ମୋବାଇଲ କୋଟ କିଛି କ’ଣ ତାଙ୍କର କରିପାରିବ ନାହିଁ ?

 

–କରିପାରିବ ।

 

ତା’ହେଲେ ସେ ବନ୍ଦ କଲେ କାହିଁକି ?

 

ସମସ୍ତଙ୍କୁ ଭୂତେଇବାକୁ । ଉତ୍ତରଦେଲେ ଘନବାବୁ ।

 

ଆଚ୍ଛା ବାବୁ ଚନ୍ଦରା ଦୋକାନ କ’ଣ ବନ୍ଦଥିବ ? ବୁଢ଼ୀ ପଚାରିଲା ।

 

–ନା ।

 

ଆଉ ?

 

ସେମାନେ ଗାଡ଼ିନେଇ ଏତେ ଭିତରକୁ ଯାଇପାରିବେ ନାହିଁ ।

 

ବଜାରଠାରୁ ତ ଚନ୍ଦରା ବେଶି ଦର ନେଉଛି । ଯାହାହେଉ ସେଇଠୁ ତେଲ ଟିକିଏ ନେଇଯିବି । ନହେଲେ ରାତିଟାଯାକ ଅନ୍ଧାର ହେବ ।

 

ହଠାତ୍ ଘନବାବୁ ଶରତବାବୁଙ୍କୁ ପଚାରିଲେ–ଏ ଖେଳ ଆଉ କେତେଦିନ ଚାଲିବ ?

 

ବୁଢ଼ୀ କିଛି ନବୁଝିପାରି ପୁଣି ପଚାରିଲା–କେଉଁ ଖେଳ ?

 

–ଏଇ ଲୁଚକାଳି ଖେଳ !

 

ରଚନା ତଥାପି କାନ୍ଦୁଥିଲା । ବୁଢ଼ୀ କହିଲା–କାନ୍ଦନା, ଯା ହରି ବାବୁଙ୍କୁ ସବୁକଥା କହିବୁ-। ସେ ରକ୍ଷା କରିବେ । ବୁଢ଼ୀର ହଠାତ୍ ମନେପଡ଼ିଲା–ସର୍କସ କଥା । ସେ ଘନବାବୁଙ୍କୁ ପଚାରିଲା ।

 

ବାବୁ ସରକସ କୁଆଡ଼େ ଆସିଛି; ସରକସ ?

 

କେଉଁଠିକୁ ? ଘନବାବୁ ପଚାରିଲେ

 

ଏଇଠିକି । ଜଣେ ବାବୁକୁ ପଚାରିଲି, ଲୋକ ପଞ୍ଝା ପଞ୍ଝା ହେଉଥିବାର ଦେଖି ଯେ, ସେ କହିଲେ–ସରକସ ଚାଲିଛି ।

 

ହସିଉଠି ଶରତବାବୁ କହିଲେ–ହଁ ସରକସ ତ ଚାଲିଛି–ସେ ପୁଣି କେଉଁଠି ?

 

ଏଇଠି ପରା ।

 

–ମୁଁ ବୁଝିପାରୁ ନାହିଁ । ବୁଢ଼ୀ କହିଲା–ତମେ କ’ଣ କହୁଛ ବାବୁ ।

 

ସରକସର ହିଂସ୍ର ମହାବଳ ବାଘକୁ ଛାର ଗୋଟାଏ ମଣିଷ ଖଣ୍ଡେ ଲୁହା ଚାବକ୍ ଧରି ଖେଳାଏ । ବାଘ ଡରି ଡରି ତା’ କଥା ମାନେ । ଖେଳ ଦେଖାଏ । ଦିନେ ଦିନେ ଯଦି କେବେ ବାଘ ମୁଣ୍ଡ ବିଗିଡ଼ିଯିବ ନା... ।

 

ଦୁଇ ବନ୍ଧୁ ହୋ ହୋ ହୋଇ ହସିଉଠିଲେ । ବୁଢ଼ୀ କହିଲା–ହଉବାବୁ, ମୁଁ ଯାଉଛି ଏଇ ଗୋହରିରେ ଚନ୍ଦରା ଦୋକାନରୁ ତେଲ ନେବି । ସାଡ଼େ ଘର ଅନ୍ଧାର ହେବଣି ।

Image

 

Unknown

ଚନ୍ଦ୍ରସେଣାର ଦୁଃଖ

 

ଆଃ...ମୁଁ ଚନ୍ଦ୍ରସେଣା । ଚନ୍ଦ୍ରସେଣା । ଚନ୍ଦ୍ର...ସେଣା । ରାଧା ମୋର ସ୍ତ୍ରୀ । ଆଉ ମୁଁ କୁଆଡ଼େ ତା’ର ସ୍ଵାମୀ । ତା’ର ଦେହର, ମନର ସବୁର ଅଧିକାରୀ !

ହୁଁଃ-

ରୂପସୀ ସେ ! ପଦ୍ମିନୀ ନାୟିକା ରାଧାର ଚାଲିରେ ଅଛି ଛନ୍ଦ । ଆଖିର ଚାହାଣୀରେ ଅଛି ଅନ୍ୟକୁ ବିମୋହିତ କରିବାର ମାୟା । ହସରେ ମୁକ୍ତା ଝରେ । ଅଧରରେ କୃଷ୍ଣଚୂଡ଼ାର ଛଟା । ଗଣ୍ଡରେ ରକ୍ତଜବାର ପ୍ରଥମ ଉନ୍ମୋଚନର ଅହଙ୍କାର । କଥା ତା’ର ପଶୁପକ୍ଷୀଙ୍କୁ ତନ୍ମୟ କରେ । ଦୁରନ୍ତ ଏକ ତାତ୍ସଲ୍ୟର ମଧୁର ଝଙ୍କାର ଭାବି ଯାହା ପୁଣି ସଙ୍ଗୀତମୟ । ସିଂହକଟୀ ଲାବଣ୍ୟମୟୀ ଷୋଡ଼ଷୀ ରାଧାର ଅଙ୍ଗରେ ଚିରବସନ୍ତର ଲାବଣ୍ୟ ।

ଏସବୁ, ଏସବୁ କିନ୍ତୁ ମୋପାଇଁ ନୁହେଁ । ଚନ୍ଦ୍ରସେଣା ପାଇଁ ନୁହେଁ । ନୁହେଁ ତା’ର ସ୍ଵାମୀ ପାଇଁ । ଚନ୍ଦ୍ରସେଣା ଦୀର୍ଘଶ୍ଵାସ ପକାଏ । ଗ୍ଳାନିର ସେଇ ଆହତ ଦୃଷ୍ଟି ଲମ୍ବିଯାଏ ଶୂନ୍ୟର ପରଦା ଭେଦି । ପୁଣି କେତେବେଳେ ଚନ୍ଦ୍ରସେଣା ଅତିଷ୍ଠ ହୋଇ ଅନ୍ତର୍ଦାହରେ ସ୍ୱଗତୋକ୍ତି କରେ,–ଆଃ...

ରାଧା !

ରାଧା–କଳଙ୍କିନୀ । ରାଧା–ପରପୁଂଷରତା । ଚନ୍ଦ୍ରସେଣାର ପତ୍ନୀ ହୋଇ, ଅନ୍ୟ ପ୍ରେମରେ ଆସକ୍ତା,–କୁଳଟା ସେ ।

–ଚନ୍ଦ୍ରସେଣା ବଂଶର କଳଙ୍କ ।

–ପୂର୍ବ ପର ପୁରୁଷଙ୍କର ଜୀବନବ୍ୟାପୀ ନର୍କ ଯନ୍ତ୍ରଣା ଭୋଗର ହେତୁ ।

–ବନ୍ଧୁ ଅନୁଗାମୀଙ୍କ ପାଖରେ ତା’ର ହୀନମନ୍ୟତାର, ଲଜ୍ଜାର କାରଣ ।

ବିକ୍ଷବ୍ଧ ଚନ୍ଦ୍ରସେଣା ଚମକିପଡ଼େ । ମୁହଁର ରେଖା ଶକ୍ତ ହୋଇଉଠେ ।

ନା–ନା–ନା–ନା, ସେ ୟାର ସମାଧାନ କରିବ । ରୂପଗର୍ବିଣୀ କଳଙ୍କିନୀ ରାଧାର ଆତୁର କାମ ଲିପ୍‍ସାକୁ ଚିରଦିନ ପାଇଁ ଶେଷ କରିବ । ତା’ର ସେଇ ଦୀର୍ଘ ନିଘଞ୍ଚ ଘନକୃଷ୍ଣ କେଶଧରି ପଚାରିବ, ଏ ଦେହର କ୍ଷୁଧାର କ’ଣ ଶେଷ ନାହିଁ ?

ସାମାନ୍ୟ ଏହାର ଅତୃପ୍ତିରେ ମଣିଷ କ’ଣ ସବୁଦିନେ ପଶୁ ? ତା’ର ଗର୍ବ, ଗୌରବ, ସମ୍ମାନ ସବୁ କ’ଣ ସେଠି ଅର୍ଥହୀନ ? ଅବାନ୍ତର ?

ସେଦିନ ନୀଳକାନ୍ତ କହୁଥିଲା–ହଁ, ଚନ୍ଦ୍ର–ମୁଁ, ମୁଁ ନିଜେ ଦେଖିଛି । ନିଜକୁ ନିଜେ ଅବିଶ୍ଵାସ କରିବି କେମିତି ?

ଯମୁନା କୂଳର ପତଳା ଅରଣ୍ୟ ଭିତରେ ମୁଁ ଥାଏ ଗୋଟାଏ ବିରାଟ ଗଛର ପଛପଟେ-। ରାଧା ଆଉ କୃଷ୍ଣ, ନିର୍ଜନ ସେ କଦମ୍ବ ମୂଳରେ । ଗଛକୁ ଭରାଦେଇ ଛିଡ଼ା ହୋଇଛି କୃଷ୍ଣ । ହାତ ପାହାନ୍ତାରେ । କାମାସକ୍ତ କୃଷ୍ଣର ଜଳିଲା ଆଖିର ବଳୟ ଭିତରେ କେମିତି ଏକ ନିରାପଦ ଭାବେ ଆତ୍ମବିସ୍ମୃତ ଥିଲା ରାଧା ।

ଚାରିଆଡ଼େ ବସନ୍ତର ରଙ୍ଗବେରଙ୍ଗୀ ସୁରଭିତ ଫୁଲର ବାସ୍ନା । ସାମନାରେ ଯମୁନା–ପ୍ରେମ ସଙ୍ଗୀତ ଗାଇ ଯେପରି ଛନ୍ଦହରା ହୋଇଉଠୁଛି । ନିବିଡ଼ କା’ର ସ୍ପର୍ଶ ପାଇଁ ।

ପାଖରେ ରାଧା–ନାରୀ ।

ସାମ୍ନାରେ କୃଷ୍ଣ–ଜଣେ ପୁରୁଷ । ଫଗୁଣର ଅରଣ୍ୟରେ ଯୌବନର କୁସୁମିତ ସମ୍ଭାର ନେଇ ପରସ୍ପର ମୁଖାମୁଖୀ । ଧୀରେ କୃଷ୍ଣ ହାତରେ ତା’ର ତୋଳିଧରିଲା ସୁକୁମାରୀ ରାଧାର ଆରକ୍ତ ମୁଖ ।

ଭୀତା କପୋତି ଭଳି ଆଉଜିପଡ଼ିଲା ରାଧା କୃଷ୍ଣର ପ୍ରଶସ୍ତ ନୀଳ ବୁକୁ ଉପରେ । ହାତ ଦୁଇଟା ତା’ର ବେଢ଼ିଗଲା କଣ୍ଠରେ । ଏକ ଅଭିନବ ମିଳନର ଦୁଶ୍ୟ ସେ । ମନେହେଉଥିଲା ରାଧା କୃଷ୍ଣ ସେମାନେ ଯେପରି ଦୁଇଜଣ ନୁହଁନ୍ତି । ଜଣେ ସେମାନେ; ଜଣକୁ ଛାଡ଼ି ଅନ୍ୟଜଣେ ଯେତିକି ଅପୂର୍ଣ୍ଣ ପୁଣି ସେତିକି ବିକଳାଙ୍ଗ ।

ମୁହୂର୍ତ୍ତକ ପରେ କୃଷ୍ଣ ନିଜର ଦୁଷ୍ଟ ଅଧରକୁ ଅଧର ଭାବେ ଲଗାଇଦେଲା ରାଧାର ଗଣ୍ଡ ଉପରେ ।

ଚୁପ୍ । ଚୁପ୍ । ଯନ୍ତ୍ରଣାରେ ଛଟପଟ ହୋଇ ସେଦିନ ଚିତ୍କାର କରିଉଠିଲା ଚନ୍ଦ୍ରସେଣା । ଉତ୍ତେଜନାରେ ଜଳୁଥିବା ଚନ୍ଦ୍ରସେଣାର ସେଇ ହିଂସ୍ର ଆଖିଦୁଇଟା ଦେଇ ସେଦିନ ନୀଳକାନ୍ତ ଆଗକୁ ପାଦ ବଢ଼ାଉ ବଢ଼ାଉ କହୁଥିଲା–ହେଲେ ଏସବୁ କ’ଣ ମିଛ ?

ପାଗଳଙ୍କ ଭଳି ଚନ୍ଦ୍ରସେଣା ଚିତ୍କାର କଲା–ମିଛ । ମିଛ । ମିଛ । ସବୁ ମିଛ ।

ଅଥଚ ଚନ୍ଦ୍ରସେଣାକୁ ନିଦ ନାହିଁ ।

ଅସହାୟ ବର୍ତ୍ତମାନ ଭିତରେ ଅନାଗତ ଭବିଷ୍ୟତ, ଯା’ପାଇଁ କଳ୍ପନା ବି ଆହୁରି ଯନ୍ତ୍ରଣାପଦ । ଆହୁରି ଭୟାବହ, ତାକୁ ନିଦ ବା ଆସିବ କୁଆଡ଼ୁ ?

ବିଛଣାରେ ଚନ୍ଦ୍ରସେଣା କଡ଼ ନେଉଟାଏ । ଛଟପଟ ହୁଏ । ମୁହଁ ଟେକି କଡ଼କୁ ଚାହେଁ । ପାଖରେ ଶୋଇଛି ରାଧା । ତ୍ରୟୋଦଶୀର ଶୀତଳ ଜ୍ୟୋସ୍ନା ମୁଠା ମୁଠା ମଲ୍ଲୀଫୁଲ ଭଳି ବଞ୍ଚି ହୋଇପଡ଼ିଛି ଖୋଲା ଝରକା ଦେଇ ତା’ ଉପରେ । ନିଃସଂକୋଚ ନିର୍ଲିପ୍ତ ଭାବେ ଶୋଇଛି ସେ । ଚନ୍ଦ୍ରସେଣା ଦେଖେ ।

ମାୟାବିନୀ ରାଧାର ରୂପ ଲାବଣ୍ୟ ଏଇ ଜ୍ୟୋସ୍ନାର ଅନ୍ତରଙ୍ଗ ସ୍ପର୍ଶରେ ଆହୁରି ଶ୍ରୀମନ୍ତ ହୋଇଉଠୁଛି । ସତେ ରାଧା..., ରାଧା କେତେ ସୁନ୍ଦରୀ !

ଚନ୍ଦ୍ରସେଣା ଦୀର୍ଘଶ୍ୱାସ ମାରେ । ଭାବେ, ଯେଉଁମାନେ କୁହନ୍ତି କୃଷ୍ଣର ବଂଶୀ ଶୁଣି ରାଧା ଅଭିସାରିଣୀ ସାଜେ । ସବୁଗୁଡ଼ାକ ଯେପରି ମିଛ । ରାଧାର ସୌନ୍ଦର୍ଯ୍ୟ ଦେଖିନପାରି ଈର୍ଷାର ଅଭିବ୍ୟକ୍ତି ।

ନା । ରାଧା, ନିଷ୍ପାପ । ଏସବୁ କରିପାରେନା । ଯଦି ପାପାସକ୍ତ ଏତେ ରାଧା ଏ ନିଃସଂକୋଚତା, ଏତେ ଶାନ୍ତି, ଏତେ ସ୍ଥିରତା ଆସନ୍ତା କୁଆଡ଼ୁ ?

ଚନ୍ଦ୍ରସେଣା ନିଜ ଚିନ୍ତାର ଥଳକୂଳ ପାଏନା । ଏଇ ସୁପ୍ତିରେ ରାଧା ଜଣାଯାଏ ଆହୁରି ପବିତ୍ର । କାଳିମା ବିହୀନ ।

ରାଧା କଡ଼ ନେଉଟାଇଲା । ଛାତି ଉପରୁ ଖସିଗଲା ତା’ର ପାଟଟା । ପୂର୍ଣ୍ଣ ଦୁଇଟି ବୃତ୍ତାକାର ସ୍ତନର ଅହଙ୍କାର ଏକ ବୈଦ୍ୟୁତିକ ଚାଞ୍ଚଲ୍ୟ ଭରିଦେଲା ଚନ୍ଦ୍ରସେଣାର ସମଗ୍ର ଦେହରେ l ଆଖିରେ ତା’ର ଭରିଗଲା କ୍ଷଧିତ କାମନାର ଲୋଲୁପ ହିଂସ୍ରତା ।

ନିଜକୁ ପୁଣି ସଞ୍ଜତ କରିନିଏ ଚନ୍ଦ୍ରସେଣା । ଏ କାମନାରେ ଆତୁରତା ଥାଇପାରେ । ହେଲେ ପ୍ରତିଶ୍ରୁତି ନାହିଁ । ନିଶ୍ଚୁପ ଭାବରେ ବିଛଣାରେ ପଡ଼ି ପଡ଼ି ସେ ଭାବେ । ହୁଏତ ରାଧାର ବକ୍ଷରେ ବେଢ଼ାଇ ଦେଲେ ପାଟଟା, ସେ ଉଠିଯାଇପାରେ । ପଚାରିପାରେ ହୁଏତ ତା’ର ଏ ଯାବତ୍ ଅନିଦ୍ରାର କାରଣ । ନା, ବରଂ ଭଲ ଚୁପ୍ ହୋଇ ରହିଯିବା । ରାଧା ଯେପରି ସାମାନ୍ୟ ବି ସୁରାକ୍ ନ ପାଏ ଚନ୍ଦ୍ରସେଣା ଏ ପର୍ଯ୍ୟନ୍ତ ଶୋଇନାହିଁ ବୋଲି ।

ହଠାତ୍ ରାତ୍ରିର ସେଇ ନିସ୍ତବ୍ଧତାକୁ ଭଙ୍ଗ କରି ଜ୍ୟୋତ୍ସ୍ନାର ଜୁଆର ଭିତରେ ଫୁଲି ଫୁଲି ଘର ଭିତରକୁ ପଶିଆସିଲା ଦୁରନ୍ତକାର ଏକ ଅସ୍ପଷ୍ଟ ବଂଶୀର ସ୍ୱନ ।

ହଁ, ଚନ୍ଦ୍ରସେଣା କାନପାତିଲା–ବଂଶୀ ସ୍ୱନ ତ ।

ଏଇ କ’ଣ ତେବେ ସେଇ ବିରହ ବଂଶୀର ସ୍ୱର ? ରାଧାର ଅନୁପସ୍ଥିତି ପାଇଁ କ’ଣ କୃଷ୍ଣର ଏତେ ବ୍ୟାକୁଳତା । ଚନ୍ଦ୍ରସେଣାର ପାଖରୁ ଛଡ଼ାଇ ନେବାକୁ ରାଧାକୁ । କୃଷ୍ଣର କ’ଣ ଏପରି ଏକ ଇଙ୍ଗିତ ଇଏ !

ଦୂରରୁ, ଅନେକ ଦୂରରୁ, ହୁଏତ ଯମୁନାତୀରସ୍ଥ ସେଇ କଦମ୍ବ ମୂଳରୁ ହେବ । କେଉଁ ପ୍ରିୟାର ଅନୁପସ୍ଥିତିରେ ଆକୁଳ ହୋଇ ପ୍ରିୟତମ ତା’ର ଅନ୍ତର୍ଦାହକୁ ଛପାଇ ନ ପାରି ବଂଶୀ ବଜାଏ-। ଆଉ ସେଇ ସ୍ୱର ରାତ୍ରିର ନିସ୍ତବ୍ଧ ପ୍ରହରରେ ବ୍ୟାପିଯାଏ ଅଣୁରୁ ପରମାଣୁକୁ । ଚନ୍ଦ୍ରସେଣାର ରକ୍ତ ତାତିଉଠେ । ଆଖିରେ ଘୃଣାର ରଙ୍ଗ ଲାଗେ । ସନ୍ଦେହ ଅବିଶ୍ଵାସରେ ଛଟପଟ ହୁଏ ।

ହଁ ଠିକ୍ ଏଇ ସମୟ ରାଧାକୁ ପରୀକ୍ଷା କରିବାର । ନଗ୍ରବାସୀଙ୍କ ନିନ୍ଦା ଅଭିଯୋଗ ସବୁର ସତ୍ୟାସତ୍ୟ ଜାଣିବାର ।

ବିଛଣାରେ ପଡ଼ି ଚନ୍ଦ୍ରସେଣା ଶୋଇବାର ଛଳନା କରେ ।

ବିଛଣାରେ ପଡ଼ି ରାଧା କଡ଼ ନେଉଟାଏ ।

ଚନ୍ଦ୍ରସେଣା ଛାତିରୁ ରକ୍ତର ଉଲକା ଖସେ ।

ବିଛଣାରେ ରାଧା ଏକ ଅଦୃଶ୍ୟ ଆକର୍ଷଣର ଶୁସୁପ୍ତି ଭିତରେ ଛଟପଟ ହୁଏ । ଦୂରରୁ ବ୍ୟାକୁଳତାର ସୀମା ଛୁଇଁ ବଂଶୀର ଲହର ଛୁଟେ । ଛୁଟେ କରୁଣତମ ରାଗିଣୀରେ ।

ହଠାତ୍ ରାଧା ଉଠି ବିଛଣାରେ ବସିପଡ଼େ । କେଉଁ ତାନ୍ତ୍ରିକାର ମହାମନ୍ତ୍ରର ଶକ୍ତି ଯେପରି ଶକ୍ତିହୀନ କରି ତାକୁ ଉଠେଇପକାଉଛି ।

ପାଖରେ ଚନ୍ଦ୍ରସେଣା ସତର୍କ ହୋଇଉଠୁଛି । ହାତରେ ଆଖି ଘସି ରାଧା ନିଦ ଭାଙ୍ଗୁଛି । ସଜାଡ଼ି ନେଇଛି ଦେହରୁ ଖସିଯାଇଥିବା ବାସ । ଅସଂଯତ କେଶ ଉପରେ ହାତ ଚଳାଇ ସ୍ଥିର କରୁଛି ନିଜକୁ ।

ହଁ, ଶୁଭୁଛି । ଶୁଭୁଛି ତ ସେଇ ବଂଶୀ ।

ଆକୁଳରେ ଯେପରି କହୁଛି–ଆଉ କେତେଦିନ ? କେତେଦିନ ରାଧା ? ପ୍ରତୀକ୍ଷାରେ ଯନ୍ତ୍ରଣା ଅଛି । ହାତ ପାହାନ୍ତାରେ ସେଇ ପ୍ରତୀକ୍ଷିତ ବସ୍ତୁର ଅପ୍ରାପ୍ତିର ଜ୍ଵାଳା ପୁଣି ଅଧିକ ମର୍ମନ୍ତୁଦ । ଆସ...ଆସ ରାଧା–

ରାଧାର ହୃଦୟତନ୍ତ୍ରୀ ବିଦାରିତ ହୁଏ । ଅଜଣା ଭାବରେ ସେ ହଠାତ୍ ଉଠି ଛିଡ଼ା ହୁଏ ।

ଚନ୍ଦ୍ରସେଣା ତଥାପି ଶୋଇଛି । ରାଧା ପାଦ ଚିପି ଚିପି ଦ୍ୱାର ଖୋଲୁଛି । ଉନ୍ମୋହନର ଏକ ଅସ୍ଥିର ଆବେଗ ସେ । ପ୍ରିୟତମକୁ ଭେଟିବାର ଏଇ ଅନ୍ଧ ଆବେଗ ସବୁବେଳେ କରେ ପରିବେଶ ପ୍ରତି ନିର୍ଲିପ୍ତ । ରାଧା ଚଞ୍ଚଳ ପାଦରେ ଧାଇଁଯାଉଛି । ଶୁଭୁଛି ନିସ୍ତବଧ୍‍ତା ଭିତରେ ପାଦ ଶବ୍ଦ ତା’ର ।

ଚନ୍ଦ୍ରସେଣା ଏକ ଆହତ ସିଂହ ଭଳି ନିଶବ୍ଦରେ ଗର୍ଜନ କରିଉଠିଲା । ସେ ସ୍ଥିର କରିପାରେନା । କ’ଣ ତା’ର କର୍ତ୍ତବ୍ୟ । ସେ କ’ଣ ଚିତ୍କାର କରି ଡାକ ପକାଇବ ରାଧାକୁ ? ନା’ ପଛେ ପଛେ ଯାଇ ଦେଖିବ ସେଇ ଦୃଶ୍ୟ । ଯାହା ସେ ଅନେକଥର ଶୁଣିଛି ।

ଯମୁନାର କୂଳକୁ ଲାଗି ସେଇ କଦମ୍ବ ଗଛଟା । ପ୍ରଥମ ଆଷାଢ଼ରେ ଯାହାର ପ୍ରତିଟି ଶାଖାରେ ଫୁଲ ଫୁଟେ । ଆଉ ଯେଉଁ ଡାଳରେ ଅନେକ ସମୟରେ କୃଷ୍ଣ ବସି ଏକାକୀ ବଂଶୀ ବଜାଏ । ସେଇ ବଂଶୀର ସ୍ୱର ଚହଳ ପକାଏ ଗୋପପୁରର ଅନ୍ତଃପୁରେ ।

କୃଷ୍ଣ ଛିଡ଼ାହୋଇଛି ସେ ଗଛକୁ ଆଉଜି । ହାତରେ ବଂଶୀ ଅଧର ସ୍ପର୍ଶ କରିଛି । ଚନ୍ଦ୍ରସେଣାକୁ ଜଣାଯାଏ, ରାଧା ଧାଇଁଯାଇ କୃଷ୍ଣର ପାଦତଳେ ଲୋଟିପଡ଼ୁଛି । କୃଷ୍ଣ ପୁଣି ଉଠାଇନେଉଛି ରାଧାକୁ । ସଲ୍ଲଜ ପଦ୍ମଫୁଲଭଳି ତା’ର ନଇଁଯାଇଥିବା ମୁହଁଟିକୁ ଟେକି ଦେଖୁଛି ମନ୍ମୟ ହୋଇ । ହାତ ବୁଲାଇନେଉଛି ପୁଣି ତା’ର କେଶ ଉପରେ । ପ୍ରେମ ଆନନ୍ଦ ଆତ୍ମ ସମର୍ପଣର ମିଳିତ ଭାବରେ ଅଶ୍ଵସ୍ତ ରାଧାର ଆଖି ନଇଁଆସୁଛି ପୁଲକରେ ଭାରାକ୍ରାନ୍ତ ହୋଇ । ତା’ପରେ ଦୀର୍ଘ ପ୍ରତୀକ୍ଷା ଜନିତ ବ୍ୟାକୁଳତାର ସ୍ମାରକୀରୂପେ କୃଷ୍ଣ ଅଧର ସ୍ପର୍ଶ କରୁଛି ବାରମ୍ଵାର–ଗଣ୍ଡ ଦେଶରେ । ରକ୍ତାଭ ଅଧରରେ ।

ଇତ୍ସ !

ଚନ୍ଦ୍ରସେଣା ଘୃଣାରେ ଆଖି ବୁଜିପକେଇଲା ।

ରାଧା–ମାଇଁ !

କୃଷ୍ଣ–ପୁଣି ତା’ର ଭଣଜା । ଭଣଜା ।

ଉତ୍ତେଜିତ ଭାବେ ଚନ୍ଦ୍ରସେଣା ବିଛଣା ଉପରେ ବସିପଡ଼ିଲା । ଅସ୍ପଷ୍ଟ ଅନ୍ଧକାର ଭିତରେ କ’ଣ ଯେମିତି ଆଖିବୁଲେଇ ଖୋଜିଲା । ହେଲେ, କ’ଣ ଖୋଜୁଛି ସେ !

ତଥାପି ରାଧା ଆସିନି । ଆସିନି ଏ ଯାବତ୍ ରାତ୍ରିର ଅଭିସାର ପରେ ।

ବାହାରେ ରାତ୍ରିର କେତେଟା ଉଜାଗର ବିହଙ୍ଗୀ ଚିତ୍କାର କରିଉଠିଲେ । ହୁଏତ କେଉଁ ବ୍ୟର୍ଥତାକୁ ଛପେଇଦେବାକୁ–ଆତ୍ମ ଧୋକାର ଶବ୍ଦ ସେ । ସ୍ୱର ସେ । ଚନ୍ଦ୍ରସେଣା ଭାବେ–ହୁଏତ ରାଧାକୁ ଚୁମ୍ଵନରେ କ୍ଳାନ୍ତ କରି ଉତ୍ତେଜିତ–ନିର୍ଭୟରେ କୃଷ୍ଣ ଖୋଜୁଥିବ ତା’ର ଅଙ୍ଗ ବାସ । ବକ୍ଷ ବନ୍ଧନ । ରାଧା ଧିରେ ଧିରେ ଲାଗିଯାଉଥିବ କୃଷ୍ଣର ଦେହକୁ ।

ଚନ୍ଦ୍ରସେଣା ଉଠିଆସି ହଠାତ ପାଣିପିଇ ଯାଏ । ଆଃ ! ଏଇ ଜଳର ଶୀତଳତା କେତେ ଅଧିକ । କେତେ ଅଧିକ ନିରାପଦ ତା’ର ଅନ୍ତରଙ୍ଗ ସ୍ପର୍ଶ । ଅଥଚ ରାଧାର ସ୍ପର୍ଶ କେତେ ଭୟଙ୍କର । ଅଗ୍ନିମୟ !

ଚନ୍ଦ୍ରସେଣା କାନରେ ହଠାତ୍ ପ୍ରତିଧ୍ଵନିତ ହେଲା ବାହାରେ କାହାର ପାଦ ଶବ୍ଦ ।

କିଏ ? ରାଧା ! ରାଧା ନୁହେଁ ତ ! ଆସୁ ନାହିଁ ତ ସେ; ରାତ୍ରିର ଅଭିସାର ପରେ ।

ଘର ଭିତରକୁ ପଶିଆସି ଉନ୍ମୁକ୍ତ ଝରକାଦେଇ ଚନ୍ଦ୍ରସେଣା ଦେଖେ–ରାଧା ଫେରୁଛି କ୍ଲାନ୍ତିରେ ଅବସ ତା’ର ପାଦ ଦୁଇଟା ଅସଂଯତ ଭାବେ ପଡ଼ୁଛି । ମୁହଁସାରା ବିକ୍ଷିପ୍ତଭାବେ ପଡ଼ିଛି କେଶରାଶି ।

ଚନ୍ଦ୍ରସେଣା କିଛି ସ୍ଥିର କରିପାରେନା । ହଠାତ୍ ବିଛଣାରେ ପଡ଼ି ପୁଣି ଶୋଇବାର ଛଳନା କଲା ।

ଧିରେ କବାଟ ଖୋଲି ରାଧା ପଶିଲା ଘର ଭିତରକୁ ।

ଚନ୍ଦ୍ରସେଣା ଶୋଇଛି । ଶୋଇଥାଉ । ଚାରିଆଡ଼କୁ ଚାହିଁ ରାଧା ଶୋଇପଡ଼ିଲା ବିଛଣା ଉପରେ ।

ଚନ୍ଦ୍ରସେଣାର ସ୍ନାୟୁରେ ବିସ୍ଫୋରଣ ହେଲା । ରାଧା ପାଖରେ ଶୋଇଛି । ଦେହକୁ ଲାଗିଛି ଦେହ । ତାକୁ ଲାଗେ–ଦେହକୁ ତା’ର ଲାଗିଛି ଗଳିତ କୃଷ୍ଣ ବ୍ୟାଧିଗ୍ରସ୍ତ ଗୋଟାଏ ଅବାଞ୍ଛିତ ନାରୀ । ସଂକ୍ରମିତ କରୁଛି ସେଇ ଭୟାନକ ରୋଗ ତା’ର ରକ୍ତ ଭିତରକୁ । ସେଇ ଦାହରେ ଜଳୁଛି ତା’ର ଅଙ୍ଗ ପ୍ରତ୍ୟଙ୍ଗ ।

ନା । ଆଉ ବିଳମ୍ବର ପ୍ରୟୋଜନ ନାହିଁ । ଟିକିକ ପରେ ହୁଏତ ପାହିଯିବ ରାତ୍ରୀ । ସୂର୍ଯ୍ୟସ୍ନାନ ପରେ ରାଧା ପୁଣି ନିଜକୁ ନିସ୍ପାପ ପବିତ୍ର ମନେକରି ଘୂରିବୁଲିବ ଗୋପପୁରେ ।

ଏଣିକି ଚନ୍ଦ୍ରସେଣା ଉଠିବ । ଚିପିଧରିବ ରାଧାର ତଣ୍ଟିକୁ । ଯନ୍ତ୍ରଣାରେ ଛଟପଟ ହେଉଥିବା ରାଧାର ମୃତ୍ୟୁକୁ ସେ ଉପଭୋଗ କରିବ ।

ହଂସ ଭଳି ତା’ର ସେଇ ଧବଳ କୋମଳ ଗ୍ରୀବା ଉପରେ ଚନ୍ଦ୍ରସେଣାର ଲୌହଶକ୍ତି ଆଙ୍ଗୁଠି ସବୁ ଖେଳ ଖେଳିବେ । ଜମିଯିବ ରକ୍ତ । ରାଧା ଛଟପଟ ହେବ ଅଥଚ ସେ ଚିତ୍କାର କରିପାରିବ ନାହିଁ ।

ଚନ୍ଦ୍ରସେଣା ଆଖିରେ ହିଂସ୍ରତା ଜମାଟ ବାନ୍ଧେ । ହଁ, ଅନ୍ତତଃ ସେଇ ହେଉ ଗୋଟାଏ କୁତ୍ସିତା ନାରୀର ପ୍ରାପ୍ୟ ।

–ରାଧା ଯଦି ଅକସ୍ମାତ୍ ଚିତ୍କାର କରିଉଠେ !

କରୁ । କରୁ ଚିତ୍କାର, ଚନ୍ଦ୍ରସେଣା ଭାବେ, ସମସ୍ତେ ଜାଣନ୍ତୁ କୁଳଟା ରାଧାର ଅଭିସାର କଥା । ରୁଗ୍‍ଣ ତା’ର କାମନାଗ୍ରସ୍ତ ମନର ଛଦ୍ମବେଶ । କିନ୍ତୁ...

କିନ୍ତୁ, ହଠାତ୍ ଚନ୍ଦ୍ରସେଣାର ରାଗରେ ତରଳିଥିବା ରକ୍ତ ବରଫ ପାଲଟିଗଲା । ନିର୍ଜନ ରାତ୍ରିର ଶେଷ ପ୍ରହରରେ ଈର୍ଷା, ରାଗ ଅହଂକାରର ଜ୍ୱଳନ୍ତ ଶିଖାଉପରେ ସେ ଅନୁଭବ କଲା–ସେ ଗୋଟାଏ ନପୁଂସକ !

ଚନ୍ଦ୍ରସେଣା–ନପୁଂସକ ।

ଅସ୍ଥିର ଏକ ତରଳ ଆବେଗରେ ଚନ୍ଦ୍ରସେଣା ବିଳିବିଳେଇ ଉଠି ନିଜର ବାହୁ କାମୁଡ଼ି ପକେଇଲା । ନପୁଂସକର ପତ୍ନୀ ହୋଇ ରାଧା କ’ଣ ଭୁଲ୍ କରିଛି ?

ଜୀବନବ୍ୟାପୀ ସାଧନା କଲେ ରାଧାକୁ ଯେଉଁ ଦାହିକ ପ୍ରୀତି ସେ ଦେଇପାରିବ ନାହିଁ, ଯେଉଁ ଦେହର ବୟସୋଚିତ ଅବଦମିତ କ୍ଷୁଧାକୁ ମେଣ୍ଟାଇପାରିବ ନାହିଁ; ରାଧା ଯଦି ତା’ ଅନ୍ୟ କେଉଁଠୁ ପାଏ–ସେଥିରେ ତା’ର ପ୍ରତିବାଦ କରିବାର କ’ଣ ଅଛି ?

କ’ଣ ଉତ୍ତରଦେବ ଚନ୍ଦ୍ରସେଣା ଏ ପ୍ରଶ୍ନର ?

ହଁ, ରାଧା ତ କେବେ ଅନ୍ୟ କୌଣସି କର୍ତ୍ତବ୍ୟରେ ତା’ର ହେଳା କରିନି । ଅବମାନନା କରିନି ଚନ୍ଦ୍ରସେଣାକୁ । ଅସ୍ଵୀକାର କରିନି ତା’ର ଅନ୍ୟ ସମସ୍ତ ସଂପର୍କକୁ ! ଅସହାୟ ଚନ୍ଦ୍ରସେଣାର ଇଚ୍ଛା ହେଉଥିଲା–ରାତ୍ରିର ସେଇ ନିର୍ଜନ ପ୍ରହରରେ ଚିତ୍କାର କରି ଖାଲି କାନ୍ଦିବାକୁ । କାନ୍ଦିବାକୁ ।

ବାହାରେ ମଳିନ ପଡ଼ିଆସିଲାଣି ଚନ୍ଦ୍ର କିରଣ । ଚନ୍ଦ୍ରସେଣା କିନ୍ତୁ ସମାଧାନ କରିପାରୁନି–

ରାଧାକୁ ସେ ତା’ର ପାପ ଲାଗି ହତ୍ୟା କରିବ ନା ନିଜର ଦାହିକ ତ୍ରୁଟି ଲାଗି ଆତ୍ମହତ୍ୟା କରିବ ।

ଦୂର ଯମୁନା କୂଳର ଗୋଠରୁ ଶୁଭୁଛି ଗୋରୁଙ୍କ ଘାଗୁଡ଼ି ଶବ୍ଦ । ଶେଷ ରାତ୍ରିର ସଙ୍ଗୀତ ଗାଇଯାଉଛନ୍ତି କେତେଟା ଜଣା ଅଜଣା ପକ୍ଷୀ । ଆକାଶରେ ଶୁକ୍ରତାରା ଝଲସିଉଠିଲାଣି । ଶୀତୁଆ ପବନର ନୀରବ ସ୍ପର୍ଶ ଦୂର କରିଦେଇଛି ରାଧାର ପୂର୍ବ କ୍ଳାନ୍ତି । ହଠାତ୍ ଉଠି ବସିପଡ଼ିଲା ସେ । ଆଉ ଟିକିଏ ବିଳମ୍ବ କଲେ ଯମୁନା ଘାଟରେ ଘେରିଯିବେ ଅସଂଖ୍ୟ ଗୋପବାସୀ ସ୍ନାନ ପାଇଁ । ରାଧା ସେଠି ନିର୍ଲଜ ଭାବେ ସ୍ନାନ ବା କରିବ କିପରି ?

ମୁହଁ ବୁଲେଇ ରାଧା ଚାହିଁଲା । ବିଛଣାରେ ନିର୍ଜନ ଏକ ଅଜଗର ଭଳି ପଡ଼ିଛି ଚନ୍ଦ୍ରସେଣା । ଦେହରେ ତା’ର ହାତମାରି ସେ ଡାକିଲା–ଆରେ, ଉଠନା । ସମୟ ହେଲାଣି–ମୁଁ ଗାଧୋଇ ଯିବି ଯେ !

ଆହତ ଏକ ସାପ ଭଳି ଚନ୍ଦ୍ରସେଣା ହଠାତ୍ ଉଠିପଡ଼ିଲା । ଦୂରକୁ ଘୁଞ୍ଚିଗଲା ରାଧା । ଚନ୍ଦ୍ରସେଣାର ହିଂସ୍ର ହାତ ଦୁଇଟା ଲମ୍ବିଆସୁଛି ରାଧା ପାଖକୁ ।

ଆରେ, ଛାଡ଼ନା–ଅନ୍ୟ ଘରେ ଲୋକମାନେ ଉଠିଲେଣି ଯେ । ରାତି ପାହିଗଲାଣି । ସମସ୍ତ ବଳ ପ୍ରୟୋଗ କରି ଚନ୍ଦ୍ରସେଣାର ହାତରୁ ଖସିଯାଇ ରାଧା ବାହାରିଗଲା ଯମୁନା କୂଳକୁ ।

ଚନ୍ଦ୍ରସେଣା ଦୀର୍ଘଶ୍ୱାସ ମାରିଲା । ନା, ସେ ଆଉ ପାରିବ ନାହିଁ । ଏ ଯନ୍ତ୍ରଣା । ଏ ଦୀର୍ଘ ଜୀବନର ଜ୍ଵାଳା ! ଏ ଗ୍ଲାନି ନେଇ ସେ ବଞ୍ଚିପାରିବ ନାହିଁ । କରିପାରିବ ନାହିଁ ସେ ଆଉ ଛଳନା । ତା’ର ଆତ୍ମହତ୍ୟା କରିବା ଦରକାର । ସେଇ ଏକମାତ୍ର ପନ୍ଥା, ଏକମାତ୍ର ବାଟ–ସବୁର ସମାଧାନ କରିବାକୁ ।

ଚନ୍ଦ୍ରସେଣା ଏକ ଅନ୍ଧ ଜ୍ୱଳନ୍ତ ଆବେଗରେ ଅସ୍ଥିର ହୋଇଉଠିଲା–ନା, ନା–ସେ ଯମୁନାରେ ଝାସଦେଇ ଆତ୍ମହତ୍ୟା କରିବ ।

ଶାନ୍ତ ଯମୁନାର ତରଙ୍ଗହୀନ ନୀଳ ଜଳର ନୀରବ ପ୍ରବାହକୁ ଥରେ ଚନ୍ଦ୍ରସେଣା ଚାହିଁଲା-। ଚାହିଁଲା କୂଳରେ କେଉଁ ଯୁଗରୁ ଛିଡ଼ା ହୋଇଥିବା ବୃକ୍ଷରାଜିକୁ । ପିଲାଦିନେ ସେ କେତେ ତାଙ୍କରି ଡାଳରେ ଚଢ଼ି ଖେଳିଛି । କେତେଥର ଏଇ ଯମୁନାର ଜଳରେ ମନଇଚ୍ଛା ବନ୍ଧୁମାନଙ୍କ ସହ ପହଁରି ପହଁରି କ୍ଳାନ୍ତି ହୋଇଛି ।

ଅଥଚ ଆଜି ସେ ତା’ରି ବୁକୁରେ ଝାସଦେଇ ଆତ୍ମହତ୍ୟା କରିବ–ସମସ୍ତ ଗ୍ଲାନିରୁ ବଞ୍ଚିବାପାଇଁ । ଦୂରରେ ରହିଯିବ ରାଧା । ରହିଯିବ ଗୋପପୁର । ରହିଯିବ ପ୍ରିୟ ଏଇ ନିଘଞ୍ଚ ଅରଣ୍ୟ । ଆଉ ତାରି ଜୀବନହୀନ ବରଫ ଭଳି ଦେହଟା ଭାସିଯିବ, ଗୋଟାଏ ଶୁଖିଲା ପତ୍ର ଭଳି ଏଇ ସ୍ରୋତ ଭିତରେ ।

ଚନ୍ଦ୍ରସେଣା ନିଜ ଭିତରେ ସାହସ ସଂଗ୍ରହ କରିନେଲା । ନା, ଆଉ ଡେରି କରି ଲାଭ ନାହିଁ ।

କେହି ତ କୁଆଡ଼େ ତାକୁ ଦେଖୁନାହାନ୍ତି ! ଆଖି ବୁଲେଇ ସେ ଚାରିଆଡ଼କୁ ଚାହିଁଲା । ପୁଣି ଦୁଇଟା ବେଦନାଗ୍ରସ୍ତ କରୁଣ ଆଖିକୁ ଆଣି ସ୍ଥିର କଲା ଯମୁନାର ସ୍ରୋତ ଉପରେ ।

ପାଣି ଭିତରେ ଏ କି ଦୃଶ୍ୟ । ଚନ୍ଦ୍ରସେଣା ଆତ୍ମବିସ୍ମୃତ ଭାବେ ଚାହିଁ ରହିଲା ।

“ଫୁଲ ଫଳରେ ଭରିଥିବା ଗୋଟାଏ ସୁନ୍ଦର ଅରଣ୍ୟର ସେ କିଛି ଅଂଶ । ବସନ୍ତର ମଧୁର ସ୍ପର୍ଶରେ ଶିହରିତ ସେଇ ଅଂଶରେ ଏକ ଅଭିନବ ନନ୍ଦନକାନନର ରୂପଶ୍ରୀ । ଛୋଟିଆ ଖଣ୍ଡେ ଶୀଳା ପରେ ବସିଛି ଗୋଟିଏ ଅପରୂପା ନାରୀ । ସୁନାରଙ୍ଗର ଦେହର ଔଜଲ୍ୟ ମୁଗ୍ଧ କରୁଛି ପରିବେଶକୁ । ଆକର୍ଣ୍ଣ ବିସ୍ତୃତ ଆଖି । ଘନକୃଷ୍ଣ କେଶ । ରକ୍ତ ପଦ୍ମ ଭଳି ଅଧର । ଆରକ୍ତ ଗଣ୍ଡଦେଶ । ଉନ୍ନତ ବକ୍ଷ । କୋମଳ କରପଲ୍ଲବ । ସିଂହ କଟି । ଧୀର ଅଥଚ ଶାନ୍ତ ଭାବେ ବସିଛି ସେ ଦିଗ୍‍ବଳୟକୁ ଚାହିଁ, ଯେପରି କାହାର ଅପେକ୍ଷାରେ । ତା’ର ସ୍ମୃତିରେ ଯେପରି ସେ ବିସ୍ମୃତ । ଏବଂ ସାମାନ୍ୟ ଦୂରକୁ ଗୋଟାଏ ବାନର । କାମନାର ରୁଗ୍‍ଣ ପ୍ରକାଶରେ ଆଖିଦୁଇଟା ଜଳୁଛି–ଧ୍ୟାନମଗ୍ନ ଭାବେ ସେଇ ନାରୀ ଉପରେ ପଡ଼ି ।

ଚନ୍ଦ୍ରସେଣା ଚମକିପଡ଼ିଲା । କିଏ ବା ବାନର ? ପଛରୁ ନୀଳ ମେଘ ବର୍ଣ୍ଣ ଜିଣି ଏକ ସୌମ୍ୟ କାନ୍ତି ପୁରୁଷ । ମୁହଁରେ ଲାଗି ରହିଛି ଏକ ଆତ୍ମତୃପ୍ତିର ଉନ୍ମୋହନକାରୀ ହସ । ପଛରୁ ତା’ର ଧୀରେ ଧୀରେ ଆସି ଛିଡ଼ାହେଲା–ସେଇ ବାନର ନିକଟରେ । ମୁହୂର୍ତ୍ତକରେ ପରେ ସବୁ ଜାଣିଲା ଭଳି । ହଠାତ୍ ସାନ୍ତ୍ୱନାର ମୁଦ୍ରାରେ ଭରିଥିବା ହାତଟାକୁ ଟେକିନେଇ ପକାଇଦେଲା–ସେଇ ବାନରଟା ଉପରେ ।

ଚମକିପଡ଼ିଲା ସେ ।

ହନୁମାନ ! ତୁମେ କ୍ଲାନ୍ତ ଜଣାଯାଉଛ ହନୁମାନ । ସେଇ ସୌମ୍ୟ ଦର୍ଶନ ପୁରୁଷଟି ମଧୁର କଣ୍ଠରେ ପ୍ରଶ୍ନକଲା ।

କରପତ୍ର ଯୋଡ଼ି ଲଜ୍ଜିତ ହୋଇଉଠି ବାନରଟି କହିଲା–ପ୍ରଭୁ ।

–କୁହ, ହନୁ । କ’ଣ ତୁମର କାମନା ?

ପ୍ରଭୁ ! ତୁମ ପାଇଁ ଏଇ ଦେହର ପ୍ରତିଟି ଲୋମରେ ମୁଁ ବାହିନେଇଛି ଖଣ୍ଡ ଖଣ୍ଡ କରି ଅନେକ ପାହାଡ଼ ।

–ତା’ ତ ମୁଁ ଅସ୍ଵୀକାର କେବେ କରିନି ହନୁ ।

ପ୍ରଭୁ, ତୁମରି ପାଇଁ ମୋର ଏଇ ଲାଞ୍ଜ ଅଗ୍ନି ସଂଯୋଗ କରି ଦାହନର ଜ୍ଵାଳାକୁ ଭୁଲିଯାଇ ସମଗ୍ର ଲଙ୍କାରେ ଅଗ୍ନି–ଉତ୍ପାତ କରିଛି । ପୁଣି ଦଉଡ଼ିରେ ବନ୍ଧାହୋଇ ମରଣାନ୍ତକ ଯନ୍ତ୍ରଣା ଅନୁଭବ କରିଛି ।

–କିନ୍ତୁ, ତୁମେ କ’ଣ କହିବାକୁ ଚାହୁଁଛ ହନୁ ?

–ପ୍ରଭୁ, ଅସୁରମାନଙ୍କର ତୀକ୍ଷ୍ଣ ଅସ୍ତ୍ରର ଆଘାତ ଏ ଦେହ ଏଯାବତ୍ ବହନ କରିଛି । ତୁମ ପାଇଁ; ପ୍ରଭୁ ମୁଁ ସବୁ କରିଛି । ପ୍ରାଣ ଦେଇ କରିଛି । ଆଜି ଏଇ ଦାସ ଅକିଞ୍ଚନ ଗୋଟାଏ ପ୍ରାର୍ଥନା କରୁଛି–ତୁମେ ତା’ ପୂରଣ କରିବ–ମୁଁ ଆଉ କିଛି ଚାହେଁନା । କେବଳ...କେବଳ

–କୁହ ହନୁ ।

ହନୁ ଆଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇଦେଲା ଆଗରେ ବସିଥିବା ସେ ନାରୀଟିକୁ ।

ମୁହୂର୍ତ୍ତକ ପାଇଁ ଗମ୍ଭୀର ହୋଇଉଠିଲେ ସେ ପୁରୁଷ ଜଣକ । ତା’ପରେ ସେଇ ପୂର୍ବର ସ୍ମିତହାସ୍ୟ ଦେଖାଗଲା ମୁହଁରେ । ଧିର ଅଥଚ କୋମଳ କଣ୍ଠରେ କହିଲେ–ମୋର ଆପତ୍ତି ନାହିଁ ହନୁ । କିନ୍ତୁ ସେ ଜଗତ୍‍ଧାତ୍ରୀ ମା’ । ତୁମେ ତା’ର ସନ୍ତାନ । ତୁମେ ତାକୁ କେବଳ ଉପଭୋଗ କରିପାରିବନି ହନୁ ।

–ମୋତେ ନିରାଶ କରନ୍ତୁ ନାହିଁ ପ୍ରଭୁ । ମୋତେ କ୍ଷମା କରନ୍ତୁ ।

ହଁ, ହନୁ ତୁମେ ତାକୁ ପତ୍ନୀ ଭାବେ ପାଇବ । ତୁମେ ହେବ ନପୁଂସକ । ନପୁଂସକ ଚନ୍ଦ୍ରସେଣା ।

ଚନ୍ଦ୍ରସେଣାର ସମଗ୍ର ଦେହରେ ଏକ ବୈଦ୍ୟୁତିକ କମ୍ପନ ଖେଳିଗଲା ।

 

ଚନ୍ଦ୍ରସେଣା ନପୁଂସକ ।

 

ନପୁଂସକ ଚନ୍ଦ୍ରସେଣା । ରାଧା–ଜଗତ୍‍ଧାତ୍ରୀ–ମା’ ।

 

ଚନ୍ଦ୍ରସେଣା ଆଖିରୁ ଲୁହ ଝରିପଡ଼ିଲା । ବ୍ୟାକୁଳ ଭାବେ ସେ ଚିତ୍କାର କରିଉଠିଲା–ପ୍ରଭୁ-। ପ୍ରଭୁ, ଯେଉଁମାନେ ସୁନ୍ଦରୀ ନାରୀକୁ ଦେଖି କାମସକ୍ତ ପାଲଟିଯାଆନ୍ତି । ମୁହୂର୍ତ୍ତକରେ ଯେଉଁମାନଙ୍କର ସମସ୍ତ ଚେତନା ବିସ୍ମୃତ ହୋଇ କେବଳ ଦାହିକ କ୍ଷୁଧା ଜାତ ହୁଏ ଗୋଟାଏ ନାରୀକୁ ଦେଖି । ତୁମେ ସେମାନଙ୍କୁ, ନପୁଂସକ କରିଦିଅ । ସବୁଦିନ ପାଇଁ କରିଦିଅ ।

 

ଚନ୍ଦ୍ରସେଣା, ନପୁଂସକ । ସେଇ ପାପର ପ୍ରାୟଶ୍ଚିତ କରିବ ଆଜି । ଆବେଗରେ ଅସ୍ଥିର, ଦୁଃଖରେ ବ୍ୟାକୁଳ ଚନ୍ଦ୍ରସେଣା ଲମ୍ଫ ଦେବାକୁ ଯମୁନାର ସ୍ଥିର ଜଳ ଭିତରକୁ ନିଜର ବାହୁ ଦୁଇଟାକୁ ଟେକିଲା, ହଠାତ୍ ଅନୁଭବ କଲା, କିଏ ଯେପରି ତାକୁ ଧରିପକାଇ ହସୁଛି । କିଏ ? ଚନ୍ଦ୍ରସେଣା ମୁହଁ ବୁଲାଇ ଚାହେଁ ।

 

ମୁହଁରେ ସେଇ ଉନ୍ମୋହନକାରୀ ହସ ନେଇ, କୃଷ୍ଣ ମଧୁର କଣ୍ଠରେ କହିଲେ–ମାମୁଁ, ଏ ଅବେଳରେ–ଅକୂଳରେ, ଯମୁନାରେ ଗାଧୋଇଲେ ଚଳନ୍ତା ନାଇଁ ? ଆସ ସାଙ୍ଗ ହୋଇ କୂଳରେ ଗାଧୋଇବା ।

 

ଚନ୍ଦ୍ରସେଣା କିଛି ଯେପରି ବୁଝିପାରୁନଥିଲା । କିଛି ଯେପରି ଶୁଣିପାରୁନଥିଲା । ଆଖିଆଗରେ ଖାଲି ଦିଶୁଥିଲା–

 

ଅଦ୍ଭୁତ ଏକ ରହସ୍ୟମୟ ହସ । ଯାହା ଦେଖି ସେ ଆତ୍ମବିସ୍ମୃତ ହୋଇଉଠୁଥିଲା ।

Image

 

ତୃତୀୟ ଦିବସ

 

ଓ ଘରର ଅନ୍ୟ ଦଶଟା ଆଖି ଅନେକ ସମୟରେ ଅନ୍ଧ ହୁଏ । ସେତେବେଳେ ଚାରିଆଡ଼ ଅନ୍ଧାର । ଖାଲି ଅନ୍ଧାର । ରବିବାରର ଖରାବେଳ ବି । ନିଅନ ଆଲୁଅରେ ବିସ୍ତାରିତ ଆସୁରିକ ସଞ୍ଜଠାରୁ ରାତି ବିଗତ ଦଶଟା ବା ଆସନ୍ନ ଏଗାରଟାର କାୟା ବି । ବାକି ଅନ୍ୟ ଦୁଇଟା ଆଖି କଥା : ସେ ଆଖି ଦୁଇଟା କି ସୁନ୍ଦର ! କି ଚମତ୍କାର ! ଲମ୍ବା ଲମ୍ବା । ନୀଳ ନୀଳ । ତାକୁ ଦେଖିଲେ ଲୋଭ ହୁଏ । ଭୁରୁ ଉପରେ ଧୀରେ ହାତ ଚଳାଇବାକୁ ଇଚ୍ଛା ହୁଏ । ପାଟିରେ ପାଣି ପୂରାଇ ସ୍ପ୍ରେ କଲେ, ସେ ଆଖିରେ ଇନ୍ଦ୍ରଧନୁ ଦିସେ । ଇନ୍ଦ୍ରଧନୁର ସାତ ରଙ୍ଗ । ନାଲି, ନୀଳ, ସବୁଜ, ଗୋଲାପୀ, କଳା, ଧଳା, ବାଦାମୀ ।

 

ହେଲେ ଅନେକ ସମୟରେ ଅନ୍ଧ ହେଉଥିବା ସେ ଦଶଟି ଆଖି ଏ ସବୁ ଦେଖେନି । ହୁଏତ ଦେଖିବାକୁ ଇଚ୍ଛା କରେନି ।

 

ତାଙ୍କ ଭିତରୁ କାହାକୁ ତ ଖାଲି ଧୂସର ଦିସେ, କାହାକୁ ଖାଲି ଧଳା, ଆଉ କାହାକୁ ନାଲି, କାହାକୁ କଳା । କାହାକୁ ଚଷମା ନ ଦେଲେ ମୋତେ କିଛି ଦିସେନି । ଖାଲି ଶୂନ୍ୟ ମହାଶୂନ୍ୟ-

 

ଅଭିଜ୍ଞ ଡାକ୍ତରଙ୍କଦ୍ୱାରା ପରୀକ୍ଷିତ ଚଷମା ଦେଇ ସେ ବାହାରକୁ ଅନାନ୍ତି–ସବୁ ପଦାର୍ଥର ପ୍ରକୃତ ରୂପ ରଙ୍ଗ ଦେଖିବାକୁ । ହେଲେ ଗୋଟେ ବିରାଟ ଢେଉର ସାମ୍ନାରେ ଢେଲାଟିଏ ପକାଇ ସୃଷ୍ଟି କରିଥିବା ତରଙ୍ଗ ଯେମିତି ନିରୀହ ଆତ୍ମସମର୍ପଣ ଭାବ ଦେଖାଇ ସତ୍ତାହୀନ ହୁଏ ସେମିତି ଗାଢ଼ କଳା ରଙ୍ଗର ପ୍ରଚ୍ଛଦପଟରେ ସବୁ ରଙ୍ଗ–ବେରଙ୍ଗ । ତ୍ରୋଟନ ଗଛର ସରୁ ସରୁ ଚିରା ଚିରା ଚିରହରିତ୍ ପତ୍ରସବୁ ତାଙ୍କୁ ଦିସେ ଛୁଞ୍ଚିର ମୁନ ଭଳି ତୀକ୍ଷ୍ଣ ଓ କାହାର କଳା ହାତର ପାପୁଲିରେ ସେଗୁଡ଼ାକ ଯେପରି ଖଞ୍ଜାଯାଇଛି ଓ ସେ ହାତଟା ଧୀରେ ଧୀରେ ତାଙ୍କରି ଆଡ଼କୁ ଢେଉ ଭଳି ଗର୍ଜନ କରି କରି ଧସେଇଆସୁଛି ।

 

ସେତେବେଳେ ସେ ଚଷମା ଖୋଲିପକାନ୍ତି । କ’ଣ କେମିତି ନୀରବରେ ହିସାବ ନିକାଶ କରିବାର ଭାବ ଭଙ୍ଗୀ ତାଙ୍କ ମୁହଁରେ, ଆଖିରେ, ହାତରେ ଦେଖାଦିଏ ।

 

କିଛି ସମୟ ପରେ ସେ ପୁଣି ଚଷମା ଲଗାନ୍ତି । ଦିନେ ଚଷମା ଲଗାଇ ଦେଖିଲେ–

 

କୌଣସି ଦୁଷ୍ଟ ପିଲା, କେଜାଣି କେଉଁଠୁ ଆଣିଥିବା ଗୋଟାଏ ନିରୋଧକୁ ପାଟିରେ ପୂରାଇ ଫୁଙ୍କିଲାବେଳେ ସେ ଯେପରି ସଂପ୍ରସାରିତ ହୋଇଉଠେ, ସେମିତି ଫୁଲିଉଠିଛି କମଳାର ପତଳା ଜଠର । ଚଷମାରୁ ଧୂଳି ପୋଛି ସେ ପୁଣିଥରେ ଅନାଇଲେ । ଇଏ କେମିତି ହେଲା ? କେମିତି ? ଲୁଗା କନ୍ଦିରୁ ହାତଟାକୁ ବାହାର କରି ନେଇ ସେ କମଳାର ପ୍ରସାରିତ ଜଠର ଉପରେ ବୁଲାଇ ଆଣିଲେ ।

 

ଏଁ ! ନାଁ’ ତ ଏ ଫାମ୍ପିବା ନୁହେଁ !

 

ମନ ତାଙ୍କର ଚଞ୍ଚଳ ହୋଇଉଠିଲା । ଆଖି ବି । ଇଚ୍ଛା ହେଉଥିଲା କମଳାର ପେଟ ପାଖରେ କାନ ରଖି ସେ ଶୁଣନ୍ତେ କିଏ ତା’ ଭିତରେ ଭଜନ କରୁଛି କି ନାହିଁ ? କିଏ ସ୍ଥିର ଯୋଗମୁଦ୍ରାରେ ତା’ ଭିତରେ ବସିଛି ନା ଅସ୍ଥିରତାରେ ହଲଚଲ ହେଉଛି ।

 

ଧୀରେ ମୁହଁଟେକି ସେ ଚାହିଁଲେ କମଳାର ସାମାନ୍ୟ ଝୁଲିଆସିଥିବା ସ୍ତନ ଦୁଇଟାକୁ । ସାମ୍ନାର ବୃତ୍ତାକାର ଅଂଶରେ ଅପରାହ୍ନ ଆକାଶର ପାଣ୍ଡୁରତା ନେସି ହୋଇଛି । ସେ ପୁଣି ମୁହଁ ଟେକି ଚାହିଁଲେ କମଳାର ଆଖିକୁ–ଯେଉଁ ଆଖିରେ ଇନ୍ଦ୍ରଧନୁ ଦିସେ । କମଳାର ଆଖି ।

 

ଇସ୍, ଏ କି ରଙ୍ଗ !

 

ଏ ରଙ୍ଗ ଆସିଲା କେଉଁଠୁ ?

 

କିପରି ଏ ଅସମୟରେ ଏ ସମ୍ଭବ ହେଲା ? ଏ ରଙ୍ଗ ତ ଦୁଧ ଓ ଅଳତାର !

 

ଗଭୀର ଉତ୍ତେଜନାରେ ଥରିଲା କଣ୍ଠରେ ସେ ପଚାରିଲେ, “କମଳା ! ଇଲୋ ଇଏ ତୋର କ’ଣ ହୋଇଛି ?” ତା’ପରେ ହାଉଳିଖାଇ ଚିତ୍କାର କରିଉଠିଲେ, ବୋହୁ ! ବୋହୁ ! ଶାମ ! ଶାମ !

 

ଯେଉଁ ଅଦୃଶ୍ୟ ବୋମା ଏଇ ସାଧାରଣ ପରିବାର ଭିତରେ ଅକସ୍ମାତ୍ ବିସ୍ଫୋରିତ ହେଲା, ତା’ରି ବିକ୍ଷିପ୍ତ ଧ୍ଵଂସକାରୀ ରେଣୁ ଧ୍ଵଂସର ସମାପ୍ତି ସିନା ଆଣିପାରିଲା ନାହିଁ, ହେଲେ ଅଜସ୍ର କ୍ଷତର ଅପ୍ରକାଶ ଯନ୍ତ୍ରଣା ଏକ ମାଂସାସୀ ଭଲ୍ଲୁକର ଜିହ୍ୱା ଭଳି ସମସ୍ତଙ୍କୁ ସ୍ପର୍ଶ କରିଯାଇଥିଲା ।

 

ବିପର୍ଯ୍ୟସ୍ତ ଆଖିଗୁଡ଼ାକ ଘରର ଏଣେତେଣେ ପଡ଼ି ଖାଲି ଛଟ୍‍ପଟ୍ ହେଉଥିଲେ ।

 

ୟା’ ପୂର୍ବରୁ ସେ ଆଖିଗୁଡ଼ାକ କେବଳ ତଳମୁହାଁ ହୋଇଥିଲେ । ଏ ବିରାଟ ପ୍ରଶସ୍ତ ପୃଥିବୀରେ ସେ କେବଳ ଦେଖୁଥିଲେ ମାତ୍ର ଏକ ମିଟର ବର୍ଗାକାର ସ୍ଥାନ । ତେଣୁ ଏତେ ସଂକୀର୍ଣ୍ଣ ସମସ୍ୟା ଭିତରେ ଏଭଳି ଏକ ଅକଳ୍ପନୀୟ ଦୁର୍ଘଟଣା ତାଙ୍କ ଦେହରେ ମୁଠାଏ ରକ୍ତ ଓ ମୁଠାଏ ପାଉଁଶ ବୋଳି ଦେଇଥିଲା ।

 

ସମସ୍ତେ ଚାହିଁଥିଲେ । ଆଖିର ପରଦାଗୁଡ଼ାକ ବୋଧେ ପୋଡ଼ି ଜଳି ଯାଇଥିଲା । କମଳା କିନ୍ତୁ କାନ୍ଦୁଥିଲା । କାରଣ କାନ୍ଦିବାଟା ହିଁ ସ୍ତ୍ରୀ ଲୋକଙ୍କର ସବୁ କଥା ।

 

ମିଶ୍ରିତ ପ୍ରତିକ୍ରିୟା

 

ସୋଲାପୁର ତିଆରି ଶସ୍ତା ବେଡ୍‍ସିଟ୍ ଉପରେ ଯୋଡ଼ାଏ ଧୂସର ଆଖି, ଗାଲକୁ ଢିରା ଦେଇଥିବା ଗୋଟାଏ ଶକ୍ତ ବୟସୀ ହାତ ଓ ଅଦୃଶ୍ୟ ମସ୍ତିସ୍କଟା କାର୍ଯ୍ୟରତ । ଏ ସବୁର ପ୍ରତୀକ ଗୋଟିଏ ଅତି ସାଧାରଣ ନା–ଶ୍ରୀ ଶ୍ୟାମସୁନ୍ଦର ଦାସ ।

 

ଶ୍ରୀ ଶ୍ୟାମସୁନ୍ଦର ଦାସ । ଏକାଧାରାରେ ଜଣେ ପୁତ୍ର, ପିତା, ସ୍ଵାମୀ, ମୁରବି । ଅନାସ୍ଥାବାନ୍ ପୁତ୍ର ଓ ଘରର ଭଗ୍ନ ଅର୍ଥନୈତିକ ଅବସ୍ଥା, ତାଙ୍କର ସର୍ବମୋଟ ଏହିପରି ଦୁଇଟି ସମସ୍ୟା ।

 

ଆଜିର ଏ ତୃତୀୟ ସମସ୍ୟା ଠିକ୍ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ ସମସ୍ୟା ଭଳି ପ୍ରଭାବଶାଳୀ ଓ ଉତ୍କଟ । ତେଣୁ ଶ୍ରୀ ଶ୍ୟାମସୁନ୍ଦର ଦାସ ଖୁବ୍ ଆଘାତ ପାଇଥିଲେ । ମାତ୍ର କେତେ ସମୟ ପାଇଁ ଘରେ ସମସ୍ତଙ୍କ ଉପରେ ପାଟିକରି ଗାଳିବର୍ଷଣ ପରେ, ଚୁପ୍‍ହୋଇ ଭାବୁଛନ୍ତି–ଯାହାହେଉ ପଛେ ଦୁର୍ଘଟଣାର କାରଣ, ସହଜ ମୁକ୍ତିର ଉପାୟ କ’ଣ ? ବିଳମ୍ବ ବି ଅସହ୍ୟ । ତେଣୁ ସେ ବାରମ୍ବାର ପୂର୍ବ ଅଭ୍ୟାସଜନିତ ବିଡ଼ି ଟାଣୁଥିଲେ ।

 

ଶ୍ରୀମତୀ ମନୋରମା ଦେବୀ । ବୋହୁ, ସ୍ତ୍ରୀ ଓ ମା’ ସେ । ସ୍ଵଭାବତଃ ଶାନ୍ତ, ସରଳ ଓ ସାଧାରଣ ନିଜର ନିଷ୍କଳଙ୍କ ଜୀବନ ପାଇଁ ଢେର ଆତ୍ମଗର୍ବ ।

 

ଝିଅପାଇଁ ବି କିଛିଥିଲା । ମାତ୍ର ଝିଅର ଏତାଦୃଶ ଅବସ୍ଥା ତାଙ୍କୁ ଓଲଟପାଲଟ କରିଦେଲା । ତାଙ୍କର ବିରକ୍ତି ବେଶି ପ୍ରକାଶ ପାଉଥିବା ସ୍ଵାମୀଙ୍କ ଉପରେ । ତାଙ୍କ ମୁଣ୍ଡ ବରଫ ପାଲଟିଯାଇଥିଲା । ଆଖିଆଗରେ ଖାଲି ନାଚୁଥିଲା ବିଜୟର ଦୁଇଟା ଶିକାରୀ ଆଖି ଓ ମୋହିତ କରିବାର ଉଦ୍ଦେଶ୍ୟପୂର୍ଣ୍ଣ ହସ । ସେ କାନ୍ଦୁଥିଲେ ଅଥଚ ଲୁହ ଝରୁନଥିଲା ।

 

ଉମା ବେୱା । ବୋଉ ଓ ଆଈ ବର୍ତ୍ତମାନ । ଜୀବନରେ ସେ ଏମିତି ଅନେକ କଥା ଶୁଣିଥିଲେ । ଶୁଣିସାରି ‘ରାମ ରାମ’ ହୁଅନ୍ତି । ସେ ଟୋକୀକୁ କାହିଁକି ଜହର ଦେଇ ନ ମାରିଲ ବୋଲି ଅନୁଯୋଗ କରନ୍ତି । ହେଲେ ତାଙ୍କର ସେଇ ଚଷମାଦିଆ ଭୟାତୁର ଆଖିଦୁଇଟା ଏ ସବୁ ଦେଖି କେମିତି ମୁକ ପାଲଟିଯାଇଥିଲା । ତେଣୁ ସେ କିଛି ସମୟପାଇଁ ଇଚ୍ଛାକୃତ ମୃତ୍ୟୁବରଣ କଲେ ।

 

ଶ୍ରୀ ସଂଗ୍ରାମ ଦାସ । ପୁତ୍ର । ଭାଇ । ନାତି । ବି.ଏ. ପାସ୍ ପରେ ଚାକିରି ନ ପାଇ ସନ୍ଧ୍ୟାରେ ଦୈନିକ ଖବରକାଗଜ ବିକେ । କେତେ ପାଏ କେଜାଣି ସେଥିରୁ ? ଚଳିଯାଏ । ବାପା ଓ ବନ୍ଧୁମାନେ କୁହନ୍ତି ହିପ୍ପୀ । ସେ କହେ–ଏ ରୁଗ୍ଣ ସମାଜରେ ବଞ୍ଚିବା ବଡ଼ କଷ୍ଟ । ତେଣୁ ଯେତେଟା ପାରେ ସେ ଭାଙ୍ଗିଦେବ । ନୂତନର ସନ୍ଧାନ ଦେବ । ସେ ଜଣେ ବିପ୍ଳବୀ । ଆଖିରେ ତା’ର ରଙ୍ଗ ଲାଲ ।

 

ସବୁ ଶୁଣି ସେ କେବଳ ଭାବୁଥିଲା, କେଡ଼େ ବୋକୀଟାଏ ମ କମଳା ! ଦେହ ଯେତେବେଳେ ଅଛି, କ୍ଷୁଧା ତ ରହିବ । ଏ ଯୁଗରେ ଯେତେବେଳେ କଣ୍ଟ୍ରାସେପଟିଭସ୍ ଓ ଗର୍ଭନିରୋଧ ଟାବଲେଟ୍ ଯଥେଷ୍ଟ ମିଳୁଛି, ସେତେବେଳେ ଅବିବାହିତ ଅବସ୍ଥାରେ ଗର୍ଭବତୀ ହେବା–ଦୁଃସମ୍ବାଦ ।

 

ଯାହାହେଉ କମଳା ଯେ ଏପରି ଗୋଟାଏ କିଛି ଭୁଲ୍ କରିଛି ତା’ ନୁହେଁ । ହେଲେ ଏ ସମାଜ...hail your ସମାଜ । ଏ ବ୍ୟାଧିଗ୍ରସ୍ତ, ୟାକୁ ଭାଙ୍ଗିବାକୁ ପଡ଼ିବ । ଏଠାରେ ଚୋରି କରିବାରେ ଦୋଷ ନାହିଁ...ଅଛି ଧରାପଡ଼ିବାରେ । ଦିଆସିଲି ମାରି ସେ ପିକା ଟାଣିଲା । ଯାହାହେଉ, ଯେତେବେଳେ ସେ ମହାନ ଶକ୍ତିର ସୃଷ୍ଟି ହେଲାଣି, ଏଣିକି ତାକୁ ପୂର୍ଣ୍ଣାଙ୍ଗ କରି ସୂର୍ଯ୍ୟାଲୋକ ଦେଖାଇବାର ଦାୟିତ୍ଵ ଏ ଘରେ ସମସ୍ତଙ୍କର ।

 

ଦଶବର୍ଷର ସଞ୍ଜୟ ଜାଣିପାରିଥିଲା ଘରେ କିଛି ଗୋଟାଏ ଘଟିଛି, କିନ୍ତୁ ସେ ଯାହାକୁ ପଚାରୁଥିଲା, କେହି କିଛି ନ କହି ବରଂ ତା’ଉପରେ ଅଯଥା ବିରକ୍ତ ହେଉଥିଲା । ତେଣୁ ସେ ଘରୁ ଚାଲିଯାଇ ବାହାର ପିଲାଙ୍କ ସାଙ୍ଗରେ ଖେଳ ଆରମ୍ଭ କରିଦିଏ ।

 

ଏକମାତ୍ର ବାଟ

 

କମଳା ଅଦରକାରୀ । ଶମବାବୁ, ମନୋରମା ଦେବୀ ଓ ମା’ ଏକମତ । ବାକି ସଂଗ୍ରାମ–ହିପ୍ପୀ ଏ ସମାଜଘରେ ବରଂ ସୁପରିକଳ୍ପିତ ସମ୍ମାନ ରକ୍ଷା କରିବାର ଦାୟିତ୍ୱ ବାପାଙ୍କର । ସେ ସମ୍ରାଟ । ତାଙ୍କର ଆଦେଶରେ ସମସ୍ତେ ଆତଯାତ । ତେଣୁ ସଂଗ୍ରାମର ଭିନ୍ନମତ ହେଲେ ମଧ୍ୟ ଅଗ୍ରହଣୀୟ । ତା’ ଛଡ଼ା ବିଜୟ ବି ଲେଖିଛି–

 

‘କମଳା ଭୁଲ୍ ବୁଝିବ ନାହିଁ । କେଇଟା ଦୁର୍ବଳ ମୁହୂର୍ତ୍ତର ପରିମାଣରୁ ଆମେ ଯଦି ମୁକ୍ତି ପାଇପାରନ୍ତେ, ତେବେ ଘରର ସମସ୍ତ ପ୍ରତିବାଦ ଏଡ଼ାଇବାକୁ ମୋର ଯଥେଷ୍ଟ ଶକ୍ତି ହୁଅନ୍ତା । ବିଚାର କରି ଦେଖିବ । ତୁମର ତ ମା’ହେବାର ଢେର ସମୟ ଏବେମଧ୍ୟ ଅଛି । ତେଣୁ ଆମ ଜୀବନରେ ଯା’ ପାଇଁ ସ୍ଥାନ ନ ଥିଲା, ଯିଏ ଅବାଞ୍ଛିତ, ତା’ ପାଇଁ ଦୁର୍ବଳତା ଆସିଲେ ବି’ ପରିସ୍ଥିତି ଦୃଷ୍ଟେ, କ୍ଷତି କ’ଣ ହେବ ତାକୁ ଫେରାଇଦେଇ ପୁଣି ତା’ର ନୂତନ ଆଗମନୀ ପାଇଁ ସଜ୍ଜିତ ହେବା-?”

 

ସଂଗ୍ରାମ । ସଂଗ୍ରାମ ସମାଜରେ ଗୋଟାଏ ବୃଥା ଆଦର୍ଶର ଅହଙ୍କାରୀ ଜୀବ । ଜୀବନର ମୂଲ୍ୟାଙ୍କନ ସାମାଜିକ ପ୍ରଥା ସବୁ ତା’ପାଇଁ ଭିନ୍ନ । ଭଗବାନ କରନ୍ତୁ ତାରି ଆଦର୍ଶରେ ମଣିଷର ବାହାର ଭିତର ଏକ ହେଉ । ହେଲେ କ’ଣ କରଣୀୟ ?

 

“ଗୋଟାଏ ଜୀବନ୍ତ ମଣିଷକୁ ହତ୍ୟା କରିବା ଯାହା; ଗର୍ଭପାତ କରାଇବା ସେଇଆ । ଏ ନରହତ୍ୟା ! ତେଣୁ ମୁଁ ୟାର ସମର୍ଥକ ହୋଇପାରିବି ନାହିଁ । ବରଂ କମଳାର ଅନାଗତ ସନ୍ତାନର ସୃଷ୍ଟି ପରେ, ଯଦି ତା’ର ଭାର କେହି ବୋହିବା ଲାଗି ସମ୍ପୂର୍ଣ୍ଣ ଅସମର୍ଥ, ତେବେ ତାକୁ ମୋତେ ଦେଇଦେବ । ମୁଁ ନେଇ ସେଇ ମହାନ ଜୀବନଶକ୍ତିର ପ୍ରତୀକକୁ ଏଇ ମାଟିରେ ଶୁଆଇ ବଞ୍ଚାଇବି । ଏ ପୃଥିବୀ ହେବ ତା’ର ଘର । ଆକାଶ ହେବ ଛାତ । ଜାତି, ବର୍ଣ୍ଣ ଓ ସୃଷ୍ଟିର ସମସ୍ତ ତଫାତକୁ ଭାଙ୍ଗି ସେଇ ମହାନ ଶକ୍ତିର ପରିପୂରକ ସମସ୍ତେ ହେବେ ସେଇପୂର୍ଣ୍ଣତାର ଏକ ଅବିଚ୍ଛେଦ୍ୟ ଅଙ୍ଗ ।”

 

ନନସେନ୍ସ ! ଗର୍ଜିଉଠିଲେ ଶାମବାବୁ ସବୁ ଶୁଣିସାରି । ସଂଗ୍ରାମଠାରୁ ଏଭଳି ଇଡ଼ିଅଟ ମତ ସେ ଢେର ଆଗରୁ ଆଶା କରୁଥିଲେ । ତେଣୁ ବିରକ୍ତି ପ୍ରକାଶ କରି କହିଲେ, ତୋ ଭଳି ଗୋଟାଏ ଇଡ଼ିଅଟର ପରାମର୍ଶ ମୁଁ ଚାହୁଁନାହିଁ । ତୁ ଯାଇ ଖବରକାଗଜ ବିକ୍ରି କରିପାରୁ । ନୀରବରେ ସଂଗ୍ରାମ ଚାଲିଯାଇଥିଲା । ସେ ଜାଣିଥିଲା ଏମାନେ ମଣିଷ ନୁହନ୍ତି ପଶୁ । ଯୁଗ ଯୁଗର ମୂଲ୍ୟହୀନ ସାମାଜିକ ବନ୍ଧନ ଭିତରେ ବନ୍ଦୀହୋଇ ଆଜି ଏମାନେ ନଂପୁସକ । ଏମାନଙ୍କୁ ଚାବୁକର ଶାସନ ଦରକାର–ମାନବିକତା ନୁହେଁ ।

 

ଅମାନୁଷିକ ହତ୍ୟା

 

ଘରର ଚଟାଣ, କାନ୍ଥ, ଛାତ ସବୁ ଖାଲି ରକ୍ତମୟ । ସେଇ ରକ୍ତାକ୍ତ ଉପତ୍ୟକାରେ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଛି କମଳା । ବାଧ୍ୟକରି ଏପରିପକ୍ୱ ଗର୍ଭସ୍ଥ ସନ୍ତାନକୁ ଭୂମିଷ୍ଠ କରିବାରେ ଯେଉଁ ନିଷ୍ଠୁର ଅମାନୁଷିକ ପ୍ରତିକ୍ରିୟା, ତିଳେ ତିଳେ ଦଂଶନ କରି ବିଦାରଣ କରୁଛି କମଳାର ଅପ୍ରସ୍ତୁତ ଶିରାପ୍ରଶିରା ଓ ଗର୍ଭକୋଷକୁ ସେଇ ଅସହ୍ୟ ବେଦନାରୁ ମୁକ୍ତିପାଇଁ ସେ ଚିତ୍କାର କରି ମାଗୁଥିଲା ଟିକେ ବିଷ । ଆଃ...ମରିଗଲି ମରିଗଲି...ବୋଉ ଲୋ...ବାପା ଲୋ...ଓଃ...

 

ଡାକ୍ତରାଣୀ, ଅଧୈର୍ଯ୍ୟ ବାପା ବୋଉଙ୍କୁ ସାନ୍ତ୍ଵନା ଦେଉଛନ୍ତି, ଦେଖନ୍ତୁ ଆପଣ ଏତେ ବ୍ୟସ୍ତ ହେଲେ ଚଳିବ ? ଧୈର୍ଯ୍ୟ ଧରନ୍ତୁ ମାତ୍ର ଆଉ କେଇଟା ମୁହୂର୍ତ୍ତ ପରେ ସବୁ ଠିକ୍ ହୋଇଯିବ । ଜାଣନ୍ତି ତ, ଗୋଟାଏ ଗର୍ଭପାତର ଯନ୍ତ୍ରଣା ଦଶଟା ଗର୍ଭଯନ୍ତ୍ରଣା ସଙ୍ଗେ ସମାନ । ତେଣୁ ଆପଣ ଯଦି ଏତେ ବ୍ୟସ୍ତ ହେବେ ପେସେଣ୍ଟର ଅବସ୍ଥା...ଯାଆନ୍ତୁ ଅନ୍ୟ ଘରକୁ ଟିକେ ଯାଆନ୍ତୁ । ଖଣ୍ଡ ଖଣ୍ଡ ମାଂସ କାଟି ଭ୍ରୁଣକୁ ହତ୍ୟା କରିବାରେ ଯେଉଁ ବ୍ୟାକୁଳତା, ଯେଉଁ ଯନ୍ତ୍ରଣା ସୁସ୍ଥ ମଣିଷକୁ ବିଚଳିତ କରେ ସେଇ କରୁଣତା ଘରର ପ୍ରତି ରନ୍ଧ୍ରରେ ପ୍ରତିଧ୍ୱନିତ ହେଉଛି । କମଳା ବିକଳରେ ବାହା କାମୁଡ଼ୁଛି । ମୁହଁ ଆମ୍ପୁଡ଼ୁଛି । ତା’ ପ୍ରିୟ ଲମ୍ବା ଲମ୍ବା କେଶ ଛିଣ୍ଡାଇପକାଇ କାନ୍ଥକୁ ମାଡ଼ିବସୁଛି । ରକ୍ତରେ ଭିଜି ଭିଜି ଯାଉଛି ସ୍ଖଳିତ ବସନ । ଲେଡ଼ି ଡକ୍ଟରଙ୍କ କାଚର–ଆଖି ଝଲସିଉଠୁଛି, ମେସିନ ଭଳି ସେ କହୁଥିଲେ, ଏମିତି ବ୍ୟସ୍ତ କାହିଁକି ହେଉଛ ? ନିଅ ଏ ଗରମ ପାଣି ଟିକେ ପିଇଦିଅ । ନିଅ-

 

ଇସ୍ପାତର ଗୋଟାଏ ଉତ୍ତପ୍ତ ସିଟ୍ ଉପରେ ହାତ ଗୋଡ଼ ବାନ୍ଧି ଜଣକୁ ପକାଇଦେଲେ ଯେଉଁ ଆର୍ତ୍ତନାଦରେ ସେ ବିଦାରଣ କରେ, ମହାଶୂନ୍ୟକୁ, ସେମିତି ବ୍ୟାକୁଳ ଭାବେ ଚିତ୍କାର କରିଉଠିଲା କମଳା ଇଲୋ...ବୋଉ ଲୋ...ଆ...

 

ଆଖିରୁ ଲୁହ ପୋଛି ନିଜକୁ ସଂଯତ କରିନେଲେ ଶାମ ବାବୁ, ମନୋରମା ଦେବୀ । ବର୍ତ୍ତମାନର ଯନ୍ତ୍ରଣା ଯଦି ଭବିଷ୍ୟତର ଦ୍ୱନ୍ଦ୍ୱହୀନ ସୁଖୀ ଜୀବନର ହେତୁ ହୁଏ, ତେବେ କ୍ଷତି କ’ଣ ସହିଯିବାରେ ? ତା’ ଛଡ଼ା ଅନ୍ୟ ଉପାୟ ବି କାହିଁ ?

 

ନିଜକୁ ଖୁବ୍ ସଂଯତ କରାଇ ବିଛଣାରେ ପଡ଼ି ଛଟପଟ ହେଉଥିଲା ସଂଗ୍ରାମ । କରୁଣତାର ସ୍ଵରଲିପି ତା’ ମନର ପ୍ରତିଟି ସ୍ନାୟୁରେ ଅବିରତ ଅଶାନ୍ତ ହୋଇଉଠୁଛି । ତଥାପି ସେ ପଥରଭଳି ପଡ଼ିଛି । ଯେତେବେଳେ ଏ ସବୁକୁ ବାପା ବୋଉ ସହ୍ୟ କରି ଯାଉଛନ୍ତି, ସେ ପାରିବ ନାହିଁ କାହିଁକି ? ତା’ ବ୍ୟତୀତ କମଳାକୁ ଏତେକରି ବୁଝାଇବାର ଫଳ ତ କିଛି ହେଲାନି । ଶେଷରେ ବାପାଙ୍କ କଥାରେ ସେ ସମ୍ମତି ଦେଲା । ହୁଏତ ଆଉ କେଇଟା ମୁହୂର୍ତ୍ତ ପରେ ସବୁ ଠିକ୍ ହୋଇଯିବ-। କେଇଟା ଦିନ ପରେ କମଳା ପୁଣି ସୁସ୍ଥ ହୋଇଉଠିବ । ହୁଏ ତ ନିଷ୍ପାପ ବି !

 

ସଂଗ୍ରାମର ନିଜକୁ ବୁଝାଇବାର ସବୁ ସାର୍ଥକ ଯୁକ୍ତି ସତ୍ତ୍ୱେ ସେ ଅଣନିଃଶ୍ୱାସୀ ହୋଇଉଠୁଥିଲା । କମଳାର ବ୍ୟାକୁଳତା କାୟା ବିସ୍ତାରୁଛି । ମଣିଷ ସଙ୍ଗେ ମଣିଷର ଯେଉଁ ଅବିଚ୍ଛନ୍ନ ସମ୍ପର୍କ, ସଂଗ୍ରାମ ଭିତରେ ସେ ସ୍ୱର ତୋଳୁଛି । ମଣିଷ ପ୍ରତି ମଣିଷର ଯେଉଁ ସ୍ୱତଃ ପ୍ରେମ ତା’ର ଛିନ୍ନ ସମ୍ପର୍କ ଯୋଡ଼ି ହୋଇଉଠୁଛି । ଏକ ରୁଦ୍ଧ ଆବେଗରେ ପାଗଳଙ୍କ ଭଳି ବିଛଣାରୁ ଉଠି ସଂଗ୍ରାମ କ୍ଷିପ୍ର ଗତିରେ ଯାଇ ପଶିଗଲା ସେଇ ନିଷିଦ୍ଧ କୋଠରୀ ଭିତରକୁ ।

 

ପାଖରେ ଛିଡ଼ା ହୋଇଛନ୍ତି ଲେଡ଼ି ଡକ୍ଟର । ଯନ୍ତ୍ରଣାରୁ ମୁକ୍ତି ପାଇ ସେଇ ରକ୍ତାକ୍ତ ଚଟାଣରେ ମୂର୍ଚ୍ଛା ଯାଇଛି କମଳା । ଗର୍ଭଦ୍ୱାରକୁ ବିଦୀର୍ଣ୍ଣ କରି ରକ୍ତର ସେଇ ସମୁଦ୍ର ଭିତରେ ପରିତ୍ୟକ୍ତ ପେଣ୍ଡୁ ଭଳି ପଡ଼ିଛି ଗୋଟାଏ ଅପୂର୍ଣ୍ଣ ଜୀବନୀଶକ୍ତିରହିତ ଲୋହିତ ସନ୍ତାନ । ନାଭୀ ଦେଶରୁ ତା’ର ଲମ୍ବିଯାଇଛି ଏକ ଲାଲ ରଜ୍ଜୁ କମଳାର ଜଠରକୁ–ସୃଷ୍ଟି ଓ ସ୍ରଷ୍ଟାର ଏକ ଅବିଛିନ୍ନ ସମ୍ପର୍କର ମହାନ ନିଦର୍ଶନ ଭଳି ।

 

ଯେଉଁ ରୁଗ୍ଣ ମାନସିକ ଶକ୍ତିର ଇଙ୍ଗିତରେ ଗୋଟାଏ ଦିବ୍ୟ ଅପ୍ରକାଶ୍ୟ ସୃଷ୍ଟିକୁ ତା’ର ପୂର୍ଣ୍ଣତା ପୂର୍ବରୁ ବଳାତ୍କାରରେ ହତ୍ୟା କରି ଅଣାଗଲା ଏଇ ଜୀର୍ଣ୍ଣ ପୃଥିବୀ ଉପରକୁ–ଏଇ ବିଭତ୍ସକାଣ୍ଡର ନୀରବ ଦର୍ଶକ ଭଳି କେତୋଟି ମୁହୂର୍ତ୍ତ ତାକୁ ଚାହିଁ–ସଂଗ୍ରାମ କେଜାଣି କାହା ଉଦ୍ଦେଶ୍ୟରେ ନିଜର ହାତ ଦୁଇଟାକୁ ଉଠାଇ ପ୍ରଣିପାତ କଲା । ତା’ପରେ କ୍ଷୀପ୍ରଗତିରେ ଫେରି ଆସୁ ଆସୁ ଅଟକିଯାଇ ଲେଡ଼ି ଡକ୍ଟରଙ୍କୁ ଓ ବିଷାଦଭରା କଣ୍ଠରେ ପଚାରିଲା, ଆପଣ ଏ କ’ଣ କଲେ ଡକ୍ଟର ? ଏ କ’ଣ କଲେ ?

 

ବିସ୍ମୟରେ ଲେଡ଼ି ଡକ୍ଟର ସଂଗ୍ରାମକୁ ଚାହିଁଥିଲେ ଆଖି ଫାଡ଼ି ।

Image

 

ବିରୋଧାଭାସ

 

ସମୟେ ସମୟେ ତ ମୋର ଏହିଭଳି ଚିନ୍ତା ହେଉଥିଲା । ଆଉ କିଛିଦିନ ପରେ ମୁଁ ବୁଢ଼ା ହୋଇଯିବି । ମୁହଁର ଏହି ଉଜ୍ଜ୍ୱଳତ୍ୱକ୍ ନିସ୍ପ୍ରଭ ହୋଇ ଅଦରକାରୀ କାଗଜ ଭଳି ଲୋଚାକୋଚା ଦେଖାଯିବ । ଆଖିକୁ ଆଉ ପୂର୍ବଭଳି ଦିଶିବ ନାହିଁ । ଦାନ୍ତର ଶକ୍ତି ହ୍ରାସ ପାଇବ । ଏତେ ଯତ୍ନକରି କୁଣ୍ଡାଯାଇଥିବା କେଶତକ ପଚିଯାଇ ବିବର୍ଣ୍ଣ ଦେଖାହେବ । କେତେବେଳେ ସେଇ ରୂପ ଆଇନାଆଗରେ ଯଦି ଭାସିଉଠେ, ମୁଁ କ’ଣ ତାକୁ ସହ୍ୟ କରିପାରିବି !

 

କିଏ ଜାଣେ ପ୍ରଚଣ୍ଡ ଆକ୍ରୋସରେ ମୁଁ ସେ ଆଇନାକୁ ଭାଙ୍ଗି ନ ଦେବି ! ବା ଆତ୍ମହତ୍ୟା କରିବାକୁ ପ୍ରଲୁବ୍ଧ ନ ହେବି ।

 

ମାତ୍ର ସେଇ ସମୟରେ କାହିଁକି କେଜାଣି ବୋଉ ବାପା ମୋ ସାମ୍ନାରେ ଚଲାବୁଲା କରନ୍ତି । ମୁହଁ ଟେକି ଗଭୀର ଦୃଷ୍ଟିରେ ମୁଁ ତାଙ୍କୁ ଚାହେଁ । ଦେଖେ ମୋର ଭବିଷ୍ୟତରେ କଳ୍ପିତ ରୂପ ମୂର୍ତ୍ତିମନ୍ତ ହୋଇଛି ତାଙ୍କଠାରେ । ଅଥଚ ସେମାନେ ଯେପରି ସେ କଥା ଜାଣିନାହାନ୍ତି । ଏକ ପ୍ରତିବାଦୀ ଭଳି ଭାବେ; ମୁଁ ହଠାତ୍ ତାଙ୍କୁ ଏ ସମ୍ପର୍କରେ ସଚେତନ କରାଇଦେବି–ଏବଂ ଦେଖିବି ସେମାନଙ୍କ ପ୍ରତିକ୍ରିୟା ।

 

“ବୋଉ ! ତୋ ମୁଣ୍ଡର ବାଳଗୁଡ଼ାକ ସବୁ ପାଚିଗଲାଣି ।” ପ୍ରସଙ୍ଗହୀନ ଭାବେ, କଥାଟାକୁ ମୁଁ ସହଜଭାବେ କହିଦେଲି । ବୋଉ ସେତେବେଳେ ପାନ ଖାଇବାପାଇଁ ଚଟାଣରେ ବସି ଗୁଆ ଭାଙ୍ଗୁଥାଏ ।

 

ବୋଉର ମୁଣ୍ଡରୁ ଲୁଗା ଖସିଯାଇଥିଲା । ସେ ଅଯତ୍ନକରା ଆଲୁଳାୟିତ କେଶ ଉପରେ ହାତ ବୁଲାଇ ମୁହଁଟେକି ମୋତେ ଚାହିଁଲା ।

 

ମୁହଁଟା ତା’ର ଖୁସିରେ ଝଲସିଉଠିଥିଲା । ତା’ର ଏଭଳି ଭାବ ଦେଖି ମୁଁ ଖୁବ୍ ବିଚଳିତ ହୋଇଉଠିଲି । ମାତ୍ର ସେ ଉତ୍ତର ଦେଲା–ଅନେକ ଦିନରୁ ତ ପାଚିଗଲାଣି । ତୁ କ’ଣ ଏତେ ଡେରିରେ ଦେଖୁଛୁ ? ତା’ ଉତ୍ତର ମୋତେ ସମ୍ପୂର୍ଣ୍ଣ ଅନ୍ୟମନସ୍କ କରାଇ ଦେଇଥିଲା । ମୁଁ ଭାବିଲି କି ଅଦ୍ଭୁତ ସ୍ତ୍ରୀଲୋକ ଇଏ ! ମୁଁ ତ ଯେଉଁମାନଙ୍କୁ ଦେଖିଛି, ବା ଯେଉଁମାନଙ୍କ ସହିତ ମିଶିଛି ସେମାନେ କେତେ ଭିନ୍ନ । ଘଣ୍ଟା ଘଣ୍ଟା ସମୟ ଦେଇ ନିଜକୁ ସଜାନ୍ତି । ସମୟର ଦାଗ ଲିଭାଇବାକୁ ପ୍ରାଣପଣେ ଚେଷ୍ଟା କରନ୍ତି । ପୁଣି କେଉଁ ଗହୀର ଦାଗ ଯଦି ସମସ୍ତ ଯନ୍ତ୍ର ସତ୍ତ୍ୱେ ଲିଭେନାହିଁ, ସେ ଚିହ୍ନକାହାରି ଆଖିରେ ନ ପଡ଼ିବା ପାଇଁ ସତର୍କ ହୁଅନ୍ତି । ପ୍ରକୃତରେ, ଥରେ ମୁଁ ଜଣେ ମୋର ବାନ୍ଧବୀଙ୍କୁ ତାଙ୍କର ବୟସ ବଢ଼ି ଯାଉଛି ଏବଂ ମୁହଁର ସେ ପୂର୍ବ ଆକର୍ଷଣ ଆଉ ନାହିଁ ବୋଲି କହିଦେଇଥିବାରୁ, ସେ ମୋତେ ତାଙ୍କର ପହିଲା ନମ୍ବର ଶତ୍ରୁ ମନେକଲେ ଏବଂ ସେହିଦିନଠାରୁ ମୋତେ ଚାହିଁଲେ ନାହିଁ ବା କଥା ବି କହିଲେ ନାହିଁ । ମୋତେ କେବେ ଅକସ୍ମାତ୍ ଦେଖିଦେଲେ ଆଖିରେ ତାଙ୍କର ଘୃଣା ଭରିଯାଉଥିଲା । ମାତ୍ର ଏ କ୍ଷେତ୍ରରେ ବୋଉ କି ଅଦ୍ଭୁତ ! ତାକୁ ନେଇ ଏକ ଚମତ୍କାର ରଚନା ଲେଖାଯାଇପାରେ–ଏଇ ନାଁ ଦେଇ:

 

“ମୋ ବୋଉ ବିଷୟରେ ଏକ ରଚନା ।”

 

ପୃଥିବୀର ଯେକୌଣସି ସ୍ଥାନକୁ ଆମେ ଯିବା ଦେଖିବା, ବୋଉମାନଙ୍କୁ । ସେମାନେ ବଡ଼ ଉପକାରୀ ଜୀବ । ତାଙ୍କରି ଯୋଗୁ ଏ ଜୀବଜଗତ ତିଷ୍ଟିଛି । ସେମାନେ ନିଜର ପିଲାମାନଙ୍କୁ ଅଶେଷ ତ୍ୟାଗ ସ୍ଵୀକାର କରି ବଞ୍ଚାନ୍ତି । ମଣିଷ ନାମକ ଏକ ଜୀବ ପାଖରେ, ପ୍ରଥମ ଅବସ୍ଥାରେ ବୋଉମାନଙ୍କର ଆବଶ୍ୟକତା ଖୁବ୍ ଜରୁରୀ, ମାତ୍ର ମଣିଷ ପିଲାମାନେ ଯଥେଷ୍ଟ ଆତ୍ମନିର୍ଭଶୀଳ ହେଲେ ବୋଉମାନଙ୍କର ଦୁର୍ଦ୍ଦଶା ଆରମ୍ଭ ହୁଏ । ଏବଂ ସମୟ କ୍ରମେ ସେମାନେ ଅଦରକାରୀ ମନେହୁଅନ୍ତି । ବୋଉମାନେ ସ୍ତ୍ରୀଜାତୀୟ । ସ୍ତ୍ରୀମାନଙ୍କର ସମସ୍ତ ଲକ୍ଷଣ, କଳା, ମନୋଭାବ ସବୁ ସେମାନଙ୍କଠାରେ ଦେଖାଯାଏ । ମାତ୍ର ମୁଁ ଯେଉଁ ବୋଉ କଥା ଲେଖିବାକୁ ଯାଉଛି ସେ ଏକ ଭିନ୍ନ ପ୍ରକାରର ସ୍ତ୍ରୀ ।

 

ବୋଉ ଭାଙ୍ଗିଥିବା ପାନଟାକୁ ପାଟିରେ ପୂରାଇ କଳରେ ଯାକିଦେଲା । ମୁଣ୍ଡର ପାଚିଲା ତଥାପି ଲମ୍ବା ଥିବା ସେଇ କେଶତକ ହାତରେ ସଜାଡ଼ି ପଛଆଡ଼କୁ ଗୁଡ଼ାଇ ଗୋଟାଏ ଗଣ୍ଠି ପକାଇଦେଇ କହିଲା–

 

ବୟସ ତ ହୋଇଗଲା । କେତେଦିନ ଆଉ ଇଏ ନ ପାଚି ରହିଥାଆନ୍ତା, କେଇଟାଦିନ ବା ଆଉ ବଞ୍ଚିବି । ଭଗବାନଙ୍କୁ ଡାକୁଛି, ତୁମରି ଆଗରେ ମୁଁ ଆଖିବୁଜେ ।

 

ବୋଉର ଏଇ କେଇପଦ କଥା ମୋତେ ସମ୍ପୂର୍ଣ୍ଣ ଚହଲେଇ ଦେଇଥିଲା । ମୁଁ କିଛି ପ୍ରଥମେ ଚିନ୍ତା କରିପାରିଲି ନାହିଁ । ଖାଲି ମନେ ମନେ ତା’ରି କଥା ଭାବିବାକୁ ଲାଗିଲି । ସେ ଯାହା କହିଲା ତାକୁ ଦୁଇ ଭାଗରେ ବିଭକ୍ତ କରାଯାଇପାରେ । ବୟସ ତା’ର ବଢ଼ିଯାଇଛି ଏବଂ ଏଇ ବୟଃବୃଦ୍ଧିକୁ ସେ ଦୁଃଖହୀନ ଭାବେ ସହଜରେ ଗ୍ରହଣ କରିନେଇଛି । ମୃତ୍ୟୁକୁ ତା’ର ଭୟ ନାହିଁ ।

 

ମୁଁ କାହିଁକି ଏଇ ବଢ଼ୁଥିବା ବୟସକୁ ଗ୍ରହଣ କରିପାରୁନାହିଁ ? କାହିଁକି ମୋ ଭିତରେ ମୃତ୍ୟୁ ଏକ ଆତଙ୍କ ସୃଷ୍ଟି କରେ ? ପୁଣି ବୋଉ କହିଲା–ଆମରି ଆଗରେ ତା’ର ଆଖିବୁଜିବା କଥା-। ଆମରିଠାରେ କ’ଣ ତା’ର ସମସ୍ତ କାମନା ପୂର୍ଣ୍ଣ ? ସେହିଦନଠାରୁ ବୋଉର ଉପସ୍ଥିତିହିଁ ମୋତେ ଡରାଇବାକୁ ଲାଗିଲା । ତା’ ପାଖରେ ମୁଁ ଅନୁଭବ କରେ ଅପୂର୍ଣ୍ଣତା । ତତ୍‍ଜନିତ ଦୁଃଖ । ତା’ର ପ୍ରଶାନ୍ତ ମୁଁହ ଦେଖିଲେ ମୋ ଛାତି ଧକ୍ ଧକ୍ କରେ ଉତ୍ତେଜନାରେ । ମୁଁ ଭାବେ:

 

ରାତିରେ ଶୋଇପାରୁନଥିବା ଆଜିର ଦୁଃଖୀ ମଣିଷ ଗୋଟାଏ ମୁଁ । ମୃତ୍ୟୁଠାରୁ ନିଃସଙ୍ଗତା । ନିଃସଙ୍ଗତାଠାରୁ କାମନା । କାମନାଠାରୁ ଅପ୍ରାପ୍ତି । ଅପ୍ରାପ୍ତିଠାରୁ ହୀନମନ୍ୟତା । ହିନମନ୍ୟତାଠାରୁ ଅମାପ ଯନ୍ତ୍ରଣାର ମୁଁ ଏକ ସଫଳ ପ୍ରତୀକ ।

 

ଅଥଚ ମୋର ବୟସ ଅଛି । ଅଛି ଯୌବନ । ଅଛି କରିପାରିବାର ସାମର୍ଥ୍ୟ । ସବୁ ସତ୍ତ୍ଵେ ମୁଁ ବିକଳ । ଅନ୍ତହୀନ କାମନା ନଦୀଭଳି ବହିଯାଇଛି ମୋ ଭିତରେ ନୂଆ ନୂଆ ପଥ ସୃଷ୍ଟି କରି । ସବୁର ସ୍ଥିତି ମୁଁ ଅନୁଭବ କରୁଛି । ଅନୁଭବ କରୁଛି । ଏକ ନପୁଂସକ ପୌରୁଷର ଯନ୍ତ୍ରଣା । ଅନବରତ ଦୌଡ଼ୁଛି ମୁଁ, କେଉଁ ମାୟାମୃଗ ପଛରେ–ଏବଂ ଧରି ନ ପାରିବାର ଅସହାୟତାରେ ମୁଁ ପାଲଟିଯାଉଛି ରୁଗ୍‍ଣ ।

 

ପୁଣି ଭୟ ପାଉଛି ମୋଠାରୁ ପ୍ରାୟେ ତିନିଗୁଣ ଅଧିକ ବୟସର ଏକ ନାରୀକୁ । ଦେଖି, ତା’ର ସଦା ସନ୍ତୋଷ ଭାବ । ଦେଖି ତା’ର ସ୍ଥିରତା । ଆତ୍ମବିଶ୍ଵାସ । ସେଦିନ ବୋଉକୁ ମୁଁ ପୁଣିଥରେ ପଚାରିଥିଲି ବୋଉ ତୋ ଜୀବନର ସିକ୍ରେଟ କ’ଣ ?

 

‘ତୁ ଗୋଟାଏ ପାଗଳ’ । ହସି ହସି ସେ ଉତ୍ତର ଦେଲା, ତେବେ ମୁଁ ଜୀବନରେ ଯାହା ପାଇଛି, ସେ ସବୁକୁ ଗ୍ରହଣ କରିଛି ସହଜରେ ।

 

–କେଉଁ ଅପ୍ରାପ୍ତି ଜନିତ ତୋର ଦୁଃଖ ନାହିଁ ?

 

ସେ ଦୁଃଖ ତ ମଣିଷକୁ ହତ୍ୟାକରେ । ଶାନ୍ତିରେ ଜୀଇଁବାକୁ ଚାହୁଁଥିବା ମଣିଷ ତା’ର ଶିକାର ହେଲେ–ବଞ୍ଚିବ କେମିତି ?

 

ସେଦିନ ମୁଁ ବୋଉକୁ ମନପୁରାଇ ଆଉଥରେ ଭଲପାଇଥିଲି । ହୃଦୟ ଦେଇ ଭକ୍ତି କରିଥିଲି । ପୁଣି ଅହେତୁକ ଭୟ ବି । ମୁଁ ଭାବେ ବୋଉ ଏକ ମହାମାନବ । ତା’ର ଜୀବନ ମୋ ପାଇଁ ଆଦର୍ଶ ।

 

ସୀମାଙ୍କ ପାଖରେ ପହଞ୍ଚିଲାବେଳକୁ ସନ୍ଧ୍ୟା ହୋଇଯାଇଥିଲା । ବାହାରେ ଝିପିଝିପି ବର୍ଷା ସହ ଥଣ୍ଡା ପବନ ଲାଗି ରହିଥାଏ । ମୁଁ ତ ପ୍ରାୟେ ସମ୍ପୂର୍ଣ୍ଣ ଭିଜି ଯାଇଥିଲି । ତଥାପି ମନଭିତରେ ସୀମାଙ୍କୁ ଭେଟିବାର ଉତ୍ତେଜନା ଭରିଥାଏ । ତାଙ୍କୁ ହଠାତ୍ ଚମକାଇ ଦେବାଲାଗି ମୁଁ ଧିରେ ଧିରେ ତାଙ୍କ କୋଠରୀ ପାଖକୁ ଯାଇ ଦେଖିଲି–

 

ଆରାମରେ ଗୋଟିଏ କେନ୍ ଚେୟାର ଉପରେ ବସି ସେ ଆସନ୍ତାକାଲିଟିଏ ପଢ଼ିବାରେ ନିଜକୁ ହଜେଇ ଦେଇଛନ୍ତି । ଟେବୁଲ୍ ଉପରେ ଥୁଆ ହୋଇଥିବା ରେଡ଼ିଓରୁ ଏକ ଲଘୁ ସଂଗୀତର ସ୍ଵର ଶୁଭୁଛି । ଘର ଭିତରେ ଜଳିଥିବା ଅଗରବତୀଟିର ଗନ୍ଧ ତଥାପି ଲିଭିନି । ସୀମା ସେ ସନ୍ଧ୍ୟାରେ ନିଅନ ଆଲୁଅର ଫଲ୍‍ଗୁ ଭିତରେ ଏକ ସତେଜ ଫୁଲତୋଡ଼ାଭଳି ଦେଖାଯାଉଥିଲେ । ମୁଁ ତାଙ୍କର ଏ ପଢ଼ିବାର ତନ୍ମୟ ଭାବ ଦେଖି ସ୍ଥିରକଲି–ନା, ନିଜେ ନିଜେ ଏପ୍ରକାର ଏକାଗ୍ରତାର ଭାବ ନ ଭାଙ୍ଗିଲେ ମୁଁ ଭାଙ୍ଗିଦେବି ନାହିଁ ।

 

ହଠାତ୍ କେନ ଚେୟାର ଉପରେ ସୀମା କେମିତି ବିଚଳିତ ହୋଇଉଠିଲେ ମନଭିତରେ ସୃଷ୍ଟି ହେଲା ଏକ ଅଦୃଶ୍ୟ ସ୍ଥିତିର କମ୍ପନ । ହାତଟାକୁ ଉଠାଇ ନିଜର କେଶ ଉପରେ ଅନ୍ୟମନସ୍କ ଭାବରେ ଚଳାଉ ଚଳାଉ ହଠାତ୍ ସେ ଆଖିଆଗରୁ ପତ୍ରିକାଟି ଖସାଇନେଇ ଦେଖିଲେ ମୋତେ ।

 

ପ୍ରଥମ ଆଶ୍ଚର୍ଯ୍ୟଭଳି ମୁଁ ଯେପରି ଛିଡ଼ାହୋଇଛି ତାଙ୍କ ଆଗରେ । ଆଖି ତାଙ୍କର ଝଲସିଉଠିଲା । କିଛି କହିପାରିଲେ ନାହିଁ ସେ । ସମସ୍ତ ଦେହରେ ଏକ ସଚେତନ ତାରଲ୍ୟର ଝଙ୍କାର ଯେପରି ଖେଳିଗଲା । ମୁଁ ଆଗକୁ ଧିରେ ଧିରେ ଆସି କହିଲି ।

 

–ଖୁବ୍ ଆନନ୍ଦରେ ଅଛ । ନା ?

 

ତଥାପି ସେ ନୀରବ ଥିଲେ । –ତୁମର ଏକାଗ୍ରତାକୁ ପ୍ରଶଂସା କରିବାର କଥା । ପୁଣିଥରେ ମୁଁ କହିଲି । ମୁହୂର୍ତ୍ତେ ସ୍ଥିରଭାବେ ଚାହିଁ ସେ ମୋତେ ପଚାରିଲେ ଧୀର ଅଥଚ କମ୍ପିତ ସ୍ୱରରେ–କେତେବେଳୁ ଆସିଲଣି ?

 

ତିରିଶ ବର୍ଷ ତଳୁ । ପାଖ ଚେୟାରରେ ବସିପଡ଼ି ମୁଁ ଉତ୍ତର ଦେଲି । –ମୋତେ ଡାକିଲ ନାହିଁ । ସବୁ ସମୟରେ ତ ଡାକୁଛି । କିନ୍ତୁ ତୁମେ ଶୁଣି, ଶୁଣିପାରୁନା । କଥାଟା ସହଜରେ କହିଦେଇ ମୁଁ ତାଙ୍କୁ ଚାହିଁଲି ।

 

ମୋର ସମଗ୍ର ଦେହକୁ ହଠାତ୍ ସେ ଦେଖି ବ୍ୟସ୍ତ ହୋଇଉଠି କହିଲେ–ବର୍ଷାରେ ଭିଜିଯାଉଛ, ନା ? ପୋଷାକ ବଦଳିପକାଇ ମୋର ଗୋଟାଏ ଲୁଗା ପିନ୍ଧିନିଅ ।

 

ତୁମ ଲୁଗା ! ମୁଁ ଆଶ୍ଚର୍ଯ୍ୟଭାବେ ପଚାରିଲି ।

 

ହଁ । ସାମାନ୍ୟ ହସି ସେ ଉତ୍ତର ଦେଲେ । ସ୍ତ୍ରୀଲୋକଙ୍କ ଲୁଗା ପିନ୍ଧିଲେ କେହି ସ୍ତ୍ରୀ ହୋଇଯାଆନ୍ତି ନାହିଁ । ତୁମେ ପ୍ରସ୍ତୁତ ହୁଅ । ମୁଁ କଫି ନେଇଆସୁଛି । ସେ ଚାଲିଯାଉଥିଲେ ।

 

ତୁମର ଅନୁପସ୍ଥିତି ମୁହୂର୍ତ୍ତେ ମୁଁ ସହିପାରିବି ନାହିଁ । ଏକ ଆବେଗ ଭରା କଣ୍ଠରେ ମୁଁ ତାଙ୍କୁ ଏକ ପ୍ରକାର ଅନୁରୋଧ କଲି ।

 

–ମୁଁ ବି ସହିପାରୁନି । ସେ ଉତ୍ତରଦେଲେ ଚାପା କଣ୍ଠରେ । ତା’ପରେ ଚାଲିଗଲେ କଫିପାଇଁ । ମୁଁ ଭାବୁଥିଲି–

 

ଜୀବନରେ ଆମେ ଯାହା ଚାହୁଁ, ଅଜାଣତରେ କ’ଣ ତା’ରି ପଥରୁଦ୍ଧ କରି କରି ଆମେ ଯାଉଁ ? ଇଏ କ’ଣ ସେଇ ସ୍ଥାନ ଯେଉଁଠି ନିଜର ଖୁସି ପାଇଁ ଆନନ୍ଦ ପାଇଁ ନିଜକୁ ହତ୍ୟାକରି ଚାଲିଛୁ ? ଅନବରତ !

 

ସବୁଦିନେ ତ ସୀମାଙ୍କ ହାତ ପ୍ରସ୍ତୁତ କଫିରେ ଥାଏ ପିଇଯିବାର ତୃଷ୍ଣା । କପ୍‍ଟାକୁ ହାତକୁ ବଢ଼ାଇଦେଇ ଅଭିମାନଭରା କଣ୍ଠରେ କହିଲେ–ତୁମେ ଏତେ ଡେରି କଲ କାହିଁକି ? ମୋତେ ଏଠି ଏକା ଏକା ମୋଟେ ଭଲ ଲାଗୁନାହିଁ ।

 

ମନେହେଉଛି, ତୁମେ ତ ଖୁବ୍ ଖୁସିରେ ଅଛ । ମୁଁ ପ୍ରତିବାଦ କରି କହିଲି ।

 

ସୀମା ମୋର ମନ୍ତବ୍ୟ ଶୁଣି ଗମ୍ଭୀର ହୋଇଉଠିଲେ । ମୁହଁ ଟେକି ମୋତେ ଯେତେବେଳେ ଚାହିଁଲେ, ସେଇ କରୁଣ ମୁହଁରେ ଆଖିଦୁଇଟା ବଡ଼ ନିସ୍ପ୍ରଭ ଦେଖାଯାଉଥିଲା । ଯେପରି ନିଜର ଅମାପ ଦୁଃଖ, ଅସହାୟତା ଭିତରେ ସେ ବୁଡ଼ିଯାଉଛନ୍ତି । ତା’ପରେ କହିଲେ–

 

ହଁ ମୁଁ ଖୁବ୍ ଖୁସିରେ ଅଛି । ତୁମେ ଏକଲବ୍ୟ କଥା ଜାଣିଛ ନା ? ଗୁରୁ ଦକ୍ଷିଣା ସେ ତା’ର ଆଂଗୁଠି କାଟି ଦେଇଥିଲା । ଯେଉଁ ଗୁରୁଙ୍କଠାରୁ ସେ ପ୍ରକାଶ୍ୟରେ ଲାଞ୍ଛନା ପାଇ, ତାଙ୍କର ପ୍ରତିକୃତି ସ୍ଥାପି ସିଦ୍ଧି ପାଇଥିଲା, ସେଇ ସିଦ୍ଧିର ଦକ୍ଷିଣାପାଇଁ ଦେଇଥିଲା, ଅସ୍ତ୍ରଚାଳନାରେ ପ୍ରଧାନ ସହାୟତା କରୁଥିବା ତା’ର ଆଙ୍ଗୁଠିଟିକୁ । ଖୁବ୍ ଖୁସିରେ ସେ ଦେଇଥିବ ନା ?

 

–ସେମିତି ଯାହାକୁ ମୁଁ ପ୍ରତି ମୁହୂର୍ତ୍ତରେ ଚାହୁଁଛି । ନିଜର ଅସହାୟତା ଯାହାଲାଗି ବନ୍ୟାଭଳି ଚଢ଼ି ଚାଲିଛି, ତା’ଠାରୁ ଦୂରରେ ରହି ମୁଁ ଖୁବ୍ ଖୁସି ଅଛି । ଶେଷ କେଇପଦ କଥା କହୁ କହୁ ଦୀର୍ଘଶ୍ଵାସ ପକାଇଲେ । ତା’ପରେ ହସିଉଠିଲେ ।

 

ନିରୁତ୍ତାପ ସେଇ ହସ ବରଫର ସ୍ପର୍ଶଭଳି ମୋତେ ଛଟପଟ କଲା । ମୁଁ ନୀରବରେ ତାଙ୍କୁ ଚାହିଁଥିଲି ।

 

ଭାବୁଥିଲି । କିଏ ଆଜିର ଏଇ ମଣିଷମାନଙ୍କୁ ଦେଖି କହିପାରିବ ସେମାନେ ଦୁଃଖୀ ବୋଲି ! ବାହାରର ସାଜସଜା, ଆଡ଼ମ୍ବର, ନିଜକୁ ଉପସ୍ଥାପିତ କରିବାର ଭଙ୍ଗୀ–ସବୁ ତ ଏକ ପୂର୍ଣ୍ଣ ମଣିଷର । ହେଲେ ତା’ଭିତରେ ଯେ ଜଳୁଛି ଏମିତି ନିଆଁ । ସେଇ ନିଆଁର ଉତ୍ତାପ, ଦହନ ଯେ କେତେ ନିଷ୍ଠୁର ଭାବେ ଧ୍ଵଂସ କରି ଚାଲିଛି ତା’ ଜାଣିହେବ ବା କେମିତି ? ଅଥଚ ସୀମା ମୁଁ, ଆମେ ସମସ୍ତେ ସେଇ ଖଣ୍ଡିତ ରୂପର ଶିକାର । ଭିତରର ଅଗ୍ନିଦାହ, ବାହାରର ଆବରଣ ତଳେ ସତର୍କରେ ବନ୍ଦୀ ।

 

ସେଇ ଦହନ ଭିତରୁ ଏଇ ଅସହାୟ ମଣିଷ କେବେ ପୁଣି ସତର୍କରେ କଇଁଚ ଭଳି ମୁଣ୍ଡ କାଢ଼େ ଭିତରକୁ ପଶିଯିବାର ଅସ୍ଥିର ଆତଙ୍କରେ ।

 

ସୀମା ନୀରବ ଥିଲେ । ନିଜ ଭିତରେ ଯେପରି ସେ ହଜିଯାଇ ସତ୍ତାହୀନ ହୋଇଯାଇଛନ୍ତି । ସେଇ ଶାନ୍ତିଭାବର ଦୁଃଖଦ ମୁଦ୍ରା ଯେତିକି କରୁଣ ସେତିକି ପୁଣି ପରିଚିତ ମୋର ।

 

ମୁଁ କହିଲି ସୀମା ଏ ସମସ୍ତ ଦୁଃଖ କେବଳ ଆମର କାମନା ଜନିତ, ଅପ୍ରାପ୍ତି ଜନିତ । ଅଥଚ ଆମେ ପୁଣି ଏତେ ନିର୍ବୋଧ ଯେ ହାତଉପରେ ଥିବା ପ୍ରାପ୍ତି ପ୍ରତି ଅଯତ୍ନଶୀଳ, ଉଦାସୀନ । ତାକୁନେଇ କ’ଣ ମଣିଷ ଖୁସି ହୋଇପାରିବ ନାହିଁ ? ସବୁଦିନେ ଏମିତି ମାୟାମୃଗ ପଛରେ ଦୌଡ଼ୁଥିବ । ସୁନାର ଇଲିସ ପାଇଁ ଜାଲ ବିଛାଉଥିବ ?

 

ତୁମେ ଏକ ନୂଆ କଥା କହୁଛ ଆଜି । ଯାହା ତୁମଠାରୁ ମୁଁ କେବେ ଶୁଣିନାହିଁ । ସୀମା କହିଲେ–ଅପ୍ରାପ୍ତିରେ ଦୁଃଖ ଥାଇପାରେ, ସେ ଦୁଃଖ ଜୀବନର ପ୍ରତୀକ । ସେଥିରେ ସୁଖର ପ୍ରତିଶ୍ରୁତି ଅଛି । ତାକୁ ଛାଡ଼ି, ପାଇଥିବା ବସ୍ତୁରେ ଯେଉଁମାନେ ତୃପ୍ତ ସେମାନେ ମୃତ ।

 

ମୃତ ! ସୀମା, ବୋଉ କ’ଣ ତେବେ ମାରିଛି ?

 

ଯେଉଁମାନଙ୍କର କାମନା ନାହିଁ । ଯେଉଁମାନେ ଅପ୍ରାପ୍ତିର ଭୟରେ ନିଜକୁ ସଂକୁଚିତ କରି ହାତ ଉପରେ ଥୁଆ ହୋଇଥିବା ମାଟିର କଣ୍ଢେଇକୁ ସମଗ୍ର ଜୀବନବ୍ୟାପୀ ଭଲପାଇପାରନ୍ତି–ସେମାନେ ସମସ୍ତେ ମୃତ । ସୀମା ଯୋର ଦେଇ କହିଯାଉଥିଲେ ।

 

ମୁଁ ଭାବୁଥିଲି ସୀମା ଠିକ୍ କହୁଛନ୍ତି । କାମନାର ସେଇ ପଦ୍ମ ପଛେ ଘୁଞ୍ଚି ଘୁଞ୍ଚି ଯାଉ, ଆମରି ଭଳି ଏଇ ଅସହାୟ ମଣିଷ ସେଇ ପଦ୍ମ ପାଇଁ ଧୀରେ ଧୀରେ ପାଣିରେ ପସି ସଲୀଳ ସମାଧି ପାଉ–ତଥାପି ସେ ମରିବା ପୂର୍ବରୁ ବଞ୍ଚିଥାଉ, ବଞ୍ଚିଥାଉ ।

 

ସୀମାଙ୍କର ଆଖି ଉଜ୍ଜ୍ୱଳ ହୋଇଉଠେ । ମୋ ପାଖରେ ଆସି ଛିଡ଼ାହୋଇ ମୋ ମୁହଁ ଟେକି ସେ କୁହନ୍ତି–ତୁମେ ଖୁବ୍ ଝଡ଼ିଯାଉଛ, ଆଜିକାଲି ।

 

ତୁମେ ବି । ତନ୍ନୟଭାବେ ମୁଁ ତାଙ୍କୁ ଚାହିଁ କହେ, ତୁମେ ବି । ବୋଉ ଏଇ କଥା ମୋତେ କୁହେ–ମୁଁ ଝଡ଼ିଯାଉଛି ।

Image

 

ନଈବଢ଼ିର ଦୃଶ୍ୟ

 

କେବେ ବା ବିଛଣାରେ ପଡ଼ି ନିଦ ହେବା ପୂର୍ବରୁ, ଅଥବା ଅନେକ ନୀରବ ମୁହୂର୍ତ୍ତରେ, ମୁଁ ଯେତେବେଳେ ବାହାରକୁ ଖାଲି ଦର୍ପଣ ଭଳି ଚାହିଁଥାଏ ବା ଉଦ୍ଦେଶ୍ୟହୀନ ଭାବେ ରାସ୍ତାରେ ଏକା ଏକା ଗଲାବେଳେ, ଯଦି କୌଣସି ତରୁଣୀର ଅଧା ଫିଟା ବେଣୀ ବା ଛାତିଉପରୁ ଅଧା ଖସା ଲୁଗା ବା କିଞ୍ଚିତ ତୃତୀୟ ଶ୍ଵାନର କ୍ଷୁଧିତ କରୁଣ ଆଖିଭଳି କିଛି ଆଖି ଦେଖେ, ହଠାତ୍ ମୋ ଭିତରେ ଏକ ଭୟଙ୍କର ବୋମା ବିସ୍ଫୋରିତ ହୁଏ । ମୋର ସମଗ୍ର ଅବୟବକୁ ଛିନ୍ନ ବିଛିନ୍ନ କରି ଫିଙ୍ଗିଦିଏ–ଆକାଶକୁ । ପୃଥିବୀକୁ । ପୁଣି ସମୁଦ୍ରକୁ ।

 

ମର୍ମାନ୍ତକ ଯନ୍ତ୍ରଣାରେ ଛଟପଟ ହୋଇ ମୁଁ ଆକାଶକୁ ଚାହେଁ । ଦେଖେ, ଆକାଶରେ ଝୁଲୁଛି ମୋର ଛିଣ୍ଡା ହାତ । ଆଖି ଫେରାଏ ପୃଥିବୀକୁ । ପୃଥିବୀ ଉପରେ ମୋର ବିବର୍ଣ୍ଣ ବିଭତ୍ସ ଦେହ । ପୁଣି ଅସହାୟ ଭାବେ ଅନାଏ ସମୁଦ୍ରରେ କ୍ଷତବିକ୍ଷତ ମୋର ଗୋଡ଼ ଢେଉରେ ଉଠିପଡ଼ି ଭାସୁଛି ।

 

ମୁଁ ସେତେବେଳେ ମୋ ଭିତରୁ ବାହାରିଆସି, ଯେପରି ବିକଳ ଭାବେ କ’ଣ ଗୋଟାଏ ଖୋଜେ । ପାଖରେ ସିଗାରେଟ ଥିଲେ ଲଗାଏ ଅଥବା ନିକଟରେ ଥିବା ପଞ୍ଝା ପଞ୍ଝା ମଣିଷଙ୍କର କୌଣସି ସମସ୍ୟା ବହୁଳ ଗପ ଭିତରକୁ ଝାମ୍ପଦେଇ ଅହେତୁକ ମନନଶୀଳତାରେ ଶୁଣେ । ଅଥବା ଆଗରେ ବାହାରିଥିବା କୌଣସି ଗଳି ରାସ୍ତାରେ ଲମ୍ଫଦେଇ ଦୌଡ଼େ, କଙ୍ଗାରୁଭଳି । ପୁଣି ବା କେତେବଳେ ଚିତ୍କାର କରେ–ନିରାଲା ! ନିରାଲା !

 

ନିରାଲା ଶୁଣି ଆସନ୍ତି । ଶରତ ଆକାଶରେ ଅକସମାତ୍ ପଞ୍ଝାଏ କପୋତ ଭଳି ତାଙ୍କ ଆଖିରେ ଖାଲି ପ୍ରଶ୍ନ–କୁହ । କାହିଁକି ଡାକିଲ କୁହ ? ସେଇ ମୁହୂର୍ତ୍ତରେ ତାଙ୍କର ଆଖି ମୁହଁକୁ ଦେଖି ମୁଁ କିଛି କହିପାରେନା । କେବଳ ଅନୁଭବ କରେ । ମୁଁ ମୁକ ପାଲଟିଯାଉଛି । ନିଜକୁ ନିଜେ ଯେପରି ବୁଝିପାରୁନି । ନିରୀହ ମେଷ ଶାବକ ଭଳି ମୁଁ ତାଙ୍କୁ ଜୁଳୁ ଜୁଳୁ କରି ଚାହେଁ । ମୋତେ ଯେପରି କିଏ ବଳତ୍କାର କରି ଟେକିନେଉଛି ଶହ ଶହ ମାଇଲ ଉପରକୁ ଏବଂ ହସି ହସି ମତେ ସେଠୁ ଛାଡ଼ିଦେଉଛି । ପରିବ୍ୟାପ୍ତ ନୀଳ ନୀଳ ଅନ୍ଧକାରର ଅନାହୂତ ସଙ୍ଗୀତ ଶୁଣି ଆତଙ୍କିତ ହୋଇ ଚାରିଆଡ଼କୁ ମୁଁ ରାହାପାଇଁ ହାତ ବୁଲାଇ ପୁଣି ବ୍ୟର୍ଥ ହେଉଛି ଏବଂ–

 

ଖସିପଡ଼ୁଛି ।

 

ଖସିପଡ଼ୁଛି କେଉଁ ଶୀତଳତମ ଗହ୍ଵର ଭିତରକୁ ।

 

ଗୋଟାଏ ଭୟଙ୍କର ମର୍ବିଡ଼ର ମେଲା ପାଟି ଭିତରକୁ ।

 

ନିରାଲାଙ୍କର ଆଖି କ୍ୟାମେରାର ଲେନ୍‍ସଭଳି । ବାହାରର ସମସ୍ତ ପରିବର୍ତ୍ତନର ଅନେକ ସ୍ନାପ ସତର୍କତା ସହ ନେଇ, ଆଗରେ ମୋର ଆସି ଛିଡ଼ାହୁଅନ୍ତି । ପଛ ପଟର ଲମ୍ବା ବେଣୀକୁ ଟାଣିଆଣି, ଛାତି ଉପରେ ପକାଇ, ସୃଷ୍ଟି ହୋଇଥିବା ଅନେକ ଉନ୍ନତ ଆକର୍ଷଣର ଇଙ୍ଗିତ ଦିଅନ୍ତି । ଦୀର୍ଘଦିନ ଧରି ଯୌବନକୁ ଧରିରଖିବା ପାଇଁ ପ୍ରସ୍ତୁତ ତାଙ୍କର ପତଳା ଦେହରେ ଦେଖାଦିଏ କମ୍ପନ । ସେତେବେଳେ ମୋ ଭିତରର ରକ୍ତରେ ମେଞ୍ଚା ମେଞ୍ଚା ନୀଳ ଗରଳ ଫେଣ୍ଟି ହୋଇ, ତା’ର ବିକ୍ଷୁବ୍ଧ ସ୍ରୋତ ଊର୍ଦ୍ଧ୍ୱମୁଖୀ ହୁଏ । ଆଉ ନିରାଲା ସବୁ ନାରୀଙ୍କ ଭଳି, ପରିବେଶକୁ ସହଜରେ ଠଉରାଇନେଇ, ଆଖି ନଚାଇ ପଚାରନ୍ତି–କ’ଣ, କଫି ଆଣିବି ?

 

କଫି ? ନା । ନା । ଯଦି ପାର ଟିକିଏ ଥଣ୍ଡା ପାଣି ! ତା’ପରେ କଣ୍ଠ ଉପରେ ମୁଁ ହାତ ବୁଲାଏ ।

 

ପାଣି ପାଇଁ ଗଲାବେଳେ ନିରାଲାଙ୍କ ସିଂହକଟି ଦୋହଲିଯାଏ । ଯତ୍ନକରି ପିନ୍ଧିଥିବା ଶାଢ଼ିର ତ୍ରିଜ ଫୁଲ ଭଳି ଅଥବା ଢେଉ ଭଳି ତଳ ଉପରକୁ ନାଚିଯାଏ । ସତର୍କତା ସହ ସେ ରେକର୍ଡ଼ ପ୍ଳେୟାରଟା ଅନ୍ କରିଦେଇଯାଆନ୍ତି । ତା’ପରେ ଘର ଭିତରର ଓଜନିଆ ଛାଇ ଆଲୁଅରେ ଏକ ଲଘୁ ବାସ୍ନାଭଳି ହୃଦୟସ୍ପର୍ଶୀ ସ୍ଵର ଲହରିଉଠେ–ଆଇ ଲଭ ୟୁ ଡାର୍ଲିଂ...ଲଭ୍ ୟୁ ...ସିନସ୍ ଦ୍ୟାଟ୍ ଡେ; ଆଇ ଲଭ ୟୁ... ।

 

ଗୀତଟିକୁ ଶୁଣୁ ଶୁଣୁ ମନେପଡ଼ିଯାଏ ମୋର ସେଦିନର କଥା । ପ୍ରଥମ କରି ନିରାଲାଙ୍କୁ ଗ୍ରହଣ କରିବାର ବେଳ । ଏଇ ରେକର୍ଡ଼ଟାକୁ ହିଁ ତାଙ୍କୁ ଉପହାର ଦେଇ ପ୍ରତିଶ୍ରୁତି ଦେଇଥିଲି–ନିରାଲା, ତୁମକୁ ମୁଁ ସବୁଦିନ ପାଇଁ ଭଲପାଇବି । କେବଳ ଭଲପାଇବି । ସେଦିନ ନିରାଲା ମୋ ଛାତି ଉପରକୁ ଆଉଜି ଆସିଥିଲେ ଏକ ଅସ୍ଥାକରା ପ୍ରତିଶ୍ରୁତି ପାଇଁ । ସୋହାଗରେ ମୁହଁ ତାଙ୍କର ଦେଖାଯାଉଥିଲା ଲାବଣ୍ୟମୟ । ପ୍ରଥମଥର ପାଇଁ ମୁଁ ବଜାଇଥିଲି ସେ ରେକର୍ଡ଼ଟା ।

 

ନିରାଲାଙ୍କର ସବୁଦିନ ପାଇଁ ପ୍ରିୟ ହୋଇଛି ସେ ରେକର୍ଡ଼ଟା । ଏବେ ସେ ହିଁ କେବଳ ବଜାନ୍ତି । ଆଇ ଲଭ ୟୁ ଡାର୍ଲିଂ...ସେଇ ସ୍ମୃତିର ସଂକେତ । ପ୍ରଥମ ମିଳନ ପୁଣି ପ୍ରତିଶ୍ରୁତିର କାହାଣୀ-

 

ନିରାଲା କେବେ ଯଦି ଅନୁଭବ କରିବ, ତାଙ୍କୁ ନେଇ ମୁଁ ଅଶାନ୍ତି ହୋଇଉଠୁଛି ଅଥବା ଦେହରୁ ତାଙ୍କର ଅଦରକାରୀ ବସ୍ତ୍ରଗୁଡ଼ାକ ଖୋଲିଦେଇ ଦେଖେ ତରଳ ଛଳ ଛଳ ଏକ ସାମ୍ପେନ ଭଳି ସ୍ୱଚ୍ଛ ରକ୍ତଭ ଦେହର ଜୁଆର । ଧିରେ ଧିରେ ଅଧର ଲଗାଇ, କେତେବେଳେ ସ୍ତନ କେତେବେଳେ ନାଭି, ଚୁମ୍ବନ କରିଯାଏ, ବିଛଣାରେ ପୁଲକିତ ହୋଇ ଧିରେ ହାତ ବଢ଼ାଇ ସେ ରେକର୍ଡ଼ଟାକୁ ଅନ୍ କରନ୍ତି । ସେଇ ଗୀତ । ସେଇ ନଦୀ । ସେଇ ଅରଣ୍ୟ ମୋତେ ଉନ୍ମାଦ କରେ ପୁଣି କେତେବେଳେ ସେଇ ଗୀତ ଶୁଣି ମୁଁ ନିଜକୁ ସଙ୍କୁଚିତ କରିନେଇ ବରଫ ପାଲଟେ ।

 

ଗ୍ଳାସ୍‍ଟାକୁ ବଢ଼ାଇଦେଇ ନିରାଲା କହିଲେ, ମୁଁ ସେଥିରେ ଟିକିଏ ଲିମନ ସ୍କ୍ୱାସ ମିଶେଇଛି ।

 

ଧନ୍ୟବାଦ ! ଗ୍ଲାସଟାକୁ ଗୋଟିଏ ଦମରେ ଶେଷକରି ଦେଇ ତାଙ୍କୁ ଚାହିଁ ପଚାରିଲି ତୁମେ ତ ପିଇଲ ନାହିଁ ।

 

ନା, । ମୋତେ ଶୋଷ ନାହିଁ ।

 

–ମୋର ବି ନ ଥିଲା । ଶୋଷ ନ ଥାଇ ମୁଁ ବି ପିଇଯାଉଛି । କହୁ କହୁ ଶବ୍ଦକରି ମୁଁ ହସିଉଠିଲି । କ୍ଷତବିକ୍ଷତ ହୋଇ, ସେଇ ହସର ସ୍ଵରରେ ନିରାଲା ତୀବ୍ର ସ୍ଵରରେ ପଚାରିଲେ–କ’ଣ ତୁମର ହେଉଛି ?

 

ନା, ନିରାଲା ! କିଛି ହୋଇନି । ଏଯାବତ୍ କିଛି ହୋଇନି । କେବଳ ମୁଁ ଭୁଲିପାରୁନି ସେଇ ନଈବଢ଼ିର ଦୃଶ୍ୟ ।

 

ଖାଲି କପ୍‍ଭଳି ଶୂନ୍ୟ ଆଖିରେ ନିରାଲା ମୋତେ ଚାହିଁ ରୁହନ୍ତି । ରକ୍ତହୀନ ତାଙ୍କ ମୁହଁ ସେତେବେଳେ ଦେଖାଯାଏ ଏକ ମଉଳିଆସିଥିବା ଫୁଲ ଭଳି କରୁଣ । ବିବର୍ଣ୍ଣ ।

 

ନଈବଢ଼ିର ଦୃଶ୍ୟ

 

ନଈବଢ଼ି ଏକ ଦୁର୍ଘଟଣା । ଏକ ପଶ୍ଚାତ୍ତାପ ।

 

ଅନାହୂତ ଯୌବନ ଭଳି ଆସେ କୂଳ ଲଙ୍ଘି । କୁମାରୀ ବନ୍ୟାର ଅକ୍ଷତ ସବୁଜ ଅରଣ୍ୟରେ ରକ୍ତର ପ୍ଲାବନ ଛୁଟାଇ, ପାଏ ସେ ପୂର୍ଣ୍ଣତା । ଆପାତତଃ ପୂର୍ଣ୍ଣତାର ଏଇ ପୃଥିବୀରେ ନଦୀ ପୁଣି ଅଶାନ୍ତ ହୁଏ । ହୁଏ ଅସ୍ଥିର ।

 

ଆକାଶରେ ମେଘ ଭାସେ । ପବନରେ ଦୀର୍ଘଶ୍ଵାସ । ଚାରିଆଡ଼େ ହୁରିପଡ଼େ–ବନ୍ୟା ଆସିଛି । ଭୀଷଣ ବନ୍ୟା । ରାସ୍ତାରେ ଭିଜନ୍ତି ମଣିଷ । ଅକସ୍ମାତ୍ ବର୍ଷା ପୁଣି ଛାଡ଼େ ।

 

ସମ୍ବାଦପତ୍ରରେ ବାହାରେ–କରାଳ ବନ୍ୟାର କରୁଣ କାହାଣୀ, (ପ୍ରତ୍ୟକ୍ଷଦର୍ଶୀଙ୍କ ବିବରଣୀ) । ରେଡ଼ିଓରେ ପ୍ରଚାରିତ ହୁଏ ବନ୍ୟାଗ୍ରସ୍ତଙ୍କ ଦୁର୍ଦ୍ଦଶା । ସରକାରୀ ସାହାଯ୍ୟ । ମନ୍ତ୍ରୀଙ୍କର ଗସ୍ତ ।

 

ନିରାଲାଙ୍କ କୋମଳ ମନରେ ଆଘାତ ଲାଗେ । ବ୍ୟସ୍ତଭାବେ କୁହନ୍ତି ବନ୍ୟାରେ ଯେଉଁମାନଙ୍କର ସବୁକିଛି ଭାସିଗଲା, କେତେ ଅସୁବିଧାରେ ରହୁନଥିବେ ସେମାନେ !

 

ହଁ ବଞ୍ଚିବାକୁ ହେଲେ, ଏମିତି ତ ଅନେକ କିଛି ହରେଇବାକୁ ପଡ଼େ । ମୁଁ ଏକ ଦାର୍ଶନିକ ଭଳି ଉତ୍ତର ଦିଏ ।

 

ତୁମେ କ’ଣ ହରେଇଛ ? ନିରାଲା ପଚାରନ୍ତି ।

 

ଅନେକ ହରେଇଛି । ଉତ୍ତର ଦେଇ ମୁଁ କହେ, ପାଇବାକୁ ହେଲେ ସମସ୍ତଙ୍କୁ ହିଁ ହରାଇବାକୁ ପଡ଼ିବ । ତୁମକୁ ପାଇବା ପରେ । ହରାଇବାର ଯନ୍ତ୍ରଣା ପ୍ରାପ୍ତିର ଆନନ୍ଦ ସବୁ ମୋତେ ସେଦିନ ଅସ୍ଥିର କରିଥିଲା । ମୁଁ ଅନୁଭବ କରୁଥିଲି ମିଳିତଭାବେ ସବୁ କିପରି ତୁମରିଠାରେ ମୂର୍ତ୍ତିମନ୍ତ ହୋଇଛି । ଏଇ କଥା ଜାଣିବା ପରେ–ମୁଁ ତୁମକୁ ଆହୁରି ଭଲପାଏ ।

 

ହସିଉଠି ନିରାଲା କୁହନ୍ତି, ତୁମକୁ ବୁଝିବାକୁ ହେଲେ ମୋର ଦର୍ଶନ ପଢ଼ିବାର ଥିଲା । ହଉ ଛାଡ଼ । ଇଚ୍ଛା ହେଉଛି ଚାଲ ନଈବଢ଼ି ଦେଖିବାକୁ ଯିବା ?

 

ଅନ୍ୟଦିନ ଗଲେ... ।

 

–ନା ଆଜି । କଥା ମୋର ଅଧାରଖି ନିରାଲା କହିଲେ ରିକ୍ସାରେ ଯିବା, ଆସିଲାବେଳକୁ ଚାଲି ଚାଲି ।

 

କ୍ଳାନ୍ତ ହୋଇପଡ଼ିବ ନାହିଁ ?

 

ତୁମ ସହ ସମସ୍ତ କ୍ଳାନ୍ତି ସତ୍ତ୍ୱେ ଚାଲିବାରେ ଆନନ୍ଦ ଅଛି ।

 

ପ୍ରସଙ୍ଗହୀନ ଭାବେ ହଠାତ୍ ମୁଁ କହିଲି–ନିରାଲା, ତୁମେ ମୋ ସାଙ୍ଗରେ ବଣକୁ ଯାଇପାରିବ ?

 

–ହଁ ।

 

ବାଘ ଆସିଲେ ?

 

–ଡରିବି ନାହିଁ ।

 

ମୁଁ ଯଦି ତୁମ ପାଖରେ ନଥାଏ ?

 

–କେଉଁଠି ଥିବ ?

 

ବାଘ ଭୟରେ କେଉଁ ଗଛରେ ?

 

–ମୋତେ ଏକା ଛାଡ଼ି ?

 

ହଁ, ତା’ ଯଦି ହୁଏ ?

 

–ମୋର ଆଉ ଭୟ କ’ଣ ?

 

ମାନେ ?

 

–ତୁମେ ଛାଡ଼ି ଯିବାପରେ ମୋର ଆଉ ବାଘକୁ ଭୟ କରିବାର କ’ଣ ଅଛି ?

 

ସେଦିନ ନିରାଲାଙ୍କ ଉତ୍ତର ଶୁଣି ଛାତିରେ ତାଙ୍କୁ ଚାପି ଧରିଥିଲି । ଉଜ୍ଜ୍ଵଳ ଆଖିରେ ସେ ମୋତେ ଚାହିଁ, କହିଲେ–ଯିବା ନା, ବନ୍ୟା ଦେଖି ?

 

ହଁ । ଯିବା ପ୍ରସ୍ତୁତ ହୁଅ । ମୁଁ କହିଲି ।

 

ମୁହୂର୍ତ୍ତକ ପରେ ନିରାଲା ନିଜକୁ ସଜେଇନେଇ ବାହାରି ଆସିଥିଲେ ।

 

ନଦୀ ବନ୍ଧରେ ଚାଲୁ ଚାଲୁ ଆମେ ଦେଖୁଥାଉ ବଢ଼ିଥିବା ନଦୀର ଦୃଶ୍ୟ । କୂଳହୀନ ନଦୀରେ ଖାଲି ପାଣି ତ ପାଣି । ତା’ର ଗର୍ଜନ । ତା’ର ନିମ୍ନମୁଖୀ ପ୍ରଖର ଗତି । ଦୂରରେ ଭାସୁଥିବା ନୌକା । ବନ୍ଧରେ ଚାଲୁଥିବା ସୌଖୀନ ଲୋକ–ବନ୍ୟାଗ୍ରସ୍ତଙ୍କ ବିଷୟରେ କଳ୍ପନା କଳ୍ପନା । ପୁଣି ଭବିଷ୍ୟତ ବାଣୀ । ୟା’ ହିଁ ଥିଲା ‘ନଈ ବଢ଼ିର ଦୃଶ୍ୟ’ ମୋ ପାଇଁ । ବରଂ ସେଇ ଥଣ୍ଡା ପବନ, ସେ ବିରକ୍ତିକର ପରିବେଶ, କୂଳରେ ସେଇ ପଚା ଜନ୍ତୁଙ୍କ ଫୁଲିଥିବା ଶବ ଓ ଦୁର୍ଗନ୍ଧ ମୋତେ ରୁଗ୍‍ଣ କରି ପକାଉଥିଲା । ମୁଁ ନିରାଲାଙ୍କୁ କହିଲି ।

 

ସନ୍ଧ୍ୟା ତ ହୋଇଗଲା । ଚାଲ ଫେରିବା । ଆଉ କିଛିବାଟ ଆଗକୁ ଯିବାକୁ ଅନୁରୋଧ କରି ସେ ଚାଲିଲେ ଆଗକୁ ବର୍ଷାରେ ଭିଜି ଭିଜି । ପରେ ଯେତେବେଳେ ଚାରିଆଡ଼ ଦେଖାଗଲା ଅନ୍ଧକାରମୟ, ଆକାଶରୁ ଯେତେବେଳେ ବର୍ଷା ଝରିପଡ଼ିଲା ଦ୍ରୁତ ଗତିରେ, ଆମେ ଫେରିଲୁ ।

 

ବାଟରେ ନିରାଲା କହିଲେ–ନା, ଆଉ ଚାଲିପାରିବି ନାହିଁ । ଏ ଅନ୍ଧାର, ଏ ବର୍ଷାରେ, ଏତେବାଟ, ଏଥିରେ ମୋ ପାଦ ଧରିଗଲାଣି ।

 

ଆଉ ବୋଧେ ଗୋଟିଏ କିଲୋମିଟର ଅଛି ରାସ୍ତା । ଆସନା ମୋ ହାତ ଧରି । କ୍ଳାନ୍ତି ନିରାଲାଙ୍କ ମାଂସଳ ବାହା ଉପରେ ହାତପକାଇ ମୁଁ ଚାଲିବା ଆରମ୍ଭ କଲି । ସେ ଧିରେ ଧିରେ ଚାଲିଥାଆନ୍ତି । ମୁଁ ଭାବୁଥିଲି ଛ’ବର୍ଷର ପତ୍ନୀତ୍ଵ ନିରାଲା ବାହୁଛନ୍ତି । ସତରେ କେତେ ଭଲ ସେ ! ସେ ନ ହୋଇ ଆଉ କିଏ ହୋଇଥିଲେ ଜୀବନ ହୁଏତ ମୋର ଦୁର୍ବିସହ ହୋଇଉଠୁଥାଆନ୍ତା !

 

ହଠାତ୍ ଏକ ଘଡ଼ଘଡ଼ିର ଭୟଙ୍କର ଶବ୍ଦରେ ସେ ଚିତ୍କାରଚ କରି ମୋତେ ଚିପିଧରିଲେ । ମୁଁ ଆଶ୍ୱାସନା, ସାହସ ଦେବାକୁ କହିଲି–ଭୟ କରନା, ଆଉ ଖୁବ୍ କମ୍ ବାଟ ରହିଲା । ବରଂ ଟିକେ ଶୀଘ୍ର ଚାଲିଲେ ପହଞ୍ଚିଯିବା କ୍ଵାର୍ଟରରେ ।

 

ଥରିଲା କଣ୍ଠରେ ନିରାଲା କହିଲେ–ମୁଁ କ’ଣ ଗୋଟାଏ ଝୁଣ୍ଟିଲି, ଦେଖିଲ । ନଇଁପଡ଼ି ଅନ୍ଧାରରେ ମୁଁ ଗୋଡ଼ ବଢ଼ାଇ ଖୋଜିବାକୁ ଚେଷ୍ଟା କରି ଦେଖିଲି–ଯେପରି ପୁଳାଏ କନା ବର୍ଷାରେ ଭିଜିଯାଇଛି । ଅକସ୍ମାତ୍‍ ବିଜୁଳିରେ ଦେଖାହେଲା ଗୋଟାଏ ଛୋଟ ଶିଶୁ ।

 

ପିଲାଟାଏ–ନିରାଲା । ମୁଁ ହଠାତ୍ କହିଉଠିଲି ।

 

–ପିଲାଟାଏ !

 

ହଁ ଶିଶୁଟାଏ । ସଦ୍ୟଜାତ ଶିଶୁଟାଏ ।

 

–ବଞ୍ଚିଛି ?

 

ପରୀକ୍ଷା କରି ମୁଁ ମୁହୂର୍ତ୍ତକ ପରେ ଉତ୍ତର ଦେଲି–ନା, ମରିଛି । ହେଲେ ମୋର ମନେହେଉଛି ଯେପରି ଏ ଏକ ଅବାଞ୍ଛିତ ଶିଶୁ । ତାକୁ ମାରିଦିଆଯାଇଛି–କେଉଁ ପାପର ଭୟରେ ।

 

ପାପ ! ଚାପା ଥରିଲା ସ୍ଵରରେ ଉଚ୍ଚାରଣ କରି ନିରାଲା ଢଳିପଡ଼ିଲେ ମୋ ଉପରକୁ ସଜ୍ଞାହୀନ ଭାବେ ।

 

ସେଇ ଭୟଙ୍କର ରାତ୍ରୀରେ ନିରାଲାଙ୍କୁ ମୁଁ ଅନେକ କଷ୍ଟରେ ନେଇଆସିଥିଲି କ୍ଵାର୍ଟରକୁ । ପରେ ସେ ତାଙ୍କର ସଂଜ୍ଞା ଫେରିପାଇଥିଲେ । ମାତ୍ର ରୁଗ୍‍ଣ ହୋଇଯାଇଥିଲେ । ପାଲଟିଯାଇଥିଲେ ଅସୁସ୍ଥ ।

 

ମୁଁ ଭାବୁଥିଲି–ଛ’ବର୍ଷ ବୈବାହିକ ଜୀବନର ଯେଉଁ ପ୍ରଚ୍ଛନ୍ନ ଦୁଃଖ ନିରାଲାଙ୍କ ଭିତରେ ହୁଏତ ଜମାଟ ବାନ୍ଧିଥିଲା ଅନ୍ଧକାର ଭଳି, ସେ ଯେମିତି ଦୋହଲିଗଲେ ପ୍ରଥମଥର ପାଇଁ ତା’ରି ଦ୍ୱାରା । ତା’ରି ଆଲୋକରେ ।

 

ସେ ମା’ ହୋଇପାରିନାହାନ୍ତି !!!

 

କାହା ପାଇଁ ?

 

ମୋର ପୌରୁଷ ପ୍ରତି କ’ଣ ନ ଥିବ ତାଙ୍କର ସନ୍ଦେହ !

 

ବିଛଣାରେ ପଡ଼ି ନିରାଲା ଚାହିଁଥାଆନ୍ତି ଶୂନ୍ୟକୁ ଉଦାସ ଦୃଷ୍ଟିରେ । ଆପାତତଃ ରୁଗ୍‍ଣ ମୁହଁରେ । ଝଡ଼ ଶାନ୍ତ ପାଲଟିଯାଇଥିଲା–ମାତ୍ର ଥିଲା ତା’ର ସଙ୍କେତ ! ବିଛଣା ସାରା ତାଙ୍କର ଲମ୍ବା କଳା କେଶ ବିଛେଇ ହୋଇ ପଡ଼ିଥିଲା । ଉପରେ ନିଃସ୍ତବ୍ଧ ବୁଲୁଥିଲା ପଙ୍ଖା ।

 

ପାଖରେ ବସିପଡ଼ି, ମୁହଁ ଉପରେ ହାତ ବୁଲାଇ କେଶକୁ ସଜାଇ ଦେଉ ଦେଉ ପଚାରିଲି–ଟିକିଏ ଭଲଲାଗୁଛି ନା ?

 

ସାମାନ୍ୟ ହସିଉଠି ମୋର ଜଙ୍ଘ ଉପରେ ମୁଣ୍ଡଟାକୁ ଥୋଇ ସେ ମୁହଁ ଯାକିଲେ । ପିଠି ଉପରେ ମୁଁ ତାଙ୍କର ହାତ ବୁଲାଉଥିଲି । ମୁହୂର୍ତ୍ତକ ପରେ ସେ ମୋତେ ମୁହଁ ବୁଲାଇ ଚାହିଁଲେ–ନିରୀହ ଆଖି ଦୁଇଟାରେ ଭରିଥିଲା ଅନେକ ଅସହାୟତା । ଦୁଃଖ । ଗ୍ଳାନି । ପୁଣି ଭୟ ।

 

ମୁହଁ ଉପରେ ମୁହଁ ନଦି ମୁଁ ପଚାରିଲି–କ’ଣ କହିବ ? –ମୋତେ ଖୁବ୍ ଭୟ ଲାଗୁଛି । ସେ ଉତ୍ତର ଦେଲେ ।

 

ଭୟ ଲାଗୁଛି ! କାହାକୁ ତୁମର ଭୟ ? ମତେ ! ମୁଁ ପଚାରିଲି ।

 

ନିରୁତ୍ତର ଭାବେ ସେ ମୋତେ ଚାହିଁଥାଆନ୍ତି । ଆଖିରୁ ତାଙ୍କର ଝରିଆସୁଥାଏ ଲୁହ । ବିଚଳିତ ହୋଇ ନିଜ ଆଙ୍ଗୁଠିରେ ଲୁହ ପୋଛୁ ପୋଛୁ ପଚାରିଲି–କ’ଣ ହୋଇଛି ନିରାଲା ? ତୁମେ କାନ୍ଦୁଛ ?

 

ମୋର କୋମଳ ଆଶ୍ୱାସନା ଶୁଣି, ବିବ୍ରତ କଣ୍ଠସ୍ୱର ଶୁଣି ସେ ଯେପରି ଅଧିକ ଫାଟିପଡ଼ିଲେ । ତକିଆ ଉପରେ ମୁହଁ ଲୁଚାଇ ଅସହାୟ ଭାବେ କାନ୍ଦିଉଠିଲେ ।

ମୁଁ ଭାବୁଥିଲି–ଏକ ବ୍ୟର୍ଥ ନାରୀତ୍ଵର କାହାଣୀ ଯେତେବେଳେ ମୋତେ କେନ୍ଦ୍ରକରି ସୃଷ୍ଟି ହୋଇଛି–ମୋର ବା ଆଉ କ’ଣ କରିବାର ଅଛି ? ତଥାପି ନିଜକୁ ସଂକୁଚିତ କରିନେଇ କହିଲି–ନିରାଲା, ତୁମେ ଆଉ ନ କାନ୍ଦିଲେ କ’ଣ ହୁଅନ୍ତା ନାହିଁ ?

ଲୁହଭିଜା ବଡ଼ ବଡ଼ ସେଇ କଳା କଳା ଆଖିରେ ମୋତେ ଚାହିଁ କହିଲେ–ଜୀବନରେ କ’ଣ କୌଣସି ପାପରୁ ମୁକ୍ତି ନାହିଁ ?

ପାପ ! ଆଶ୍ଚର୍ଯ୍ୟଭାବେ ମୁଁ ଉଚାରଣ କରିଥିଲି–ପାପ ! ପାପ କ’ଣ ? ସେ ତ ଏକ ମାନସିକ ଅବସ୍ଥା ! ତା’ର ସ୍ଥିତି କେବଳ ମନରେ । ଯେଉଁ କରିଥିବା କାର୍ଯ୍ୟକୁ ଗ୍ରହଣ କରିନପାରି, ତା’ପାଇଁ ମନରେ ଦୁର୍ବଳତା ଭରିଯାଏ, ତା’ହିଁ ତ ପରବର୍ତ୍ତୀ ଅବସ୍ଥାରେ ପାପର ରୂପନିଏ, ହେଲେ କ’ଣ ତୁମର ହୋଇଛି ?

–ମୁଁ ଅବିବାହିତ ଅବସ୍ଥାରେ ଥରେ ମା’ ହୋଇଥିଲି । ହଠାତ୍ ନିରାଲା ଏତିକି କହି କାନ୍ଦିଉଠିଲେ ଏକ ଝଡ଼ର ଉଚ୍ଛ୍ୱାସ ଭଳି ।

ନିରାଲା ! ମୁଁ ଚିତ୍କାର କରିଉଠିଲି–ନି...ରା...ଲା !

ବିଶେଷ ଦ୍ରଷ୍ଟବ୍ୟ:–

ପରେ–

ଯେଉଁ ଭୟଙ୍କର ସ୍ୱପ୍ନ ମତେ ପ୍ରତି ମୁହୂର୍ତ୍ତରେ ରକ୍ତାକ୍ତ କରେ । କରେ କ୍ଷୟ, ଇଏ ସେଇ ସ୍ୱପ୍ନର କାହାଣୀ ।

ତାଙ୍କରି ପରି ଓଠ । ନାକ । କାନ । ଆଖି । ଅବିକଳ ସେଇ ମୁହଁ । ଅଧା ଫିଟା ବେଣୀ-। ଛାତି ଉପରୁ ଖସିଯାଇଥିବା ଲୁଗା–ବ୍ଳାଉଜ ଭିତରେ ଏକ ପରିପୃଷ୍ଟ ବୃତ୍ତାକାର ସ୍ତନର ସ୍ୱୟଂସମ୍ପୂର୍ଣ୍ଣ ଦୃଶ୍ୟ । ଅନେକ ସମୟରେ ନିରାଲାଙ୍କ ଦେହଭଳି ପ୍ରଲୁବ୍ଧକାରୀ ସେଇ ଅବୟବ । ସବୁ ସେ ଯେମିତି ।

ନିରାଲା ଓ ମୁଁ ।

ଏକ ବୃତ୍ତାକାର ଝାପ୍‍ସା ଅନ୍ଧକାର ଭିତରେ ବନ୍ଦୀ । ବୃତ୍ତର ପରିଧିକୁ ସ୍ପର୍ଶକରି ବାହାରେ ବ୍ୟାପିଯାଇଛି ସ୍ନିଗ୍ଧ ଶୀତଳ ଚନ୍ଦ୍ରର ଆଲୋକ । ଭିତରେ ତା’ର ଏକ କୁଜ୍‍ଝଟିକାର ଆସ୍ତରଣ । ଫଗୁଣ ପୂର୍ଣ୍ଣମୀର ରାତ୍ରି ଶେଷ ପ୍ରହର ଭଳି ଆର୍ଦ୍ରତାରେ ନଇଁଆସିଛି । ଆଉ ତା’ରି ତଳେ–

ଲହଡ଼ି ଭାଙ୍ଗୁଛି ଏକ ତାମ୍ରବର୍ଣ୍ଣର ତରଳ ଇଥରୀୟ ଆସ୍ତରଣ । ଦିଗନ୍ତବ୍ୟାପୀ ପୁଣି ସମୁଦ୍ର ଭଳି ।

ଭିତରେ ତା’ର–

ନୀଳ ଲୋହିତର ଦଳ । କେବେ ବା ଠେକୁଆ ଭଳି ବା ମୀନ ଭଳି ବା ମା’ର ଜଠରରେ ଖେଳୁଥିବା ହିରଣ୍ୟଗର୍ଭ ଭଳି । ସେଇ ତରଳ ଆସ୍ତରଣ ଭିତରେ ଆନନ୍ଦରେ ପହଁରୁଛନ୍ତି ।

ଆଉ ମୁଁ ଏକ ଯୁଗ ଯୁଗର ପ୍ରତୀକ୍ଷାରତ ଏକ ପଥିକ ଭଳି ହାତପାତି ସେମାନଙ୍କୁ ଡାକୁଛି–ଆସ, ଆସ ତୁମେ । ତୁମ୍ଭମାନଙ୍କୁ ମୁଁ ଅପେକ୍ଷା କରିଛି । ଦେଖ ଏଇ ମୋର ହାତ, ତୁମରି ସ୍ପର୍ଶ ପାଇବା ପାଇଁ କେତେ ବ୍ୟାକୁଳ । ଥରେ ତୁମେ ଆସ ।

 

ଶିରା କାଟି କାଟି ସେମାନେ ପହଁରି ପହଁରି ଚାଲିଯାଉଛନ୍ତି । ଗତିରେ ତରଙ୍ଗାୟିତ ହୋଇଉଠୁଛି ଇଥରୀୟ ସେ ଆସ୍ତରଣ । ବ୍ୟାକୁଳରେ ମୁଁ ହାତପାତି ଧରିବାକୁ ଇଚ୍ଛାକରି, ବ୍ୟର୍ଥହେଉଛି ବାରମ୍ବାର । ବେଶ ସହଜରେ ଖସି ଯାଉଛନ୍ତି ସେମାନେ ।

 

ଆତ୍ମଗ୍ଳାନିରେ ମୁଁ ବ୍ୟର୍ଥଭାବେ ନିଜକୁ ଅଭିଶାପ ଦେଉଛି । ପୁଣି ନିଜର ଅସାମର୍ଥ୍ୟକୁ ଘୋଡ଼ାଇବା ପାଇଁ–ନିରାଲାଙ୍କୁ କହୁଛି–ନିରାଲା ! ନିରାଲା ତୁମେ ଏଥିରୁ ଗୋଟାଏ ଧର । ମୁଁ ଏକାନ୍ତଭାବେ ଚାହିଁଛି । ଏକାନ୍ତଭାବେ ।

 

ନିରାଲା, ନାରୀର କୋମଳ ହାତର ସ୍ପର୍ଶରେ ଅଝଟ ପିଲା ନୀରବ ହୁଏ । ଯନ୍ତ୍ରଣାକାତର ମଣିଷ ମୁହଁରେ ହସ ଫୁଟେ, ତୁମେ ବଢ଼ାଅ, ବଢ଼ାଅ ତୁମର ହାତ ।

 

ନୀରବରେ ନିରାଲା ହାତ ପାତିଲା ।

 

ହଠାତ୍ ଏକ ଅହେତୁକ ଭୟରେ କ୍ଷିପ୍ରଭାବେ ସେମାନେ ପଳାଇଯାଉଛନ୍ତି । କିଏ ଯେପରି ଡ୍ରାଗରଧରି ସେମାନଙ୍କୁ ହତ୍ୟା କରିବାକୁ ଧାଇଁଛି ବା ଗୋଟାଏ ଭୀଷଣ ମର୍‍ବିଡ଼ ଆଁ ମେଲାକରି ଛୁଟିଛି ସେମାନଙ୍କ ପଛରେ, ଗିଳିଦେବ । ସେଇ ଆତଙ୍କରେ ସେମାନେ ପଳାଇଯାଉଛନ୍ତି ।

 

ମୋରି ଆଖିଆଗରେ ସେମାନେ ପଳାଇଯାଉଛନ୍ତି ।

 

ମୁଁ ଚିତ୍କାର କରିଉଠିଲି–ନିରାଲା ! ନିରାଲା !

 

ନିରାଲା ହାତ ପାତିଛନ୍ତି । ହାତ ତାଙ୍କର ଦେଖାଯାଉଛି, ଏକ ଜ୍ୱଳନ୍ତ ଇସ୍ପାତ ଭଳି ଅଗ୍ନିମୟ–ସବୁକିଛି ପୋଡ଼ି ଧ୍ୱଂସ କରିଦେବାକୁ ଯେପରି ସେ ଜଳିଉଠୁଛି । ଆଉ ଖସିଆସିଛି ଛାତିରୁ ଲୁଗା । ପରିପୁଷ୍ଟ ସ୍ତନରୁ ରକ୍ତ ଝରି ବ୍ଲାଉଜକୁ ଲାଲ କରୁଛି । ଭୟରେ ମୁଁ ଚାହିଁଲି ତାଙ୍କ ଆଖିକୁ ।

 

ନିରାଲାଙ୍କ ଆଖିରେ ସହସ୍ର ଯୁଗର ବ୍ୟର୍ଥତା ନିହିତ । ଉଦାସ ଦୃଷ୍ଟିପଡ଼ିଛି ଆଦୁରରେ ଛିଡ଼ା ହୋଇଥିବା ଏକ ଯୁବକ ଉପରେ । ଯୁବକ ଜଣକ ଆଖିରେ ଗ୍ଲାନି । କାରୁଣ୍ୟ । ପୁଣି ବ୍ୟର୍ଥତା, ତୃତୀୟ ଶ୍ୱାନର ଆଖିଭଳି ।

 

ହଠାତ୍ ମୋ ଭିତରେ ମୁଁ ଅନୁଭବ କଲି ଏକ ଆଗ୍ନେୟଗିରିର ଉତ୍ପାତ । ନିରାଲା । ନିରାଲା–ବୋଲି ଚିତ୍କାର କରିଉଠେ । ହଠାତ୍ ନିଦ ମୋର ଭାଙ୍ଗିଯାଏ । ନିରାଲା ବି ଉଠନ୍ତି । ଲାଇଟ୍ ଜାଳି ଦେଖନ୍ତି ସମଗ୍ର ଦେହ ମୋର ସ୍ୱେଦସିକ୍ତ । ମୁହଁରେ ଏକ ନପୁଂସକର ଆକ୍ରୋସ ।

 

ସବୁଦିନ ଭଳି ମୋର କିଛି ହେଲେ, ଯେପରି ବିଚଳିତ ହୋଇ ନିରାଲା ପଚାରନ୍ତି–କ’ଣ ହେଲା ? ଏମିତି ଚିତ୍କାର କଲ !

 

ରୁଦ୍ଧ ଆବେଗରେ ମୁଁ ଉତ୍ତର ଦିଏ–ଗୋଟାଏ ସ୍ଵପ୍ନ ଦେଖିଲି ।

 

କି ସ୍ଵପ୍ନ ?

 

ଦୀର୍ଘଶ୍ଵାସ ପକାଇ ମୁଁ ଉତ୍ତର ଦିଏ–ନଈବଢ଼ିର ଦୃଶ୍ୟ । ସବୁ ଶୁଣି ନିରାଲା ଚାହିଁ ରୁହନ୍ତି ଶୂନ୍ୟକୁ । ଶୂନ୍ୟତାର ରଙ୍ଗ ନାହିଁ । ଗନ୍ଧ ନାହିଁ । ସ୍ଵାଦ ନାହିଁ । କିଛି ନାହିଁ । କିଛି ନାହିଁ ।

 

ଯେଉଁଠି ସୂର୍ଯ୍ୟ ଅସ୍ତଯାଏ ।

 

ମୃତ୍ୟୁ ପାଇଁ ତାଙ୍କର ଥିଲା ସେ ନୀରବ ପ୍ରତୀକ୍ଷା ।

 

ଅଥଚ ସେଇ ଉଦାସ ଆଖି, ବିଷର୍ଣ୍ଣ ମୁହଁ ଦେଖିଲେ ଜଣାଯାଉଥିଲା ସେ ଯେପରି ଏଠିକାର ସବୁ ମୋହ ତ୍ୟାଗ କରିସାରିଲାଣି । କୌଣସି ପାର୍ଥିବ ଘଟଣା ତାଙ୍କୁ ଆଚ୍ଛନ୍ନ କରିପାରୁନାହିଁ । ବା ପାରୁନାହିଁ ବିଚଳିତ କରି । ଘର ଭିତରେ ସମସ୍ତଙ୍କ ସହ ରହି ସେ ସଂପୂର୍ଣ୍ଣ ନିର୍ଲିପ୍ତ । ଅନ୍ୟ କେଉଁଠି ହଜିଯିବାର ଭାବ ତାଙ୍କର ସମଗ୍ର ଚେତନାକୁ ଯେପରି ଗ୍ରାସ କରିସାରିଥିଲା । ଯାହା ଦେଖି ମୁଁ ବିଚଳିତ ହୋଇଉଠୁଥିଲି । ବ୍ୟସ୍ତ ବି ।

 

ମୁଁ ଭାବୁଥିଲି–କି ବିଚିତ୍ର ଏ ଜୀବନ । ଏଠି ବଞ୍ଚି ବଞ୍ଚି ମଣିଷ ମରିପାରେ । ସମସ୍ତ ବନ୍ଧନ ଭିତରେ ଥାଇ–ମୁକ୍ତ ହୋଇପାରେ । ପୁଣି ମୁକ୍ତିର ବନ୍ଧନହୀନତାରେ ଛଟପଟ ହୋଇ, ନିରୁତ୍ତାପ ଅଶ୍ଳେଷ ଭିତରେ କ୍ଳାନ୍ତ ପାଲଟି ପୁଣି ଚାହେଁ ବନ୍ଧନ !

 

କେମିତି ବା ମୁଁ ତାଙ୍କୁ ବୁଝିପାରିଥାନ୍ତି ! ଅନେକଥର ତାଙ୍କର କରୁଣ ଅସହାୟ ଦୁଃଖଦ ମୁହଁର ମୁଦ୍ରା ଦେଖିଛି–ସେତେବେଳେ ସେ ଛଟପଟ ହୁଅନ୍ତି । ପୁଣି ଦେଖିଛି ସବୁକୁ ଅତିକ୍ରମ କରି କେଉଁ ମହାନ୍ ସତ୍ତାର ଚେତନାରେ ଜଡ଼ି ଯାଇ–ଏଇ ନିର୍ବିକାର ପ୍ରଶାନ୍ତ ଭାବ । ପୁଣି କେବେ ବା ବାସ୍ତବତାର ମଙ୍ଗ ମୋଡ଼ି ନିଜକୁ ପ୍ରତିଷ୍ଠା କରାଇବା ଲାଗି ସଂଗ୍ରାମ କଲାବେଳେ–ଆଖିରେ ହିଂସା ଓ ଈର୍ଷାର ଅଗ୍ନିଝଲ । ସେଠି କେବଳ ଥାଏ ସବୁ ଧ୍ଵଂସ କରିଦେବାର ନିଷ୍ଠୁରତା । ନାହିଁ ପଶ୍ଚାତ୍ତାପ, ଅନୁରାଗ ଅଥବା କୋମଳତା । ସବୁକୁ ଅନୁଭବ କରି ମୁଁ କେତେବେଳେ ତାଙ୍କୁ ଦୟା ବା ଘୃଣା ବା ଭଲପାଉଥିଲି ।

 

ଅତୀତର ଏଇ ଅହଂକାରୀ ପରାକ୍ରମୀ ମଣିଷଟି ଏତେ ଅସହାୟ ଭାବେ ଅନାଗତ ମୃତ୍ୟୁ ନିକଟରେ ବଞ୍ଚି ଥାଉ ଥାଉ ଆତ୍ମସମର୍ପଣ କରି ହାତ ଦୁଇଟାକୁ ଟେକି ଛିଡ଼ାହେବ–ତା’ ମୁଁ କଳ୍ପନା କରିପାରୁନଥିଲି । ଅଥଚ ଦେଖୁଥିଲି ।

 

ଦେଖୁଥିଲି–ସେ ଯେପରି ଶୁଣିପାରୁଛନ୍ତି ଦୁରନ୍ତ କା’ର ନିଷ୍ଠୁର ପାଦ ଶବ୍ଦ । ଦେଖିପାରୁଛନ୍ତି ସେଇ କୁକ୍‍ଝଟିକାମୟ ଅନ୍ଧକାରର ଭୟାବହତା । ଧସେଇ ଆସୁଥିବା ଟ୍ରେନ ଷ୍ଟେସନରେ ପହଞ୍ଚିବାକୁ ଆଉ ମାତ୍ର କେତେଟା ମୁହୂର୍ତ୍ତ ବାକି । ଦୂରରୁ ଦିଶୁଛି ତା’ର ଲାଲ ଆଲୁଅ । ଶୁଭୁଚି ହ୍ଵୀସିଲ୍ ଏବଂ ଆହତ ଆତଙ୍କିତ ପକ୍ଷୀମାନେ ଶୁଖିଲା ପତ୍ର ଭଳି ରାବିଉଠୁଛନ୍ତି । ସେତେବେଳେ ସେ କଲବଲ କରି ବାହାରକୁ ଚାହାଁନ୍ତି ଅଥବା କାହାର ମୁହଁକୁ ।

 

ଜଣାଯାଏ, ଆଖି ଦୁଇଟା ତାଙ୍କର କେଉଁ ମୁହଁର ମାଂସପେଶୀକୁ ଭେଦ କରି ଦେଖିପାରୁଛି ହାଡ଼ର ସେଇ ବିଭତ୍ସ ମୁଖାଟାକୁ । ପୁଣି ତାକୁ ଭେଦ କରି ଦେଖିପାରୁଛି ପୁଳାଏ ଜମାଟବନ୍ଧା ଶୂନ୍ୟତା । ଧୀରେ ଧୀରେ ଯାହା ମିଶିଯାଉଛି ଅନନ୍ତକାଳ ଆଉ ସ୍ଥାନ ଭିତରେ । ସେତେବେଳେ ବିଲୁପ୍ତ ସମସ୍ତ ଚେତନା ନେଇ ସେ ଯେପରି ସମାଧିସ୍ଥ ହେଇଯାଉଛନ୍ତି ।

 

ଭୟଭୀତ ହୋଇ ମୁଁ ସେତେବେଳେ କୋମଳ କଣ୍ଠରେ ଡାକେ–

 

ବଡ଼ ବାପା ! ବଡ଼ ବାପା !!

 

ଶବ୍ଦକରା ମୋର ଡାକ ଶୁଣି ସେ ଏକ ଭିନ୍ନ ଅପରିଚିତ ପରିଚିତ ଦୃଷ୍ଟିରେ ମୋତେ ଚାହାଁନ୍ତି । ଡୋଳା ଉପର ପତାଟା ତାଙ୍କର କେତେଥର ନାଚିଉଠେ । ଦୀର୍ଘଶ୍ଵାସ ପକାଇ ମୁହଁରେ ହାତଟାକୁ ବୁଲାଇଆଣି ବେକ ଉପରେ ସ୍ଥିର କରିଦିଅନ୍ତି । ସେଠି ଦୁରାରୋଗ୍ୟ କ୍ୟାନ୍ସରର ଲାଇଟ ଦେଇ ପୋଡ଼ିଦେଇଥିବା କିଛି ଅଂଶ । ତଥାପି ସେ ଯାଇନି । ଧୀରେ ଧୀରେ ନିଶ୍ଚିତ ଭାବେ ବଢ଼ି ଚାଲିଛି । ସମୟେ ସମୟେ ଯାହା ତାଙ୍କୁ ଯନ୍ତ୍ରଣାରେ ଛଟପଟ କରେ । ମୋତେ ଚାହିଁ ସେ ପ୍ରଶ୍ନ କଲେ–କ’ଣ ମୋତେ କହୁଛୁ ?

 

–ଖୁବ୍ କଷ୍ଟ ହେଉଛି ! ନା ?

 

ଆଖି ଦୁଇଟା ଫେରାଇ ଚଟାଣକୁ ସେ ସ୍ଥିର ଭାବେ ଚାହାଁନ୍ତି । ତା’ପରେ ନୀରବ ହୋଇଯାଇ ମୁଣ୍ଡ ହଲାଇ କୁହନ୍ତି–ନା–ନା; କିଛି ହେଉନି ।

 

ମାତ୍ର ମୁଁ ତାଙ୍କର ଏହି କହିବାର ଭାବରୁ ବୁଝିପାରେ–ଖୁବ୍ କଷ୍ଟ ହେଉଛି ତାଙ୍କୁ । ଆଉ ସେ ସମସ୍ତ ପରିଚିତ ଯନ୍ତ୍ରଣାକୁ ଗ୍ରହଣ କରିନେଇ ନୀଳକଣ୍ଠ ଭଳି ଅବିଚଳ ପାଲଟିଯାଇଛନ୍ତି । ଅଥବା ଅନୁଭବ କରୁଛନ୍ତି ଜୀବନ ଥିଲେ ହିଁ ଯନ୍ତ୍ରଣା ଅଛି । ଆଉ ସେହି ଅସମାପ୍ତ ଯନ୍ତ୍ରଣାର ସମୁଦ୍ର ଭିତରେ ପହଁରି ପହଁରି “ମୋତେ କଷ୍ଟ ହେଉଛି । ଯନ୍ତ୍ରଣା ହେଉଛି ।” ଚିତ୍କାର କରିବାର ମାନେ ବା କ’ଣ ? କେଉଁ ଶକ୍ତି ଏଥିରୁ ବା ତୁମକୁ ମୁକ୍ତ କରିଦେଇପାରିବ !

 

ସେଇଥିପାଇଁ ଜୀବନ ବୋଧେ ଦୁଃଖପୂର୍ଣ୍ଣ । ଦୁଃଖ ରହିତ ଜୀବନ ଏକକବଂଧ ଭଳି ବା ପଥର ଭଳି ନିଷ୍ପ୍ରାଣ ।

 

ମୁଁ ଭାବେ ଜୀବନର ସମସ୍ତ ବ୍ୟର୍ଥତାଜନିତ ଯନ୍ତ୍ରଣାକୁ ସହଜଭାବେ ଗ୍ରହଣ କରିନେବାରେ ଯେଉଁ ପୌରୁଷ ଅଛି, ତା’ ବୋଧେ ପ୍ରାପ୍ତିର ଆନନ୍ଦରେ ନାହିଁ । ତା’ପରେ ତାଙ୍କ ପ୍ରତି ମୋର ଭକ୍ତି, ସ୍ନେହ ଏବଂ ଏକ ଅବଦମିତ ମୋହ କିପରି ମୋତେ ଦୁର୍ବଳ କରିପକାଏ । ପାଖକୁ ଲାଗିଯାଇ କହେ ।

 

କେତେ ସମୟ ଆଉ ଏମିତି ବସିବ ? ଯାଅ ବିଛଣାରେ ଟିକିଏ ବରଂ ଶୋଇପଡ଼ । ଭଲ ଲାଗିବ ।

 

ଭଲ ଲାଗିବ ? ସେ ହଠାତ୍ କୁହନ୍ତି । ତା’ପରେ ମୋର ମୁହଁକୁ ଚାହାଁନ୍ତି । ଅସମାହିତ ଏକ ପ୍ରଶ୍ନ ଖେଳୁଥାଏ ସେଥିରେ–କେତେ ସମୟ ? ଆଉ କେତେ ସମୟ ମୁଁ ଶୋଇପାରିବି ? ତା'ପରେ ଚେୟାର ହାତକୁ ମୁଠାଇ ଧୀରେ ଛିଡ଼ାହୁଅନ୍ତି, ଏବଂ ଚାଲିଯାଆନ୍ତି ଥରିଲା ପାଦରେ ବିଛଣା ପର୍ଯ୍ୟନ୍ତ । ମୁଁ ଧରିଥାଏ ତାଙ୍କର ବାହାକୁ ।

 

ଫେରେ ପୁଣି ଯେତେବେଳେ । ସିଦ୍ଧାର୍ଥ ଭଳି । ଆଖିଆଗରେ ଯେପରି ପ୍ରଥମଥର ପାଇଁ ମୁଁ ଦେଖିଆସିଛି–ସେଇ ବ୍ୟାଧିଗ୍ରସ୍ତ ମଣିଷଟିକୁ । ଅଥବା ବାର୍ଦ୍ଧକ୍ୟରେ ଭାଙ୍ଗିପଡ଼ୁଥିବା ଜୀବନକୁ । ଏକ ବିଷାଦର ସ୍ଵର ମନରେ ମୋର ଲହରେଇଉଠେ । ମୁଁ ଡରିଯାଏ । ସମଗ୍ର ଚେତନାରେ ମୋର ଏକ ସଂକୁଚିତ ଭାବ ! ମନେପଡ଼େ–

 

“ନିଜକୁ ଡରିବା ନିଜେ ସମ୍ଭବତ ଏହା ।

ନିଜର ଆକାଶେ ମେଘ, ଘଡ଼ଘଡ଼ି, ବିଜୁଳି ନିଜର

ଚତୁର୍ଦ୍ଦିଗେ ଅନ୍ଧକାର ପ୍ରବଳ ବତାସ,

ଧୂଳି ଝଡ଼, ଚନ୍ଦ୍ର ନାହିଁ ତାରା ନାହିଁ ।

ସବୁ ରାସ୍ତା ଅବରୁଦ୍ଧ, ପାଖେ ପାଖେ ଯାହାର ନିଶ୍ୱାସ ।

ସେ ହେଲେ ହେଉ ପଛେ ପୂରା କାଳ୍ପନିକ

ସେ ମୋ ସାହାଭରସା ମୋ ଦେହ ଓ ମନର ମାଲିକ ।”

 

ତଳକୁ ଅନାଇ ଫେରିଆସିଥିଲା ବେଳେ, ପାଖଘର ଦାଣ୍ଡପିଣ୍ଡାରୁ କାଚ ପିନ୍ଧି ଖୁସିରେ ଚାଲିଆସୁଥିବା ଭାଉଜ ଛିଡ଼ା ହୋଇଯାଇ ପଚାରିଲେ–କ’ଣ ଦେଖିଲ ?

 

କ’ଣ ବା ତାଙ୍କ ପ୍ରଶ୍ନର ଉତ୍ତର ଦେଇଥାନ୍ତି ? ମୁହୂର୍ତ୍ତକ ପାଇଁ ତାଙ୍କ ପ୍ରଶ୍ନ ଅବାନ୍ତର ଜଣାଗଲା । ସେ ମଧ୍ୟ ମୋ ଉତ୍ତରକୁ ଅପେକ୍ଷା ନ କରି କହିଲେ ଔଷଧ ଖାଇବାକୁ ସେ ଆଉ ମଙ୍ଗୁନାହାଁନ୍ତି କି କାହା କଥା ଶୁଣୁନାହାଁନ୍ତି । ପୁଣି ଲୁଚେଇ ଲୁଚେଇ ବିଡ଼ିଟାଣି ଦେଉଛନ୍ତି । ଘରେ ତାଙ୍କ ପାଇଁ ଔଷଧ ଫଳମୂଳ ଆଣିବାକୁ ପଇସାଟାଏ ନାହିଁ । ପିଲାଙ୍କ ପାଇଁ ଖଣ୍ଡେ ସିଲଟ ଆଣିବାକୁ ବର୍ତ୍ତମାନ ସମ୍ବଳ ନାହିଁ । କେତେଟା ଟଙ୍କା ବା ସେ ପାଉଛନ୍ତି, ସବୁତ ତାଙ୍କରି ପଛରେ ଯାଉଛି । ଇଏ ଯଦି ପୁଣି ଏମିତି ହେବେ–ସବୁ ପଇସା ବ୍ୟର୍ଥରେ ଖର୍ଚ୍ଚ ହେଉଛି । ନିଜେ କଷ୍ଟ ପାଉଛନ୍ତି–ଆମକୁ ବି କଲବଲ କରୁଛନ୍ତି । କହିଲାବେଳେ ଭାଉଜଙ୍କ କଣ୍ଠ ଥରୁଥିଲା । ବିରକ୍ତି ଓ କ୍ଷୋଭର ଷ୍ପଷ୍ଟ ଛାପ ମୁଁ ଲକ୍ଷ୍ୟ କରୁଥିଲି ।

 

ବୋଧେ ସବୁ ଦୁରାରୋଗ୍ୟ ଦୀର୍ଘସ୍ଥାୟୀ ରୋଗୀଙ୍କ ବିରୁଦ୍ଧରେ ସୁସ୍ଥ ମଣିଷଙ୍କର ଇଏ ଅଭିଯୋଗ । ପାଖକୁ ଆଉଜଣେ ସ୍ତ୍ରୀଲୋକ ଚାଲିଆସି କହିଲେ–ଏମାନେ ଯାହା ତାଙ୍କ ପାଇଁ କଲେଣି ନା, ଖୁବ୍ କଲେଣି । କମ୍ ଔଷଧ, ଫଳମୂଳ, ଅଣ୍ଡା । ତା’ପରେ ଦାନ୍ତ ଦେଖାଇ କହିଲେ–ସେ କ’ଣ କମ୍ ଖଣ୍ଡେ କି ! ଯେଉଁ କର୍ମ ସବୁ କରିଛନ୍ତି ତା’ ଫଳ ଯିବ କୁଆଡ଼େ ? ଆମର ଇଏ କହୁଥିଲେ ରୋଗ କୁଆଡ଼େ କାନ୍ସର–ଭଲହୁଏନି, ମୁଁ କହୁଛି–ଭଲ ଯଦି ନ ହେବ । କାହିଁକି ଏଡ଼େ ଖର୍ଚ୍ଚାନ୍ତ ହେଉଛ ? ଛାଡ଼ିଦିଅ, ସେ ଯାହା ଖାଇବାକୁ ଚାହୁଁଛନ୍ତି ତା’ ଦିଅ ।

 

ଗମ୍ଭୀର ପାଲଟି ମୁଁ ସବୁ ଶୁଣୁଥିଲି ନୀରବରେ । ଆଉ ବା ଉପାୟ କଅଣ ଥିଲା ? ଥରେ ମନଭିତରେ କାହାର ବଞ୍ଚିବା ଅନାବଶ୍ୟକ ମନେହେଲେ ଆଉ କେଉଁ ଯୁକ୍ତି ଦ୍ଵାରା ବା ତା’ ବଦଳା ଯାଇପାରନ୍ତା ! ବୁଢ଼ାମାନଙ୍କ ପଛରେ କିଏ ବା କେଉଁ ଆଶାରେ ବେ–ପରବାୟ ଭାବରେ ଖର୍ଚ୍ଚ କରିଚାଲନ୍ତା କେତେଦିନ ? ଅନିବାର୍ଯ୍ୟ ତ ସେଇ ଆଗାମୀ ମୃତ୍ୟୁ । ବଡ଼ ବୋଉ ପୁଣି ଅଛି ପାଚିଲା ପତ୍ର ସେ ନିରୋଗୀ ହେଲେ ବି ବୟସ ତ !

 

କାନ୍ଥକୁ ଆଉଜି ବସିଥିଲା ବଡ଼ବୋଉ । ଦୁଇଟା ଛୋଟ ପିଲା ଖେଳୁଥିଲେ ପାଖରେ । ନଡ଼ିଆ ଗୋଟମାରେ ସେ ତାଙ୍କୁ ରଥ କରିଦେଉଥିଲା । ପିଲା ଦୁଇଟା ରବର କଣ୍ଢେଇରେ କନାଗୁଡ଼େଇ ଫୁଲ ଦେଇ ଠାକୁର ସଜାଉ ଥିଲେ । ଥରେ ବି ବଡ଼ ବୋଉ ମୁହଁଟେକି ମୋତେ ଚାହିଁନାହିଁ ।

 

ମୁଁ ଭାବୁଥିଲି ବଡ଼ବୋଉ କ’ଣ ଜାଣିନି ତାଙ୍କ ସ୍ଵାମୀଙ୍କର ଏ ଅବସ୍ଥା । ନା ସାଲିସ୍ କରିଦେଲାଣି–ସେ ନିଷ୍ଠୁର ମୁହୂର୍ତ୍ତକୁ ସାମନା କରିବା ଲାଗି ।

 

ଫେରିଆସୁଥିଲା ବେଳେ ଭାଉଜ ପଛରୁ କହିଲେ–ତୁମେ ଟିକିଏ ତାଙ୍କୁ କହିଲ–ବିଡ଼ି ଯେପରି ସେ ନ ଖାଆନ୍ତି । କହିବି । କହି ଫେରିଆସିଲେ ଘରକୁ । ସିଗାରେଟ ଖଣ୍ଡେ ଲଗାଇ ଚେୟାରଟାରେ ବସୁ ବସୁ ବୋଉ ପଚାରିଲା–ଯାଇଥିଲୁ କ’ଣ ଦେଖିଲୁ ? କିପରି ଅଛନ୍ତି ସେ ?

 

ମୃତ୍ୟୁ ନିକଟରେ ମଣିଷ କେଡ଼େ ଅସହାୟ ତା’ ହିଁ ଦେଖିଲି । ମୁଁ ଉତ୍ତର ଦେଇଥିଲି ମୋର ଉତ୍ତରକୁ ନ ଶୁଣିଲା ଭଳି ପୁଣି ପଚାରିଲା ସେ–କେମିତି ଅଛନ୍ତି ?

 

–ପୂର୍ବଭଳି ।

 

ଆଉ କ’ଣ ସେ ଭଲ ହେବେ ? ଅନିଶ୍ଚିତତା ଭରା କଣ୍ଠରେ ତା’ର ପୁଣି ଥିଲା ଆଉ ଏକ ପ୍ରଶ୍ନ–

 

କାହିଁକି ବା ସେ ଭଲ ହେବେ ? ଭଲ ହେଲେ ତାଙ୍କୁ ସହ୍ୟ କରିପାରିବ ତୁମେ ସବୁ ?

 

ତୋର ସବୁଦିନେ ଏଇ କଥା । ବୋଉ କହିଲା–

 

ସତ୍ୟ ସବୁଦିନେ ହିଁ ସତ୍ୟ । ହସି ହସି ମୁଁ ଉତ୍ତର ଦେଇଥିଲି ।

 

ପାଗଳ । ତୁ ଗୋଟାଏ ପାଗଳ–ବୋଉ କହିଲା ।

 

ପୁଣି ଅନ୍ୟଦିନ । ବିଛଣାରେ ସେ ନୀରବରେ ପଡ଼ିଥିଲେ । ଆଖି ଦୁଇଟା ମେଲା । ଯେମିତି ଯେଉଁ କାଳାନ୍ତକ ଗହ୍ଵର । ଘରର ଛାତରେ କେବେ ବା କାନ୍ଥରେ ପୁଣି କେବେ ବା ଚଟାଣରେ ତାଙ୍କର ଦୃଷ୍ଟି ପଡ଼ୁଥିଲା । ଅଥଚ ସେ ସବୁଗୁଡ଼ାକ ତାଙ୍କୁ କିଛି ଦେଖାଯାଏନି । ଚାଲିଲାବେଳେ କାଚ ଗ୍ଲାସ୍ ଝୁଣ୍ଟି ଭାଙ୍ଗିଯିବାପରେ ସେ ଜାଣନ୍ତି । କାନ୍ଥ ପାଖରେ ହାବୁଡ଼ିଯାଇ ବାଟ ନ ପାଇଲା ପରେ–ଦ୍ୱାର ଖୋଜି ସତର୍କ ହୁଅନ୍ତି ।

 

ସେଦିନ ଔଷଧ, ପଥ୍ୟ ଆଉ ନ ଖାଇବାର ଯିଦ୍ ନେଇ ସେ ଖଟ ଉପରେ ବାଡ଼କୁ ଆଉଜି ବସିଥିଲେ । ମୁହଁରେ ବିରକ୍ତିର ସ୍ପଷ୍ଟ ଛାପ । ଭାଉଜଙ୍କ ହାତରେ ଔଷଧ । କ୍ଷୀର । ବଡ଼ ବୋଉ ତଳେ ବସି ପାନ ଭାଙ୍ଗୁଥିଲା । ପିଲା ଦୁଇଟା ବାରମ୍ବାର ଖାଇବାପାଇଁ କାନ୍ଦିବା ସ୍ଵରରେ ବୋଉକୁ ତାଙ୍କର ଡାକୁଥିଲେ । ମୁଁ ପହଞ୍ଚିବା ପରେ, ସେ କହିଲେ ବସ ।

 

ଭାଉଜ କହିଲେ–ଏଇ ଦେଖ ଔଷଧ ଖାଇବେ ନାହିଁ ବୋଲି ଯିଦ୍ ଧରିଛନ୍ତି । ପୁଣି ବିଡ଼ିଖିଆ ବି ଚାଲିଛି ତା’ ଭିତରେ ଭିତରେ ।

 

ଚେୟାର ଉପରେ ବସି ମୁଁ ତାଙ୍କୁ ଚାହିଁଲି । ବିକଳ ଭାବେ ମୋତେ ସେ ଚାହିଁ କହିଲେ–ନା, ମୁଁ ଆଉ ଖାଇପାରିବି ନାହିଁ । କାହିଁକି ଏ ଔଷଧରେ ଟଙ୍କା ପୋଡ଼ା ଚାଲିଛି । ମୁଁ କ’ଣ ଆଉ ଭଲ ହେବି ?

 

ନା, ନା–ତୁମେ ଏ କଷ୍ଟରୁ ରକ୍ଷା ପାଇଁ, ଏ ଔଷଧତକ ଖାଇଦିଅ । ଟିକଏ ଆରାମ ଲାଗିବ । ମୋର ମନେହେଉଛି, ବେକଟା କିପରି ଅଧିକ ଫୁଲିଯାଉଛି । ସେ କମିବ କିପରି ଔଷଧ ନ ଖାଇଲେ ? ତୁମେ ପୁଣି ବିଡ଼ି ଖାଉଛ ? ଡାକ୍ତର ତ ବାରମ୍ବାର ମନା କରିଥିଲେ । ନିକୋଟିନ୍ ମିଶ୍ରିତ ସେଇ ଧୂଆଁ ବାଜିବା ହିଁ ଖରାପ ।

 

ଭାଉଜ ବଢ଼ାଇଦେଲେ ଔଷଧ । ଗୋଟିଏ ଢୋକରେ ସବୁତକ ପିଇଦେବା ପରେ କହିଲେ–ମୁଁ ଆଉ କେତେଦିନ ବା ବଞ୍ଚିବି ? ମତେ ଜଣାଯାଉଛି ସମୟ ହୋଇଯାଉଛି । ମାରିବା ଯଦି ନିଶ୍ଚିତ କାହିଁକି ତମେ ମନାକରୁଛ ଖଣ୍ଡେ ବିଡ଼ି ବି ଖାଇବାକୁ । ତୁ ତ ଜାଣୁ ବିଡ଼ି ନ ଖାଇଲେ ମୋତେ ପାଗଳ ପରି ଲାଗେ । ମରିବା ପୂର୍ବରୁ ତାକୁ ବି ଖଣ୍ଡେ ଖାଇପାରିବି ନାହିଁ । କହିଲାବେଳକୁ ତାଙ୍କର କଣ୍ଠ ରୁଦ୍ଧ ହୋଇଆସିଲା । ଯେପରି ସେ ଆମ ସମସ୍ତଙ୍କ ଅଗୋଚରରେ ଛଟପଟ ହେଉଛନ୍ତି । ସେଇ ଭାବ ମୁହଁରେ ତାଙ୍କର ଖେଳିଗଲା ।

 

ମୁଁ ଭାବିଲି–ମରିବାକୁ ଅପେକ୍ଷା କରିଥିବା ଲୋକକୁ ଟିକିଏ ସହଜରେ ମୃତ୍ୟୁ ପାଇଁ ଛାଡ଼ିଦେଲେ କ୍ଷତି କ’ଣ ? ଆଉ ସମ୍ଭାଳି ପାରୁନଥିଲି, ମୁଁ କହିଲି–ଥାଉ ଭାଉଜ । ଖାଆନ୍ତୁ ସେ ଖଣ୍ଡେ ଖଣ୍ଡେ, ତାଙ୍କର ଯଦି ଇଚ୍ଛା ହେଉଛି ।

 

ଭାଉଜ ମୋତେ ଚାହିଁଥିଲେ–ଆଶ୍ଚର୍ଯ୍ୟ ଭାବେ । ସେ କହିଲେ–ତମେ ମତେ ଆଉ ବ୍ୟସ୍ତ କରନା–ଔଷଧ ଖାଇବାକୁ । ବରଂ ମୁଁ ଯାହା ଚାହୁଁଛି ମତେ ଦିଅ ।

 

ଭାଉଜ ପଚାରିଲେ–ତୁମେ କ’ଣ ଖାଇବ କହୁନା ! ବ୍ୟଞ୍ଜନା ଭରା କଣ୍ଠରେ ସେ ଯେପରି ବିଦ୍ରୂପ କରୁଥିଲେ ।

 

ମୁଁ ଚାଲିଆସିଲି ନୀରବରେ । ପଛରୁ ଶୁଣିଲି–ଭାଉଜଙ୍କ ହାତରୁ କାଚଗ୍ଲାସଟା ପଡ଼ି ଭାଙ୍ଗିଗଲା । ବଡ଼ବୋଉ ବିରକ୍ତ ହେଉଥିଲା–ତାଙ୍କର ଅସାବଧାନତା ପାଇଁ । ଭାଉଜ ପିଲାଙ୍କ ଉପରେ ବିରକ୍ତ ହେବା ଆଳରେ କହିଲେ–ମୋତେ ଏମାନେ ସବୁ ଖାଇଯିବେ ଜୀଅନ୍ତା । ମୁଁ ମରିଯାଆନ୍ତି କି ?

 

ମୁଁ ଜାଣେ କ୍ୟାନ୍ସର ଏକ ହତ୍ୟାକାରୀ ବ୍ୟାଧି । ଅଥଚ ମୁଁ ଦେଖିଚି ଏଇ ନିଷ୍ଠୁର ରୋଗ କବଳରେ ମୃତ୍ୟୁ ଯେମିତି ଏକ କାଳନାଗ ଭଳି ଫଣା ଟେକି ଉଠେ–ରୋଗୀ ସେତିକି ବଞ୍ଚିବାର ମୋହରେ ଛଟପଟ ହୁଏ । ବଡ଼ବାପା ଥିଲେ କିନ୍ତୁ ଏକ ଭିନ୍ନ ମଣିଷ । ଯିଏ ମୃତ୍ୟୁକୁ ଗ୍ରହଣ କରି ମୃତ୍ୟୁଜୟୀ ପାଲଟିଯାଇଥିଲେ ।

 

ଅଥଚ ତାଙ୍କର ଦାମ୍ଭିକତା । ଅହଂକାର । ନିଜର ପୌରୁଷ ପ୍ରତିଷ୍ଠା କରିବାର ନିରନ୍ତର ଉଦବେଗ ତାଙ୍କ ପାଖରେ ଆଉ ନ ଥିଲା । ମନେହେଉଥିଲା ଏବେ ସେ ଏକ ସମ୍ପୂର୍ଣ୍ଣ ଭିନ୍ନ ମଣିଷ । ଅପରିଚିତ ଏକ ଅତିଥି ।

 

ମାତ୍ର ଗାଁରେ ସେ ଥିଲେ ଏକ ବିଡ଼ମ୍ବନା । ତାଙ୍କର ବିରକ୍ତିକର ନିଷ୍ଠୁର ସ୍ଥିତି ହିଁ ଥିଲା ଅସହ୍ୟ । ଯୁବକମାନେ କହୁଥିଲେ–ଆଃ, ଲୋକଟାର ମୃତ୍ୟୁ ନ ହେଲେ, ଗାଁର ଏକତା ଅସମ୍ଭବ । ନିଜର ସ୍ଥିତି ଯାର ଭାଙ୍ଗିଚାଲିଛି ଏକତ୍ଵର ବନ୍ଧନ । ଭାତୃତ୍ଵର ଆନନ୍ଦ । ବୁଢ଼ାମାନେ ଲୁଚେଇ ଛପେଇ ଚାପା ଗଳାରେ କୁହନ୍ତି–

 

ତା’ କବଳରୁ ନିସ୍ତାର ନାହିଁ । କେତେବେଳେ କ’ଣ ସେ କରିବ ତା’ ଠିକ୍ ଅଛି ? ପିଲାମାନେ କେଉଁ ଗୁରୁଙ୍କଠାରୁ ଶିଖି କହୁଥିଲେ–

 

ତ୍ରିଶଙ୍କୁ ସେ । ଏ ପୃଥିବୀରେ ତା’ର ପାଦ ଅଛି ନା ସ୍ଵର୍ଗରେ ! ଟିକିଏ ଖେଳିଲେ ଦାଣ୍ଡରେ ଯାହାହେବ ନା !

 

ମୁଁ ଦେଖିଛି–ସେ ଥିଲେ ଏକ ଆଶାବାଦୀ ଅହଂକାରୀ ମଣିଷ । ଯିଏ ନିଜର ସ୍ଥିତି, ପ୍ରତିଷ୍ଠା, ସମ୍ମାନ, ସ୍ଵୀକାରୋକ୍ତି ପାଇଁ ଅବିରତ ସଂଗ୍ରାମ କରୁଥିଲା । ଚେସ୍ ବୋଡ଼ର ଡଟ୍‍କୁ ଗୋଟାଏ ପରେ ଗୋଟାଏ ସଫଳତା ସହକାରେ ଚଳାଇ କଳାରାଜାକୁ ବନ୍ଦୀ କରୁଥିଲା । ଏବଂ ମନଇଚ୍ଛା ହସୁଥିଲା–ଶକୁନି ଭଳି । ସେତେବେଳେ ବୁଝିହେଉନଥିଲା ବା ଜାଣିହେଉନଥିଲା–ତାଙ୍କ ମୁଣ୍ଡ ଭିତରେ ପ୍ରବାହିତ ସେଇ ବିଷାକ୍ତ ରକ୍ତର ତୀବ୍ରତା ଓ ଗତି !

 

ହଠାତ୍ ସେଦିନ ରାତି ଅଧରେ ଶୁଣାଗଲା ଏକ କୋଳାହଳ ! ନାରୀମାନଙ୍କର ମିଳିତ କ୍ରନ୍ଦନର ରୋଳ । ପିଲାମାନଙ୍କର ଚିତ୍କାର ! ବୟସ୍କଙ୍କ ଓଜନିଆ, କାହାକୁ ଡାକିବା ପାଇଁ ବୁଲୁଥିବା ପାଦ ଶବ୍ଦରେ, ଅଥବା କାର କବାଟରେ ଠକ୍ ଠକ୍ ଆବାଜରେ ସେ ରାତ୍ରିର ନିସ୍ତବ୍ଧତା ଆକାଶରେ ଉଡ଼ିଗଲା ଭୟାତୁର ଏକ ବାଦୁଡ଼ି ଭଳି ଡେଣା ପିଟି ପିଟି ।

 

ବିଛଣାରୁ ଉଠି ଆଖି ମଳି ଆସୁ ଆସୁ ଜାଣିପାରିଥିଲି ସେଇ ଦୁଇ ଦୁର୍ଭାଗ୍ୟଜନକ ସମ୍ବାଦ । ଉଦବେଗଜନକ ସ୍ଥିତିରେ ହିଁ ତ ସେ ବଞ୍ଚିଥିଲେ । ସେଇ ଜୀବନ୍ତ ମୃତ୍ୟୁ ଏବେ ସ୍ଵୀକୃତ ହେଲା ସାମୁହିକ ଭାବେ ।

 

ଜଣେ କିଏ କହିଲେ–ଯାଅ ଧୋବାକୁ ଡାକିଆଣ । କାଠ କାଟ୍ । ଆଉ କାନ୍ଦି ବିକଳ ହୋଇ ଲାଭ ବା କ’ଣ ହେବ ? କିଏ ବା କାହାକୁ ଯମ ମୁହଁରୁ ବଞ୍ଚାଇପାରିବ । ବରଂ ଭଲ ହେଲା କଷ୍ଟ ପାଉଥିଲା । ଉଦ୍ଧାର ପାଇଗଲା !

 

ବିଡ଼ିରେ ନିଆଁ ଲଗାଇ କିଏ କହିଲା–କମ୍ କଷ୍ଟ ପାଇଛି ସେ । ଟଙ୍କା ବି କ’ଣ କମ୍ ଖର୍ଚ୍ଚ ହୋଇଛି !

 

ହଁ, ବୁଢ଼ା ଭାରି ଭାଗ୍ୟବାନ ଥିଲା । ଅନ୍ୟଜଣେ ଦୀର୍ଘଶ୍ଵାସ ପକାଇ କହିଲେ–ହେଲେ କ’ଣ ହେବ, ମଲାବେଳେ ତ କାହାକୁ ଟିକିଏ ଦେଖିପାରିଲେ ନାହିଁ । ଚାପା କଣ୍ଠରେ ବିଡ଼ିଟାଣି ଧୂଆଁ ଛାଡ଼ୁ ଛାଡ଼ୁ ସେ କହିଲେ–

 

–ହଁ, ପାଟିରେ କଅଣ ଟିକିଏ ପାଣି ଦିଆଯାଇପାରିଲା ।

 

–ସବୁ କର୍ମର ଫଳ, ଯାହା ଭାଗ୍ୟରେ ଯାହା ଅଛି ।

 

ତଥାପି ଘର ଭିତରୁ ଶୁଭୁଥିଲା କ୍ରନ୍ଦନର ରୋଳ । ବୟସ୍କ ପୁରୁଷମାନେ ଥକ୍କା ମାରିଲା ଭଳି ପିଣ୍ଡା ବା ଚଉତରା ଉପରେ ବସି ଶୂନ୍ୟ ଦୃଷ୍ଟିରେ ଚାହୁଁଥାନ୍ତି ଚାରିଆଡ଼କୁ । କିଏ ବା ସତର୍କ କରାଇଦେଉଥାଏ–ଯାଅ, ଯାଅ କାମ ଆରମ୍ଭ କର । କାଠ, ବାଉଁଶ ସଂଗ୍ରହ କର । ରାତି ଥାଉ ଥାଉ ନେଇଯିବା ଭଲ ।

 

ହଁ, ଆଉ ବାସି ମଡ଼ାକରି ଲାଭ କ’ଣ ?

 

ଆରେ ସେ ବୁଢ଼ୀଟାକୁ ଟିକିଏ ଦେଖ । ତଣ୍ଟି ଶୁଖିଯାଉଥିବ । ତାକୁ ବୁଝାଅ ।

 

–କେତେଦିନ ଆଉ ବା ବୁଢ଼ୀଟା ରହିବ । ଏ ବୟସରେ ହାତରୁ କାଚ ଖସିପଡ଼ିଲା ।

 

ପିଣ୍ଡା ଉପରେ ବସି ସବୁ ଶୁଣୁଥିଲି । ମନେପଡ଼ୁଥିଲା ଶଙ୍କରଙ୍କର ସେ ସହାନୁଭୂତି–‘କା ତବ କାନ୍ତା କସ୍ତେ ପୁତ୍ରଃ ।’ ଭାଇ ଚାଳକୁ ଧରି ଝୁଲିଲା ଭଳି ଛିଡ଼ା ହୋଇଥିଲେ । ଆଖିରୁ ତାଙ୍କର ଲୁହ ଝରୁଥିଲା ।

 

ଗୋଟିଏ ମୃତ୍ୟୁ ତ ସ୍ଵୀକୃତ ହୋଇସାରିଥିଲା । ତା’ପରେ ଚାଲିଥିଲା ପ୍ରସ୍ତୁତି ପର୍ବ । ପ୍ରସ୍ତୁତି, ପୁଣି କେତେଖଣ୍ଡ ବାଉଁଶ । କେଇଖଣ୍ଡ ଦଉଡ଼ା । କେତେଥର–ରାମ ନାମ ସତ୍ୟ ହୈ । ହରି ନାମ ସତ୍ୟ ହୈ–ଉଚ୍ଚାରଣ । ତା’ପରେ ଆଲୁଅ ଧରି ଚାଲିବ ଆଗେ ଆଗେ ଜଣେ । ପଛରେ ଖାଲି ଦେହରେ ଶବ ବାହକମାନେ, କାନ୍ଧରେ ଖଣ୍ଡେ ଖଣ୍ଡେ ଗାମୁଛା । ପାଦତଳର ପୃଥିବୀକି ଅନାଇ ଚାଲିଥିବେ ସେମାନେ ।

ଶ୍ମଶାନରେ ଜମାହୋଇଥିବ ସେତେବେଳକୁ କାଠ, ବାଉଁଶ । ଭଣ୍ଡାରି ଅପେକ୍ଷା କରିଥିବ ଶୁଦ୍ଧପୂତ କରିଦେବା ପାଇଁ । ତା’ପରେ ମୁର୍ଦାରର ଭାଙ୍ଗିଯିବ ହାତ ଗୋଡ଼ । ତଳେ ଉପରେ ଖଞ୍ଜିହୋଇଯିବ କାଠ । ପରେ ପରେ ଦେବେ ମୁଖାଗ୍ନି ।

ମୁଖାଗ୍ନି ପରିଣତ ହେବ ପୁଣି ଚିତାଗ୍ନିରେ । ପଞ୍ଚ ଭୂତର ସମାନୁପାତିକ ମିଶ୍ରଣର ଏଇ ପାର୍ଥିବ ଦେହ ଧ୍ଵଂସ ହୋଇଯିବା ପୂର୍ବରୁ ଧ୍ଵଂସ କରି ଦେଇ ଯାଇଥିବ ତା’ର ସମସ୍ତ ଇତିହାସ । ଯାହା ଦିନେ ସତ୍ୟଥିଲା ଏବଂ ଧୀରେ ଧୀରେ ସ୍ମୃତି ପାଲଟୁଥିଲା ।

ସବୁ ସ୍ମୃତି ବିସ୍ତୃତି ପାଲଟିଲା ଭଳି ବଡ଼ବାପା ହେବେ ବିସ୍ତୃତ ।

...ଅନେକଦିନ ତଳେ ଜଣେ ଲୋକ ଥିଲାଭଳି ।

–ବଡ଼ ଆଶ୍ଚର୍ଯ୍ୟ କଥା, ବୁଢ଼ୀଟା ସେମିତି ଖୁଣ୍ଟ ଭଳି ପିଣ୍ଡାରେ ବସିଛି ଆଖିରୁ ତା’ର ଟିକିଏ ଲୁହ ବି ଝରୁନି । ଗେରସ୍ତଟା ମରିଗଲାଣି । କିଭଳି ମାଇପିଟାଏ ବା !” ଚାପା କଣ୍ଠରେ ଦୁଇଜଣ ସ୍ତ୍ରୀଲୋକ କଥା ହେଉଥିଲେ । ସଂକ୍ରମିତ କଲା ସେଇ କଥା ପୁରୁଷମାନଙ୍କୁ ।

କିଏ ବା ଆଶ୍ଚର୍ଯ୍ୟ ପାଲଟି ଗଲା । କିଏ ବା ତାତ୍ସଲ୍ୟରେ ହସିଲା ଟିକିଏ । ପୁଣି କିଏ କହିଲା–ବୁଢ଼ୀ ତ ତାହା ହିଁ ଚାହୁଁଥିଲା । ମରିଯାଉ ସେ । ଏତେ ଟଙ୍କା ଖର୍ଚ୍ଚ ହେଉଛି ବୋଲି–କମ୍ ପାଟି ତା’ର ପୁଅ ବୋହୂ ସାଙ୍ଗରେ । ତା’ର କ’ଣ ହୋଇଛି କି ସେ କାନ୍ଦିବ ?

–ମଲା ଆଉ କଅଣ ହୁଅନ୍ତା ମ ! ଯେତେହେଲେ ଗେରସ୍ତ ତ !

ଆଉ ମୁଁ ଶୁଣି ପାରୁନଥିଲି । ଉଠି ଚାଲିଗଲି ବଡ଼ ବୋଉଙ୍କ ପାଖକୁ । ଏକାକୀ ପିଣ୍ଡାରେ ସେ ପଡ଼ିଥିଲେ ଅସହାୟ ଅଜଗର ଭଳି । ପାଖରେ ତାଙ୍କର ବସିପଡ଼ିଲି । ଧୀରେ ମୋ ଉପରକୁ ଆଉଜିପଡ଼ି ସେ ଯେପରି ଭାଙ୍ଗିପଡ଼ିଲେ । ଆଖିରୁ ତାଙ୍କର ନୀରବରେ ବହିଚାଲିଲା ଲୁହ । ମୁଁ ତାଙ୍କୁ ଛାତିରେ ଚିପିଧରି ଭାବୁଥିଲି–ଏ ବୟସରେ ଏ ଧକ୍କା ସମ୍ଭାଳିପାରିବି ତ !

ସମଗ୍ର ବାହ୍ୟ ସ୍ଥିତି ହରାଇ ସେ ଯେ କିପରି ଦେଖାଯାଉଥିଲେ ତା’ ମୁଁ ଆଖିଆଗରେ ଦେଖୁଥିଲି । ଲାଗୁଥିଲା ସେ ଯେପରି ମହାଶୂନ୍ୟରୁ ଖସିପଡ଼ୁଛନ୍ତି । ଅଥଚ ବାହାରେ ଚାଲିଥିଲା ତାଙ୍କର କୁଆଡ଼େ ଏ ଅବିଚଳିତ ଭାବ ନେଇ ସମାଲୋଚନା ଦାଣ୍ଡରେ ଶୁଭିଲା ମିଳିତ କଣ୍ଠରେ ହରିବୋଲ । ପୁଣି କ୍ରନ୍ଦନର ରୋଳ । ଦୁଇଟା ଢୋଲ ପିଟା ଚାଲିଲା ବେଖାପ ଭାବେ । ମହୁରୀ ସୂଚେଇଦେଲା ଏକ ଅଶୁଭ ଲଗ୍ନକୁ । ଧୀରେ ଧୀରେ ସବୁଗୁଡ଼ାକ ଯେପରି ଆଗକୁ ଚାଲିଲା । ହଠାତ୍ ବଡ଼ ବୋଉ ମୁହଁଟେକି ଚାହିଁଲା । ବିକଳ ଭାବେ ପାଟିରୁ ତା’ର ବାହାରିଆସିଲା–” ମୋତେ ଟିକିଏ ଦେଖେଇନେଲ ନାହିଁ ତାଙ୍କୁ ! ହଉ !” ଅସହ୍ୟ ଏକ କୋହରେ ସେ ଥରିଉଠିଲେ ଗୋଟାଏ ବରଡ଼ାପତ୍ର ଭଳି । ତା’ପରେ ତା’ ଆଉ ବନ୍ଦ ହେଲାନି ।

କୋଳରେ ଚିପିଧରି ମୁଁ ଡାକିଲି–ବଡ଼ ବୋଉ ! ବଡ଼ ବୋଉ, କଅଣ ହେଉଛି ? କ’ଣ ହେଉଛି ?

ନୀରବରେ ତା’ର ସମଗ୍ର ଦେହ ଥରୁଥିଲା । ତା’ପରେ ହଠାତ୍ ସେ ମୋତେ ଠେଲିଦେଇ ଛଟପଟ ହୋଇ ପୁଣି ପଡ଼ିଗଲା କୋଳରେ । ମୁଁ ଚିତ୍କାର କରିଉଠିଲି । ଘର ଭିତରେ ମୁର୍ଦାର ପଛରେ ଯିବାକୁ ପ୍ରସ୍ତୁତ ହେଉଥିଲେ କେତେଜଣ ପୁରୁଷ ଓ ସ୍ତ୍ରୀ । ବଡ଼ ବୋଉର ଜଡ଼ ଦେହଟା ପଡ଼ିଥିଲା ମୋ କୋଳରେ । ପାହାନ୍ତାରେ ସେଦିନ ଶୁଭିଲା ଆଉଥରେ–ରାମ ନାମ ସତ୍ୟ ହୈ । ହରିନାମ ସତ୍ୟ ହୈ । ନାଗରା ମହୁରୀର ମିଳିତ ସ୍ଵର ଦାଣ୍ଡରେ ବୁଣାହେଲା–ଖଇ । କଉଡ଼ି-। ପଇସା ।

ଦୁଇଟା ଲଗାଲଗି ଚିତାରେ, ବଡ଼ଭାଇ ଅଗ୍ନି ସଂଯୋଗ କଲାବେଳେ ତାଙ୍କର ହାତ ଥରିଉଠୁଥିଲା । ସେ କୋହ ସମ୍ଭାଳି ପାରୁନଥିଲେ ।

କେହି ଜଣେ କହିଲେ–ବଡ଼ ଭାଗ୍ୟବାନ ଏମାନେ । ସେତେବେଳକୁ ଚିତାଗ୍ନି କାୟା ବିସ୍ତାର କରୁଥିଲା । ଏବଂ ଲୋକ ଲୋକାନ୍ତରେ ବ୍ୟାପିଯାଉଥିଲା–ଏଇ ଆଶ୍ଚର୍ଯ୍ୟ ଘଟଣା ।

ଫେରିଲାବେଳେ ନୀରବରେ ଆଗେ ସମସ୍ତେ ଚାଲିଥିଲୁ । ଚିତାଗ୍ନିର କ୍ଳାନ୍ତ ଶିଖା ତଥାପି ଧୀରେ ଧୀରେ ଉଠୁଥିଲା ।

ଯିଏ ମରିଗଲା–ସିଏ ତରିଗଲା–କିଏ ଜଣେ କହିଲା । ମୁଁ ଭାବୁଥିଲି–“ସୂର୍ଯ୍ୟ ଯେଉଁଠି ଅସ୍ତଯାଏ ।

ସେଇଠି ପୁଣି ସୂର୍ଯ୍ୟ ଉଦୟ ହୁଏ ।”

Image

 

 

 

 

 

 

 

 

 

।। ଗଳ୍ପଗୁଡ଼ିକ ବିଭିନ୍ନ ସମୟରେ; ଝଂକାର, ନବରବି, ଆସନ୍ତାକାଲି, ଆଜିର ଗଳ୍ପ, ସ୍ଵର୍ଣ୍ଣକିରଣ ଓ ଫୁଲଫଗୁଣ ପ୍ରଭୃତି ପତ୍ରିକାରେ ପ୍ରକାଶିତ ହୋଇଥିଲା । ସଂପୃକ୍ତ ସଂପାଦକମାନଙ୍କୁ ଏଥିପାଇଁ ମୁଁ କୃତଜ୍ଞତା ଜଣାଉଛି ।।

 

–ପଦ୍ମଜ ପାଳ–

Image